ଅନଙ୍ଗଭୀମ ଦେବ (ତୃତୀୟ)

ତୃତୀୟ ଅନଙ୍ଗଭୀମ ଦେବ(ଖ୍ରୀ:ଅ: ୧୨୧୧-୧୨୩୮) ଗଙ୍ଗବଂଶୀୟ ରାଜା ତୃତୀୟ ରାଜରାଜଙ୍କ ପୁତ୍ର । ପିତାଙ୍କ ମୃତ୍ୟୁ ପରେ ୧୨୧୧ ମସିହାରେ ସିଂହାସନ ଆରୋହାଣ କରି ଦୀର୍ଘ ସତେଇଶି ବର୍ଷ କାଳ ଓଡ଼ିଶାକୁ ରାଜତ୍ୱ କରିଥିଲେ । ତାଙ୍କର ରାଜତ୍ୱ କାଳ ଓଡ଼ିଶା ଇତିହାସର ସଂଘର୍ଷମୟ ସମୟ ଥିଲା । ଓଡ଼ିଶାର ଉତ୍ତରପଟୁ ବଙ୍ଗଳାଦେଶର ମୁସଲମାନମାନଙ୍କ ଘନଘନ ଆକ୍ରମଣ, ପଶ୍ଚିମ ପଟୁ ଚିରଶତ୍ରୁ କଳଚୁରୀ ରାଜଗଣଙ୍କ ରଣହୁଙ୍କାର, ଦକ୍ଷିଣ ପଟୁ କାକତୀୟ ରାଜାଙ୍କ ଅସହଯୋଗ ମନୋଭାବ ତୃତୀୟ ଅନଙ୍ଗଭୀମ ଦେବଙ୍କୁ ବ୍ୟତୀବ୍ୟସ୍ତ କରିଥିଲା । କିନ୍ତୂ ନିଜର ବଳ, ବୁଦ୍ଧି ଓ କୌଶଳଦ୍ୱାରା ଶତୃକୁ ଦମନ କରି ପ୍ରତ୍ୟେକ ବିପତ୍ତିକୁ ଅବଲୀଳା କ୍ରମେ ଏଡେଇ ଦେଇଥିଲେ । ଏଣୁ ଗଙ୍ଗ ବଂଶର ଇତିହାସରେ ସେ ଚୋଡଗଙ୍ଗ ଦେବଙ୍କ ରାଜତ୍ୱ ପରେ ଜଣେ ସ୍ୱନାମଧନ୍ୟ ଓ ସଫଳ ଶାସକ ରୂପେ ପରିଗଣିତ ହୁଅନ୍ତି ।[୧]

ଦକ୍ଷିଣାତ୍ୟ ଅଭିଯାନ ସମୟରେ ସେ କୃଷ୍ଣାନଦୀ ପର୍ଯ୍ୟନ୍ତ ତାଙ୍କ ରାଜ୍ୟର ସୀମା ବଢାଇଥିଲେ । ସେ କୃଷ୍ଣାନଦୀ ଉପତ୍ୟକା ଓ ଦାକ୍ଷିଣାତ୍ୟର ଏକ ମନ୍ଦିର ସହର କାଞ୍ଚିପୁରମ୍କୁ ୧୨୩୦ ମସିହାରେ ଅଧିକାର କରିଥିଲେ । ସେଠାରେ ଥିବା ଆଲାଲନାଥ ମନ୍ଦିରକୁ ତୃତୀୟ ଅନଙ୍ଗ ଭୀମ ଦେବ ଦାନ ଦେବା, କାଞ୍ଚିପୂରମ୍ ଶିଳାଲିପିରେ ଉଲ୍ଲେଖ କରାଯାଇଛି । ଏହି କାଞ୍ଚିପୂରମ୍ ଶିଳାଲେଖରୁ ଗଙ୍ଗରାଜ୍ୟର ଦକ୍ଷିଣସୀମା କୃଷ୍ଣାନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିବା ଜଣାଯାଉଅଛି ।[୨]

ତୃତୀୟ ଅନଙ୍ଗଭୀମ ଦେବ କେବଳ ଜଣେ ପାରଙ୍ଗମ ଯୋଦ୍ଧା ନଥିଲେ, ସେ ମଧ୍ୟ ସ୍ଥାପତ୍ୟ, କଳା, ଓ ଭାସ୍କର୍ଯ୍ୟର ପୃଷ୍ଠପୋଷକ ଥିଲେ । ସେ ଅଭିନ୍ନବ ବାରଣାସୀ କଟକଠାରେ ଏକ ନୂତନ ରାଜଧାନୀ ସ୍ଥାପନ କରିଥିଲେ । ଏହିଠାରେ ପ୍ରଭୂ ପୁରୁଷୋତ୍ତମଙ୍କ ପାଇଁ ଗୋଟିଏ ନୂତନ ମନ୍ଦିର ଓ ଦୁଇଟି ଶିବ ମନ୍ଦିର ଯଥା ଚିତ୍ରାଶ୍ୱର ଓ ବିଶ୍ୱେଶ୍ୱର ସ୍ଥାପନ କରିଥିଲେ । ଦ୍ରାକ୍ଷାରାମ ଓ କାଞ୍ଚିପୁର ଅନୁଲେଖାରେ ତୃତୀୟ ଅନଙ୍ଗଭୀମ ଦେବଙ୍କୁ ପ୍ରଭୂ ଜଗନ୍ନାଥଙ୍କ ରାଉତ ଓ ସେବକ ରୂପେ ବର୍ଣ୍ଣନା କରାଯାଇଛି । ତୃତୀୟ ଅନଙ୍ଗଭୀମଦେବଙ୍କ ସମୟଠାରୁ ପ୍ରଚଳିତ ଜଗନ୍ନାଥ ପରମ୍ପରା ଆଜି ମଧ୍ୟ ସମୟର ପ୍ରବାହରେ ପରୀକ୍ଷିତ ହୋଇ ସାରା ବିଶ୍ୱରେ ବିଶ୍ୱପ୍ରେମ, ବିଶ୍ୱଭ୍ରାତୃଭାବର ଦର୍ଶନ ପ୍ରଚାର କରୁଛି । [୩]

ଆଧାର ସମ୍ପାଦନା

  1. "ଗଙ୍ଗ ସାମ୍ରାଜ୍ୟ". gkforallexams.in. Retrieved 2 October 2015.
  2. "Anangabhima III". Wikipedia. Retrieved 2 October 2015.
  3. "Ganga dynasty". Retrieved 2 October 2015.