ଅରୁଣା ଆସଫ ଅଲ୍ଲୀ

ଭାରତୀୟ ସ୍ୱାଧୀନତା ସଂଗ୍ରମୀ

ଅରୁଣା ଆସଫ୍ ଅଲ୍ଲୀ  (ବଙ୍ଗାଳୀ : অরুণা আসফ আলী) (୧୬ ଜୁଲାଇ ୧୯୦୯-୨୯ ଜୁଲାଇ ୧୯୯୬) ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଜଣେ ମହିଳା । ସେ ଭାରତୀୟ ରାଜ୍ୟ ପଞ୍ଜାବର କାଲକାଠାରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କର ମୂଳ ନାମ ଅରୁଣା ଗାଙ୍ଗୁଲୀ ଥିଲା । ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ବମ୍ବେର ଗୌଆଲିଆ ମଇଦାନରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରି ଦେଶ ବ୍ୟାପୀ ଚର୍ଚ୍ଚାରେ ଆସିଥିଲେ । ସ୍ୱାଧୀନତା ପରେ ସେ ରାଜନୀତିରେ ସକ୍ରିୟ ରହିବା ସହ ୧୯୫୮ ମସିହାରେ ଦିଲ୍ଲୀର ପ୍ରଥମ ମେୟର ହେବା ଗୌରବ ଅର୍ଜନ କରିଥିଲେ । ସେ ୧୯୬୦ ମସିହାରେ ସମ୍ବାଦ ପ୍ରକାଶନ ସଂସ୍ଥା ସ୍ଥାପନ କରିଥିଲେ । ୧୯୯୭ ମସିହାରେ ତାଙ୍କୁ  ମରଣୋତ୍ତର ଭାବରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । 

ଅରୁଣା ଆସଫ ଅଲ୍ଲୀ
ଫାଇଲ:Aruna asaf ali.jpg
ଜନ୍ମ
ଅରୁଣା ଆସଫ ଅଲ୍ଲୀ

16 July 1909
ମୃତ୍ୟୁ୨୯ ଜୁଲାଇ ୧୯୯୬(1996-07-29) (ବୟସ ୮୭)
ଜାତୀୟତାIndian
ଶିକ୍ଷାନୁଷ୍ଠାନSacred Heart Convent
ବୃତ୍ତି(ସମୂହ)Teacher, independence activist, politician, newspaper publisher
ବୈବାହିକ-ସାଥୀAsaf Ali (1888-1953)
ପୁରସ୍କାରBharat Ratna (1997)

ପ୍ରାରମ୍ଭିକ ଜୀବନ 

ସମ୍ପାଦନା

୧୯୦୯ ମସିହାରେ ଜୁଲାଇ ୧୬ ତାରିଖରେ ତତ୍କାଳୀନ ପଞ୍ଜାବ ରାଜ୍ୟ ( ବର୍ତ୍ତମାନ ହରିୟାଣା ପ୍ରଦେଶରେ ଅବସ୍ଥିତ )ରେ ଥିବା କାଲକାଠାରେ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଉପେନ୍ଦ୍ରନାଥ ଗାଙ୍ଗୁଲୀ ସେହି ସମୟର ପୂର୍ବ ବଙ୍ଗର ବରିସାଲ ଜିଲ୍ଲା ( ବର୍ତ୍ତମାନ ବାଂଲାଦେଶ ଅନ୍ତର୍ଭୁକ୍ତ )ରୁ ଆସି ସେଠାରେ ସ୍ଥାୟୀ ଭାବରେ ବସବାସ କରୁଥିଲେ । ତାଙ୍କ ମାତା ଅମ୍ବାଳିକା ଦେବୀ ବିଖ୍ୟାତ ବ୍ରହ୍ମସମାଜ ନେତା ତ୍ରିଲୋକନାଥ ସାନ୍ୟାଲଙ୍କ ଝିଅ ଥିଲେ । ତାଙ୍କ ପିତା ଉପେନ୍ଦ୍ରନାଥଙ୍କ ସାନ ଭାଇ ଧିରେନ୍ଦ୍ରନାଥ ଜଣେ ସଫଳ ଫିଲ୍ମ ନିର୍ଦ୍ଦେଶକ[] ହୋଇପାରିଥିଲେ ଓ ଅନନ୍ୟ ଜଣେ ଭାଇ ନାଗେନ୍ଦ୍ରନାଥ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁରଙ୍କ ଏକ ମାତ୍ର କନ୍ୟା ମୀରା ଦେବୀ[]ଙ୍କୁ ବିବାହ କରି ତାଙ୍କର ଜାମାତା ହେଇଥିଲେ  । ଅରୁଣାଙ୍କ ଭଉଣୀ ପୁର୍ଣ୍ଣିମା ବାନାର୍ଜୀ ସ୍ୱାଧୀନ ଭାରତର ପ୍ରଥମ ସମ୍ବିଧାନ ପ୍ରଣୟନ କାରୀ ବିଧାନ ମଣ୍ଡଳୀର ସଦସ୍ୟା ରହିଥିଲେ ।  

ଶିକ୍ଷା ଓ ବିବାହ

ସମ୍ପାଦନା

ଅରୁଣା ପ୍ରଥମେ ଲାହୋରର ସାକ୍ରେଡ଼ ହାର୍ଟ କନଭେଣ୍ଟ , ପରେ ନୈନିତାଲର ଅଲ୍ ସେଣ୍ଟ କଲେଜରେ ଶିକ୍ଷା ଲାଭ କଳା ପରେ କଲିକତାର ଗୋଖାଲେ ମେମୋରିଆଲ ସ୍କୁଲରେ ଶିକ୍ଷକତା କରିଥିଲେ । ସେ ଆଲ୍ଲାହାବାଦଠାରେ ପ୍ରସିଦ୍ଧ କଂଗ୍ରେସ ନେତା ଅସଫ୍ ଅଲ୍ଲୀଙ୍କ ସହ ଭେଟିବା ପରେ ତାଙ୍କ  ସହ ସମ୍ବନ୍ଧ ଘନିଷ୍ଠ ହେଇଥିଲା ଓ ପରିବାରର ବିରୋଧ ସତ୍ତ୍ୱେ ତାଙ୍କୁ ୧୯୨୮ ମସିହାରେ ବିବାହ କରିଥିଲେ । ଏହାଦ୍ୱାରା ତାଙ୍କ କାକା ତାଙ୍କୁ ପରିବାର ସହ ସମ୍ପର୍କ ଛିନ୍ନ କରିଦେଇଥିଲେ ।[][]

ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ  : ପ୍ରାରମ୍ଭିକ ସ୍ତର 

ସମ୍ପାଦନା

ଅସଫ୍ ଅଲ୍ଲୀଙ୍କୁ ବିବାହ କରିବା ପରେ ସେ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ନେବା ସହ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହରେ ଯୋଗଦାନ କଲେ । ସେଥିରେ ସେ ଗିରଫ ହେଇ ୧୯୩୧ ମସିହାରେ ଅନ୍ୟ ରାଜନୈତିକ ବନ୍ଦୀମାନଙ୍କ ସହ ତାଙ୍କୁ ମୁକ୍ତ କରା ନ ଯିବାରୁ ଜେଲରେ ଥିବା ସମସ୍ତ ମହିଳା ବନ୍ଦୀ ଜେଲ  ଛାଡ଼ିବାକୁ ନାରାଜ ହେଇଥିଲେ । ପରେ ମହାତ୍ମାଙ୍କ ହସ୍ତକ୍ଷେପରେ ଏହାର ସମାଧାନ ହେଇଥିଲା । 

୧୯୩୨ ମସିହାରେ ସେ ତିହାର ଜେଲରେ ରାଜନୈତିକ କଇଦୀ ମାନଙ୍କ ଉପରେ ଅତ୍ୟାଚାର ହେଉଥିବା ଦର୍ଶାଇ ଅନଶନ କରିବାଦ୍ୱାରା ବ୍ରିଟିଶ ସରକାର  ଜେଲର ପରିଚାଳନାରେ ସୁଧାର ଆଣିଥିଲେ । କିନ୍ତୁ ତାଙ୍କୁ ଅମ୍ବାଲା ଜେଲକୁ ସ୍ଥାନାନ୍ତର କରି ନିଭୃତ ପ୍ରକୋଷ୍ଠରେ ବନ୍ଦୀ ରଖିଥିଲେ । ଜେଲରୁ ମୁକୁଳିବା ପରେ ସେ କିଛି କାଳ ରାଜନୀତିରୁ ଦୂରେଇ ରହିଥିଲେ । 

ଭାରତ ଛାଡ଼ ଆନ୍ଦୋଳନରେ ଅଗ୍ରଣୀ ଭୂମିକା 

ସମ୍ପାଦନା

 ୮ ଅଗଷ୍ଟ , ୧୯୪୨ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର କମିଟି ବମ୍ବେଠାରେ "ଭାରତ ଛାଡ଼ "ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା । ଏଥିରେ ଭୟଭୀତ ହେଇ ଇଂରେଜ ସରକାର ସମସ୍ତ ମୁଖ୍ୟ ନେତାଙ୍କୁ ଓ କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟଙ୍କୁ ଆନ୍ଦୋଳନ ବିଫଳ କରିବାକୁ ଗିରଫ କରିନେଲେ । ଏହି ସମୟରେ  ଅରୁଣା ନିଜେ ନେତୃତ୍ୱ ନେଇ ଗୋବଲିୟା ଟେଙ୍କ ମଇଦାନରେ ବିଶାଳ ସଭାରେ ସଭାପତିତ୍ୱ କରି ଜାତୀୟ ପତାକା ଉତ୍ତୋଳନ କଲେ ଓ " ଭାରତ ଛାଡ଼" ଆନ୍ଦୋଳନ ଅୟମାରମ୍ଭ କରିଥିଲେ । ପୋଲିସ ଏହି ସଭାରେ ଗୁଳି ଚାଳନା କରିଥିଲା ଓ ଏହା ପରେ ଅରୁଣାଙ୍କୁ ୧୯୪୨ ଆନ୍ଦୋଳନର ଜଣେ  ମହାନାୟିକାର ମାନ୍ୟତା ପ୍ରାପ୍ତ ହେଇଥିଲା । ଦେଶ ବ୍ୟାପୀ ତରୁଣ, ତରୁଣୀଙ୍କୁ ଆନ୍ଦୋଳନରେ ସାମିଲ କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ରହିଥିଲା ।  

ସ୍ୱାଧୀନତାର ଅବଗଣନା 

ସମ୍ପାଦନା

ଏହା ପରେ ତାଙ୍କୁ ଗିରଫ କରିବାକୁ ବ୍ରିଟିଶ ପୋଲିସ ପରୱାନା ଜାରି କରିବାରୁ ସେ ଆତ୍ମଗୋପନ କରି ଅଜଣା ସ୍ଥାନରୁ ଆନ୍ଦୋଳନ ପରିଚାଳନା କରୁଥିଲେ । ସରକାର ତାଙ୍କର  ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତ କରି ନେଇଥିଲେ । ଭୂମିଗତ ଭାବରେ ଥାଇ ସେ ରାମ ମନୋହର ଲୋହିଆଙ୍କ ସହ କଂଗ୍ରେସର ମାସିକ ପତ୍ରିକା " ଇଙ୍କିଲାବ "ର ସମ୍ପାଦନା କରି ଦେଶର ଯୁବ ସମାଜକୁ ବହୁ ସଂଖ୍ୟାରେ ଆନ୍ଦୋଳନରେ ଯୋଗଦାନ ପାଇଁ ଉଦବୋଧିତ କରିଥିଲେ । ତାଙ୍କୁ ଧରେଇ ଦେବା ପାଇଁ ବ୍ରିଟିଶ ସରକାର ୫,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ସେ ସେହି ସମୟରେ ବ୍ୟାଧି ଗ୍ରସ୍ତ ହେଇଥିଲେ ମଧ୍ୟ ନିଜକୁ ସମର୍ପଣ କରି ନ ଥିଲେ । ୧୯୪୬ ମସିହାରେ ତାଙ୍କ ବିରୂଦ୍ଧରେ ଅଭିଯୋଗ ପ୍ରତ୍ୟାହାର ପରେ ଯାଇ ସେ ସମ୍ମୁଖକୁ ଆସିଲେ । ମହାତ୍ମା ଗାନ୍ଧୀଙ୍କ ସେ ଅତି ନିକଟ ଶିଷ୍ୟା ଭାବରେ ପରିଗଣିତ ହେଇଥିଲେ ମଧ୍ୟ ସେ ରୟାଲ ଭାରତୀୟ ନୌସେନାର ବିଦ୍ରୋହକୁ ସମର୍ଥନ ଦେଇଥିବାରୁ ମହାତ୍ମା ଗାନ୍ଧୀ ତାଙ୍କୁ ସମାଲୋଚନା କରିଥିଲେ । କାରଣ ତାହା ସଶସ୍ତ୍ର ବିଦ୍ରୋହ ଥିଲା । କିନ୍ତୁ ଅରୁଣା ଏହି ବିଦ୍ରୋହରେ ହିନ୍ଦୁ ଓ ମୁସଲମାନ ମାନଙ୍କ ଭିତରେ ଦୃଢ଼ ଏକତା ଆସିଥିବାର ଦାବି କରିଥିଲେ । 

ସ୍ୱାଧୀନତା ପରବର୍ତ୍ତୀ କାଳ 

ସମ୍ପାଦନା

ସ୍ୱାଧୀନତା ପରେ ୧୯୪୮ ମସିହାରେ  ଅରୁଣା କଂଗ୍ରେସ ସମାଜବାଦୀ ଦଳର ପରିଚାଳନାରେ ଅସନ୍ତୁଷ୍ଟ ହେଇ ଏକ ନୂତନ ଦଳ " ସୋସେଲିଷ୍ଟ ଦଳ "  ରେ ଯୋଗଦାନ କରିଥିଲେ । ତାହା ପରେ ସେ ମସ୍କୋ ଯାତ୍ରା କରି ରଜନୀ ଦତ୍ତଙ୍କ ସହ ଭାରତୀୟ କମୁନିଷ୍ଟ ଦଳରେ ଯୋଗଦାନ କରିଥିଲେ । ୧୯୫୩ ମସିହାରେ ତାଙ୍କ ସ୍ୱାମୀ ଆସଫ ଅଲିଙ୍କ ମୃତ୍ୟୁ ଘଟିଥିଲା । 

୧୯୫୪ ମସିହାରେ ଭାରତୀୟ କମୁନିଷ୍ଟ ଦଳର ମହିଳା ଶାଖା ଗଠନ କରିଥିଲେ ଓ ୧୯୫୬ରେ ରୁଷିଆରେ କାମୁନିଷ୍ଟ ଦଳର ବିଭାଜନ ପରେ ସେ କମୁନିଷ୍ଟ ଦଳ ତ୍ୟାଗ କରିଥିଲେ । ତେବେ ସେ ସର୍ବଦା ସାମାଜିକ ଜୀବନରେ ସକ୍ରିୟ ରହିବା ସହ ୧୯୫୮ ମସିହାରେ ନୂଆ ଦିଲ୍ଲୀର ପ୍ରଥମ ମେୟର ଭାବରେ ନିର୍ବାଚିତ ହେଇଥିଲେ । ସେ ଧର୍ମନିରପେକ୍ଷବାଦୀ ନେତା କୃଷ୍ଣ ମେନନ , ବିମଳା କପୁର , ରାଧା କୃଷ୍ଣାନ, ସାରଳା ଶର୍ମା , ସୁଭଦ୍ରା ଯୋଶୀ  ଙ୍କ ପରି ସମାଜ ସେବୀଙ୍କ ସହ କାର୍ଯ୍ୟ କରୁଥିଲେ । 

ସେ ନାରାୟଣନଙ୍କ ସହ ମିଶି ଏକ ପ୍ରକାଶନ ପ୍ରତିଷ୍ଠାନ ଆରମ୍ଭ କରିବା ସହ ଦୈନିକ ସଂବାଦପତ୍ର " ପାଟ୍ରିଅଟ" ଓ ସାପ୍ତାହିକ " ଲିଙ୍କ " ପ୍ରକାଶିତ କରୁଥିଲେ , ଯାହା ପରେ ନେହେରୁ , କୃଷ୍ଣ ମେନନ , ବିଜୁ ପଟ୍ଟନାୟକଙ୍କ ପରି ନେତାଙ୍କ ଲେଖାଦ୍ୱାରା ସମୃଦ୍ଧ ହେଇ ସମ୍ମାନଜନକ ପ୍ରକାଶନ ଭାବରେ ପରିଗଣିତ ହେଲା । କିନ୍ତୁ ପରେ ଆଭ୍ୟନ୍ତରୀଣ ବିବାଦ ଯୋଗୁ ବୀତସ୍ପୃହ ହେଇ ସେ ତାହା ପରିତ୍ୟାଗ କରିଥିଲେ । ୧୯୬୪ ମସିହାରେ ସେ କଂଗ୍ରେସ ଦଳରେ ପୁଣି ଯୋଗ ଦେଇଥିଲେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରି ନଥିଲେ । ଆପାତକାଳୀନ ସ୍ଥିତି ସମୟରେ ସେ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ନିକଟତର ଥିଲେ । 

ନୂଆ ଦିଲ୍ଲୀଠାରେ ୨୯ ଜୁଲାଇ ୧୯୯୬ରେ ୮୭ ବର୍ଷ ବୟସ୍କା ଅରୁଣାଙ୍କ ନିଧନ ହେଇଥିଲା । []

ପୁରସ୍କାର ଓ ସମ୍ମାନ 

ସମ୍ପାଦନା

୧୯୬୪ ମସିହାରେ ସେ ଆନ୍ତର୍ଜାତିକ ଲେଲିନ ଶାନ୍ତି ପୁରସ୍କାର ପାଇଥିଲେ ଓ ୧୯୯୧[] ମସିହା ପାଇଁ ତାଙ୍କୁ ଆନ୍ତର୍ଜାତିକ ବୁଝାମଣା ପାଇଁ ଜବାହରଲାଲ ନେହେରୁ ପୁରସ୍କାର ପ୍ରଦତ୍ତ ହେଇଥିଲା । ୧୯୯୨ ମସିହାରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣ ପାଇଥିଲେ ଓ ୧୯୯୭ [] ମସିହାରେ ତାଙ୍କୁ ମରଣୋତ୍ତର ଭାବରେ " ଭାରତ ରତ୍ନ " ପ୍ରଦାନ କରାଯାଇଥିଲା । ୧୯୯୮ ମସିହାରେ ଭ୍ୟାରତ ସରକାର ତାଙ୍କ ସମ୍ମାନାର୍ଥେ ଏକ ଡାକ ଟିକେଟ ପ୍ରଚଳନ କରିଥିଲେ । ନୂଆ ଦିଲ୍ଲୀର ଏକ ମୁଖ୍ୟ ମାର୍ଗକୁ ତାଙ୍କ ନାମରେ ନାମିତ କରାଯାଇଛି । ତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଡାଃ ଅରୁଣ ଆସଫ ଅଲ୍ଲୀ ସଦଭାବନା ପୁରସ୍କାର ପ୍ରଦାନ କରାଯାଇଥାଏ । 

  1. G. N. S. Raghavan (1999). Aruna Asaf Ali: A Compassionate Radical. National Book Trust. ISBN 9788123727622.
  2. Krishna Dutta and Andrew Robinson, ed. (1997). Selected Letters of Rabindranath Tagore. Cambridge University Press. ISBN 0521-59018-3.
  3. Radha Kumar (1993). The History of Doing: An Illustrated Account of Movements for Women's Rights and Feminism in India, 1800-1990. Zubaan. p. 68.
  4. Verinder Grover (1993). Great Women of Modern India: Aruna Asaf Ali. Deep & Deep Publications. ISBN 9788171004621.
  5. Singh, Kuldip (31 July 1996). "Obituary: Aruna Asaf Ali". The Independent. Retrieved 21 August 2015.
  6. "List of the recipients of the Jawaharlal Nehru Award". ICCR website. Archived from the original on 2016-04-10. Retrieved 2017-03-02.
  7. "Padma Awards Directory (1954-2007)" (PDF). Ministry of Home Affairs. Archived from the original (PDF) on 10 April 2009. Retrieved 7 December 2010.

ବାହ୍ୟ  ସଂଯୋଗ 

ସମ୍ପାଦନା