ଭାରତୀୟ ବିଚାର ବିଭାଗରେ ଇ-ଅଦାଲତ ସେବାର କାର୍ଯ୍ୟକାରିତା ବାସ୍ତବରେ ଏକ ବୈପ୍ଳବିକ ପରିବର୍ତ୍ତନ ।[୧] ଏହି ପରିଯୋଜନା ମୁତାବକ ହାର୍ଡୱେର, ସଫ୍‌ଟୱେର ତଥା ନେଟ୍‌ୱାର୍କିଙ୍ଗ ମାଧ୍ୟମରେ ଜିଲ୍ଲା ତଥା ତାଲୁକ ସ୍ତରରେ ଅଦାଲତ ସବୁ ସୁବିଧାରେ ସୂଚନା ଆଦାନ ପ୍ରଦାନ କରିବା ସହ ଦୈନନ୍ଦିନ କାର୍ଯ୍ୟସବୁ ଅଧିକ ଦକ୍ଷତାର ସହ ସଂପାଦନ କରିପାରିବେ । ଉପଲବ୍ଧ ମାନବ ସମ୍ବଳର ଅନୁକୁଳ ଉପଯୋଗ ତଥା ସୂଚନା ଏବଂ ସଂଚାର ଟେକ୍‌ନୋଲୋଜିର ବହୂଳ ବ୍ୟବହାରଦ୍ୱାରା ବିଚାର ବ୍ୟବସ୍ଥା ଅଧିକ ଯୁଗୋପଯୋଗୀ, ଉତ୍ତରଦାୟୀ ତଥା ପାରଦର୍ଶୀ ହେବା ସହିତ ନ୍ୟାୟ ପାଇବା ପାଇଁ ଲୋକେ ଅଯଥା ଖର୍ଚ୍ଚାନ୍ତ ହେବେ ନାହିଁ ।

ଇତିହାସ ସମ୍ପାଦନା

ଭାରତୀୟ ବିଚାର ବିଭାଗରେ ସୂଚନା ଏବଂ ସଂଚାର ଟେକ୍‌ନୋଲୋଜିର (ICT) ବ୍ୟବହାର ପୂର୍ବକ ବିଚାର ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ନିମନ୍ତେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଗଠିତ କମିଟିର (National Policy and Action Plan for Implementation of Information and communication Technology in the Indian Judiciary-2005) କାର୍ଯ୍ୟ ଯୋଜନା ମୁତାବକ ଇ-ଅଦାଲତ ପରିଯୋଜନା ଲାଗୁହୋଇଛି । ଇ-ଅଦାଲତ ପରିଯୋଜନାର ପରିକଳ୍ପନା ୨୦୦୫ ମସିହାରେ ହୋଇଥିଲେ ସୁଦ୍ଧା ପ୍ରାଥମିକ ଭାବେ ୯୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଇ-ଅଦାଲତ ପରିଯୋଜନା ଅନ୍ତର୍ଗତ ମିଶନ୍ ମୋଡ୍ ପ୍ରୋଜେକ୍ଟ (Mission Mode Project-Phase-1)ରେ ଦେଶର ୧୪,୨୪୯ ଉଚ୍ଚ ନ୍ୟାୟାଳୟ ତଥା ଜିଲ୍ଲା ଓ ନିମ୍ନ ଅଦାଲତ ଗୁଡିକର କମ୍ପ୍ୟୁଟରୀକରଣ କରାଗଲା ।[୨] ଇତିମଧ୍ୟରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଇ-କମିଟି ଇ-ଅଦାଲତ ପରିଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ପାଇଁ ଅନୁମତି ପ୍ରଦାନ କରିସାରିଛନ୍ତି ।[୩] ଏହି ପରିଯୋଜନାର ମୂଳ ଲକ୍ଷ୍ୟ ହେଲା :

  1. କୁଶଳ ତଥା ସମୟବଦ୍ଧ ଜନ କୈନ୍ଦ୍ରିକ ଆଇନ ସେବା ପ୍ରଦାନ ।
  2. ନ୍ୟାୟାଳୟରେ ନ୍ୟାୟୀକ ଫୈସଲା ମୁତାବକ ଅଦାଲତ କାର୍ଯ୍ୟ ପରିଚାଳନା ସମ୍ବନ୍ଧୀୟ ଏକ ନ୍ୟାୟୀକ ପ୍ରଣାଳୀର ବିକାଶ ଏବଂ ଉପଯୋଗ ।
  3. ବିଚାର ବିଭାଗର ସମସ୍ତ ହିତଧାରକଙ୍କୁ (Stakeholders) ସ୍ୱୟଂଚାଳିତ ତଥ୍ୟ ପ୍ରଦାନରେ ସ୍ୱଚ୍ଛତା ଏବଂ ପାରଦର୍ଶୀତାର ପ୍ରୟୋଗ ।
  4. ନ୍ୟାୟ ପ୍ରଦାନ ପ୍ରକ୍ରୀୟାର ଗୁଣାତ୍ମକ ମାନ ତଥା ଉତ୍ପାଦକତା ବୃଦ୍ଧି କରିବା ସହ ନ୍ୟାୟ ପ୍ରଦାନ ପ୍ରକ୍ରୀୟାକୁ ସହଜ ଲବ୍ଧ କରିବା ।
  5. ବକେୟା ମାମଲାର ତ୍ୱରିତ ବିଚାର ନିମନ୍ତେ ସହାୟକ ହେବା ସହ ନ୍ୟାୟାଳୟରେ ଦୈନନ୍ଦିନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ।
  6. ମହକିଲଙ୍କୁ ଆବଶ୍ୟକୀୟ ତଥ୍ୟ ଯୋଗାଇବାରେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ବିଚାର ପତିଙ୍କୁ ନ୍ୟାୟୀକ ଡେଟାବେସ୍‌ରୁ ତଥ୍ୟ ଯୋଗାଇବାରେ ସହାୟତା କରିବା ।

ଇ-ଅଦାଲତ ପରିଯୋଜନା ମୁତାବକ ଆମ ଭାରତୀୟ ନ୍ୟାୟୀକ ବ୍ୟବସ୍ଥାରେ ନିମ୍ନ ସମସ୍ତ ଆବଶ୍ୟକତା ରହିଛି ।

ଭିତ୍ତିଭୂମିଗତ ଆବଶ୍ୟକତା ସମ୍ପାଦନା

  1. ସମସ୍ତ ଅଦାଲତରେ ଟେକ୍‌ନୋଲୋଜିକାଲ୍ ବ୍ୟବସ୍ଥା ରହିଥିବା ନୂତନ ଗୃହ ।
  2. ସମସ୍ତ ଅଦାଲତରେ ବ୍ରୋଡ୍‌ବ୍ଯାଣ୍ଡ ସୁବିଧା ତଥା ନିରନ୍ତର ବିଦ୍ୟୁତ ପ୍ରବାହ ବ୍ୟବସ୍ଥା ।
  3. ସମସ୍ତ ଅଦାଲତର କମ୍ପ୍ୟୁଟରୀକରଣ ।
  4. ଭିଡିଓ କନ୍‌ଫେରେନ୍‌ସିଂର ସୁବିଧା ।
  5. ହେଲ୍ପ୍ ଡେସ୍କ ତଥା କିଓସ୍କି ପ୍ରଦର୍ଶନ ସୁବିଧା ଭଳି ଆନୁଷଙ୍ଗିକ ବ୍ୟବସ୍ଥା ।

ମାନବ ସମ୍ବଳ ବିକାଶ ସମ୍ବନ୍ଧିତ ସମ୍ପାଦନା

  1. ସ୍ଥାୟୀ ସିଷ୍ଟମ୍‌ ଅଫିସର ଭଳି ଟେକ୍‌ନିକାଲ ମାନବସମ୍ବଳ
  2. ମାନବ ସମ୍ବଳର ଇ-ଅଦାଲତ ସମ୍ପର୍କିତ ତାଲିମ ନିମିତ୍ତ ସ୍ଥାୟୀ ତାଲିମ କେନ୍ଦ୍ର
  3. ମାନବ ସମ୍ବଳର ବିକାଶ ପାଇଁ ଟେକ୍‌ନିକାଲ ବୈଷୟିକ ତଥା ବ୍ୟବସାୟିକ ତଥ୍ୟ ସମ୍ବଳିତ ଇ-ପାଠାଗାର

ଇ-ଅଦାଲତ ସମ୍ପର୍କିତ ମୂଳଭୂତ ସୁବିଧା ସମ୍ପାଦନା

  1. ସମସ୍ତ ଅଦାଲତରେ ଇ-ଫାଇଲିଙ୍ଗର ସୁବିଧା
  2. ସମସ୍ତ ବକେୟା ମାମଲାର ତଥ୍ୟ ସମ୍ବଳିତ ଡାଟାବେସ୍ର ସୃଷ୍ଟି
  3. ଫଇସଲା ହୋଇ ନ ଥିବା ମାମଲା ଗୁଡିକର ସ୍ଥିତି ସମର୍କିତ ତଥ୍ୟ ତଥା ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଅନଲାଇନରେ ତଥ୍ୟ ଉପଲବ୍ଧ ହେବା
  4. ମାମଲା ଦାଖଲ ତଥା ମାମଲା ସମ୍ପର୍କିତ ନକଲ ପାଇବା ନିମନ୍ତେ ପ୍ରତି ଅଦାଲତ ପରିସରରେ ଏକ କାଉଣ୍ଟରର ବ୍ୟବସ୍ଥା
  5. କମ୍ପ୍ୟୁଟର ତଥା ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାରେ କୋର୍ଟ୍ ଫି ନିର୍ଦ୍ଧାରଣ ବ୍ୟବସ୍ଥା
  6. ସମସ୍ତ ମାମଲାର ଦଲିଲ ତଥା ତଥ୍ୟର ଡକୁମେଣ୍ଟେସନ୍ ଏବଂ ସଂରକ୍ଷଣ
  7. ଉପରିସ୍ଥ ଅଦାଲତମାନଙ୍କର ସମନ/ନୋଟିସ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଜାରି କରିବା
  8. ଡିଜିଟାଲ୍ ସ୍ୱାକ୍ଷର ସମ୍ବଳିତ ନ୍ୟାୟୀକ ଆଦେଶର ନକଲ ଉପଲବ୍ଧ କରାଇବା
  9. ଡିଜିଟାଲ୍ ପ୍ରତିଲିପି ମାଧ୍ୟମରେ ଅନଲାଇନ ସାକ୍ଷ୍ୟ ଗ୍ରହଣ
  10. ଭିଡିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ଅଭିଯୁକ୍ତର ଅଦାଲତରେ ଉପସ୍ଥିତି କରାଇବା
  11. ମାମଲା ତଥା ଆଇନ ସମ୍ପର୍କୀୟ ସମସ୍ତ ତଥ୍ୟ ଅନଲାଇନରେ ଉପଲବ୍ଧ କରାଇବା
  12. ମାମଲା ସମ୍ପର୍କିତ ସମନ ଓ ୱାରେଣ୍ଟ କମ୍ପ୍ୟୁଟର ସଫ୍ଟୱେର୍ ମାଧ୍ୟମରେ ସ୍ୱୟଂ ଉତ୍ପନ୍ନ କରାଇବା
  13. ସମନ ଜାରୀ ସମ୍ପର୍କିତ ସତ୍ୟାପନର ସ୍ୱୟଂଚାଳିତ ନିୟମିତ ଯାଞ୍ଚ
  14. ଅନଲାଇନରେ ମାମଲା ସମ୍ପର୍କିତ ସାଂଖିକ ତଥ୍ୟ/ବିବରଣୀର ସ୍ୱୟଂ ଉତ୍ପନ୍ନ
  15. ମୋବାଇଲ୍ ଆପ୍ ଜରିଆରେ ମହକିଲଙ୍କୁ ମାମଲା ସମ୍ପର୍କିତ ତଥ୍ୟ ପ୍ରଦାନ

ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସମ୍ପାଦନା

  1. ଅନଲାଇନରେ ବିଚାରପତିମାନଙ୍କ ପ୍ରଦର୍ଶନର ଗୁଣାତ୍ମକ ମାନ ସମ୍ପର୍କିତ ସମୀକ୍ଷା
  2. ସରକାରଙ୍କ ସମସ୍ତ ବିଭାଗକୁ ଅନଲାଇନ ଯୋଗେ ବିବରଣୀ/ତଥ୍ୟ ପ୍ରଦାନ
  3. ସି ଓ ଡି ଶ୍ରେଣୀ କର୍ମଚାରୀଙ୍କ ଭର୍ତ୍ତି ନିମନ୍ତେ ଅନଲାଇନ ଆବେଦନର ବ୍ୟବସ୍ଥା ତଥା ସି ଶ୍ରେଣୀ କର୍ମଚାରୀଙ୍କ ନିମନ୍ତେ ଅନଲାଇନ ପରୀକ୍ଷାର ବ୍ୟବସ୍ଥା

ନିକଟ ଭବିଷ୍ୟତରେ ଇ-ଅଦାଲତ ପରିଯୋଜନାର ଭିତ୍ତିଭୂମିଗତ ବିକାଶ ସାଙ୍ଗକୁ ଆନୁଷଙ୍ଗିକ ବ୍ୟବସ୍ଥାରେ ଉନ୍ନତି ହେଲେ ବିଚାର ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହେବ, ଏଥିରେ ସନ୍ଦେହ ନାହିଁ ।

ଆଧାର ସମ୍ପାଦନା

  1. "e Courts Project". www.nic.in. Archived from the original on 22 June 2016. Retrieved 1 May 2016.
  2. "E-Courts Mission Mode Project". www.pib.nic.in. Retrieved 1 May 2016.
  3. "POLICY AND ACTION PLAN DOCUMENT" (PDF). www.supremecourtofindia.nic.in. Retrieved 1 May 2016.

ଆହୁରି ପଢ଼ନ୍ତୁ ସମ୍ପାଦନା