ସୁମନ କଲ୍ୟାଣପୁର

ଭାରତୀୟ ଗାୟିକା

ସୁମନ କଲ୍ୟାଣପୁର (ଜନ୍ମ ନାମ ସୁମନ ହେମ୍ମାଦୀ; ୨୮ ଜାନୁଆରୀ ୧୯୩୭) ଜଣେ ଭାରତୀୟ ଶାସ୍ତ୍ରୀୟ ଓ ପ୍ରଚ୍ଛଦପଟ୍ଟ ଗାୟିକା ।[୧] ତାଙ୍କ କଣ୍ଠକୁ ସବୁବେଳେ ଲତା ମଙ୍ଗେସକରଙ୍କ ସହ ତୁଳନା କରାଯାଇଥାଏ ।[୨] ୧୯୫୪ ମସିହାରୁ ସୁମନ ପ୍ରଚ୍ଛଦପଟ୍ଟ ଗାୟନ ଆରମ୍ଭ କରିଥିଲେ । ୧୯୬୦ ଓ ୧୯୭୦ ଦଶକରେ ସେ ଜଣେ ଅଗ୍ରଗଣ୍ୟା ପ୍ରଚ୍ଛଦପଟ୍ଟ ଗାୟିକା ଥିଲେ । ସେ ହିନ୍ଦୀ, ବଙ୍ଗଳା, ମରାଠୀ, ଅସମୀୟା , ଭୋଜପୁରୀ, ପଞ୍ଜାବୀଓଡ଼ିଆ ଭାଷାରେ ଅନେକ ଗୀତ ଗାଇଛନ୍ତି ।[୩] ୨୦୨୩ ମସିହାରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୪]

ସୁମନ କଲ୍ୟାଣପୁର
Background information
ଜନ୍ମ ସମୟରେ ନାମସୁମନ ହେମ୍ମାଦୀ
ଜନ୍ମ (1937-01-28) ୨୮ ଜାନୁଆରୀ ୧୯୩୭ (ବୟସ ୮୭)
ଢାକା, ବଙ୍ଗଳାଦେଶ
ଶୈଳୀଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ପ୍ରଚ୍ଛଦପଟ୍ଟ
ପେଷାଗାୟିକା
କାର୍ଯ୍ୟକାଳ୧୯୫୪-୧୯୮୮

ବ୍ୟକ୍ତିଗତ ଜୀବନ ସମ୍ପାଦନା

ପ୍ରାରମ୍ଭିକ ଜୀବନ

ସୁମନ ୧୯୩୭ ମସିହା ଜାନୁଆରୀ ୨୮ ତାରିଖରେ ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ପରିବାର ସାଙ୍ଗିଆ ହିସାବରେ ତାଙ୍କ ନାମ ପ୍ରଥମେ ସୁମନ ହେମ୍ମାଦୀ ଥିଲା । ତାଙ୍କ ପିତାଙ୍କ ନାମ ଶଙ୍କର ରାଓ ହେମ୍ମାଦୀ ଓ ମାତାଙ୍କ ନାମ ସୀତା ହେମ୍ମାଦୀ ଥିଲା । କର୍ଣ୍ଣାଟକ ରାଜ୍ୟର ଉଡ଼ୁପି ଜିଲ୍ଲା ଅନ୍ତର୍ଗତ କୁଣ୍ଡପୁର ତାଲୁକରେ ତାଙ୍କର ପୈତୃକ ଗ୍ରାମ ଥିଲା । ପିତା ଶଙ୍କର ରାଓ ସେଣ୍ଟ୍ରାଲ ବ୍ୟାଙ୍କରେ ଚାକିରୀ କରୁଥିଲେ ଓ ତାଙ୍କୁ ବହୁ ବର୍ଷ ଢାକାରେ ବିତାଇବାକୁ ପଡ଼ିଥିଲା । ସେମାନେ ୫ ଭଉଣୀ ଓ ଜଣିଏ ଭାଇ ଥିଲେ । ସୁମନ ଥିଲେ ପରିବାରର ଜ୍ୟେଷ୍ଠ ସନ୍ତାନ ଥିଲେ । ୧୯୪୩ ମସିହାରେ ହେମ୍ମାଦୀ ପରିବାର ଢାକାରୁ ମୁମ୍ବାଇକୁ ଚାଲି ଆସିଥିଲେ ।

ସୁମନ ପିଲାଦିନୁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତି ଆକର୍ଷିତ ଥିଲେ । ସେ ମୁମ୍ବାଇର ଷେଣ୍ଟ କଲମ୍ବା ହାଇସ୍କୁଲରୁ ନିଜ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ସ୍କୁଲ ଶିକ୍ଷାପରେ ସେ ଜେ ଜେ ସ୍କୁଲ ଅଫ ଆର୍ଟସଚିତ୍ରକଳାରେ ଅଧିକ ଶିକ୍ଷା ଆହରଣ ପାଇଁ ନାମ ଲେଖାଇଥିଲେ । ସେହି ସମୟରେ ସେ ପୁନେର ପଣ୍ଡିତ କେଶବ ରାଓ ଭୋଲେଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାରମ୍ଭ କରିଥିଲେ । ସଙ୍ଗୀତ ପ୍ରତି ତାଙ୍କର ଆକର୍ଷଣ ବଢ଼ିବାରୁ ସେ ପରେ ଉସ୍ତାଦ ଖାନ, ଅବଦୁଲ ରେହମାନ ଖାନ ଓ ଗୁରୁ ମାଷ୍ଟର ନବରଙ୍ଗଙ୍କଠାରୁ ମଧ୍ୟ ସଙ୍ଗୀତ ଶିକ୍ଷା କରିଥିଲେ ।[୫][୬] ସୁମନଙ୍କ ସାନ ଭଉଣୀ ଶ୍ୟାମା ହେମ୍ମାଦୀ ମଧ୍ୟ ଜଣେ କଣ୍ଠଶିଳ୍ପୀ ।

ବୈବାହିକ ଜୀବନ

୧୯୫୮ ମସିହାରେ ସୁମନ ମୁମ୍ବାଇର ବ୍ୟାପାରୀ ରାମାନନ୍ଦ କଲ୍ୟାଣପୁରଙ୍କୁ ବିବାହ କରିଥିଲେ ଓ ବିବାହ ପରେ ନିଜ ନାମ ସୁମନ ହେମ୍ମାଦୀରୁ ସୁମନ କଲ୍ୟାଣପୁରକୁ ପରିବର୍ତ୍ତୀତ କରିଥିଲେ । ସେମାନଙ୍କ କନ୍ୟା ଚାରୁଲ ଅଗ୍ନୀ ବିବାହ କରି ଯୁକ୍ତରାଷ୍ଟ୍ର ଆମେରିକାରେ ରହନ୍ତି । ତାଙ୍କ ନାତୁଣୀ ଐଶାଣୀ ଅଗ୍ନୀ ମୁମ୍ବାଇଠାରେ ସୁମନଙ୍କ ନାମରେ ଏକ ଏନଜିଓ ସଂସ୍ଥା ସ୍ଥାପନ କରିଛନ୍ତି ।

ବୃତ୍ତିଗତ ଜୀବନ ସମ୍ପାଦନା

ସୁମନ, ୧୯୫୨ ମସିହାରେ ଆକାଶବାଣୀର ଏକ କାର୍ଯ୍ୟକ୍ରମରେ ପ୍ରଥମେ ନିଜ କଣ୍ଠଦାନ କରିଥିଲେ । ଏହାପରେ ୧୯୫୩ ମସିହାରେ ସେ ଶୁକ୍ରାଚୀ ଚାନ୍ଦନୀ ନାମକ ଏକ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ସୁଯୋଗ ପାଇଥିଲେ । ହିନ୍ଦୀ ଚଳଚ୍ଚିତ୍ର ପ୍ରଯୋଜକ ଶେଖ ମୁଖତାର ଏହି ଚଳଚ୍ଚିତ୍ରରେ ତାଙ୍କ ସଙ୍ଗୀତ ଶୁଣି ନିଜ ହିନ୍ଦୀ ଚଳଚ୍ଚିତ୍ର ମଙ୍ଗୁରେ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ମଙ୍ଗୁ ଚଳଚ୍ଚିତ୍ରରେ ସେ ୩ଟି ଗୀତ ଗାଇଥିଲେ ମଧ୍ୟ, ପରିଶେଷରେ ତାଙ୍କର କେବଳ ଗୋଟିଏ ନାନାବାୟ ଗୀତ ଏହି ଚଳଚ୍ଚିତ୍ରରେ ସ୍ଥାନ ପାଇଥିଲା । ଏହି ଗୀତଟି ଥିଲା କୋଇ ପୁକାରେ ଧିରେ ସେ ତୁଝେ । ମଙ୍ଗୁରେ ପ୍ରଥମ ଗୀତ ଗାଇଥିଲେ ମଧ୍ୟ ଦରୱାଜା ଥିଲା ତାଙ୍କର ରିଲିଜ ହୋଇଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର । ପରେ ସେ ହିନ୍ଦୀ ସମେତ ଅନେକ ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଲତା ମଙ୍ଗେସକରଙ୍କ ସହ ସୁମନଙ୍କ କଣ୍ଠ ମିଶିଯାଉଥିବାରୁ[୭], ଗୋଟିଏ ସମୟରେ ଲତା ଯେଉଁ ଗୀତ ଗାଇ ପାରୁନଥିଲେ ସେ ସବୁ ଗୀତ ସୁମନ ଗାଉଥିଲେ । ସେ ୭୪୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ୧୯୬୦ ଦଶକରେ ମହମ୍ମଦ ରଫିଙ୍କ ସହ ୧୪୦ରୁ ଅଧିକ ଦ୍ୱେତ ସଙ୍ଗୀତରେ କଣ୍ଠଦାନ କରିଛନ୍ତି ।

ଓଡ଼ିଆରେ ସେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ସେ ଗାଇଥିବା ଦୁଇଟି ପ୍ରମୂଖ ଚଳଚ୍ଚିତ୍ର ଥିଲା ୧୯୭୫ ମସିହାର ସମୟ[୮] ଓ ପ୍ରଥମ ସମ୍ପୂର୍ଣ୍ଣ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ଗପ ହେଲେ ବି ସତ[୯] ସେ ଗାଇଥିବା କିଛି ଲୋକପ୍ରିୟ ଗୀତ :

  • ଗୁହାରୀ ଶୁଣ ଭଗବାନ
  • ଜୟ ଯଦୁ ନନ୍ଦନ
  • ସଜନୀରେ କାହିଁ ଗଲେ ଶ୍ୟାମ
  • ସାଥିରେ ମୁଁ ଯେ ଜାଣେନା କାହା ବାଟ
  • ଏ ବନର ଛାଇ
  • ଗପ ହେଲେ ବି କଥାଟି ସତ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ପଦ୍ମ ଭୂଷଣ - ୨୦୨୩
  • ସୁର ଶ୍ରୀନଗର ସଂସଦ ସମ୍ମାନ ୩ଥର
  • ଲତା ମଙ୍ଗେସକର ସମ୍ମାନ - ୨୦୦୯( ମହାରାଷ୍ଟ୍ର ସରକାରଙ୍କ ପ୍ରଦତ୍ତ )[୧୦]
  • ଗା ଦି ମା ସମ୍ମାନ[୧୧]

ଆଧାର ସମ୍ପାଦନା

  1. Sukumar Ray (1973). Music of Eastern India: Vocal Music in Bengali, Oriya, Assamese, and Manipuri, with Special Emphasis on Bengali. Firma K. L. Mukhopadhyay. p. 264. Retrieved 14 February 2022.
  2. The Other Lata
  3. Suman Kalyanpur
  4. "ପଦ୍ମଶ୍ରୀ ପାଇଲେ କଣ୍ଢେଇ ନୃତ୍ୟଗୁରୁ ମାଗୁଣି କୁଅଁର : ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 3 April 2023. Retrieved 3 April 2023.
  5. Suman Kalyapur
  6. http://beetehuedin.blogspot.in/2013/09/na-tum-hamein-jaano-suman-kalyanpur.html Meeting with Suman Kalyanpur
  7. "Tribute To Lata Mangeshkar – India's Melody Queen, A Beacon Of Inspiration". www.sambadenglish.com. Eastern Media Pvt Ltd. Archived from the original on 14 February 2022. Retrieved 14 February 2022.
  8. "Odia classic film 'Samaya' screened in city". www.dailypioneer.com. The Pioneer. Archived from the original on 10 November 2021. Retrieved 14 February 2022.
  9. "ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର 'ଗପ ହେଲେ ବି ସତ'". www.batoi.com. ଓଡ଼ିଶା୩୬୦. Archived from the original on 14 February 2022. Retrieved 14 February 2022.
  10. Singer Suman Kalyanpur to be feted
  11. सुमन कल्याणपूर यांना ‘गदिमा पुरस्कार’ जाहीर

ବାହାର ଆଧାର ସମ୍ପାଦନା