ରାଜରାଜେଶ୍ୱର ବେଶ

କାର୍ତ୍ତିକମାସ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ ।[] ଏହା ସୁନାବେଶର ଅନୁରୂପ । ଅତୀତରେ ଓଡ଼ିଶାର ବହୁ ରାଜା , ଜମିଦାର ଓ ସାମନ୍ତ ବର୍ଗ ଶ୍ରୀମନ୍ଦିରକୁ ଆଗମନ ପୂର୍ବକ ଦାରୁବ୍ରହ୍ମ ରୂପୀ ଶ୍ରୀବିଗ୍ରହମାନଙ୍କର ଏହି ରାଜ ବେଶ ଦର୍ଶନରେ ପରମ ସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ଠାକୁରମାନଙ୍କର ଉଦ୍ଦେଶ୍ୟରେ ନାନାଦି ରତ୍ନ ଅଳଙ୍କାର ଦାନ କରୁଥିଲେ । ମୟୁରଭଞ୍ଜର ରାଜା ଓ ପାରଳାଖେମୁଣ୍ଡି ରାଜ୍ୟର ଗଜପତିମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରି ମହାପ୍ରଭୁଙ୍କୁ ସୁନିଆ ଭେଟିଦେଇ ମହୋତ୍ସବ କରାଉଥିବା ଜଣାଯାଏ । ଉତ୍କଳର ରାଜା ସାମନ୍ତରାଜାଙ୍କ ପକ୍ଷେ ଏହି ବେଶ ଅତ୍ୟନ୍ତ ପବିତ୍ର ଓ ଦର୍ଶନୀୟ ଥିଲା । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ରାଜବେଶରେ ସଜାଇଥାନ୍ତି । ଏହି ବେଶରେ ଠାକୁରମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥାନ୍ତି । ଏହି ବେଶରେ ଗୋପାଳ ବଲ୍ଲଭ, ସକାଳଧୁପ ଓ ଭୋଗମଣ୍ଡପ ଆଦି ନୀତି ଶେଷହେବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣମେଲା କରାଯାଇଥାଏ । ‌ []

ଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ଏକ ଲୋକାୟତ ପରଂପରା ରୂପେ ଏହି ଦୋଳଯାତ୍ରାକୁ ବୈଷ୍ଣବୀୟ ଢ଼ଙ୍ଗରେ ପାଳନ କରନ୍ତି । ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ । ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦ, ଲକ୍ଷ୍ମୀସରସ୍ୱତୀ ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାଜୁ ଯାଆନ୍ତି । ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତି ପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ । ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି । ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ୍ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି । ପୂଜାଅର୍ଚ୍ଚନା ଓ ଭୋଗରାଗ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡି ଆସନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ । ଏହାକୁ ରାଜରାଜେଶ୍ୱର ବେଶ କୁହାଯାଏ ।

  1. Tripathy, Mahimohana. "ରଥ ଉପରେ ରାଜାବଶ". Utkala Prsanga (July 2016): 45–46. Retrieved 3 August 2016.
  2. ସମାଜ, ୧୧ନଭେମ୍ବର୨୦୧୧, ପୃଷ୍ଠା-୩

ବାହାର ଲିଙ୍କ

ସମ୍ପାଦନା