ଇନ୍ଦୁପ୍ରକାଶ ୧୮୦୦ ଦଶକର ଶେଷ ଭାଗ ତଥା ୧୯୦୦ ଦଶକର ପ୍ରାରମ୍ଭିକ ସମୟରେ ବମ୍ବେରୁ ପ୍ରକାଶିତ ଏକ ଆଙ୍ଗ୍ଲୋ - ମରାଠୀ ସାମୟିକ ପତ୍ରିକା ଥିଲା ।[୧] ଏହି ପତ୍ରିକା ୧୮୬୨ ମସିହାରେ ବିଷ୍ଣୁ ପର୍ଶୁରାମ ପଣ୍ଡିତଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ଏକ ସାପ୍ତାହିକ, ଦ୍ୱିଭାଷୀ ତଥା ସାମୟିକ ପତ୍ରିକା ଭାବରେ ପ୍ରକାଶିତ ହୋଇଥିଲା ଏବଂ ଏଥିରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ତଥା ବ୍ରିଟିଶ ଉପନିବେଶ ନିୟମକୁ ସମାଲୋଚନା କରୁଥିବା ବିଷୟ ଗୁଡ଼ିକ ରହିଥିଲା । ପରେ ଏହାକୁ 'ଲୋକମାନ୍ୟ'ରେ ମିଶ୍ରଣ କରାଯାଇଥିଲା । ଇନ୍ଦୁପ୍ରକାଶର ସଫଳତାରେ ଜଡିତ ଥିବା ବ୍ୟକ୍ତିତ୍ୱମାନେ ହେଲେ ରାନାଡେ, ତେଲାଙ୍ଗ, ଚନ୍ଦ୍ରୱାକର, ପାର୍ବତୀ ଇତ୍ୟାଦି । ଇନ୍ଦୁପ୍ରକାଶ ଦାୟିତ୍ୱରେ ଥିବା କେ. ଜି. ଦେଶପାଣ୍ଡେ ତତ୍କାଳୀନ ରାଜନୈତିକ ପରିସ୍ଥିତି ବିଷୟରେ ଲେଖିବାକୁ ଶ୍ରୀ ଅରବିନ୍ଦଙ୍କୁ ଅନୁରୋଧ କରିଥିଲେ । ଫଳରେ ଅରବିନ୍ଦ ଘୋଷ "New Lamps for Old" ଶୀର୍ଷକରେ ଅନେକ ଜ୍ୱଳନ୍ତ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଯେଉଁଠାରେ ସେ କଂଗ୍ରେସର କୋହଳ ନୀତି ପାଇଁ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ ।[୨]

ବିରୋଧାଭାସ ସମ୍ପାଦନା

୭ ଅଗଷ୍ଟ ୧୮୯୩ରୁ ୬ ମାର୍ଚ୍ଚ ୧୮୯୪ ମଧ୍ୟରେ ଏହି ପତ୍ରିକାରେ ଅରବିନ୍ଦଙ୍କ ପ୍ରାୟ ନଅଗୋଟି ଲେଖା ପ୍ରକାଶ ପାଇଥିଲା । ଲେଖାଗୁଡିକରେ ଇଂରେଜୀ ସରକାରଙ୍କୁ ସମାଲୋଚନା କରାଯାଇଥିଲା । ଜଣାଯାଏ, ଅରବିନ୍ଦଙ୍କ ପ୍ରଥମ ଦୁଇଟି ଲେଖା ପ୍ରକାଶ ପାଇବା ପରେ, ରାନାଡେ ପତ୍ରିକାର ମାଲିକଙ୍କୁ ଡାକି ପତ୍ରିକାରେ ଅରବିନ୍ଦଙ୍କ ଲେଖା ଏଣିକି ପ୍ରକାଶ ନ କରିବାକୁ ମଧ୍ୟ କହିଥିଲେ । ତାଙ୍କ ମତରେ ଏହି ପ୍ରବନ୍ଧଗୁଡିକ ବୈପ୍ଳବିକ ତଥା ବିପଜ୍ଜନକ ଏବଂ ଖବର କାଗଜ ବିରୁଦ୍ଧରେ ଇଂରେଜ ସରକାରଙ୍କଦ୍ୱାରା ଦେଶଦ୍ରୋହ ମାମଲା ମଧ୍ୟ ହୋଇପାରେ । [୩]

ଆଧାର ସମ୍ପାଦନା

  1. "INDIAN NEWSPAPER REPORTS, c1868-1942: Parts 1 to 6". www.ampltd.co.uk. Retrieved 1 October 2023.
  2. "Newspaper Display". web.archive.org. 4 March 2016. Archived from the original on 4 March 2016. Retrieved 1 October 2023.
  3. "The Incarnate Word". incarnateword.in. Retrieved 1 October 2023.