ରାମାକିଅନ (ଇଂରାଜୀରେ Ramakien, ଥାଇ ଭାଷାରେ รามเกียรติ์, ଅର୍ଥାତ୍ – ରାମକୀର୍ତ୍ତି) ଥାଇଲ୍ୟାଣ୍ଡର ଜାତୀୟ ମହାକାବ୍ୟ । ବୌଦ୍ଧ ଜାତକ କଥା ଦଶରଥ ଜାତକରୁ ଏହି କାବ୍ୟ ଉଦ୍ଧୃତ ।[୧].

ବ୍ୟାଂକକ୍‍ର ୱାଟ୍ ଫ୍ରା କେଓର ଏହି ରାମାକିଅନ ଦୃଶ୍ୟରେ ହନୁମାନ ରଥ ଉପରେ ବସିଥିବା ପ୍ରଦର୍ଶିତ

"ରାଜା ରାମ (ଷଷ୍ଠ) ପ୍ରଥମେ ଥାଇଲାଣ୍ଡରେ ରାମାୟଣ ବିଷୟରେ ଅଧ୍ୟୟନ କରିଥିଲେ ଓ ତଥ୍ୟ ପ୍ରକାଶ କରିଥିଲେ । ସେ ରାମାକିଅନର ବିଭିନ୍ନ ଉତ୍ସ ଖୋଜି ବାହାର କରିଥିଲେ ଓ ସଂସ୍କୃତରେ ଲିଖିତ ବାଲ୍ମିକୀ ରାମୟଣ ସହିତ ତାହାର ତୁଳନା କରିଥିଲେ । ରାମାକିଅନ ବୌଦ୍ଧ ଜାତକ କଥା ଦଶରଥ ଜାତକ ସହିତ ତିନୋଟି ଭିନ୍ନ ମୂଳ ଲେଖାରୁ ପ୍ରଭାବିତ ହୋଇ ଲେଖା ହୋଇଥିବା ବିଷୟ ସେ ଜାଣିବାକୁ ପାଇଲେ । ସେଗୁଡ଼ିକ ହେଲେ – ବାଲ୍ମିକୀ ରାମାୟଣ, ବିଷ୍ଣୁ ପୁରାଣ ଓ ହନୁମାନ ନାଟକ" ।"[୨] ୧୭୬୭ ମସିହାରେ ଅୟୁଥୟା ନଗର ଧ୍ୱଂସ ଯିବା ଫଳରେ ଅନେକ ରାମାକିଅନ କାବ୍ୟ ନଷ୍ଟ ହୋଇଯାଇଥିଲା । ବର୍ତ୍ତମାନ ସମୟରେ ରାମାକିଅନର ୩ଟି ରୂପ ଜୀବିତ ରହିଛି । ରାଜା ୧୭୯୭ ମସିହାରେ ରାମ (ପ୍ରଥମ)ଙ୍କ ପୃଷ୍ଠପୋଷକତାରେ ଏଥିରୁ ଗୋଟିଏ କାବ୍ୟ ଲେଖାଯାଇଥିଲା ଓ ତାବାର କିଛି ଅଂଶ ରାଜା ନିଜେ ମଧ୍ୟ ଲେଖିଥିଲେ । ଖୋନ୍ ନାଟକ ପାଇଁ ପୁତ୍ର ରାଜା ରାମ (ଦ୍ୱିତୀୟ) ନିଜ ପିତାଙ୍କ ଲେଖାର କିଛି ଅଂଶର ପୁନଃରଚନା କରିଥିଲେ । ଥାଇ ସାହିତ୍ୟ, ନାଟକ ଓ କଳାରେ ଏହି ରଚନାର ଗଭୀର ପ୍ରଭାବ ରହିଛି । ଉଭୟ ଖୋନ୍ ଓ ନାଂଗ୍ ନାଟକ ଏଥିରୁ ଉଦ୍ଧୃତ ହୋଇଛନ୍ତି ।

ମୁଖ୍ୟ କଥା ଦଶରଥ ଜାତକ କଥା ପରି କିନ୍ତୁ ଥାଇ ସଂସ୍କୃତି, ବେଶଭୂଷା, ଭୂଗୋଳ, ଅସ୍ତ୍ର, ପ୍ରାକୃତିକ ଉପାଦାନ ଦୃଷ୍ଟିକୋଣରୁ ରାମାକିଅନରେ ଅନେକ ଥାଇ ଶୈଳୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳେ । ଥାଇଲାଣ୍ଡରେ ତେରବାଦ ବୌଦ୍ଧ ପରମ୍ପରାର ପ୍ରଚଳନ ଥିବାରୁ ରାମାକିଆନରେ ବୌଦ୍ଧ ଇତିହାସ, କିମ୍ବଦନ୍ତୀ ଓ ବିଶ୍ୱାସ ମଧ୍ୟ ସନ୍ନିବିଷ୍ଟ ହୋଇ ରହିଛି ।

ବ୍ୟାଂକକ୍‍ର ୱାଟ୍ ଫ୍ରା କେଓରେ ରାମାକିଅନର କଳାତ୍ମକ ପରିପ୍ରକାଶ ଅବସ୍ଥିତ ଓ କାବ୍ୟର ବିଭିନ୍ନ ଚରିତ୍ରଙ୍କ ମୂର୍ତ୍ତି ମଧ୍ୟ ଦେଖିହେବ ।

ପୃଷ୍ଠଭୂମି ସମ୍ପାଦନା

ଦଶରଥ ଜାତକ ସମେତ ତେରବାଦ ବୌଦ୍ଧ ପରମ୍ପରାର ବିଭିନ୍ନ ଗ୍ରନ୍ଥ ତିପିଟକରେ ରହିଛି । ବୌଦ୍ଧ ବିଶ୍ୱାସ ଅନୁଯାୟୀ ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରେ (କିନ୍ତୁ ଏହି ସମୟ କାଳ ବିବାଦୀୟ) ବୁଦ୍ଧ ଅଯୋଧ୍ୟାର ରାଜା ରାମ ପଣ୍ଡିତ ରୂପେ ଜନ୍ମ ଗ୍ରହଣ କରିଥିଲେ ଏବଂ ଦଶରଥ ଜାତକ ଏହି ରାମ ପଣ୍ଡିତଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବସିତ ବୋଲି ଅଧିକାଂଶ ପ୍ରତ୍ନତତ୍ତ୍ୱବିତ୍ ଓ ଐତିହାସିକ ମତ ଦେଇଛନ୍ତି । ଦଶରଥ ଜାତକରେ ଦେବତାମାନଙ୍କ ମାନବ ସମାଜରେ ପ୍ରଭାବକୁ ମଧ୍ୟ ଦର୍ଶାଏ । ହିନ୍ଦୁ ଧର୍ମରେ ଏହାର ସମାନ୍ତରାଳ କାବ୍ୟ ରାମାୟଣ ବାଲ୍ମିକୀଙ୍କଦ୍ୱାରା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ[୩] ଭାରତରେ ରଚିତ ହୋଇଥିଲା ।[୪] ଭାରତୀୟ ବଣିକମାନେ ଫୁନାନ ଓ ଅଂକୋରର କ୍ଷ୍ମେର୍ ସାମ୍ରାଜ୍ୟ ଓ ଶ୍ରୀବିଜୟଙ୍କ ସହିତ ବାଣିଜ୍ୟିକ ସମ୍ପର୍କ ରଖିଥିଲେ ଓ ଦକ୍ଷିଣ-ପୂର୍ବ ଏସିଆରେ ରାମାୟଣ ଭାରତୀୟ ବଣିକ ଓ ବିଦ୍ୱାନମାନଙ୍କଦ୍ୱାରା ହିଁ ପ୍ରଚାରିତ ହୋଇଥିଲା ।

ପ୍ରଥମ ସହସ୍ରାବ୍ଦୀର ଶେଷ ଆଡ଼କୁ ଥାଇ ଲୋକମାନେ ରାମାୟଣର କଥାକୁ ନିଜ ସଂସ୍କୃତିରେ ଗ୍ରହଣ କରିବା ଆରମ୍ଭ କଲେ । ରାମାକିଅନ୍ ପ୍ରକୃତରେ ରାମକୀର୍ତ୍ତି (รามเกียรติ์) ନାମରେ ଲେଖାଗଲା କିନ୍ତୁ ଏହାକୁ ଲୋକେ ରାମାକିଅନ ବୋଲି କହୁଥିଲେ । ତ୍ରୟୋଦଶ ଶତାବ୍ଦୀର ସୁଖୋଥାଇ ସାମ୍ରାଜ୍ୟର ରାଜୁତି କାଳର ବିଭିନ୍ନ ଗ୍ରନ୍ଥରେ ରାମାୟଣ କାହାଣୀମାନ ଦେଖିବାକୁ ମିଳେ । ଇଣ୍ଡୋନେସୀୟ ଶୈଳୀ ପରି ଥାଇଲାଣ୍ଡରେ ମଧ୍ୟ ନାଂଗ୍ ନାମକ ଏକ ଛାୟାଚିତ୍ର ନାଟକ ପ୍ରଦର୍ଶିତ ହେଉଥିଲା ଯେଉଁଥିରେ ଏହି ସବୁ କାହାଣୀ ଓ କିମ୍ବଦନ୍ତୀ ରହିଥିଲା ।

ସୁଖୋଥାଇ ସାମ୍ରାଜ୍ୟର ଅବସାନ ପରେ ୧୮ଶ ଶତାବ୍ଦୀରେ ଅୟୁଥୟା ସାମ୍ରାଜ୍ୟ ସମୟରେ ରାମାୟଣର ଥାଇ ରୂପାନ୍ତରଣ ସବୁ ବିକଶିତ ଓ ଲିଖିତ ହୋଇଥିଲା । କିନ୍ତୁ ୧୭୬୭ ମସିହାରେ ବ୍ରହ୍ମଦେଶର ସେନା ଅୟୁଥୟା ନଗରୀ ଧ୍ୱଂସ କରିଦେଇଥିଲେ ଓ ଏଥିରେ ଅନେକ ପାଣ୍ଡୁଲିପି ନଷ୍ଟ ଯାଇଥିଲା ।

ବର୍ତ୍ତମାନ ସମୟରେ ଆଦୃତ ଥାଇ ରାମାୟଣ ଥାଇଲାଣ୍ଡରେ ଏବେ ଶାସନ କରୁଥିବା ଚକ୍ରୀ ବଂଶର ପ୍ରତିଷ୍ଠାତା ରାଜା ପ୍ରଥମ ରାମଙ୍କ (୧୭୨୬-୧୮୦୯) ତତ୍ତ୍ୱାବଧାନରେ ସିଆମ ରାଜ୍ୟରେ ଲେଖାଯିବା ଆରମ୍ଭ ହେଲା । ୧୭୯୯ ଓ ୧୮୦୭ ମଧ୍ୟରେ ପ୍ରଥମ ରାମ ଏହି ରାମାୟଣର ତତ୍ତ୍ୱାବଧାନ କରିବା ସହ ଏହାର ଅନେକ ଅଂଶ ନିଜେ ଲେଖିଥିଲେ । ପ୍ରଥମ ରାମଙ୍କ ରାଜୁତି କାଳରେ ବ୍ୟାଂକକରେ ଥାଇ ରାଜପ୍ରାସାଦର (Thai Grand Palace) ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଏହିଠାରେ ଏକ ମନ୍ଦିରରେ ବୁଦ୍ଧଙ୍କ ମରକ୍ତ ମଣିର ମୂର୍ତ୍ତି (Temple of the Emerald Buddha) ମଧ୍ୟ ରହିଛି । ଏହି ମନ୍ଦିରର ନାମ ୱାଟ୍ ଫ୍ରା କେଓ । ୱାଟ୍ ଫ୍ରା କେଓର କାନ୍ଥରେ ଅନେକ ସୁନ୍ଦର ଚିତ୍ର ଅଙ୍କିତ ହୋଇଛି ଯେଉଁଥିରେ ରାମାକିଅନର କାହାଣୀ ଦର୍ଶିତ ।

ରାଜା ଦ୍ୱିତୀୟ ରାମ (୧୭୬୬-୧୮୨୪) ତାଙ୍କ ପିତାଙ୍କ ରାମାକିଅନକୁ ଖୋନ୍ ନାଟକରେ ମଧ୍ୟ ବ୍ୟବହାର କରାଇଲେ । ଖୋନ୍ ନାଟକରେ ରାମାକିଅନକୁ ଅନେକ ପ୍ରଚ୍ଛଦ ଗାୟକ ନାଟକ ମଞ୍ଚ ପାର୍ଶ୍ୱରେ ରହି ଗାଆନ୍ତି । ଅଭିନେତାମାନେ ବିଭିନ୍ନ ପୋଷାକ ଓ ମୁଖା ପିନ୍ଧି ଗାୟକଙ୍କ ଗୀତ ଅନୁସାରେ ଅଭିନୟ କରନ୍ତି । ଏହି ନାଟକରେ ହନୁମାନଙ୍କ ଚରିତ୍ର ଓ କଥାକୁ ଅଧିକ ମହତ୍ତ୍ୱ ଦିଆଯାଇ ଏହାର ସଂପ୍ରସାରଣ କରାଯାଇଛି । ତେଣୁ ପ୍ରଥମ ରାମଙ୍କ ରାମାକିଅନଠାରୁ ଏହା ଭିନ୍ନ ।

ଥାଇ ଲୋକଙ୍କ ଗହଣରେ ଆଦୃତ ହେବା ପରେ ରାମାକିଅନ ତାଙ୍କ ସଂସ୍କୃତିର ଏକ ବଳିଷ୍ଠ ଅଙ୍ଗ ପାଲଟି ଯାଇଛି । ପ୍ରଥମ ରାମଙ୍କ ରାମାକିଅନକୁ ଥାଇ ସାହିତ୍ୟରେ ଏକ ମହାନ ସୃଷ୍ଟି ବୋଲି ପରିଗଣନା କରାଯାଏ । ଏହା ଦେଶର ଲୋକଙ୍କଦ୍ୱାରା ଓ ଏପରିକି ବିଦ୍ୟାଳୟମାନଙ୍କରେ ମଧ୍ୟ ପଠନ କରାଯାଏ ।

୧୯୮୯ ମସିହାରେ ସତ୍ୟବ୍ରତ ଶାସ୍ତ୍ରୀ ରାମାକିଅନକୁ ସଂସ୍କୃତରେ ଅନୁବାଦ କରିଥିଲେ ଓ ଏହାକୁ ରାମକୀର୍ତ୍ତି ମହାକାବ୍ୟମ୍ ନାମ ଦେଇଥିଲେ । ଏଥିରେ ୨୫ଟି ସର୍ଗ ଓ ୧୨୦୦ଟି ପଦ ୧4ଟି ବିଭିନ୍ନ ଛନ୍ଦରେ ରହିଛି । ଏହି କାବ୍ୟ ସମୁଦାୟ ୧୧ଟି ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସମ୍ମାନ ଲାଭ କରିଛି ।[୫]

ୱାଟ୍ ଫ୍ରା କେଓରେ ଥିବା ଏକ ଚିତ୍ର

ବର୍ଣ୍ଣନା ସମ୍ପାଦନା

ରାମାକିଅନର କଥା ରାମାୟଣ ସହିତ ପ୍ରାୟ ସମାନ । କିନ୍ତୁ ଏହା ଅୟୁଥୟାର ଭୌଗୋଳିକ ଏବଂ ସାଂସ୍କୃତିକ ଚିତ୍ର ବହନ କରିଥାଏ । ଭଗବାନ ଫ୍ରା ନାରାଇ (ଥାଇ ଧାର୍ମିକ ବିଶ୍ୱାସର ନାରାୟଣ ବା ବିଷ୍ଣୁ) ଫ୍ରା ରାମ ଅବତାରରେ ଅୟୁଥୟାରେ ଜନ୍ମଗ୍ରହଣ କରିଥିବା ଏଥିରେ ବର୍ଣ୍ଣିତ ।

ମୁଖ୍ୟ ଚରିତ୍ର ସମୂହ ସମ୍ପାଦନା

ଦେବତା ଚରିତ୍ର ସମ୍ପାଦନା

ମାନବ ଚରିତ୍ର ସମ୍ପାଦନା

  • ଫ୍ରା ରାମ – ଅୟୁଥୟା ରାଜ୍ୟର ରାଜା ଥୋତ୍ସରୋତ (ଦଶରଥ)ଙ୍କ ପୁତ୍ର ଏବଂ ଫ୍ରା ନାରାଇଙ୍କ ଅବତାର
  • ନାଂଗ୍ ସିଦା – ଫ୍ରା ରାମଙ୍କ ସ୍ତ୍ରୀ ଓ ଲକ୍ସମିଙ୍କ ଅବତାର – ପବିତ୍ରତା ଓ ବିଶ୍ୱସ୍ତତାର ପ୍ରତୀକ
  • ଫ୍ରା ଲାକ୍, ଫ୍ରା ଫ୍ରୋତ୍ ଓ ଫ୍ରା ଶତ୍ରୁତ୍ (ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ) – ଫ୍ରା ରାମଙ୍କ ତିନି ସାବତ ଭାଇ । ସମସ୍ତେ ଫ୍ରା ନାରାଇଙ୍କ ସମ୍ପର୍କିତ କୌଣସି ବ୍ୟକ୍ତି ବା ବସ୍ତୁ ବିଶେଷଙ୍କ ଅବତାର ।
  • ଥୋତ୍ସାରୋତ୍ – ଥାଓ ନାମରେ ମଧ୍ୟ ପରିଚିତ । ଅୟୁଥୟାର ରାଜା ଓ ଫ୍ରା ରାମ ଓ ତାଙ୍କ ସାବତ ଭାଇମାନଙ୍କ ପିତା
  • ନାଂଗ୍ କାଉସୁରିୟା (କୌଶଲ୍ୟା) – ଥାତ୍ସାରୋତଙ୍କ ତିନି ପତ୍ନୀ ମଧ୍ୟରୁ ଜଣେ ଓ ଫ୍ରା ରାମଙ୍କ ମାତା
  • ନାଂଗ୍ କୈୟକେସି (କୈକେୟୀ) – ଥାତ୍ସାରୋତଙ୍କ ତିନି ପତ୍ନୀ ମଧ୍ୟରୁ ଜଣେ ଓ ଫ୍ରା ଫ୍ରୋତଙ୍କ ମାତା
  • ନାଂଗ୍ ସମ୍ମୁଥେୱି (ସୁମିତ୍ରା) – ଥାତ୍ସାରୋତଙ୍କ ତିନି ପତ୍ନୀ ମଧ୍ୟରୁ ଜଣେ ତଥା ଫ୍ରା ଲାକ ଓ ଫ୍ରା ସତ୍ରୁତଙ୍କ ମାତା

ଫ୍ରା ରାମଙ୍କ ସାଥୀ ଓ ମିତ୍ର ସମ୍ପାଦନା

  • ହନୁମାନ – ବାନରମାନଙ୍କ ରାଜେଶ୍ୱର । ଫ୍ରା ରାମଙ୍କ ସେନାପତି ହୋଇ ତାଙ୍କୁ ସାହାଯ୍ୟ କରିଥିଲେ ।
  • ଫାଲି ଥିରାତ (ବାଳି) – ଖିତକିନ୍‍ର ରାଜା, ହନୁମାନଙ୍କ ମାମୁଁ ଓ ସୁଖ୍ରୀପଙ୍କ ବଡ଼ ଭାଇ
  • ସୁଖ୍ରୀପ (ସୁଗ୍ରୀବ) – ଖିତକିନ୍‍ର ରାଜ ପ୍ରତିନିଧି, ଫାଲିଙ୍କ ସାନ ଭାଇ, ହନୁମାନଙ୍କ ମାମୁଁ
  • ଓଂଖୋତ୍ (ଅଙ୍ଗଦ) – ବାନର ରାଜକୁମାର, ଫାଲି ଓ ନାଂଗ୍ ମୋନ୍ଥୋଙ୍କ ପୁତ୍ର, ହନୁମାନଙ୍କ ମାମୁଁ ପୁଅ ଭାଇ
  • ଫିଫେକ (ବିଭୀଷଣ) – ଥୋତ୍ସାକାନଙ୍କଠାରୁ ବିଚ୍ଛିନ୍ନ ହୋଇଥିବା ଭାଇ । ସେ ଜଣେ ମହାନ ଜ୍ୟୋତିଷବିତ୍ ଓ ଥୋତ୍ସାକାନଙ୍କୁ ହରାଇବା ପାଇଁ ଫ୍ରା ରାମଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଯୋଗାଇଥିଲେ ।
  • ଚୋମ୍ଫୁଫାନ୍ (ଜାମ୍ବବାନ) – ବାନର ରାଜକୁମାର ଏବଂ ଫାଲିଙ୍କ ପୋଷ୍ୟପୁତ୍ର । ଚିକିତ୍ସା ବିଜ୍ଞାନରେ ଅତି ଧୂରନ୍ଧର ।

ଫ୍ରା ରାମଙ୍କ ଶତ୍ରୁ ସମ୍ପାଦନା

  • ଥୋତ୍ସାକାନ – ଲଙ୍କାର ରାକ୍ଷସ ରାଜା ଓ ଫ୍ରା ରାମଙ୍କ ପରମ ଶତ୍ରୁ । ଦଶଟି ମୁଖ ଓ କୋଡ଼ିଏଟି ହାତ ବିଶିଷ୍ଟ ଥୋତ୍ସାକାନ ପାଖରେ ଅନେକ ଅସ୍ତ୍ରଶସ୍ତ୍ର ରହିଥିଲା ।
  • ଇନ୍ଥରଚିତ୍ (ଇନ୍ଦ୍ରଜିତ) – ଥୋତ୍ସାକାନଙ୍କ ଜଣେ ପୁତ୍ର । ଫ୍ରା ରାମଙ୍କ ବଳଶାଳୀ ଶତ୍ରୁମାନଙ୍କ ମଧ୍ୟରେ ଦ୍ୱିତୀୟ । ଇନ୍ଥରଚିତ୍ ଅନ୍ୟ ଶସ୍ତ୍ର ଅପେକ୍ଷା ଧନୁତୀର ଅଧିକ ବ୍ୟବହାର କରନ୍ତି । ସେ ଯୁଦ୍ଧରେ ନାଗବତ୍ ତୀର ଚଳାଇବାରୁ ଫ୍ରା ରାମଙ୍କ ସେନା ଉପରେ ନାଗ ସାପ ବର୍ଷା ହୋଇଥିଲା । ଫ୍ରା ଇସ୍ୱାନ ତାଙ୍କୁ ବର ପ୍ରଦାନ କରିଥିଲେ ଯେ ସେ ଭୂମି ଉପରେ ନୁହେଁ ବରଂ କେବଳ ଆକାଶରେ ହିଁ ମରିବେ । ତାଙ୍କ କଟା ମୁଣ୍ଡ ଯେଉଁଠାର ଭୂମିରେ ପଡ଼ିବ, ସେଠାରେ ଘୋର ବିନାଶ ହେବ ।
  • କୁମ୍ଫକାନ (କୁମ୍ଭକର୍ଣ୍ଣ) – ଥୋତ୍ସାକାନଙ୍କ ଭାଇ ଓ ଅସୁର ସେନାର ସେନାପତି
  • ମାୟାରାପ (ମହିରାବଣ) – ଭୂତଳ ଦେଶର ରାଜା ଓ ଏକ ଗଧ ରୂପରେ ଦର୍ଶିତ
  • ଖୋନ, ଥୁତ ଓ ତ୍ରିଶିଆନ (ଖର, ଦୂଷଣ ଓ ତ୍ରିଶିରା) – ଥୋତ୍ସାକାନଙ୍କ ସାନ ଭାଇ ଓ ଏମାନଙ୍କୁ ଫ୍ରା ରାମ ବଧ କରିଥିଲେ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Richman, Paula (29 August 1991). Many Ramayanas: The Diversity of a Narrative Tradition in South Asia edited by Paula Richman. ISBN 9780520075894.
  2. Lipi Ghosh, 2017, India-Thailand Cultural Interactions: Glimpses from the Past to Present, Springer Publishing, pp. 157
  3. Julia Leslie, Authority and Meaning in Indian Religions: Hinduism and the Case of Valmiki, Ashgate (2003), p. 154. ISBN 0-7546-3431-0
  4. Vālmīki, Robert P. Goldman (1990). The Rāmāyaṇa of Vālmīki: An Epic of Ancient India. Vol. 1. Princeton University Press. pp. 14–15. ISBN 0-691-01485-X.
  5. Sanskrit’s first Jnanpith winner is a 'poet by instinct'

ଆହୁରି ପଢ଼ିପାରିବେ ସମ୍ପାଦନା

  • Thai Ramayana (abridged) as written by King Rama I, ISBN 974-7390-18-3
  • The story of Ramakian – From the Mural Paintings along the Galleries of the Temple of the Emerald Buddha, ISBN 974-7588-35-8

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା