ଅଷ୍ଟଲକ୍ଷ୍ମୀ

ଅଷ୍ଟଲକ୍ଷ୍ମୀ ର ଅର୍ଥ ହେଉଛି, ଲକ୍ଷ୍ମୀର ଆଠଟି ବିଶେଷ ରୂପ।

ଆଦି ଲକ୍ଷ୍ମୀ ସମ୍ପାଦନା

 
ଆଦିଲକ୍ଷ୍ମୀ

ଦେବୀ ଆଦିଲକ୍ଷ୍ମୀ ପ୍ରଥମେ ସୃଷ୍ଟି ହୋଇଥିଲେ ବୋଲି ବିଶ୍ୱାସ କରାଯାଏ । ଆଦିଲକ୍ଷ୍ମୀ ମହର୍ଷି ଭୃଗୁଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ । ଦେବୀଙ୍କର ଏହି ସ୍ୱରୂପ ଅତ୍ୟନ୍ତ ମନୋରମ । ଚାରି ଭୁଜାଧାରୀ ଦେବୀ ଗୋଟିଏ ହାତରେ ପଦ୍ମ ଏବଂ ଅନ୍ୟ ହାତରେ ଧଳା ପତାକା କରିଛନ୍ତି । ଯାହା ସୁଖଶାନ୍ତି ତଥା ସମୃଦ୍ଧିର ପ୍ରତୀକ । ଦେବୀଙ୍କର ଅନ୍ୟ ଦୁଇହାତ ଅଭୟ ତଥା ବରଦା ମୁଦ୍ରାରେ ରହିଛି । ଆଦିଲକ୍ଷ୍ମୀଙ୍କୁ ପ୍ରଥମ ଲକ୍ଷ୍ମୀ ବା ମହାଲକ୍ଷ୍ମୀ ମଧ୍ୟ କୁହାଯାଏ । ଦେବୀଙ୍କ କାରଣରୁ ଏ ସାରାଜଗତ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥିବା ବିଶ୍ୱାସ କରାଯାଏ ।

ଗଜ ଲକ୍ଷ୍ମୀ ସମ୍ପାଦନା

 
ଗଜଲକ୍ଷ୍ମୀ

ଧନର ଦେବୀ ଲକ୍ଷ୍ମୀଙ୍କର ସବୁଠାରୁ ଲୋକପ୍ରିୟ ଅବତାର ହେଉଛି ଗଜଲକ୍ଷ୍ମୀ । ଓଡ଼ିଆ ପରମ୍ପରାରେ କୁମାର ପୂର୍ଣ୍ଣିମା ବା ଆଶ୍ୱୀନ ମାସ ପୂର୍ଣ୍ଣିମା ଅବସରରେ ଦେବୀ ଗଜଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଚାରିଭୂଜାଧାରିଣୀ ଦେବୀ ଗଜଲକ୍ଷ୍ମୀ ସର୍ବଦା ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ତାଙ୍କର ଦୁଇ ହାତ ଅଭୟ ତଥା ବରଦ ମୁଦ୍ରାରେ ରହିଥାଏ । ଦେବୀଙ୍କ ଦୁଇପାଖରେ ଦୁଇ ଗଜ ବା ହାତୀ ଦେବୀଙ୍କ ପ୍ରତି ସମର୍ପଣ ଜଣାଇ ଛିଡ଼ା ହୋଇଥାନ୍ତି । ଦେବୀ ଗଜଲକ୍ଷ୍ମୀଙ୍କୁ ପୂଜା କରିବାଦ୍ୱାରା ଗୋସମ୍ପଦ ପ୍ରାପ୍ତି ହୋଇଥାଏ । ଗଜଲକ୍ଷ୍ମୀ ପ୍ରସନ୍ନ ହେଲେ ଭକ୍ତଜନଙ୍କୁ ରାଜକୀୟ ସୁଖ ପ୍ରଦାନ କରିଥାନ୍ତି । ଦେବୀ ଗଜଲକ୍ଷ୍ମୀଙ୍କ ପୂଜାଦ୍ୱାରା ଇନ୍ଦ୍ରଦେବ ସ୍ୱର୍ଗପୁରୀ ଏବଂ ଦେବଲୋକର ସମସ୍ତ ସମ୍ପତ୍ତି ଫେରି ପାଇଥିଲେ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଗଜଙ୍କଦ୍ୱାରା ପୂଜା ପାଉଥିବା ଦେବୀଙ୍କୁ ମଧ୍ୟ ଗଜଲକ୍ଷ୍ମୀ କୁହାଯାଏ ।

ସନ୍ତାନ ଲକ୍ଷ୍ମୀ ସମ୍ପାଦନା

 
ସନ୍ତାନ ଲକ୍ଷ୍ମୀ

ସନ୍ତାନ ଲକ୍ଷ୍ମୀଙ୍କର ଛଅଟି ବାହୁ ରହିଛି । ତାଙ୍କର ଦୁଇଟି ହାତରେ ଶୁଭର ପ୍ରତୀକ କଳସ ଶୋଭା ପାଇଥାଏ । ଅନ୍ୟ ହାତରେ ଖଣ୍ଡା, ଢାଲ ଶୋଭା ପାଉଥିବା ବେଳେ ଦେବୀଙ୍କ କୋଳରେ ଏକ ଶିଶୁ ବିରାଜମାନ କରିଥାଏ । ଦେବୀ ଗୋଟିଏ ହାତରେ ସେହି ଶିଶୁକୁ ଧରିଥାନ୍ତି । ଦେବୀଙ୍କର ଅନ୍ୟ ଏକ ହାତରେ ଅଭୟ ମୁଦ୍ରାରେ ଥାଏ । ସେହି ଶିଶୁଟି ଏକ ପଦ୍ମଫୁଲ ଧରିଥାଏ । ସନ୍ତାନ ଲକ୍ଷ୍ମୀଙ୍କୁ ସନ୍ତାସନ୍ତତିର ଦେବୀ କୁହାଯାଏ । ସନ୍ତାନ ପ୍ରାପ୍ତି ନିମନ୍ତେ ଦେବୀଙ୍କୁ ପୂଜା କରାଯାଏ । ତେଣୁ ସନ୍ତାନ ଲକ୍ଷ୍ମୀ ହେଉଛନ୍ତି ସନ୍ତାନସନ୍ତତି ଆଶୀର୍ବାଦ ପ୍ରଦାନ କରୁଥିବା ଦେବୀ ।

ବିଦ୍ୟା ଲକ୍ଷ୍ମୀ ସମ୍ପାଦନା

 
ବିଦ୍ୟା ଲକ୍ଷ୍ମୀ

ଜ୍ଞାନ ସହିତ ଧନଧାନ୍ୟରେ ସର୍ବଦା ପରିପୂର୍ଣ୍ଣ ରହିଥିଲେ ମନୁଷ୍ୟ ସୁଖଶାନ୍ତିରେ ରହେ । ଶାନ୍ତମନୁଷ୍ୟ ସର୍ବଦା ଐଶ୍ୱର୍ଯ୍ୟ ମଧ୍ୟରେ ରହିଥାଏ । ମାତା ଲକ୍ଷ୍ମୀଙ୍କୁ ଐଶ୍ୱର୍ଯ୍ୟର ଦେବୀ କୁହାଯାଏ । କାରଣ ସେ ଭକ୍ତଜନଙ୍କୁ ବିଦ୍ୟା ତଥା ଐଶ୍ୱର୍ଯ୍ୟ ପ୍ରଦାନ କରିଥାନ୍ତି । ଐଶ୍ୱର୍ଯ୍ୟ ପ୍ରଦାନ କରୁଥିବା ଦେବୀଙ୍କର ଏହି ରୂପରେ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ବା ବିଦ୍ୟା ଲକ୍ଷ୍ମୀ କୁହାଯାଏ । ଦେବୀ ଐଶ୍ୱର୍ଯ୍ୟ ଲକ୍ଷ୍ମୀଙ୍କୁ ଧନବାନମାନେ ପୂଜା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଐଶ୍ୱର୍ଯ୍ୟ ଲକ୍ଷ୍ମୀଙ୍କର ଚାରିବାହୁ ରହିଛି । ସେ ଶ୍ୱେତ ବର୍ଣ୍ଣର ଅଳଙ୍କାର ଧାରଣ କରିଥାନ୍ତି । ତାଙ୍କର ଉପର ଦୁଇ ହାତରେ କମଳ ଫୁଲ ଶୋଭା ପାଉଛି । ଅନ୍ୟ ଦୁଇଟି ହାତ ଯଥାକ୍ରମେ ଅଭୟ ଏବଂ ବରଦ ମୁଦ୍ରାରେ ରହିଥାଏ । କେହି ଦେବୀଙ୍କୁ ବିଦ୍ୟା ଲକ୍ଷ୍ମୀ ମଧ୍ୟ କହିଥାନ୍ତି । କାରଣ ଦେବୀ ନିଜ ଭକ୍ତଜନଙ୍କୁ ବିଦ୍ୟା ପ୍ରଦାନ କରିଥାନ୍ତି ।

ବିଜୟ ଲକ୍ଷ୍ମୀ ସମ୍ପାଦନା

 
ବିଜୟ ଲକ୍ଷ୍ମୀ

ବିଜୟ ଲକ୍ଷ୍ମୀଙ୍କ ସ୍ୱରୂପ ବୀର ଲକ୍ଷ୍ମୀଙ୍କ ସହିତ ପ୍ରାୟତଃ ସମାନ । ତାଙ୍କର ଆଠ ବାହୁ ରହିଛି । ସେ ଚକ୍ର, ଶଙ୍ଖ, ଖଣ୍ଡା, ଢାଲ, ପଦ୍ମ, ପାଶ ଆଦି ଧାରଣ କରିଥାନ୍ତି । ଦେବୀଙ୍କର ଦୁଇଟି ହାତ ଅଭୟ ଓ ବରଦ ମୁଦ୍ରାରେ ରହିଥାଏ । ଦେବୀଙ୍କୁ ବିଜୟ ବା ଜୟ ଲକ୍ଷ୍ମୀ ନାମରେ ପୂଜାକରାଯାଇଥାଏ । ଦେବୀ ମନୁଷ୍ୟକୁ ଜୀବନ ଯୁଦ୍ଧରେ ବିଜୟ ପ୍ରଦାନ କରିଥାନ୍ତି । ବିଜୟ ଲକ୍ଷ୍ମୀଙ୍କୁ ଆରାଧନା କରିବାଦ୍ୱାରା ଭକ୍ତଜନ ଜୀବନର ସମସ୍ତ ପ୍ରକାରର କଠିନ ପରିସ୍ଥିତିରୁ ମୁକ୍ତି ପାଇଥାନ୍ତି । ସାଧକଙ୍କ ମତରେ କୌଣସି କଠିନ ପରିସ୍ଥିତିରୁ ମୁକ୍ତି ପାଇବା ପରେ ବିଜୟ ଉଲ୍ଲାସରେ ଅହଙ୍କାରର ପ୍ରବୃତ୍ତ ନହୋଇ ବିଜୟ ଲକ୍ଷ୍ମୀଙ୍କ ପ୍ରତି ଜୀବନ ଯୁଦ୍ଧରେ ବିଜୟ ନିମନ୍ତେ କୃତଜ୍ଞତା ଜ୍ଞାପନ କରିବା ଆବଶ୍ୟକ । ଏହାଦ୍ୱାରା ମନୁଷ୍ୟ ବିନୟୀ ତଥା ସଫଳ ହୋଇପାରିବ ।

ଧାନ୍ୟଲକ୍ଷ୍ମୀ ସମ୍ପାଦନା

 
ଧାନ୍ୟଲକ୍ଷ୍ମୀ

କୃଷିଭିତ୍ତିକ ପରମ୍ପରାରେ ଦେବୀ ଲକ୍ଷ୍ମୀଙ୍କୁ ଉପାସନା କରାଯାଇଥାଏ ।ବିଶେଷତଃ ଓଡ଼ିଶା ଭଳି କୃଷିପ୍ରଧାନ ଅଞ୍ଚଳରେ ଦେବୀଙ୍କୁ ଅନ୍ନଦାତ୍ରୀ ରୂପେ ପୂଜା କରାଯାଏ । ଧାନ ସହିତ ଦେବୀଙ୍କୁ ପୂଜା କରିବାର ପରମ୍ପରା ଆମ ରାଜ୍ୟରେ ପ୍ରଚଳିତ । ଧାନ୍ୟ ଲକ୍ଷ୍ମୀ ହେଉଛନ୍ତି ଶସ୍ୟର ଦେବୀ । ଦେବୀ ନିଜ ଭକ୍ତଜନଙ୍କ କ୍ଷୁଧା ହରଣ ନିମନ୍ତେ ଧାନ ଆଦି ଶସ୍ୟ ପ୍ରଦାନ କରିଥାନ୍ତି । ତେଣୁ ସେ ଧାନ୍ୟ ଲକ୍ଷ୍ମୀ ରୂପରେ ପରିଚିତ । ଧାନ୍ୟ ଲକ୍ଷ୍ମୀଙ୍କ ଅଷ୍ଟଭୂଜା ସ୍ୱରୂପକୁ ପୂଜା କରାଯାଏ । ଦେବୀ ସର୍ବଦା ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ତାଙ୍କର ହାତରେ ଦୁଇଟି ପଦ୍ମଫୁଲ, ଗଦା, ଶସ୍ୟକେଣ୍ଡା, ଆଖୁ, କଦଳୀ ଆଦି ରହିଥାଏ । ଦେବୀଙ୍କର ଦୁଇଟି ହସ୍ତ ଅଭୟ ଓ ବରଦମୁଦ୍ରାରେ ରହିଥାଏ । କୃଷି କ୍ଷେତ୍ରରେ ସମୃଦ୍ଧି ନିମନ୍ତେ ଧାନ୍ୟ ଲକ୍ଷ୍ମୀଙ୍କୁ ଉପାସନା କରାଯାଏ ।

ବୀର ଲକ୍ଷ୍ମୀ ସମ୍ପାଦନା

 
ଧୈର୍ଯ୍ୟ ଲକ୍ଷ୍ମୀ

ବୀର ଲକ୍ଷ୍ମୀ ହେଉଛନ୍ତି ଅଷ୍ଟଭୂଜାଧାରିଣୀ, ଲାଲବସ୍ତ୍ର ପରିହିତା । ଦେବୀଙ୍କ ହାତରେ ଚକ୍ର, ଶଙ୍ଖ, ଧନୁଶର, ତ୍ରିଶୂଳ, ଖଣ୍ଡା, ତାଳପତ୍ର ପୋଥି ଆଦି ଶୋଭା ପାଇଥାଏ ।ଦେବୀଙ୍କର ଦୁଇଟି ହସ୍ତ ଅଭୟ ତଥା ବରଦମୁଦ୍ରାରେ ରହିଛି । ବୀର ଲକ୍ଷ୍ମୀଙ୍କୁ ସାହସ, ବୀରତ୍ୱ ତଥା ଧୈର୍ଯ୍ୟର ଦେବୀ କୁହାଯାଏ । ଦେବୀ ବୀର ଲକ୍ଷ୍ମୀଙ୍କୁ ପୂଜା କରିବାଦ୍ୱାରା ଯୁଦ୍ଧରେ ବିଜୟ ପ୍ରାପ୍ତ ହୁଏ । ଦେବୀ ବୀର ଲକ୍ଷ୍ମୀଙ୍କ କୃପା ଲାଭ କରି ଭକ୍ତମାନେ ଜୀବନର ସମସ୍ତ ପ୍ରକାରର କଠିନ ପରିସ୍ଥିତିରୁ ମୁକ୍ତି ପାଇଥାନ୍ତି ।

ଧନଲକ୍ଷ୍ମୀ ସମ୍ପାଦନା

 
ଧନଲକ୍ଷ୍ମୀ

ଦେବୀ ଧନ ଲକ୍ଷ୍ମୀଙ୍କୁ ଉପାସନାଦ୍ୱାରା ଅର୍ଥ ତଥା ସୁବର୍ଣ୍ଣ ଆଦି ମୂଲ୍ୟବାନ ଧାତୁ ପ୍ରାପ୍ତି ହୁଏ । ଷଡ଼ଭୂଜାଧାରୀ ଦେବୀ ଲକ୍ଷ୍ମୀ ସର୍ବଦା ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ତାଙ୍କର ଗୋଟିଏ ହାତରେ ଚକ୍ର ଓ ଅନ୍ୟ ଏକ ହାତରେ ଶଙ୍ଖ ଶୋଭା ପାଏ । ସେହିପରି ମାତା ଧନ ଲକ୍ଷ୍ମୀଙ୍କ ଅନ୍ୟ ଏକ ହାତରେ ଅମୃତ କଳସ ରହିଛି । ଅମୃତ ହେଉଛି ଜୀବନର ପ୍ରତୀକ । କଳସ ଶୁଭତାର ପ୍ରତୀକ । ଦେବୀଙ୍କର ଅନ୍ୟ ହାତରେ ଧନୁଶର, ପଦ୍ମ ଏବଂ ଅଭୟ ମୁଦ୍ରା ଶୋଭା ପାଇଥାଏ । ଅଭୟ ମୁଦ୍ରାରେ ଥିବା ହସ୍ତରୁ ଅନବରତ ଧନ ବର୍ଷା ହେଉଥିବାର ଦେଖିବାକୁ ମିଳେ ।[୧]

ଆଧାର ସମ୍ପାଦନା

  1. ଦିନଲିପି,ପୃଷ୍ଠା-୨,୧୩.୧୧.୨୦୧୬