ଉଇକିପିଡ଼ିଆ:ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ/ଜାଣିବା କଥା

୧. ଓଡ଼ିଆ ଉଇକିପିଡ଼ିଆର ଇତିହାସ ଓ ବର୍ତ୍ତମାନର ସ୍ଥିତି କଣ?

ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାରେ ଏକ ଖୋଲା ଏବଂ ଅନଲାଇନ ଜ୍ଞାନକୋଷ ଯେଉଁଥିରେ କେହି ବି ଜଣେ ପ୍ରସଙ୍ଗ (Article) ଲେଖିପାରେବେ । ଓଡ଼ିଆରେ ଏଯାବତ ୩୦୫୦ ଗୋଟି ପ୍ରସଙ୍ଗ ରହିଛି । ୨୦୦୨ ରେ ଆରମ୍ଭ ହୋଇଥିବା ଏହି ଅଣ-ଲାଭକାରୀ ପ୍ରକଳ୍ପରେ ପ୍ରଥମ ପ୍ରସଙ୍ଗଟି ୨୦୦୪ ରେ ଲେଖାଯାଇଥିଲା । ତେବେ ସଚେତନତା ଓ ସକ୍ରିୟ ଯୋଗଦାନର ଅଭାବ ଯୋଗୁଁ ଏଥିରେ ଦୀର୍ଘ ୮ ବର୍ଷ ଧରି ବେଶି କିଛି ବିକାଶ ହୋଇପାରିନଥିଲା । ୨୦୧୧ ମାର୍ଚ୍ଚ ବେଳକୁ କେତେଜଣ ବେଙ୍ଗାଳୁରୁ ନିବାସୀ ଓଡ଼ିଆଙ୍କ ପ୍ରଚେଷ୍ଟାରେ ଏହି ପ୍ରକଳ୍ପର ପୁନରୁଦ୍ଧାର ହୋଇଥିଲା । ପରେ ପରେ ବେଙ୍ଗାଳୁରୁ, ଭୁବନେଶ୍ଵର, କଟକ, ବାଲେଶ୍ଵର, ଦିଲ୍ଲୀ, ହାଇଦରାବାଦ, ପୁଣେ ଆଦି ସ୍ଥାନରେ ଉତ୍ସାହୀ ଓଡ଼ିଆମାନେ କର୍ମଶାଳା ମାଧ୍ୟମରେ ଏହାର ପ୍ରଚାର ଓ ପ୍ରସାର କରିବା ଫଳରେ ଆଜି ଏହା ଇଣ୍ଟରନେଟରେ ଉପଲବ୍ଧ ସର୍ବାଧିକ ପଠିତ ଓଡ଼ିଆ ୱେବସାଇଟ ଭାବରେ ପରିଗଣିତ ହୋଇଛି । ମାସକୁ ହାରାହାରି ୪.୭ ଲକ୍ଷରୁ ଅଧିକ ଲୋକ ଏହାକୁ ଇଣ୍ଟରନେଟ ମାଧ୍ୟମରେ ପଢ଼ିଥାନ୍ତି । ୨୫ରୁ ଅଧିକ ଓଡ଼ିଆ ସ୍ଵେଚ୍ଛାରେ ଏଥିରେ ନାନାଦି ପ୍ରସଙ୍ଗରେ ସକ୍ରିୟ ଭାବେ ଏଥିରେ ଲେଖୁଛନ୍ତି ।

୨. ଏହାର ଉପଯୋଗୀତା କଣ, ବିଶେଷ କରି ଛାତ୍ର ତଥା ଶିକ୍ଷକମାନଙ୍କର ଏହା କିପରି କାମରେ ଆସିବ?

ଓଡ଼ିଆ ଉଇକିପିଡ଼ିଆ ଏକ ଖୋଲା ଜ୍ଞାନକୋଷ ଭାବରେ ସମଗ୍ର ଜ୍ଞାନର ଏକ ଭଣ୍ଡାର, ତେଣୁ ବୃତ୍ତି ନିର୍ବିଶେଷରେ ସମସ୍ତ ଶିକ୍ଷିତ ଓଡ଼ିଆ ଏହାକୁ ଜ୍ଞାନ ଆହରଣର ଏକ ବିଶାଳ ଭଣ୍ଡାର ଭାବେ ଏହାକୁ ବ୍ୟବହାର କରିପାରିବେ । ଛାତ୍ରମାନେ ନିଜର ଅଧ୍ୟୟନ ପାଇଁ ଓ ଶିକ୍ଷକମାନେ ନିଜର ଅଧ୍ୟାପନାରେ ସହଯୋଗ ପାଇଁ ଏଥିରୁ ଅନେକ ଉପଯୋଗୀ ତଥ୍ୟ ପାଇପାରିବେ ।

୩. ବ୍ରିଟାନିକା ଭଳି ଛପା ଜ୍ଞାନକୋଷ ଠାରୁ ଏହା କେତେ ଅଧିକ ଉପଯୋଗୀ?

ଛପା ବହିର ପୁନର୍ମୁଦ୍ରଣ କେତେ ବର୍ଷ ଅନ୍ତରରେ ହେଉଥିବା ବେଳେ ଓଡ଼ିଆ ଉଇକିପିଡ଼ିଆରେ ନୂଆ ତଥ୍ୟ ସବୁ ପ୍ରତି ଦିନ ବା କେଇଦିନ ଅନ୍ତରରେ ଯୋଡ଼ାଯାଉଥାଏ । ଏହା ଫଳରେ ସଭିଏଁ ନୂଆ ଓ ପରିବର୍ତ୍ତିତ ତଥ୍ୟସବୁ ଜାଣିବାକୁ ପାଇଥାନ୍ତି ଯାହା ଛପା ବହି କ୍ଷେତ୍ରରେ ସମ୍ଭବପର ହୋଇନଥାଏ । ତାହା ସହିତ ସମସ୍ତଙ୍କ ପାଖରେ ସବୁବେଳେ ବହିଟିଏ ହୁଏତ ରହିନପାରେ, କିନ୍ତୁ ଓଡ଼ିଆ ଉଇକିପିଡ଼ିଆ ମାଗଣାରେ ଅନଲାଇନରେ ଉପଲବ୍ଧ । ଜଣେ ଚାହିଁଲେ ଦରକାରୀ ପ୍ରସଙ୍ଗସବୁକୁ ପ୍ରିଣ୍ଟ କରି ମଧ୍ୟ ପଢ଼ିପାରିବ ।

୪. ଶିକ୍ଷା ପ୍ରକଳ୍ପର କଣ ଓ ସବିଶେଷ ଏହାର ଉପଯୋଗୀତା ବାବଦରେ ବୁଝାଇଲେଖିବେ କି?

ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ଏକ ସହବନ୍ଧିତ ପ୍ରକଳ୍ପ (Collaborative partnership project) ଯାହା ଏକ ଶିକ୍ଷାନୁଷ୍ଠାନ ଓ ଉଇକିପିଡ଼ିଆର ସହଯୋଗରେ ହୋଇଥାଏ । ଏଥିରେ ଶିକ୍ଷକମାନେ ନିଜ ଅନୁଷ୍ଠାନର କେତେକ ଉତ୍ସାହୀ ଛାତ୍ରଛାତ୍ରୀଙ୍କୁ ବାଛିଥାନ୍ତି ଯେଉଁମାନଙ୍କୁ ତାଙ୍କର ପାଠ ଖସଡ଼ା (ସିଲାବସ) ଭିତରୁ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଲେଖିବା ପାଇଁ ଦିଆଯାଇଥାଏ । ସେମାନେ ସେହି ପ୍ରସଙ୍ଗସବୁ ଲେଖିଲାପରେ ଶିକ୍ଷକମାନେ ତାହାର ମୁଲ୍ୟାୟନ କରିଥାନ୍ତି ଓ ସେମାନେ ସେହି ପ୍ରସଙ୍ଗସବୁ ଉଇକିପିଡ଼ିଆରେ ଲେଖିଥାନ୍ତି । ଏହି ପ୍ରୋଗ୍ରାମ ଶେଷରେ ଏଥିରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆ ତରଫରୁ ମାନପତ୍ର (Certificate) ଦିଆଯାଇଥାଏ ।

୫. ଏହା ଛାତ୍ରଛାତ୍ରୀମାନଙ୍କୁ କି କି ପ୍ରକାରେ ବିଶେଷ ଭାବରେ ସାହାଯ୍ୟ କରିଥାଏ?

  • ଜ୍ଞାନ ଆହରଣ ଓ ବିତରଣ କରିବା ତଥା ଉଇକିପିଡ଼ିଆ ଭଳି ଏକ ବିଶ୍ଵସ୍ତରୀୟ ଜ୍ଞାନକୋଷରେ ସମ୍ପାଦନାର ଅଭିଜ୍ଞତା
  • ଏହି ସଙ୍ଗଠନ ତରଫରୁ ମାନପତ୍ର ଯାହା ଭବିଷ୍ୟତରେ ଚାକିରି ପାଇଁ ଆବେଦନରେ ସାହାଯ୍ୟ କରିଥାଏ
  • ଜଗତସାରାର ଅନେକ ନୂଆ ଲୋକଙ୍କ ସହ ମିଶି କାମ କରିବାର ଅନୁଭୂତି
  • ଏକ ବିଶେଷ ପ୍ରସଙ୍ଗରେ ନିପୁଣତା ଲାଭ

୬. ଏହି ପ୍ରୋଗ୍ରାମ କେତେ ଦିନ ଧରି ଚାଲିବ ଓ ଏହା କିପରି ଆରମ୍ଭ ହୋଇ କେଉଁଭାବେ କାମ କରିବ?

ଏହି ପ୍ରୋଗ୍ରାମ ଶିକ୍ଷାନୁଷ୍ଠାନର ପାଠ ଖସଡ଼ା ଉପରେ ଭିତ୍ତି କରି ନିର୍ମାଣ କରାଯାଇଥାଏ । ତେବେ ଏହା ଏକମାସରୁ ନେଇ ୬ ମାସ ଭିତରେ ହୋଇଥାଏ । ତେବେ କେତେକ ଶିକ୍ଷାନୁଷ୍ଠାନର ସ୍ଵଳ୍ପ କାଳର ପାଠ ଖସଡ଼ା ଥିଲେ ଏହା ୧୫ ଦିନ ପାଇଁ କରାଯାଇପାରିବ ।

୭. ଏଥିରେ ଛାତ୍ର ବା ଶିକ୍ଷକଙ୍କୁ କିଛି ଅର୍ଥର ସାହାଯ୍ୟ କରାଯାଇଥାଏ କି?

ନାଁ, ଉଇକିପିଡ଼ିଆ ଏକ ଅଣଲାଭକାରୀ ପ୍ରକଳ୍ପ ହୋଇଥିବାରୁ ଏଥିରେ ସମ୍ପାଦନା କରୁଥିବା କୌଣସି ବ୍ୟକ୍ତିଙ୍କୁ କିଛି ଅର୍ଥର ସାହାଯ୍ୟ କରାଯାଏ ନାହିଁ । ତେବେ ଛାତ୍ରଛାତ୍ରୀ ଓ ଯୋଗଦାନକାରୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ କିଛି ଉପହାର ଦିଆଯାଇଥାଏ । ପ୍ରୋଗ୍ରାମ ଶେଷରେ ସେମାନଙ୍କୁ ଉଇକିପିଡ଼ିଆ ତରଫରୁ ମାନପତ୍ର ଦିଆଯାଇଥାଏ ।

୮. ଏହି ପ୍ରୋଗ୍ରାମରେ ଭାଗ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆରେ କିଛି ଚାକିରି ମିଳିବାର ବ୍ୟବସ୍ଥା ଅଛି କି?

ଯଦିଓ ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ସମସ୍ତ ବ୍ୟକ୍ତି ସ୍ଵେଚ୍ଛରେ ଏହା କରିଥାନ୍ତି କେତେକ ବୈଷୟିକ (Technical) ଓ ଅନ୍ୟାନ୍ୟ କିଛି କାମ ପାଇଁ ଉଇକିପିଡ଼ିଆରେ କିଛି ବେତନଭୋଗୀ କର୍ମଚାରୀ ଅଛନ୍ତି । ସେମାନଙ୍କ ସଂଖ୍ୟା ନଗଣ୍ୟ । ତେବେ ନୂଆ କର୍ମଚାରୀ ନିଯୁକ୍ତି ସମୟରେ ଏହା ସଭିଙ୍କ ଗୋଚରରେ ହୋଇଥାଏ ଓ ଉଇକିପିଡ଼ିଆରେ ସକ୍ରିୟ ସମ୍ପାଦକମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ । ନିଯୁକ୍ତି ସମୟରେ ସେମାନଙ୍କ ଯୋଗଦାନକୁ ଅଗ୍ରାଧୀକାର ଦିଆଯାଇଥାଏ ।