Icono aviso borrar.png

ବନସ୍ତେ ଡାକିଲା ଗଜ

ବରଷକେ ଆଜି ଲୋ, ଆସିଛି ରଜ,

ଆସିଛି ରଜଲୋ, ଘେନି ନୂଆ ସଜବାଜ |୧|

ରାଶିରୁ ଛାଡିଲା ଚୋପା

ଗୋଡରେ ନାଇଛୁ ସରୁ ଅଳତା,

ସରୁ ଅଳତା ଲୋ, ମଥାରେ ସିନ୍ଦୁର ଟୋପା |୨|

ଉଡିଲା ଶୁଆ ନାହାକା

ଦୋଳିଟା କାହିଁକି ଲାଗୁଛି ଏକା,

ଲାଗୁଛି ଏକା ଲୋ, ଝୁଲାଅ ପାହି ଦିନ ଏକା ଏକା |୩|

ପାଚିଲା ଭଇଁଚି କୋଳି

ବେକରେ ନାଇଛୁ ଗଜରା ମାଳି,

ଗଜରା ମାଳି ଲୋ, ଝୁଲାଅ ରଜରେ ଦୋଳି |୪|

ପଣସ ପାଚିଲା ବନେ

ବନ ପୋଡିଗଲେ ଗୋ ଦୁନିଆ ଜାଣେ,

ଦୁନିଆ ଜାଣେ ଲୋ, ମନ କଥା କିଏ ଜାଣେ ।୫|

ଶଙ୍ଖ ମଲମଲ ଗିନା

ଦରଦ ବୁଝଲୋ ଦରଦୀ ସିନା,

ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା |୬|

ନିମ୍ବର ବୁକେ ଚନ୍ଦନ

ଦେବତା ଗଢିଲା ନାରୀ ଜୀବନ,

ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ |୭|

ଡେମଣା ଛାଡିଲା କାତି,

ପୁରୁଷ ସିନା ଲୋ ଭଅଁର ଜାତି,

ଭଅଁର ଜାତି ଲୋ, ନୂଆରେ ରସନ୍ତି ନିତି |୮|

ଚାନ୍ଦରେ କଳଙ୍କ ଚିହ୍ନ,

ନବ ଯଉବନୀ ଲୋ, କିଆଁ ଗୁମାନ

କିଆଁ ଗୁମନ ଲୋ, ଅଇଲେଣି ଜୀବଧନ |୯|

ପୋଖରୀ ତୁଠ ପଥର

ତତେ ଦେଖିଥିଲିରେ ବାଲିବନ୍ଧର

ବାଲିବନ୍ଧର ରେ, ଆଖି ଥିଲା ଏଣେ ତୋର |୧୦|

ସାହାଡା ଗଛର ଛାଲି

ସେଦିନ କଥାକି ତୋ ମନେ ନାହିଁ

ତୋମନେ ନାହିଁଲୋ, ଏଡେ ମାନ କାହିଁପାଇଁ |୧୧|

ଖୋସାରେ ଖୋସିଲି ଫୁଲ

କେତେ ତୁ ଦେଖାଉ ନୁଖୁରା ଗେଲ

ନୁଖୁରା ଗେଲ ରେ, ଭାଙ୍ଗିନାହିଁ ଦୁଧଗାଲ |୧୨|

ନଈରେ ଶୁଖିଲା ବାଲି

କେତେ ଫୁଲି ହେଉଲୋ ପୁଚୁକି ଗାଲି

ପୁଚୁକି ଗାଲି ଲୋ, ଦେଖାଉତୁ କେତେ ବେଲି |୧୩|

ବାଜିଲା ତେଲଙ୍ଗୀ ବାଜା

ରସିକ ଯେ ଜାଣେ ସ୍ନେହର ମଜା,

ସ୍ନେହର ମଜାରେ, ସେ ସିନା ମୋ ମନରଜା |୧୪|

ଦୂର ପରବତ ଶୋଭା

କାଞ୍ଚନ ଫୁଲରେ ମଣ୍ଡିଛୁ ଗଭା,

ମଣ୍ଡିଛୁ ଗଭା ଲୋ, ସେତ ଯୁବା ମନ ଲୋଭା |୧୫|

ପାଣିରେ କାଟିଲି ଗାର

ତୋ ପରି ଦେଖିଛି କେତେ ନାଗର

କେତେ ନାଗରରେ, ଗୋଡଧୂଳି ସରିନୁହେ ମୋର |୧୬|

ବାସିଲା ମହୁଲ ବଣ

ନାକଟେକି କେତେ କହୁ ତୁ ଟାଣ ଲୋ,

କହୁ ତୁ ଟାଣ ଲୋ, ଭାଙ୍ଗିଯିବ ସତୀପଣ |୧୭|

ବୟସ ବାର ତେଏର

କାହୁଁ ଶିଖିଲୁ ତୁ ଏଡେ ନାଗର

ଏଡେ ନାଗରରେ, ଅଛିତ ବୟସ ତୋର |୧୮|

ପାରା ଖାଇଗଲା ଧାନ

ତୁମେ କି ବୁଝିବ ଆମରି ମନ,

ଆମରି ମନ ଲୋ, ସହୁ କେତେ ହୀନମାନ |୧୯|

ଘାସରେ ମାଇ କାକର

କଥାରେ ପାଣିରେ ପକାଉ ସର

ପକାଉ ସର କଥାରେ, ରହିଛି ଫେର |୨୦|

ସମ୍ବଲପୁରିଆ କୁଲା

ଥିରି ଥିରି କରି ଦୋଳିକି ଝୁଲା

ଦୋଳିକି ଝୁଲା ଲୋ, ବାସ ତୋର ଉଡିଗଲା |୨୧|

ଉସୁନା ଚାଉଳ ଚୁନା

କେତେ ଟାହୁଲୁଛୁରେ କାଳିଆ ସୁନା

କାଳିଆସୁନାରେ ମୋ ଆଡକୁ ଥରେ ଅନା |୨୨|

ବଣରେ ଫୁଟିଲା ମଲ୍ଲୀ

ରସରେ ଭରିଛୁ ନବ ଛଇଳି

ନବ ଛଇଳି ଲୋ, ରଖିବୁନି ମୋର ଆଳି |୨୩|

କ ଇଠ ଗଛର ଅଠା

ତୁନି ତୁନି କହରେ ନକର ହଟା

ନକର ହଟାରେ, ସବୁରାତ ଫଳ ମିଠା |୨୪|

ପହଲି ରଜର ଦୋଳି

ତୋର ତୁଲେ ସହି ଲୋ ସରୁ କଙ୍କାଳି

ସରୁ କଙ୍କାଳି ଲୋ, ଖେଳିବି ମୁଁ ଆଜି ଦୋଳି |୨୫|

ଫୁଟିଲା ବନେ ମାଳତୀ

ଦଗାଦାର ସିନା ଗୋ ପୁରୁଷ ଜାତି,

ପୁରୁଷ ଜାତି ଗୋ, ନିତି ନୂଆ ଖୋଜୁଥାନ୍ତି |୨୬|

ବୁଲିଛି ବନେ ହରିଣୀ

ହସି ଗୀତ ଗାଉଲୋ ନବ ରଙ୍ଗିଣୀ

ନବ ରଙ୍ଗିଣୀ ଲୋ, ପଥର ହୁଅଇ ପାଣି |୨୭|

କରଞ୍ଜ ପତର ନାଲି

ମନଭୁଲା ରୀତିଟି ଜାଣିଛ ଖାଲି

ଜାଣିଛ ଖାଲି ଗୋ, ମୋ ଚିତ୍ତ କିଣିବ ବୋଲି |୨୮|

ସମ୍ବଲପୁରିଆ ଶାଢ଼ୀ

ନାଲି ନାଲି ତୋର ଲୋ ହାତ ପାପୁଲି

ହାତ ପାପୁଲି ଲୋ, ଦେଖି ମୁଁ ଜୀବନ ଦେଲି |୨୯|

କାଠଯୋଡି ନୂଆ ପୋଲ

ଭଲ ଲାଗୁନାହିଁ ତୁମରି ଗେଲ

ତୁମରି ଗେଲ ଗୋ, କରନା ଆଉ କଟାଳ |୩୦|

କଳା ପାଣିରେ ଜାହାଜ

କାଲିକି ନଥିବ ଆଜି ମଉଜ

ଆଜି ମଉଜ ଲୋ, ଆଜି ଯା ପହିଲୁ ରଜ |୩୧|

ହାତୀ ଭାଙ୍ଗେ ବରଡାଳ

ଦିନଟାରେ କର ମୋସଙ୍ଗେ ଗୋଳ

ମୋ ସଙ୍ଗେ ଗୋଳ, ହସିବେ ସଙ୍ଗିନୀ ଦଳ |୩୨|

ବଣରେ ଫୁଟିଲା ମଲ୍ଲୀ

କାହାଠାରୁ ଶିଖିଛ ଏ ନୂଆ ଚାଲି,

ଏ ନୂଆ ଚାଲି ଲୋ, ଖେଳୁଛି ବାଙ୍କି ଶିଆଳି |୩୩|

ନଈରେ ଚାଲେ ବାଳିଆ

ମୁଁ ତ ସୁନାଗୋରୀ ତୁମେ କାଳିଆ

ତୁମେ କାଳିଆ ଗୋ, ନାରୀରୂପ ରଙ୍କଳିଆ |୩୪|

କିଆ ଫୁଟି ଛୁଟେ ବାସ

ତୋ ନାଲି ଓଠରେ ମୁରୁକି ହସ

ମୁରୁକି ହସ ଲୋ, ହସି ମତେ କଲୁ ବଶ |୩୫|

ତୋଟାରେ ଡାକେ କୋଇଲି

ଭାବିଛକି ମୋତେ ଗୋ କିଣା ପୋଇଲି

କିଣା ପୋଇଲି ରେ, ଶୁଣିବ ଏଣିକି ଗାଳି |୩୬|

ନଈରେ ଜୁଆର ପାଣି

ଆସ ଆସ ମୋର ଗୋ ରାଇଜ ରାଣୀ

ରାଇଜ ରାଣୀ ଲୋ, ଖିଳିବା ରଜ ଝୁଲଣୀ |୩୭|

ଯାଉଛି ଉଡା ଜାହାଜ

ମୋତେ ଛାଡି ତୁମେ ଗୋ କର ମଉଜ

କର ମଉଜ ଲୋ, ମୋତେ ମାଡୁଅଛି ଲାଜ |୩୮|


ଶ୍ରୀ ମାଗୁଣୀ ମହପାତ୍ର