ଆଗକାଳରେ ରଜାରାଜୁଡ଼ା ନିଜ ସେନାସାମନ୍ତଙ୍କ ସହ ନିଶାକାଳରେ ପ୍ରଜାମାନଙ୍କ ଘରେ ଛଦ୍ମବେଶରେ ବିଜେ କରିବାକୁ ଅନ୍ଧାରିବିଜେ କୁହାଯାଏ । ଅନ୍ଧାରିବିଜେ କରିବା ଏକ ଗୋପନ ରାଜପ୍ରଥା ଭାବରେ ଅନେକକାଳ ଯାଏଁ ରାଜାମାନଙ୍କଦ୍ୱାରା ସମ୍ପାଦିତ ହେଉଥିଲା । ପ୍ରଜାମାନଙ୍କ ଭଲମନ୍ଦ, ଅଭାବ ଅସୁବିଧା, ବିରୋଧ ଯାହା ରାଜପାରିଷଦଙ୍କ ହେତୁ ରାଜାଙ୍କ କାନରେ ନ ପହଞ୍ଚିପାରୁଥିଲା ତାହା ରାଜା ନିଜେ ଛଦ୍ମରେ ଯାଇ ପ୍ରଜାଙ୍କଠୁ ସିଧାସଳଖ ଶୁଣୁଥିଲେ । କ୍ରମେ ଏହି ପ୍ରଥାର ଅପବ୍ୟବହାର କରି ଅନେକ ଭ୍ରଷ୍ଟ ରାଜା ସୁନ୍ଦରୀ ରମଣୀମାନଙ୍କୁ ବଳପୂର୍ବକ ରମଣ କରୁଥିଲେ । ପ୍ରଥାନୁସାରେ ଜଣେ ରାଜକର୍ମଚାରୀ ବତୀଟିଏ ସନ୍ଧ୍ୟାରେ ଜଣେ ପ୍ରଜାଙ୍କ ଘର ସାମନାରେ ରଖିଦେଇଆସୁଥିଲେ । ତାହା ନିଶାର୍ଦ୍ଧରେ ରାଜାଙ୍କର ଅନ୍ଧାରିବିଜେର ସୂଚନା ବହନ କରୁଥିଲା । ସୁନ୍ଦରୀ ଅନୂଢ଼ା ତରୁଣୀ ତଥା ନବବିବାହିତା କନ୍ୟାର ଚଉଠି ରାତିରେ ସେ ନିଜ ପତି ସହ ସହବାସ କରିବା ପୂର୍ବରୁ ରାଜା ସେହି କନ୍ୟା ସହିତ ରମଣ କରି କୁମାରୀତ୍ୱ ହରଣ କରୁଥିଲେ । ଅନେକ ନାରୀ ତଥା ତାଙ୍କର ପରିବାରବର୍ଗ ଏହା ସହି ନପାରି ଆତ୍ମହତ୍ୟା କରୁଥିଲେ ।