ମୁଚୁକୁନ୍ଦ (ମହାଭାରତ)

ରାଜା ମାନ୍ଧାତାଙ୍କ ପୁତ୍ର ତଥା ମହାନ ରାଜା ଅମ୍ବରୀଷଙ୍କ ଭାଇ ହେଉଛନ୍ତି ମୁଚୁକୁନ୍ଦ ଯିଏ ଈକ୍ଷ୍ୱାକୁ ବଂଶରେ ଜନ୍ମଗ୍ରହଣ କରିଥିଲେ ।[୧] ଈକ୍ଷ୍ୱାକୁ ବଂଶ, ସୂର୍ଯ୍ୟବଂଶ ନାମରେ ମଧ୍ୟ ଜଣାଶୁଣା । ଏହି ରାଜବଂଶର ଅନ୍ୟ ମହାନ ରାଜାମାନେ ହେଉଛନ୍ତି ହରିଶ୍ଚନ୍ଦ୍ର, ଦିଲୀପ, ରଘୁ ଏବଂ ରାମଚନ୍ଦ୍ର ।[୨]

ଅସୁରମାନଙ୍କ ସହ ଯୁଦ୍ଧ ସମ୍ପାଦନା

ଥରେ ଏକ ଯୁଦ୍ଧରେ ଦେବତାମାନେ ଅସୁରମାନଙ୍କଦ୍ୱାରା ପରାସ୍ତ ହୋଇଥିଲେ । ଅସୁର ମାନଙ୍କଦ୍ୱାରା ଯନ୍ତ୍ରଣା ପାଇ ସେମାନେ ରାଜା ମୁଚୁକୁନ୍ଦଙ୍କ ସାହାଯ୍ୟ ଲୋଡ଼ିଥିଲେ । ରାଜା ମୁଚୁକୁନ୍ଦ ସେମାନଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଏବଂ ଦୀର୍ଘ ଦିନ ଧରି ଅସୁର ବିରୁଦ୍ଧରେ ଲଢିଥିଲେ ।[୩] ଦେବତାମାନଙ୍କ ପାଖରେ ଜଣେ ଦକ୍ଷ ସେନାପତି ନ ଥିବାରୁ ଦେବତାମାନେ ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ପରି ଜଣେ ଦକ୍ଷ ସେନାପତି ପାଇବା ପର୍ଯ୍ୟନ୍ତ ରାଜା ମୁଚୁକୁନ୍ଦ ସେମାନଙ୍କୁ ଅସୁରଙ୍କ ଆକ୍ରମଣରୁ ରକ୍ଷା କରିଥିଲେ । ତା’ପରେ ଦେବତାମାନଙ୍କର ରାଜା ଇନ୍ଦ୍ର, ରାଜା ମୁଚୁକୁନ୍ଦଙ୍କୁ କହିଲେ, "ହେ ମହାରାଜ, ଆପଣ ନିଜ ପରିବାରର ସ୍ୱାର୍ଥକୁ ବଳି ଦେଇ ଆମକୁ ଦେଇଥିବା ସାହାଯ୍ୟ ଏବଂ ସୁରକ୍ଷା ପାଇଁ ଆମେ ଆପଣଙ୍କ ନିକଟରେ ଋଣୀ ଅଟୁ । ଏଠାରେ ସ୍ୱର୍ଗରେ ଗୋଟିଏ ଦିନ ପୃଥିବୀର ଗୋଟିଏ ବର୍ଷ ସହିତ ସମାନ । ଏପରି ସ୍ଥଳେ ଆପଣ ସ୍ୱର୍ଗର ଏକ ବର୍ଷ ପାଇଁ ଅସୁରମାନଙ୍କ ସହିତ ଯୁଦ୍ଧ କରିଥିଲେ । ଏହି ଦୀର୍ଘ ଦିନ ଭିତରେ ତୁମର ରାଜ୍ୟ ଏବଂ ପରିବାରର କୌଣସି ଖୋଜ ଖବର ନାହିଁ, କାରଣ ଏସବୁ ସମୟ ସହିତ ନଷ୍ଟ ହୋଇଯାଇଛି । ଆମେ ଆପଣଙ୍କ ଉପରେ ସନ୍ତୁଷ୍ଟ, ତେଣୁ ପ୍ରତିଦାନରେ ଆମେ ଆପଣଙ୍କୁ ମୋକ୍ଷ (ମୁକ୍ତି) ବ୍ୟତୀତ ଯେ କୌଣସି ବର ଦେବା ପାଇଁ ପ୍ରସ୍ତୁତ । କାରଣ ମୋକ୍ଷ (ମୁକ୍ତି) ବରଦାନ ଆମର ସାମର୍ଥ୍ୟ ବାହାରେ ।”

ଇନ୍ଦ୍ରଙ୍କ ଅନୁରୋଧରେ ମୁଚୁକୁନ୍ଦ ଇନ୍ଦ୍ରଙ୍କୁ ଏହି ବର ମାଗିବାକୁ ଚାହିଁଲେ ଯେ ସେ ଦୀର୍ଘ ସମୟ ଶୋଇବାକୁ ଚାହାଁନ୍ତି । ଦେବତାଙ୍କ ପକ୍ଷରେ ରହି ଯୁଦ୍ଧ କରୁଥିବାବେଳେ ରାଜା ମୁଚୁକୁନ୍ଦ କିଛି କ୍ଷଣ ପାଇଁ ମଧ୍ୟ ଶୋଇବାର ସୁଯୋଗ ପାଇଲେ ନାହିଁ । ବର୍ତ୍ତମାନ, ଯେହେତୁ ତାଙ୍କର ଦାୟିତ୍ୱ ସମାପ୍ତ ହେଲା, ସେ ବହୁତ ନିଦ୍ରା ଅନୁଭବ କରୁଥିଲେ । ତେଣୁ ସେ କହିଥିଲେ, "ହେ ଦେବତାମାନଙ୍କର ରାଜା, ମୁଁ ଶୋଇବାକୁ ଚାହେଁ । ଯିଏ ମୋ ନିଦକୁ ବ୍ୟାଘାତ କରିବାକୁ ସାହସ କରେ ସେ ତୁରନ୍ତ ପୋଡ଼ି ପାଉଁଶ ହୋଇଯିବା ଉଚିତ୍ ।"

ଇନ୍ଦ୍ର କହିଛନ୍ତି, "ତଥାସ୍ତୁ" ବା "ସେହିପରି ହିଁ ହେଉ" । ପୃଥିବୀକୁ ଯାଅ ଏବଂ ତୁମର ନିଦକୁ ଉପଭୋଗ କର, ଯିଏ ତୁମକୁ ଜାଗ୍ରତ କରେ, ସେ ପାଉଁଶ ହୋଇଯିବ ।

ଏହା ପରେ, ରାଜା ମୁଚୁକୁନ୍ଦ ପୃଥିବୀକୁ ଓହ୍ଲାଇ ଏକ ପାହାଡ ଉପରେ ଏକ ଗୁମ୍ଫା ବାଛିଲେ, ଯେଉଁଠାରେ ସେ ନିରବଚ୍ଛିନ୍ନ ଭାବରେ ଶୋଇପାରନ୍ତି । ମୁଚୁକୁନ୍ଦ ବିଶ୍ରାମ ନେଇଥିବା ଏହି ପାହାଡ ଏବଂ ଗୁମ୍ଫା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାସ୍ଥିତ ପାଲନାଡୁ ଅଞ୍ଚଳର ଗୁଟ୍ଟିକୋଣ୍ଡା ବିଲାମ ପହାଡ଼ ଉପରେ ଅବସ୍ଥିତ ।

କାଳଯବନ ବଦ୍ଧ ସମ୍ପାଦନା

କାଳଯବନ, ଯିଏ ଏକ ଯବନ ମହାଯୋଦ୍ଧା ଥିଲେ, ମୁଚୁକୁନ୍ଦଙ୍କ କୋପଦୃଷ୍ଟି ଯୋଗୁଁ ହିଁ ତାଙ୍କର ବିନାଶ ହୋଇଥିଲା । କାଳଯବନ ବରପ୍ରାପ୍ତି ହୋଇଥିବା ଯୋଗୁଁ ତାକୁ ପରାସ୍ତ କରିବା ଅସମ୍ଭବ ଥିଲା । ସେ ଜାଣିବାକୁ ପାଇଲେ ଯେ କେବଳ କୃଷ୍ଣ ହିଁ ତାଙ୍କୁ ପରାସ୍ତ କରିପାରିବ । ଏହି କାରଣରୁ କାଳଯବନ ଦ୍ୱାରକା ଉପରେ ଆକ୍ରମଣ କରିଥିଲେ । କାଳଯବନ ପାଇଥିବା ବର ଯୋଗୁଁ ତାଙ୍କୁ ପରାସ୍ତ କରିବା କଷ୍ଟକର ଥିଲା । ଶ୍ରୀକୃଷ୍ଣ ଏକ ଯୁକ୍ତି ଦେଇ ଯୁଦ୍ଧ ଛାଡିଦେଇ ପଳାୟନ କଲେ ଏବଂ ସେ ମୁଚୁକୁନ୍ଦ ଶୋଇଥିବା ଗୁମ୍ଫାରେ ପ୍ରବେଶ କରି ଶୟନରତ ମୁଚୁକୁନ୍ଦଙ୍କ ଉପରେ ନିଜ ପୋଷାକ ଘୋଡାଇଦେଲେ । ଏହି କାରଣରୁ, କାଳଯବନ ଭାବିଲେ ଯେ ଶ୍ରୀକୃଷ୍ଣ ସେଠାରେ ଶୋଇଛନ୍ତି । ଅନ୍ଧାରରେ ନ ଦେଖିପାରି ସେ ମୁଚୁକୁନ୍ଦଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟିକଲେ ଏବଂ ଫଳସ୍ୱରୂପ ଶାପଗ୍ରସ୍ତ ହୋଇ ପୋଡ଼ି ପାଉଁଶ ହୋଇଗଲେ । ଏହାପରେ ମୁଚୁକୁନ୍ଦ ପ୍ରଥମେ ଗନ୍ଧମାର୍ଦ୍ଦନ ପର୍ବତ ଏବଂ ପରେ ବଦରିକା ଆଶ୍ରମକୁ ଚାଲିଗଲେ ଏବଂ ସେଠାରେ ତପସ୍ୟାରତ ହେଲେ ।[୪]

ଆଧାର ସମ୍ପାଦନା

  1. "Rishi Muchukunda". www.speakingtree.in. Retrieved 5 February 2021.
  2. Sanagala, Naveen (10 January 2020). "Muchukunda Rishi". HinduPad (in ଇଂରାଜୀ). Retrieved 5 February 2021.
  3. "Muchukunda". www.mythfolklore.net. Retrieved 5 February 2021.
  4. "Srimad Bhagavatam Canto 10 Chapter 51". web.archive.org. 12 October 2013. Archived from the original on 12 October 2013. Retrieved 5 February 2021.