ଋଷ୍ୟଶୃଙ୍ଗ କିମ୍ବା ଶୃଙ୍ଗୀ ଋଷି ହେଉଛନ୍ତି ବାଲ୍ମିକୀ ରାମାୟଣର ଜଣେ ଚରିତ୍ର ଯାହାଙ୍କଦ୍ୱାରା ରାଜା ଦଶରଥ ପୁତ୍ର ଲାଭ କରିବା ନିମନ୍ତେ ପୁତ୍ରକାମେଷ୍ଟି ତଥା ଅଶ୍ୱମେଧ ଯଜ୍ଞ କରାଇଥିଲେ । ସେ ଥିଲେ ବିଭାଣ୍ଡକ ଋଷିଙ୍କ ପୁତ୍ର ତଥା ଋଷି କାଶ୍ୟପଙ୍କ ନାତି ।[୧] ଋଷ୍ୟଶୃଙ୍ଗ ଥିଲେ ଋଷି ବିଭାଣ୍ଡକ ଏବଂ ଅପସରା ଉର୍ବଶୀଙ୍କ ପୁତ୍ର । ସେ ଅଙ୍ଗଦେଶର ରାଜା ରୋମପାଦଙ୍କ ପୋଷ୍ୟ କନ୍ୟା ଶାନ୍ତାଙ୍କୁ ବିବାହ କରିଥିଲେ, ଯିଏ ପ୍ରକୃତରେ ଦଶରଥଙ୍କ ଝିଅ ଥିଲେ ।

ଜନ୍ମ ଏବଂ ପୌରାଣିକ ବୃତ୍ତାନ୍ତ ସମ୍ପାଦନା

ପୌରାଣିକ କାହାଣୀ ଅନୁଯାୟୀ,ଋଷି ବିଭାଣ୍ଡକଙ୍କୁ ଏକଦା କଠୋର ତପ କରିବା ଦେହି, ଦେବତାଗଣ, ବିଶେଷକରି ଦେବରାଜ ଇନ୍ଦ୍ର ପ୍ରମାଦ ଗଣିଲେ । ତେଣୁ ଋଷିଙ୍କ ତପ ଭଙ୍ଗ କରିବା ପାଇଁ ସେ ସ୍ୱର୍ଗର ଅପସରା ଉର୍ବଶୀଙ୍କୁ ପଠାଇଲେ । ସୁନ୍ଦରୀ ଉର୍ବଶୀଙ୍କଦ୍ୱାରା ଆକର୍ଷିତ ହୋଇ ବିଭାଣ୍ଡକ ତାଙ୍କ ସହ ସହବାସ କଲେ, ଯାହା ଫଳରେ ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହେଲା । ସେହି ପୁତ୍ର ହିଁ ଋଷ୍ୟଶୃଙ୍ଗ ନାମରେ ପରିଚିତ ହେଲେ ।[୨] ତେବେ, ତାଙ୍କ ନାମ ବିଷୟରେ ଉଲ୍ଲେଖ କରାଯାଇଛି ଯେ ତାଙ୍କ କପାଳରେ ଶିଙ୍ଗ ଥିବାରୁ ସେ ଶୃଙ୍ଗୀ ନାମ ପାଇଥିଲେ । ଋଷ୍ୟଶୃଙ୍ଗ ଜନ୍ମ ହେବା ପରେ ଉର୍ବଶୀଙ୍କ କାର୍ଯ୍ୟ ସମାପ୍ତ ହୋଇଯିବାରୁ ସେ ସ୍ୱର୍ଗଲୋକକୁ ଚାଲିଗଲେ । ଉର୍ବଶୀ ତାଙ୍କୁ ଏଭଳି ଭାବେ ପ୍ରତାରିତ କରିବା ପରେ ଋଷି ବିଭାଣ୍ଡକଙ୍କର ନାରୀ ଜାତି ପ୍ରତି ଭୀଷଣ ଘୃଣାଭାବ ଜାତ ହେଲା । ଏହି ପ୍ରତାରଣାଦ୍ୱାରା ବିଭାଣ୍ଡକ ଏତେ ଆଘାତ ପାଇଲେ ଯେ ସେ ସମସ୍ତ ମହିଳା ଜାତିଙ୍କୁ ଘୃଣା କଲେ ଏବଂ ପୁଅ ଋଷ୍ୟଶୃଙ୍ଗଙ୍କ ଜୀବନରେ ମହିଳାଙ୍କ ଛାଇ ମଧ୍ୟ ନ ପଡିବାର ବ୍ୟବସ୍ଥା କରିବାକୁ ସ୍ଥିର କଲେ । ଏଥିପାଇଁ ସେ ଏକ ଅରଣ୍ୟରେ ପୁତ୍ରର ଲାଳନ ପାଲନ କରିବା ବ୍ୟବସ୍ଥା କଲେ । ସେହି ଅରଣ୍ୟର ସୀମାରେ ଅଙ୍ଗଦେଶ ରହିଥିଲା । ଋଷିଙ୍କର କ୍ରୋଧର କାରଣରୁ ସୀମାନ୍ତବର୍ତ୍ତୀ ଅଙ୍ଗରାଜ୍ୟରେ ଘୋର ଦୁର୍ଭିକ୍ଷ ଦେଖାଦେଇଥିଲା । ଅଙ୍ଗରାଜା ରୋମପାଦ ସାଧୁ ଓ ମନ୍ତ୍ରୀମାନଙ୍କ ସହିତ ପରାମର୍ଶ କରି ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଯଦି କୌଣସି ପ୍ରକାରେ ଋଷ୍ୟଶୃଙ୍ଗଙ୍କୁ ଅଙ୍ଗ ଦେଶକୁ ଅଣାଯାଏ, ତେବେ ଏହି ବିପର୍ଯ୍ୟୟ ଦୂର ହେବ । ଅତଏବ, ରାଜା ଋଷ୍ୟଶୃଙ୍ଗଙ୍କୁ ନିମନ୍ରଣ କରିବା ପାଇଁ କିଛି ଦେବଦାସୀଙ୍କୁ ତାଙ୍କ ନିକଟକୁ ପଠାଇଲେ, କାରଣ ଋଷ୍ୟଶୃଙ୍ଗ ଜନ୍ମ ନେବା ପରଠାରୁ କେବେ ବି ମହିଳାଙ୍କ ସଂସ୍ପର୍ଶରେ ଆସି ନଥିଲେ ।[୨] ସତକୁ ସତ ଋଷ୍ୟଶୃଙ୍ଗ ଆଗ୍ରହର ସହ ଦବଦାସୀଙ୍କ ସହ ଆସିବାକୁ ରାଜି ହୋଇଗଲେ ଏବଂ ତାଙ୍କ ଆଗମନକୁ ଅଙ୍ଗ ଦେଶରେ ବହୁତ ଉତ୍ସାହର ସହିତ ସ୍ୱାଗତ କରାଯାଇଥିଲା । ପିତା ବିଭାଣ୍ଡକଙ୍କ କ୍ରୋଧରେ ଭୟଭୀତ ହୋଇ ରୋମାପଡ ତୁରନ୍ତ ତାଙ୍କ ଝିଅ ଶାନ୍ତାକୁ ଋଷ୍ୟଶୃଙ୍ଗଙ୍କ ସହ ବିବାହ ପାଇଁ ଅର୍ପଣ କରିଦେଇଥିଲେ । ପରବର୍ତ୍ତୀ ସମୟରେ ଋଷ୍ୟଶୃଙ୍ଗ ରାଜା ଦଶରଥଙ୍କ ପୁତ୍ର ପ୍ରାପ୍ତି ନିମିତ୍ତ ଅଶ୍ୱମେଧ ଯଜ୍ଞ ତଥା ପୁତ୍ରକାମେଷ୍ଟୀ ଯଜ୍ଞ କରିଥିଲେ ।

ଆଧାର ସମ୍ପାଦନା

  1. "Sage Rishyashringa". Sri Sringeri Sharada Peetham. Retrieved 12 February 2021.
  2. ୨.୦ ୨.୧ "Fascinating Story of a Man Who Had Never Seen a Woman in his Life". www.speakingtree.in. Retrieved 13 February 2021.