ଦଧି ନାଟ

ଓଡ଼ିଆ ଲୋକକଳା
(Dadhi Nataରୁ ଲେଉଟି ଆସିଛି)

ଦଧି ନାଟ, ଓଡ଼ିଶାର ଏକ ପାରମ୍ପାରିକ ଲୋକକଳା ।[୧][୨] ଏହି ନାଟରେ ମୁଖ୍ୟତଃ ରାଧାକୃଷ୍ଣ ଲୀଳା ପ୍ରଦର୍ଶନ କରାଯାଏ । ଏହି ନାଟକ ବିଶେଷକରି ବୈଷ୍ଣବ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ପରିବେଷିତ ହୋଇଥାଏ । ଏହି ନାଟ ପରିବେଷଣ ପରେ, କଳାକାରମାନେ ଗୋପାଳୁଣୀ ବେଶରେ ଆଖପାଖ ଅଞ୍ଚଳକୁ ଯାଇ ଦହି ବିକ୍ରୀ କରିବାର ପରମ୍ପରା ରହିଛି । ଏହି ପରମ୍ପରା ଯୋଗୁ, ନାଟର ନାମ ଦଧି ନାଟ ହୋଇଥିବାର ବିଶ୍ୱାସ କରାଯାଏ । ଭଦ୍ରକ ବାଲେଶ୍ୱର ଜିଲ୍ଲାରେ ଏହି ନାଟକ ବିଶେଷ ଭାବରେ ପରିବେଷଣ କରାଯାଏ ।

ଦଧି ନାଟ
ଅନ୍ୟ ନାମଦଧି
ପାଳନକାରୀଓଡ଼ିଆ ଲୋକ
ପ୍ରକାରଲୋକକଳା

ବିଷୟବସ୍ତୁ ସମ୍ପାଦନା

ରାଧାକୃଷ୍ଣ ଲୀଳା ଏହି ନାଟର ପ୍ରମୁଖ ବିଷୟବସ୍ତୁ । ଏହି ଲୀଳାର ଆରମ୍ଭ ହୋଇଥାଏ କଂସର ଦୌରାତ୍ମରୁ ପୃଥିବୀକୁ ରକ୍ଷା କରିବା ନିମନ୍ତେ ବସୁମାତାଙ୍କର ବିଷ୍ଣୁ ଓ ଅନ୍ୟାନ୍ୟ ଦେବଦେବୀଙ୍କୁ ପ୍ରାଥନାରୁ ଏବଂ ଶେଷ ହୋଇଥାଏ କଂସବଧ ଓ ଉଗ୍ରସେନଙ୍କ ପୁନଶ୍ଚ ରାଜ୍ୟଭିଷେକରେ । ଏଥିରେ କୃଷ୍ଣଙ୍କ ସମ୍ପୂର୍ଣ୍ଣ ବାଲ୍ୟଲୀଳା ପରିବେଷିତ ହୋଇଥାଏ । ତେବେ ସ୍ଥଲବିଶେଷରେ କେବଳ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଯଥା କାଳିଆ ଦଳନ, ବସ୍ତ୍ରହରଣ, କଂସବଧ ଆଦି ମଧ୍ୟ ପରିବେଷିତ ହୋଇଥାଏ ।

କଳାକାର ସମ୍ପାଦନା

ଏହି ନାଟକରେ ଆଞ୍ଚଳିକ ଗ୍ରାମୀଣ କଳାକାରମାନେ ହିଁ ଅଭିନୟ କରନ୍ତି । ସେମାନେ ମୁଖ୍ୟତଃ ବୈଷ୍ଣବ ସମ୍ପ୍ରଦାୟରୁ ଥାଆନ୍ତି । ଆଗରୁ କେବଳ ପୁରୁଷମାନେ ଏଥିରେ ଅଭିନୟ କରୁଥିଲେ ଏବେ ମହିଳାମାନେ ମଧ୍ୟ ଅଭିନୟ କରୁଛନ୍ତି । କୃଷ୍ଣ ବଳରାମଙ୍କ ଚରିତ୍ରରେ ଶିଶୁ କଳାକାରମାନେ ଅଭିନୟ କରନ୍ତି ।

ବାଦ୍ୟଯନ୍ତ୍ର ସମ୍ପାଦନା

ଏହି ଲୋକକଳାରେ ମୁଖ୍ୟତଃ ପାରମ୍ପାରିକ ବାଦ୍ୟଯନ୍ତ୍ର ଯଥା ହାରମୋନିୟମ, ପଖାଉଜ, ଡୁବିତାବଲା, କରତାଳ ଓ କୁବୁଜି ଆଦି ବ୍ୟବହାର ହୋଇଥାଏ । ସମୟ ପରିବର୍ତ୍ତନ ସହିତ ଏଥିରେ କି-ବୋର୍ଡ଼ ଓ ସିନ୍ଥେସାଇଜର ଭଳି ଆଧୁନିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଉଛି ।

ମଞ୍ଚସଜ୍ଜା ସମ୍ପାଦନା

ଏହି ଲୋକକଳା ଦିନବେଳା ପରିବେଷଣ ହେଉଥିବାରୁ ଆଲୋକ ଓ ମଞ୍ଚସଜ୍ଜାର ବିଶେଷ ଆବଶ୍ୟକତା ନଥାଏ । ମୁଖ୍ୟମଞ୍ଚରେ ଅଭିନୟ ହେଉଥିବା ବେଳେ, ପାର୍ଶ୍ୱ ମଞ୍ଚରେ ବାଦ୍ୟଯନ୍ତ୍ର ବାଦକମାନେ ବସନ୍ତି । ମୁଖ୍ୟ ପୋଷାକ ଶାଢ଼ୀ ଓ ଧୋତି । କଳାକାରମାନେ ନିଜେ ନିଜ ରୂପସଜ୍ଜାର ଆୟୋଜନ କରିଥାନ୍ତି ।

ପାରିଶ୍ରମିକ ସମ୍ପାଦନା

ଏହି ଲୋକକଳାରେ କଳାକାରମାନଙ୍କୁ ଖୁବ କମ ପାରିଶ୍ରମିକ ମିଳିଥାଏ । ଅର୍ଥ ଅଭାବରୁ ଅନେକ କଳାକାର ଏହି ଲୋକକଳାକୁ ଛାଡ଼ି ଦେଇଛନ୍ତି ଓ ଏହି ବିଲୁପ୍ତ ହେବାକୁ ବସିଲାଣି ।[୩]

ଆଧାର ସମ୍ପାଦନା

  1. The Dance of India. D B Taraporevala Sons. 1965. p. 37. Retrieved 27 March 2023.
  2. "Available Art forms at Balasore". www.baleswar.nic.in. ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ. Archived from the original on 27 March 2023. Retrieved 27 March 2023.
  3. "ବିଲୁପ୍ତପ୍ରାୟ ଲୋକକଳା ଦଧି". No. ସମ୍ବାଦ ରବିବାର ୨୬ ମାର୍ଚ୍ଚ ୨୦୨୩ ପୃଷ୍ଠା ୧୩. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 27 March 2023. Retrieved 27 March 2023.