ଶିରାନୀ ବନ୍ଦରନାଇକେ

(Shirani Bandaranayakeରୁ ଲେଉଟି ଆସିଛି)

ଉପାଟିସା ଅଟାପାଟ୍ଟୁ ବନ୍ଦରନାଇକେ ୱାସାଲା ମୁଦିୟାନସେ ରାଲାହାମିଲେଜ୍ ଶିରାନୀ ଅଂସୁମାଲା ବନ୍ଦରନାଇକେ (ଶିରାନୀ ବନ୍ଦରନାଇକେ ନାମରେ ଜଣାଶୁଣା; ଏପ୍ରିଲ ୧୯୫୮ରେ ଜନ୍ମ ହୋଇଥିଲେ) ଶ୍ରୀଲଙ୍କା ଉଚ୍ଚତମ ନ୍ୟାୟାଳୟର ୪୩ତମ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।[୧] ଯଦିଓ ଜଣେ ଯୋଗ୍ୟ ଓକିଲ, ସେ କେବେବି ଜଣେ ପେଷାଦାର ଓକିଲ ଭାବେ କାର୍ଯ୍ୟ କରିନାହାଁନ୍ତି । ବିଶ୍ୱବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ବନ୍ଦରନାଇକେ କଲମ୍ବୋ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ତଥା କଲମ୍ବୋ ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ଡିନ୍ ସମେତ ଅନେକ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇଥିଲେ । ପ୍ରଥମ କରି ସେ ୧୯୯୬ରେ ଶ୍ରୀଲଙ୍କାର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ଶ୍ରୀଲଙ୍କା ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଥିଲେ ।[୨] ଅଶୋକା ଡି ସିଲଭାଙ୍କ ବାଧ୍ୟତାମୂଳକ ଅବସର ପରେ ମଇ ୨୦୧୧ରେ ବନ୍ଦରନାଇକେ ଶ୍ରୀଲଙ୍କା ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ସଂସଦଦ୍ୱାରା ବନ୍ଦରନାଇକେ ଏକ ମହାଭିଯୋଗର ସମ୍ମୁଖୀନ ହୋଇଥିଲେ ଏବଂ ପରେ ଜାନୁୟାରୀ ୨୦୧୩ରେ ମହାଭିଯୋଗ ପାରିତ ହେବାପରେ ତତକାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସେଙ୍କଦ୍ୱାରା ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା ।[୩] କିନ୍ତୁ ୨୮ ଜାନୁୟାରୀ ୨୦୧୫ରେ ବନ୍ଦରନାଇକେଙ୍କ ବିରୁଦ୍ଧରେ ପାରିତ ହୋଇଥିବା ମହାଭିଯୋଗ ବେଆଇନ ଦର୍ଶାଇ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲା ଶିରିସେନା ବନ୍ଦରନାଇକେଙ୍କୁ ଶ୍ରୀଲଙ୍କାର ୪୩ତମ ମୁଖ୍ୟ ବିଚାରପତି ଭାବେ ପୁନଃ ଅବସ୍ଥାପିତ କରିଥିଲେ । ତେବେ ସେ ୨୯ ଜାନୁୟାରୀ ୨୦୧୫ରେ ଶ୍ରୀଲଙ୍କାରେ ଏକ ମୁକ୍ତ ଏବଂ ନିରପେକ୍ଷ ନ୍ୟାୟପାଳିକା ପାଇଁ ସମର୍ଥନ ଦାବି କରି ପୁନଃନିଯୁକ୍ତିର ଗୋଟିଏ ଦିନ ପରେ ସେ ଏହି ପଦରୁ ଅବସର ନେଇଥିଲେ ।

ଡ.ଶିରାନୀ ବନ୍ଦରନାଇକେ

ଆଦ୍ୟ ଜୀବନୀ ସମ୍ପାଦନା

ଏପ୍ରିଲ ୧୯୫୮ରେ କୁରୁନେଗାଲାରେ ଜନ୍ମଗ୍ରହଣ କରିଥିବା ବନ୍ଦରନାଇକେ ଥିଲେ ଫ୍ଲୋରା ଏବଂ ୱିଲସନ ବନ୍ଦରନାଇକେଙ୍କ ଝିଅ ।[୪] ତାଙ୍କ ମା ଜଣେ ଇଂରାଜୀ ତାଲିମପ୍ରାପ୍ତ ଶିକ୍ଷକ ହୋଇଥିବାବେଳେ ତାଙ୍କ ପିତା ଜଣେ ପ୍ରାଦେଶିକ ଶିକ୍ଷା ନିର୍ଦ୍ଦେଶକ ଥିଲେ ।[୫] ବୃନ୍ଦାରାୟାକେଙ୍କର ରେଣୁକା ନାମ୍ନୀ ଏକ ଭଉଣୀ ଅଛନ୍ତି । ମୋରାଟୁଆ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂରେ ସ୍ନାତକ କରିଥିବା ଏହି ରେଣୁକା ବର୍ତ୍ତମାନ ଅଷ୍ଟ୍ରେଲିଆର ପର୍ଥରେ ରହୁଛନ୍ତି । ଯେତେବେଳେ ବନ୍ଦ୍ରନାଇକେ ଛୋଟ ଥିଲେ ତାଙ୍କ ପିତା ଅନେକ ଥର ଚାକିରି ତଥା ସ୍ଥାନ ବଦଳାଇଥିଲେ ଏବଂ ଫଳସ୍ୱରୂପ ସେ ଅନେକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ: ଜିନିଗାଥେନା ମହା ବିଦ୍ୟାଳୟ (୧୯୬୨-୬୫), ହେଟିମୁଲ୍ଲା ବନ୍ଦରାନାଇକେ ବିଦ୍ୟାଳୟ (୧୯୬୫), ଥୋଲାଙ୍ଗାମୁୱା ବିଦ୍ୟାଳୟ (୧୯୬୫-୭୦) ଥୋଲାଙ୍ଗାମୁୱା କେନ୍ଦ୍ରୀୟ ମହାବିଦ୍ୟାଳୟ (୧୯୭୦-୭୨) । ତା’ପରେ ସେ ଅନୁରାଧାପୁର ସେଣ୍ଟ୍ରାଲ କଲେଜରେ ଅଧ୍ୟୟନ କରିଥିଲେ ଯେଉଁଠାରେ ସେ ୧୯୭୬ରେ (General Certificate of Education)GCE- ଆଡଭାନ୍ସ ଲେଭଲ୍ ପାସ୍ କରିଥିଲେ । ଏହା ପରେ ସେ କଲମ୍ବୋ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରେ ପ୍ରବେଶ କରି ଡିସେମ୍ବର ୧୯୮୦ରେ ସ୍ନାତକୋତ୍ତର ଉଚ୍ଚତର ଦ୍ୱିତୀୟ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଅକ୍ଟୋବର ୧୯୮୩ରେ ସେ କଲମ୍ବୋ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେହି ବର୍ଷ ତାଙ୍କୁ କମନୱେଲଥ ଓପନ୍ ସ୍କଲାରସିପ୍ ଏବଂ ୧୯୮୯ରେ ଚେଭେନିଂ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ସେ ସେପ୍ଟେମ୍ବର ୧୯୮୩ରେ ଆଇନରେ ଆଟର୍ଣ୍ଣି ଭାବରେ ଯୋଗ୍ୟତା ଅର୍ଜନ କରିଥିଲେ । ମାର୍ଚ୍ଚ ୧୯୮୬ରେ, ସେ ଲଣ୍ଡନ ୟୁନିଭରସିଟି ଅଫ୍ ଓରିଏଣ୍ଟାଲ୍ ଏବଂ ଆଫ୍ରିକୀୟ ଷ୍ଟଡିଜ୍ ଅଫ୍ ଲ ସ୍କୁଲରୁ ପିଏଚଡି ହାସଲ କରି ଶ୍ରୀଲଙ୍କାର ପ୍ରଥମ ମହିଳା ଭାବେ ବିଦେଶୀ ବିଶ୍ୱବିଦ୍ୟାଳୟରୁ ଆଇନରେ ଏହି ଡିଗ୍ରୀ ହାସଲ କରିଥିଲେ । ତାଙ୍କୁ ୧୯୯୬ରେ ଫୁଲବ୍ରାଇଟ୍-ହେସ୍ ଫେଲୋସିପ୍ ଏବଂ ୧୯୯୩ ଏବଂ ୧୯୯୪ରେ ବ୍ରିଟିଶ୍ କାଉନସିଲ୍ ଆସର୍ଟ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା ।[୬]

ବନ୍ଦରନାଇକେ ଜଣେ ପୂର୍ବତନ କର୍ପୋରେଟ୍ କାର୍ଯ୍ୟନିର୍ବାହୀ ପ୍ରଦୀପ କାରିଆୱାସାମଙ୍କୁ ବିବାହ କରିଥିଲେ । ଶବୀନ ସେମାନଙ୍କର ଏକମାତ୍ର ସନ୍ତାନ ।

ଆଇନ କ୍ଷେତ୍ରରେ ପ୍ରବେଶ ସମ୍ପାଦନା

ବାରରେ ଯୋଗ ଦେବା ପରେ ବନ୍ଦରନାଇକେ ଶ୍ରୀଲଙ୍କାର ସୁପ୍ରିମକୋର୍ଟର ଜଣେ ଆଟର୍ଣ୍ଣି ଭାବରେ କାର୍ଯ୍ୟ କରିଥିଲେ ।[୭] ଶ୍ରୀଲଙ୍କାର ତତ୍କାଳୀନ ନ୍ୟାୟ ଏବଂ ସାମ୍ବିଧାନିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଜି.ଏଲ୍.ପୈରିସଙ୍କ ସୁପାରିଶକ୍ରମେ ତତକାଳୀନ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗାଙ୍କଦ୍ୱାରା ସେ ବିବାଦୀୟ ଭାବରେ ସୁପ୍ରିମକୋର୍ଟରେ ୩୦ ଅକ୍ଟୋବର ୧୯୯୬ରେ ସୁପ୍ରିମକୋର୍ଟର ପ୍ରଥମ ମହିଳା ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ । ଫଳରେ ସେ ଖୁବ୍ ଶୀଘ୍ର ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ହୋଇପାରିଥିଲେ । ବନ୍ଦରନାଇକେ କେବେ ବି ଜଣେ ପେଷାଦାର ଓକିଲ ଭାବେ କିମ୍ବା ଅଧସ୍ତନ ନ୍ୟାୟାଳୟର ଏକ ବିଚାରପତି ଭାବରେ କାର୍ଯ୍ୟ କରି ନ ଥିବାରୁ ସିଧାସଲଖ ସୁପ୍ରିମକୋର୍ଟରେ ତାଙ୍କର ଏହି ନିଯୁକ୍ତି ଆଇନଜୀବୀ ତଥା ବିଚାରପତିଙ୍କ ବିରୋଧର କାରଣ ହୋଇଥିଲା ।

ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇବା ଆଗରୁ ବନ୍ଦରନାଇକେ ବିଭିନ୍ନ ସମୟରେ ୧୧ ଥର ଉଚ୍ଚତମ ନ୍ୟାୟାଳୟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ୨୦୧୧ରେ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସେ, ବନ୍ଦରନାଇକେଙ୍କୁ ଅଶୋକା ଡି. ସିଲ୍‌ଭାଙ୍କ ଉତ୍ତରାଧୀକାରୀଭାବେ ଶ୍ରୀଲଙ୍କା ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରିଥିଲେ ଏବଂ ସେ ୧୮ ମଇ ୨୦୧୧ରେ ରାଷ୍ଟ୍ରପତି ରାଜପାକ୍‌ସେଙ୍କ ନିକଟରେ ଶପଥ ଗ୍ରହଣ କରିଥିଲେ ।[୮]

ମହାଭିଯୋଗ ସମ୍ପାଦନା

୧୧୭ ଜଣ UPFA ସାଂସଦଙ୍କଦ୍ୱାରା ଦସ୍ତଖତ ହୋଇଥିବା ବନ୍ଦରନାଇକେଙ୍କ ଏକ ମହାଭିଯୋଗ ନଭେମ୍ବର ୨୦୧୨ରେ ତତକାଳୀନ ବାଚସ୍ପତି ଚମଲ ରାଜପାକ୍‌ସେଙ୍କୁ ହସ୍ତାନ୍ତର କରାଯାଇଥିଲା ।[୯] ବାଚସ୍ପତି ଚମଲ ରାଜପାକ୍‌ସେ ୬ ନଭେମ୍ବର ୨୦୧୨ରେ ବନ୍ଦରନାଇକେଙ୍କ ବିରୋଧରେ ୧୪ଟି ଅଭିଯୋଗ ପ୍ରକାଶ କରିଥିଲେ ଯେଉଁଥିରେ ଆର୍ଥିକ ଅନିୟମିତତା, କ୍ଷମତାର ଅପବ୍ୟବହାର ଏବଂ ସମ୍ବିଧାନକୁ ଅବମାନନା କରାଯିବା ଭଳି ଅଭିଯୋଗ ରହିଥିଲା । ବନ୍ଦରନାଇକେ ଏହି ଅଭିଯୋଗକୁ ଅସ୍ୱୀକାର କରି ତାଙ୍କ ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଥିଲେ ।

ମହାଭିଯୋଗ ଘଟଣାର ତଦନ୍ତ ପାଇଁ ଶ୍ରୀ ରଜିତା ସେନାରତ୍ନେ, ଶ୍ରୀ ଅନୁରା ପ୍ରିୟଦର୍ଶନା ୟାପା, ଶ୍ରୀ ସୁସିଲ ପ୍ରେମଜୟନ୍ତେ ଏବଂ ଚାରିଜଣ ବିରୋଧୀ ସାଂସଦଙ୍କୁ ନେଇ ମୋଟ ଏକାଦଶ ସଦସ୍ୟ ବିଶିଷ୍ଟ 'ସଂସଦୀୟ ଚୟନ କମିଟି' (ପିଏସସି) ନିଯୁକ୍ତ କରାଯାଇଥିଲା । ୨୩ ନଭେମ୍ବର ୨୦୧୨, ୪ ଡିସେମ୍ବର ୨୦୧୨ ଏବଂ ୬ ଡିସେମ୍ବର ୨୦୧୨ରେ ଯେତେବେଳେ ମହାଭିଯୋଗର ଶୁଣାଣି ଅନୁଷ୍ଠିତ ହୋଇଥିଲା,ଯେତେବେଳେ ବୃନ୍ଦାବନାଇକେ କକ୍ଷତ୍ୟାଗ ପୁର୍ବକ ଶୁଣାଣିରୁ ବାହାରକୁ ଯାଇଥିଲେ । ବିରୋଧୀ ସାଂସଦମାନେ ୭ ଡିସେମ୍ବର ୨୦୧୨ରେ 'ସଂସଦୀୟ ଚୟନ କମିଟି'ରୁ ଓହରି ଯାଇଥିଲେ । 'ସଂସଦୀୟ ଚୟନ କମିଟି'ର ରିପୋର୍ଟ ୮ ଡିସେମ୍ବର ୨୦୧୨ରେ ସଂସଦରେ ଉପସ୍ଥାପିତ ହୋଇଥିଲା । 'ସଂସଦୀୟ ଚୟନ କମିଟି' ଜାଣିବାକୁ ପାଇଲା ଯେ ବନ୍ଦରନାଇକେଙ୍କ ବିରୋଧରେ ପାଞ୍ଚଟି ଅଭିଯୋଗ ମଧ୍ୟରୁ ତିନୋଟି ପ୍ରମାଣିତ ହୋଇଛି ଏବଂ ତାଙ୍କୁ ପଦରୁ ହଟାଇବା ପାଇଁ ଏହା ଯଥେଷ୍ଟ ଥିଲା । ରାଷ୍ଟ୍ରପତି ମହିନ୍ଦା ରାଜପକ୍‌ସେ ସଂସଦଦ୍ୱାରା ପାରିତ ହୋଇଥିବା ମହାଭିଯୋଗ ଅନୁମୋଦନ କରିବା ପରେ ୧୩ ଜାନୁୟାରୀ ୨୦୧୩ରେ ବନ୍ଦରନାଇକେଙ୍କୁ ପଦରୁ ହଟାଇ ଦିଆଯାଇଥିଲା ।[୧୦] ବନ୍ଦରନାଇକେ 'ସଂସଦୀୟ ଚୟନ କମିଟି'ର ଏହି ରେପୋର୍ଟ ବିରୋଧରେ ଆବେଦନ କରିଥିଲେ ଏବଂ ୭ ଜାନୁୟାରୀ ୨୦୧୩ରେ ଏହି ଆବେଦନକୁ ବିଚାରପୂର୍ବକ ଅଦାଲତ 'ସଂସଦୀୟ ଚୟନ କମିଟି'ର ଅନୁସନ୍ଧାନକୁ ରଦ୍ଦ କରିଥିଲେ । ଏହାପରେ ସେ ୨୯ ଜାନୁୟାରୀ ୨୦୧୫ରେ ଶ୍ରୀଲଙ୍କାରେ ପୁନଃନିଯୁକ୍ତିର ଗୋଟିଏ ଦିନ ପରେ ସେ ଏହି ପଦରୁ ସମ୍ମାନର ସହ ଅବସର ନେଇଥିଲେ ।

ଆଧାର ସମ୍ପାଦନା

  1. "Overview". web.archive.org. 19 October 2013. Archived from the original on 19 October 2013. Retrieved 26 November 2020.{{cite web}}: CS1 maint: bot: original URL status unknown (link)
  2. "SRI LANKA: Dr. Shirani Bandaranayake, First Woman CJ". PeaceWomen (in ଇଂରାଜୀ). 3 February 2015. Retrieved 26 November 2020.
  3. "Mahinda Rajapakse removes the country's first female Chief Justice Dr. Shirani Bandaranayake; Sri Lankan cabinet approves Chinese loan to finance additional cost of Phase I of the Hambantota Port Development Project; Rear Admiral Ravindra Wijegunaratne-Ne | Manohar Parrikar Institute for Defence Studies and Analyses". idsa.in. Retrieved 26 November 2020.
  4. "Security News | Sundayobserver.lk - Sri Lanka". web.archive.org. 25 March 2012. Archived from the original on 25 March 2012. Retrieved 26 November 2020.{{cite web}}: CS1 maint: bot: original URL status unknown (link)
  5. "Appreciations | The Sunday Times Sri Lanka". www.sundaytimes.lk. Retrieved 26 November 2020.
  6. "Sri Lanka News | Online edition of Daily News - Lakehouse Newspapers". web.archive.org. 28 January 2013. Archived from the original on 28 January 2013. Retrieved 26 November 2020.{{cite web}}: CS1 maint: bot: original URL status unknown (link)
  7. "Her Lordship! First Woman Chief Justice sworn in | DailyFT - Be Empowered". web.archive.org. 12 February 2013. Archived from the original on 12 February 2013. Retrieved 26 November 2020.
  8. "Sri Lanka News | Online edition of Daily News - Lakehouse Newspapers". web.archive.org. 28 January 2013. Archived from the original on 28 January 2013. Retrieved 26 November 2020.{{cite web}}: CS1 maint: bot: original URL status unknown (link)
  9. "Shirani Bandaranayake: Sri Lanka MPs' impeachment bid". BBC News. 2 November 2012. Retrieved 26 November 2020.
  10. Radhakrishnan, R. k (13 January 2013). "Rajapaksa dismisses Chief Justice". The Hindu (in Indian English). Retrieved 26 November 2020.