ସୁଷମା ମିଶ୍ର

ଭାରତୀୟ ଓଡ଼ିଆ-ଭାଷୀ ଲେଖିକା
(Sushama Mishraରୁ ଲେଉଟି ଆସିଛି)

ସୁଷମା ମିଶ୍ର, ଜଣେ ଓଡ଼ିଆ ସାହିତ୍ୟିକା । ଗଳ୍ପ, କବିତା, ନାଟକ, ପ୍ରବନ୍ଧ ଓ ଶିଶୁଲେଖା ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଛନ୍ତି ଓ ଏଥି ନିମନ୍ତେ ବହୁ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଆକାଶବାଣୀର ସେ ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ।

ସୁଷମା ମିଶ୍ର
ଜନ୍ମ ଓ ଜନ୍ମସ୍ଥାନସୁଷମା ମିଶ୍ର
(1960-06-20) ୨୦ ଜୁନ ୧୯୬୦ (ବୟସ ୬୩)
ବୀରପ୍ରତାପପୁର, ପୁରୀ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଶୈଳବାଳା ମହିଳା ମହାବିଦ୍ୟାଳୟ
ଜୀବନସାଥୀସୁରେନ୍ଦ୍ର ମିଶ୍ର
ସନ୍ତାନସବ୍ୟସାଚୀ ମିଶ୍ର, ସୌମ୍ୟକାନ୍ତ ମିଶ୍ର
ସମ୍ପର୍କୀୟଚିତ୍ତରଞ୍ଜନ ମିଶ୍ର ( ଭାଇ )

ସଂକ୍ଷିପ୍ତ ଜୀବନୀ ସମ୍ପାଦନା

ସୁଷମା, ୧୯୬୦ ମସିହା ଜୁନ ୨୦ ତାରିଖରେ ପୁରୀ ଜିଲ୍ଲାର ବୀରପ୍ରତାପପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଦିବାକର ମିଶ୍ର ଥିଲେ, ଜଣେ ଓଡ଼ିଶା ସରକାରଙ୍କ ଅର୍ଥ ସେବା ଅଧିକାରୀ ଓ ବୋଉ ଦେବଲକ୍ଷ୍ମୀ ମିଶ୍ର ଥିଲେ ଗୃହିଣୀ । ତାଙ୍କ ପରିବାରରେ ସାହିତ୍ୟପ୍ରତି ଆଦର ରହିଥିଲା । ପିତାମାତା ସାହିତ୍ୟାନୁରାଗୀ ଥିଲେ ଓ ଲେଖାଲେଖି ମଧ୍ୟ କରୁଥିଲେ । ଅଜା ଆର୍ତ୍ତତ୍ତ୍ରାଣ ମିଶ୍ର ଜଣେ ସାହିତ୍ୟିକ ଥିଲେ ଓ ନାତୁଣୀ ସୁଷମାଙ୍କ ପାଖକୁ ଗୀତରେ ଗୀତରେ ଚିଠି ଲେଖୁଥିଲେ । ତାଙ୍କ ଆଇ ମଧ୍ୟ ପୁସ୍ତକ ରଚନା କରୁଥିଲେ । ପରିବାରରେ ସାହିତ୍ୟିକ ବାତାବରଣ ଏବଂ ପିତାମାତାଙ୍କ ପ୍ରେରଣାରେ ସୁଷମା ଓ ତାଙ୍କ ତିନି ଭାଇ ଚିତ୍ତରଞ୍ଜନ, ବିଶ୍ୱରଞ୍ଜନ ଓ ମନୋରଞ୍ଜନଙ୍କୁ ପିଲାଦିନରୁ ସାହିତ୍ୟପ୍ରତି ଆକର୍ଷିତ ହେଇଥିଲେ ।

ପିତାଙ୍କର ଚାକିରୀରେ ବଦଳି ଯୋଗୁ ସୁଷମା ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଶିକ୍ଷାଗ୍ରହଣ କରିଥିଲେ । ସେ ବ୍ରହ୍ମପୁର ମେଡ଼ିକାଲ ସ୍କୁଲ, କଟକ ମୁନିସିପାଲିଟି ସ୍କୁଲ, ବୋର୍ଡ଼ ସ୍କୁଲ ଓ ବଣେଇଗଡ଼ର ଗାର୍ଲ୍ସ ସ୍କୁଲରେ ନିଜ ସ୍କୁଲ ଶିକ୍ଷାଲାଭ କରିଥିଲେ । କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସେ ନିଜ କଲେଜ ଶିକ୍ଷା ଗ୍ରହଣ କରିଥିଲେ । କଲେଜ ଶିକ୍ଷା ପରେ ତାଙ୍କର ବିବାହ ଭାରତୀୟ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର ମିଶ୍ରଙ୍କ ସହ ହୋଇଥିଲା । ବିବାହପରେ ସ୍ୱାମୀଙ୍କ ପ୍ରୋତ୍ସାହନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଦର୍ଶନରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ସେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଓ ପିଏଚଡ଼ି ହାସଲ କରିଛନ୍ତି । ତାଙ୍କ ପିଏଚଡ଼ି ସନ୍ଦର୍ଭ ଥିଲା "ଉତ୍ତର ସତୁରୀ ଓଡ଼ିଆ କବିତାରେ ଗୀତିଧର୍ମିତା" ।

ସୁଷମାଙ୍କର ସବ୍ୟସାଚୀ ଓ ସୌମ୍ୟକାନ୍ତ ନାମରେ ଦୁଇ ପୁତ୍ର ଅଛନ୍ତି । ସବ୍ୟସାଚୀ ଜଣେ ଅଭିନେତା ।

ସାହିତ୍ୟ ସର୍ଜନା ସମ୍ପାଦନା

ସୁଷମା ପିଲାଦିନରୁ ସାହିତ୍ୟ ସହିତ ଜଡ଼ିତ ରହି ଲେଖାଲେଖି ଆରମ୍ଭ କରିଥିଲେ । ପିତାମାତାଙ୍କ ପ୍ରେରଣାରେ ସେ ଓ ତାଙ୍କ ତିନି ଭାଇ ବାଳପ୍ରଭା ନାମକ ଏକ ହାତଲେଖା ପତ୍ରିକା ପ୍ରକାଶ କରୁଥିଲେ । ଦଶମ ଓ ଏକାଦଶ ପଢ଼ିବା ସମୟରେ ତାଙ୍କ ଲିଖିତ କବିତା ମୀନାବଜାରଟିକିଦୁନିଆ ଆଦି ପତ୍ରିକାରେ ପ୍ରକାଶ ପାଇଥିଲା । ପରେ ତାଙ୍କ ଲେଖା ଧରିତ୍ରୀ, ସମାଜ, ସମ୍ବାଦ, ସୁଚରିତା, ଝଙ୍କାର, ସପ୍ତର୍ଷି, କଥା ଓ ପ୍ରତିବେଶୀ ଆଦି ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା ।

ରଚନାବଳୀ ସମ୍ପାଦନା

  • ମାର୍ଫତ ମାଟି
  • ହାତ ମୁଠାରେ ସ୍ୱପ୍ନ
  • ଅନ୍ତରଙ୍ଗ ସମୟ
  • ଗଦ୍ୟ କବିତାର ଅନ୍ତର୍ଛନ୍ଦ - ୨୦୦୯ ( ମନୋଜ କୁମାର ମହାପାତ୍ର )
  • ବରବର୍ଣ୍ଣିନୀ
  • ଆଦିପୁରୁଷ
  • ଦ ଇଣ୍ଟିମେଟ ଆର୍ଥ (ଇଂରାଜୀ ଗଳ୍ପ ସଂକଳନ)[୧]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଚରଣ ସ୍ପର୍ଶ ପୁରସ୍କାର[୨]
  • ହୀରାଖଣ୍ଡ ବସନ୍ତ ସମ୍ମାନ
  • ଜୟଦେବ ସମ୍ମାନ
  • ସୁପ୍ରୀତିଦେବୀ ଗନ୍ତାୟତ ସମ୍ମାନ
  • ଉତ୍କଳ ସାହିତ୍ୟ ସଂସ୍କୃତି ସମ୍ମାନ
  • କାଦମ୍ବିନୀ କବିତା ସମ୍ମାନ
  • କଳିଙ୍ଗ ପୁସ୍ତକମେଳା ପ୍ରବନ୍ଧ ସମ୍ମାନ
  • ଶ୍ୱେତ ସଙ୍କେତ ଗଳ୍ପ ସମ୍ମାନ
  • ସୁବ୍ରତ ରଥ ସ୍ମାରକୀ ସମ୍ମାନ ( ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
  • ଲାଡ୍ଲି ମିଡ଼ିଆ ନେସନାଲ ଆୱାର୍ଡ଼[୩]

ଆଧାର ସମ୍ପାଦନା

  1. "ବହି ସହ ବନ୍ଧୁତା ହିଁ ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ପ୍ରଥମ ମୂର୍ଚ୍ଛନା : ସୁଷମା ମିଶ୍ର". www.odishasambad.in. odishasambad.in. Archived from the original on 7 February 2023. Retrieved 7 February 2023.
  2. "କନ୍ୟା ଅନମୋଲ ହେ ପକ୍ଷରୁ 'ଚରଣ ସ୍ପର୍ଶ': ଶିକ୍ଷିତ ଓ ରୋଜଗାରକ୍ଷମ ନାରୀ ଅବହେଳିତ ହୋଇପାରିବନି". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 7 February 2023. Retrieved 7 February 2023.
  3. "ସୁଷମାଙ୍କ ସର୍ଜନା ସମ୍ବାର". ଧରିତ୍ରୀ ଛୁଟିଦିନ ଫେବୃଆରୀ ୫ - ୧୧, ୨୦୨୩ ପୃଷ୍ଠା ୬. ଧରିତ୍ରୀ. Archived from the original on 7 February 2023. Retrieved 7 February 2023.