ଶ୍ରୀରଙ୍ଗ ନାୟକ

ଭାରତୀୟ ନାଟ୍ୟକାର ଓ ଲେଖକ

ଶ୍ରୀରଙ୍ଗ ନାୟକ ବୃତ୍ତିରେ ଶିକ୍ଷକ ହେଲେ ବି ଜଣେ ନାଟ୍ୟକାର, ଲେଖକ ତଥା ଇତିହାସ ସମ୍ପର୍କିତ ସଂଗ୍ରାହକ । ରାୟଗଡ଼ା ଜିଲ୍ଲାର ଅନନ୍ୟ ଅନୁଷ୍ଠାନ "ଆଦିକନ୍ଦ ସଂଗ୍ରହାଳୟ"ର ସେ ପ୍ରତିଷ୍ଠାତା । ୨୦୧୫ ମସିହାରେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ।[୧] ରାୟଗଡ ଜିଲ୍ଲା ସାଂସ୍କୃତିକ ମହୋତ୍ସୱ 'ଚଇତି'ଦ୍ୱାରା ତାଙ୍କୁ 'ଚଇତି ସମ୍ମାନ'ରେ ସମ୍ମାନିତ କରାଯାଇଛି ।

ଶ୍ରୀରଙ୍ଗ ନାୟକ
Born(1947-04-06)୬ ଅପ୍ରେଲ ୧୯୪୭
Nationalityଭାରତୀୟ
Known forସଂଗ୍ରାହକ
Spouseଶଶିକଳା ନାୟକ
Parent(s)ଆଦିକନ୍ଦ ନାୟକ,
ମନ୍ଦୋଦରୀ ଦେବୀ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଗଞ୍ଜାମ ଜିଲ୍ଲାର କରାତଳି ଗ୍ରାମରେ ଜନ୍ମିତ ଶ୍ରୀ ନାୟକଙ୍କର ପିତା ଆଦିକନ୍ଦ ନାୟକ ଏବଂ ମାତା ମନ୍ଦୋଦରୀ ନାୟକ । ଜଣେ ହିନ୍ଦୀ ଶିକ୍ଷକ ଭାବରେ ସେ ଚାକିରୀ ଜୀବନର ଅଧିକାଂଶ ସମୟ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଟାଇଛନ୍ତି । ଶିକ୍ଷାଦାନ ସହିତ ସାହିତ୍ୟ ରଚନା, ନାଟ୍ୟ ନିର୍ଦ୍ଦେଶନା, ପତ୍ରିକା ସଂପାଦନା ତଥା ରାଷ୍ଟ୍ରଭାଷା ପ୍ରଚାର ଓ ପ୍ରସାରରେ ନିଜକୁ ସଂଶ୍ଳିଷ୍ଟ ରଖିଛନ୍ତି । ତେବେ ପାଣ୍ଡୁଲିପି ସଂଗ୍ରହ ସହ ପ୍ରାଚୀନ ଶୀଳା ତଥା ଐତିହାସିକ ମହତ୍ତ୍ୱ ବହନ କରୁଥିବା ବହୁସଂଖ୍ୟକ ବିବିଧ ବସ୍ତୁ ସଂଗ୍ରହ କରି ସେ ନିଜସ୍ୱ ଏକ ସଂଗ୍ରହାଳୟ ସୃଷ୍ଟି କରିପାରିଛନ୍ତି ।

କୃତି ସମ୍ପାଦନା

ସାହିତ୍ୟ ସମ୍ପାଦନା

"ଜୟ ମା ମାର୍କମା" ନାଟକ ତଥା ବିଷମ କଟକର ଇତିହାସ ସମ୍ବଳିତ ଅନେକ ଲେଖା ତାଙ୍କରି କଲମରୁ ପ୍ରକାଶ ପାଇଛି । ଅବିଭକ୍ତ ଗଞ୍ଜାମ, କୋରାପୁଟ ଓ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ୪୦ରୁ ଅଧିକ ନାଟକ ଓ ଗୀତିନାଟ୍ୟର ନିର୍ଦ୍ଦେଶନା ଦେବା ସହ ଅନେକ ନାଟକରେ ମଧ୍ୟ ସେ ଅଭିନୟ କରିଛନ୍ତି । ସେ ମଧ୍ୟ ଜୟପୁର ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ସାହିତ୍ୟିକ ନାୟକଙ୍କର ପ୍ରକାଶିତ ଜୟମା ମାର୍କମା ନାଟକକୁ ବାଦ୍‌ ଦେଲେ ଅନେକ ନାଟକ (ଜଗଜ୍ଜେତା ରାବଣ, ଅଭୁଲା ସ୍ମୃତି, ତାରା ତାରିଣୀ, ପରଦା ଉହାଡେ), ଗୀତି ନାଟ୍ୟ (ରୋଷ ବହ୍ନି, ଜୟମା ମାର୍କମା,ଅଭାଗିନୀ ସୀତା, କାଳଜୟୀ ପତିବ୍ରତା, ସୁନା ଚଢ଼େଇ, ଅଭିଶପ୍ତା ଶ୍ରୀରାଧା, ତପସ୍ୱିନୀ ସୀତା, କାନ୍ଦୁଛି ପଞ୍ଚବଟୀ ଇତ୍ୟାଦି) ତଥା ବହୁ କାବ୍ୟ କବିତା ବର୍ତ୍ତମାନ ପ୍ରକାଶନ ଅପେକ୍ଷାରେ । ଶ୍ରୀଯୁକ୍ତ ନାୟକ ଓଡ଼ିଆ ସାହିତ୍ୟ ସହିତ ହିନ୍ଦୀ ସାହିତ୍ୟରେ ମଧ୍ୟ ରୁଚି ରଖନ୍ତି । ହିନ୍ଦୀର ଏକ କବିତା ସଂକଳନ ( ମେରି କବିତାଏଁ) ତଥା ଅନ୍ୟ କେତେକ ପ୍ରବନ୍ଧ ଏବଂ ଅନୁବାଦ ଏବେ ପ୍ରକାଶନ ଅପେକ୍ଷାରେ । ସାହିତ୍ୟର ପ୍ରଚାର,ପ୍ରସାର ତଥା ଗଂଜାମ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ଇତିହାସ ଓ ପ୍ରତ୍ନତତ୍ତ୍ୱ ଉପରେ ଗବେଷଣା ସମ୍ପର୍କିତ ୫୦ରୁ ଉର୍ଦ୍ଧ୍ୱ ପ୍ରବନ୍ଧ ପ୍ରକାଶ ହୋଇସାରିଛି ।

ସଂଗ୍ରହ ସମ୍ପାଦନା

 
ଆଦିକନ୍ଦ-ଶ୍ରୀରଙ୍ଗ କକ୍ଷ

କର୍ମମୟ ଜୀବନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମ ବୁଲି ତାଙ୍କ ନଜରକୁ ଆସିଥିବା ବିଭିନ୍ନ ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ବହନ କରୁଥିବା ପ୍ରତ୍ୟେକ ଜିନିଷକୁ ତଥା ପାଣ୍ଡୁଲିପି ସେ ସାଇତି ରଖିଛନ୍ତି । ପିତା ସ୍ୱର୍ଗତ ଆଦିକନ୍ଦ ନାୟକଙ୍କର ସଂଗ୍ରହ କରିବାର ନିଶା ତାଙ୍କୁ ଏ ଦିଗରେ ପ୍ରେରଣା ଦେଇଥିଲା । ନିଜର ସଂଗୃହୀତ ଜିନିଷସବୁକୁ ନେଇ ସେ ବିଷମ କଟକସ୍ଥିତ ନିଜ ଘରେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ସ୍ଥାପନା କରିଥିଲେ । ତାଙ୍କରି ନିଜସ୍ୱ ଏହି ଅନୁଷ୍ଠାନ ଆଦିକନ୍ଦ ସଂଗ୍ରହାଳୟ ରାୟଗଡ଼ା ଜିଲ୍ଲାର ଏକ ଅନନ୍ୟ ଅନୁଷ୍ଠାନ ।[୨] ଶ୍ରୀ ନାୟକକଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଗଢିଉଠିଥିବା ଏହି ଅନୁଷ୍ଠାନରେ ଶତାଧିକ ପାଣ୍ଡୁଲିପି ସହିତ ବିଭିନ୍ନ ଯୁଗର ପ୍ରସ୍ତର, ଶୀଳାଲେଖ, ତାଳପୋଥି, ବିଭିନ୍ନ ଦେଶର ମୁଦ୍ରା ତଥା ବିଷମ କଟକର ଇତିହାସ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିଛି ।[୩] ଓଡ଼ିଆ ଭାଷାରେ ରଚିତ ବହୁ ପୁରାଣ, ମହାପୁରାଣ, ନାଟ୍ୟଶାସ୍ତ୍ର, ଭାଷାବିଜ୍ଞାନ, ଇତିହାସ, ଜୀବନୀ , ଆଧୁନିକ ଗଳ୍ପ ଉପନ୍ୟାସ ଭଳି ଦୁଇ ହଜାରରୁ ଅଧିକ ପୁସ୍ତକ ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି । ରାୟଗଡ଼ା ଜିଲ୍ଲାରେ ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଷ୍ଠିତ ଏହା ଏଭଳି ଏକମାତ୍ର ସଂଗ୍ରହାଳୟ ।[୪] ସଂଗ୍ରହାଳୟରେ ସଂଗୃହିତ ବିବିଧ ଦୁର୍ଲ୍ଲଭ ଜିନିଷର ପ୍ରାଚୀନତା ତଥା ଗବେଷଣାତ୍ମକ ମହତ୍ୱ ଦୃଷ୍ଟିରୁ ତାହା ଏବେ ଗବେଷକ ଏବଂ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।[୫] ସଂପ୍ରତି ରାୟଗଡ଼ା ଜିଲ୍ଲା ସଂସ୍କୃତି ଭବନରେ ଆଦିକନ୍ଦ-ଶ୍ରୀରଙ୍ଗ କକ୍ଷ ନାମକ ଏକ କକ୍ଷରେ ଏହି ସଂଗ୍ରହାଲୟ ସ୍ଥାନ ପାଇଛି ।

ପୁରସ୍କାର ଓ ସମ୍ମାନ ସମ୍ପାଦନା

2015 ମସିହାରେ ବରିଷ୍ଠ ସାରସ୍ୱତ ସାଧକ ରୂପେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଭୁବନେଶ୍ୱରଠାରେ ଆୟୋଜିତ ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବରେ ଗବେଷକ ତଥା ସଂଗ୍ରାହକ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହାଛଡା, ଶ୍ରୀ ନାୟକ ତାଙ୍କରି କୃତି ନିମିତ୍ତ ASTRO RESEARCH CENTRE, Cuttack (DAIBEESHAKTI)ଦ୍ୱାରା ତନ୍ତ୍ର ବିଦ୍ୱାନମଣି ଉପାଧିରେ ଭୂଷିତ । ଏତଦ୍ ବ୍ୟତୀତ ଶ୍ରୀ ନାୟକ ଗଞ୍ଜାମ କଳା ପରିଷଦ (ବ୍ରହ୍ମପୁର), ନାଟ୍ୟ ରଙ୍ଗମଞ୍ଚ (ବାଲିଗୁଡା), ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ(ବ୍ରହ୍ମପୁର), ବନକୁସୁମ ପରିଷଦ(ବ୍ରହ୍ମପୁର) ତଥା ଅନେକ ଅନୁଷ୍ଠାନଦ୍ୱାରା ସମ୍ମାନିତ ହୋଇଛନ୍ତି ।

ଆଧାର ସମ୍ପାଦନା

  1. "Odisha Sahitya Akademi". odishasahityaakademi.org. Retrieved 15 December 2018.
  2. Nayak, Sriranga. "ପ୍ରାଚୀନ ଦୁର୍ଗ". Pratiphalana (March 16-31): ପୃଷ୍ଠା-3. {{cite journal}}: |access-date= requires |url= (help)
  3. "Bishama Katak". Archived from the original on 25 July 2017. Retrieved 29 June 2017.
  4. "Bissam Cuttack". Retrieved 29 June 2017.
  5. ଶ୍ରୀକାନ୍ତ,"ଶ୍ରୀରଙ୍ଗ ନାୟକଙ୍କ ବିରଳ ସଂଗ୍ରହାଳୟ"[permanent dead link], ସଂବାଦ ରଥଯାତ୍ରା ବିଶେଷାଙ୍କ-୨୦୧୭(ଜୟପୁର ସଂସ୍କରଣ), June 25, 2017. Retrieved 2017-07-07.