ମାହିଷ୍ମତୀ

ପ୍ରାଚୀନ ଭାରତର ସହର

ମାହିଷ୍ମତୀ ହେଉଛି ପ୍ରାଚୀନ ମଧ୍ୟ-ଭାରତର ଏକ ନଗର । ଆଧୁନିକ ମଧ୍ୟ ପ୍ରଦେଶ ରାଜ୍ୟରେ ନର୍ମଦା ନଦୀ କୂଳରେ ଏହି ନଗର ଗଢ଼ି ଉଠିଥିଲା ବୋଲି ବିଶ୍ୱାସ କରାଯାଏ କିନ୍ତୁ ମାହିଷ୍ମତୀର ପ୍ରକୃତ ଅବସ୍ଥିତି ସମ୍ପର୍କରେ ଅଦ୍ୟାବଧି କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ ।

ବିଭିନ୍ନ ପ୍ରାଚୀନ ଲେଖା, କାବ୍ୟ ଇତ୍ୟାଦିରେ ମାହିଷ୍ମତୀ ଜଣେ ହୈହୟ ବଂଶର ଜଣେ କିମ୍ବଦନ୍ତୀ ରାଜା ସହସ୍ରବାହୁ ଅର୍ଜୁନଙ୍କଦ୍ୱାରା ଶାସିତ ହେବାର ଉଲ୍ଲେଖ ରହିଛି । ପ୍ରାଚୀନ ଅବନ୍ତୀ ରାଜ୍ୟର ଦକ୍ଷିଣ ପଟକୁ ରହିଥିବା ମହତ୍ତ୍ୱପୂର୍ଣ୍ଣ ନଗରମାନଙ୍କ ମଧ୍ୟରେ ମାହିଷ୍ମତୀ ଅନ୍ୟତମ ଥିଲା । ପରବର୍ତ୍ତୀ ସମୟରେ ମାହିଷ୍ମତୀ ପ୍ରାଚୀନ ଅନୂପ ରାଜ୍ୟର ରାଜଧାନୀ ରୂପେ ଉଭା ହୋଇଥିଲା । ପରମାର ରାଜବଂଶର ଏକ ଶିଳାଲେଖରୁ ଅନୁମାନ କରାଯାଏ ଯେ ୧୩ଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ମାହିଷ୍ମତୀ ଏକ ସମୃଦ୍ଧଶାଳୀ ନଗର ଥିଲା ।

ପରିଚିତି ଓ ଅବସ୍ଥିତି ସମ୍ପର୍କିତ ବିଭିନ୍ନ ସମ୍ଭାବନା ସମ୍ପାଦନା

 
ଉଜ୍ଜୟିନୀ ଓ ପ୍ରତିଷ୍ଠାନର ମାନଚିତ୍ରରେ ଦୁଇଟି ତାରକା ଚିହ୍ନିତ ସ୍ଥାନରେ ମାହିଷ୍ମତୀର ସମ୍ଭାବ୍ୟ ଅବସ୍ଥିତି ହୋଇଥାଇପାରେ ଓ ଏହା ଦୁଇ ନଗରକୁ ସଂଯୋଗ କରୁଥିବା ପଥ ଉପରେ ଅବସ୍ଥିତ ଥିଲା

ଯଦିଓ ଅନେକ ପ୍ରଚୀନ ଭାରତୀୟ କାବ୍ୟ ଓ ସାହିତ୍ୟରେ ମାହିଷ୍ମତୀର ଉଲ୍ଲେଖ ରହିଛି, ଏହାର ପ୍ରକୃତ ଅବସ୍ଥିତି ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ନିମ୍ନ ତଥ୍ୟରୁ ମାହିଷ୍ମତୀର ଅବସ୍ଥିତି ସମ୍ପର୍କରେ ଅନୁମାନ କରାଯାଇପାରେ :

  • ମାହିଷ୍ମତୀ ନର୍ମଦା ନଦୀ କୂଳରେ ଅବସ୍ଥିତ ଥିଲା ।[୧]
  • ସୁତ୍ତ ନିପାତ ଅନୁଯାୟୀ ଉଜ୍ଜୟିନୀ ଓ ପ୍ରତିଷ୍ଠାନକୁ ସଂଯୋଗ କରୁଥିବା ମାର୍ଗରେ ଉଜ୍ଜୟିନୀର ଦକ୍ଷିଣକୁ ଓ ପ୍ରତିଷ୍ଠାନର ଉତ୍ତରକୁ ମାହିଷ୍ମତୀ ଅବସ୍ଥିତ ଥିଲା । ପତଞ୍ଜଳି ନାମକ ଏକ କାବ୍ୟ ଅନୁସାରେ ଉଜ୍ଜୟିନୀରୁ ଯାତ୍ରା ଆରମ୍ଭ କରିଥିବା ଜଣେ ପଥିକ ମାହିଷ୍ମତୀ ପଟକୁ ସୂର୍ଯ୍ୟୋଦୟ ଦେଖୁଥିଲା ।[୨]
  • ମାହିଷ୍ମତୀ ପ୍ରାଚୀନ ଅବନ୍ତୀ ରାଜ୍ୟ ଓ ଅବନ୍ତୀ ନିକଟସ୍ଥ ଅନ୍ୟ ଏକ ରାଜ୍ୟର ଅଂଶ ଥିଲା । କିଛି ସମୟ ପାଇଁ ଅବନ୍ତୀର ରାଜଧାନୀ ଉଜ୍ଜୟିନୀରୁ ମାହିଷ୍ମତୀକୁ ଉଠାଇ ନିଆଯାଇଥିଲା । ଅବନ୍ତୀରୁ ବିଚ୍ଛିନ୍ନ ହୋଇ ଗଢ଼ି ଉଠିଥିବା ଅନୂପ ରାଜ୍ୟର ରାଜଧାନୀ ଭାବେ ମଧ୍ୟ ମାହିଷ୍ମତୀର ଉଲ୍ଲେଖ ମିଳେ ।[୨][୩]
  • ବିନ୍ଧ୍ୟ ପର୍ବତମାଳା ଅବନ୍ତୀ ରାଜ୍ୟକୁ ଦୁଇଟି ଖଣ୍ଡରେ ବିଭକ୍ତ କରୁଥିଲା । ଉଜ୍ଜୟିନୀ ବିନ୍ଧ୍ୟର ଉତ୍ତର ପଟରେ ଓ ମାହିଷ୍ମତୀ ବିନ୍ଧ୍ୟର ଦକ୍ଷିଣ ପଟରେ ରହିଥିଲା ।[୪]

ମଧ୍ୟ ପ୍ରଦେଶ ରାଜ୍ୟରେ ନର୍ମଦା ନଦୀ କୂଳରେ ଅବସ୍ଥିତ ଅନେକ ସହର ଓ ନଗର ପ୍ରାଚୀନ ମାହିଷ୍ମତୀ ହୋଇଥିବାର ଦାବୀ ଉପସ୍ଥାପନ କରାଯାଇଛି । ଏଗୁଡ଼ିକ ହେଲେ :

ମାନ୍ଧାତା ବା ଓଁକାରେଶ୍ୱର
ଫ୍ରେଡେରିକ୍ ଇଡେନ୍ ପାର୍ଜିଟର୍,[୫] ଓ ଜି. ସି. ମେଣ୍ଡିସ୍,[୬] ମାହିଷ୍ମତୀକୁ ମାନ୍ଧାତା ଦ୍ୱୀପ (ଓଁକାରେଶ୍ୱର) ବୋଲି ନିରୂପିତ କରିଛନ୍ତି ।
ପାର୍ଜିଟର୍‍ଙ୍କ ମତରେ ରଘୁବଂଶ କାବ୍ୟରେ ରହିଥିବା ମାହିଷ୍ମତୀର ବର୍ଣ୍ଣନା ଅନୁସାରେ ଏହା ଏକ ଦ୍ୱୀପରେ ଅବସ୍ଥିତ ଥିବା ସ୍ପଷ୍ଟ ଜଣାପଡ଼େ । ପୁଣି ହରିବଂଶ କାବ୍ୟ ଅନୁଯାୟୀ ମାନ୍ଧାତାଙ୍କ ପୁତ୍ର ରାଜା ମୁଚୁକୁନ୍ଦ ମାହିଷ୍ମତୀ ନଗରର ସ୍ଥାପନା କରିଥିଲେ ।[୨]
ପରମାର ରାଜା ଦେବପାଳଙ୍କ ୧୨୨୫ ଖ୍ରୀଷ୍ଟାବ୍ଦର ଏକ ଶିଳାଲେଖ ମାନ୍ଧାତାରୁ ଉଦ୍ଧାର କରାଯାଇଛି । ଏଥିରେ ରାଜା ମାହିଷ୍ମତୀରେ ରହୁଥିବା ସମୟରେ ବ୍ରାହ୍ମଣମାନଙ୍କୁ ଏକ ଗ୍ରାମ ଦାନ କରିଥିବାର ଉଲ୍ଲେଖ ରହିଛି ।[୭]
ମହେଶ୍ୱର
ହସମୁଖ ଧୀରଜଲାଲ ସଂକାଲିଆ,[୮] ପ୍ରମଥନାଥ ବୋଷ୍[୯] ଓ ଫ୍ରାନ୍ସିସ୍ ୱିଲଫୋର୍ଡ୍[୯] ଆଧୁନିକ ସମୟର ମହେଶ୍ୱରରେ ମାହିଷ୍ମତୀ ଅବସ୍ଥିତ ଥିଲା ବୋଲି ଧାର୍ଯ୍ୟ କରିଛନ୍ତି ।
ପର୍ଜିଟର୍ ଏହି ତଥ୍ୟକୁ ବିରୋଧ କରି କୁହନ୍ତି ଯେ ମହେଶ୍ୱରର ବ୍ରାହ୍ମଣମାନେ ନିଜ ସହରକୁ ମାହିଷ୍ମତୀ ବୋଲି ମିଥ୍ୟା ଦାବୀ କରିଆସୁଛନ୍ତି କାରଣ ଏହି ଦୁଇ ସ୍ଥାନର ନାମ ଏକ ପ୍ରକାରର ଶୁଣାଯାଏ ଓ ମାହିଷ୍ମତୀ ନାମ ସହ ଯୋଡ଼ି ହେଲେ ମହେଶ୍ୱର ଅଧିକ ଗୌରବାନ୍ୱିତ ହେବ ।[୨]
ଅନ୍ୟ କିଛି ସମ୍ଭାବନା
ଆଲେକ୍‍ଜାଣ୍ଡାର୍ କନିଂଘାମ୍,[୧୦] ଜନ୍ ଫେଥ୍‍ଫୁଲ୍ ଫ୍ଲିଟ୍[୧୧] ଓ ଗିରିଜା ଶଙ୍କର ଅଗ୍ରୱାଲ୍[୧୨] ଆଧୁନିକ ସମୟର ମଣ୍ଡଲାରେ ମାହିଷ୍ମତୀ ଅବସ୍ଥିତ ଥିଲା ବୋଲି ମତପୋଷଣ କରିଛନ୍ତି । କିନ୍ତୁ ଆଧୁନିକ ଯୁଗର ବିଶେଷଜ୍ଞମାନେ ଏହାକୁ ତ୍ରୁଟିପୂର୍ଣ୍ଣ ନିରୂପଣ ବୋଲି କୁହନ୍ତି ।[୨]
ବେଞ୍ଜାମିନ୍ ଲୁଇସ୍ ରାଇସ୍ ଆଧୁନିକ କର୍ଣ୍ଣାଟକ ରାଜ୍ୟର ମହୀଶୂରଠାରେ ମାହିଷ୍ମତୀ ଅବସ୍ଥିତ ଥିଲା ବୋଲି ମତ ରଖନ୍ତି । ମହାଭାରତ କାବ୍ୟରେ ରହିଥିବା ଏକ ବର୍ଣ୍ଣନା ଅନୁସାରେ ସହଦେବ କାବେରୀ ନଦୀ ଅତିକ୍ରମ କରି ମାହିଷ୍ମତୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ରାଇସ୍ ଏହି ତଥ୍ୟ ଆଧାରରେ ମାହିଷ୍ମତୀ ମହୀଶୂରରେ ଥିବା ଯୁକ୍ତି ଉପସ୍ଥାପନ କରନ୍ତି । କିନ୍ତୁ ମଧ୍ୟ ପ୍ରଦେଶରେ ମଧ୍ୟ କାବେରୀ ନାମକ ଏକ କ୍ଷୁଦ୍ର ନଦୀ ରହିଛି ଯାହା ନର୍ମଦା ନଦୀର ଏକ ଉପନଦୀ ଓ ମାନ୍ଧାତା ନିକଟରେ ଏହି ଦୁଇ ନଦୀଙ୍କ ମିଳନ ଘଟିଥାଏ ।[୨]

ପ୍ରାଚୀନ ସାହିତ୍ୟରେ ମାହିଷ୍ମତୀର ଉଲ୍ଲେଖ ସମ୍ପାଦନା

ସଂସ୍କୃତ ସାହିତ୍ୟ ସମ୍ପାଦନା

ସଂସ୍କୃତ ଭାଷାର ଆଦିକାବ୍ୟ ରାମାୟଣରେ ରାକ୍ଷସ ରାଜ ରାବଣ ମାହିଷ୍ମତୀ ଉପରେ ଆକ୍ରମଣ କରିଥିବାର ଏକ ଉଲ୍ଲେଖ ଦେଖିବାକୁ ମିଳେ ।[୯] ରାମାୟଣର ଅନୁଶାସନ ପର୍ବ ଅନୁସାରେ, ଈଖ୍ୱାକୁଙ୍କ ପୁତ୍ର ଦଶାଶ୍ୱ ସେତେବେଳେ ମାହିଷ୍ମତୀର ରାଜା ଥିଲେ । ପୁଣି ଆଉ ଏକ ସ୍ଥାନରେ ଉଲ୍ଲିଖିତ ଅଛି ଯେ ହୈହୟ ରାଜା କର୍ତ୍ତବୀର୍ଯ୍ୟ ଅର୍ଜୁନ (ସହସ୍ରବାହୁ ଅର୍ଜୁନ) ନିଜ ରାଜଧାନୀ ମାହିଷ୍ମତୀରୁ ଶାସନ କରୁଥିଲେ (୧୩:୫୨)।[୨] ସେ ଭାର୍ଗବ ରାମଙ୍କ ହସ୍ତରେ ନିହତ ହୋଇଥିଲେ ।[୧୩]

ମହାଭାରତ ଅନୁସାରେ ମାହିଷ୍ମତୀ ଅବନ୍ତୀ ରାଜ୍ୟର ଏକ ଅଂଶ ଥିଲା ।[୨] ମହାଭାରତର ସଭାପର୍ବରେ (୨:୩୦) ଉଲ୍ଲିଖିତ ରହିଛି ଯେ ପାଣ୍ଡବମାନଙ୍କ ପ୍ରତିନିଧି ସହଦେବ ମାହିଷ୍ମତୀ ଆକ୍ରମଣ କରି ଏହାର ରାଜା ନୀଳଙ୍କୁ ପରାସ୍ତ କରିଥିଲେ ।[୨] କୁରୁକ୍ଷେତ୍ର ଯୁଦ୍ଧରେ ଭୀଷ୍ମ ରାଜା ମାହିଷ୍ମତୀର ନୀଳଙ୍କୁ ଜଣେ ରଥୀ ଭାବେ ନିଜ ସେନାରେ ନେଇଥିଲେ ଓ ତାଙ୍କ କବଚରେ ନୀଳ ରଙ୍ଗଯୁକ୍ତ ହୋଇଥିଲା । (ମହାଭାରତ ୫:୧୯୧୬୭)

ହରିବଂଶ (୩୩.୧୮୪୭) କାବ୍ୟାନୁସାରେ ହୈହୟ ଓ ଯଦୁ କୁଳର ସହଞ୍ଜଙ୍କ ପୁତ୍ର ରାଜା ମହିଷ୍ମନ୍ତଙ୍କଦ୍ୱାରା ମାହିଷ୍ମତୀ ନଗରୀର ସ୍ଥାପନା କରାଯାଇଥିଲା । ରାମଙ୍କ ଜଣେ ପୂର୍ବଜ ରାଜା ମୁଚୁକୁନ୍ଦ ଏହି ନଗରୀର ପ୍ରତିଷ୍ଠାତା ବୋଲି ଅନ୍ୟ ଏକ ସ୍ଥାନରେ କୁହାଯାଇଛି । ସେ ମାହିଷ୍ମତୀ ଓ ଋକ୍ଷ ପର୍ବତରେ ପୁରିକା ନଗରୀର ସ୍ଥାପନା କରିଥିବାର କୁହାଯାଇଛି ।[୨]

ରଘୁବଂଶ କାବ୍ୟାନୁସାରେ ରେବା ନଦୀ (ନର୍ମଦା ନଦୀର ଅନ୍ୟ ନାମ) କୂଳରେ ମାହିଷ୍ମତୀ ନଗର ଅବସ୍ଥିତ ଥିଲା । ଏହା ଅନୂପ ରାଜ୍ୟର ରାଜଧାନୀ ଥିଲା ।[୨]

ପଦ୍ମ ପୁରାଣ (୬.୧୧୫) ଅନୁଯାୟୀ ମହିଷଙ୍କଦ୍ୱାରା ମାହିଷ୍ମତୀ ପ୍ରତିଷ୍ଠିତ ହୋଇଥିଲା ।[୧୪]

ଆଉ ଏକ ଉଲ୍ଲେଖ ଅନୁଯାୟୀ କର୍ତ୍ତବୀର୍ଯ୍ୟ ଅର୍ଜୁନ କାର୍କୋଟକ ନାଗରାଜଙ୍କୁ ପରାସ୍ତ କରି ମାହିଷ୍ମତୀ ଅଧିକାର କରିଥିଲେ ଓ ମାହିଷ୍ମତୀକୁ ଏକ ଦୁର୍ଗଘେରା ରାଜଧାନୀରେ ପରିଣତ କରାଇଥିଲେ ।[୧୫]

ପାଲି ସାହିତ୍ୟ ସମ୍ପାଦନା

ଏକ ବୌଦ୍ଧ ଗ୍ରନ୍ଥ ଦୀଘନିକାୟରେ ମାହିଷ୍ମତୀ ପ୍ରାଚୀନ ଅବନ୍ତୀ ରାଜ୍ୟର ରାଜଧାନୀ ବୋଲି ଓ ଅଙ୍ଗୁତ୍ତର ନିକାୟରେ ଉଜ୍ଜୟିନୀ ପ୍ରାଚୀନ ଅବନ୍ତୀ ରାଜ୍ୟର ରାଜଧାନୀ ବୋଲି ଉଲ୍ଲେଖ ରହିଛି ।[୧୬] ମହାଗୋବିନ୍ଦ ସୁତ୍ତାନ୍ତରେ ମଧ୍ୟ ମାହିଷ୍ମତୀ ଅବନ୍ତୀର ରାଜଧାନୀ ହୋଇଥିବା ଓ ବେଶଭୂ ନାମକ ଜଣେ ରାଜା ଏହାର ଶାସନ କରୁଥିବା କୁହାଯାଇଛି । ଏସବୁ ଦୃଷ୍ଟିରୁ ଅବନ୍ତୀର ରାଜଧାନୀ ସାୟିକ ଭାବେ ଉଜ୍ଜୟିନୀରୁ ମାହିଷ୍ମତୀକୁ ସ୍ଥାନାନ୍ତରିତ ହୋଇଥିବା ଅନୁମାନ କରାଯାଏ ।[୨]

ଦୀପବଂଶରେ ମହିଷ ବୋଲି ଏକ ରାଜ୍ୟ ବା ଅଞ୍ଚଳର ବର୍ଣ୍ଣନା ରହିଛି । ମହାବଂଶରେ ଏହି ଅଞ୍ଚଳକୁ ଏକ ରାଜ-ମଣ୍ଡଳ ରୂପେ ଦର୍ଶାଯାଇଛି ଯାହାର ନାମ ମହିଷ-ମଣ୍ଡଳ ଥିଲା । ପଞ୍ଚମ ଶତାବ୍ଦୀର ବୌଦ୍ଧ ପଣ୍ଡିତ ବୁଦ୍ଧଘୋଷ ଏହି ଅଞ୍ଚଳକୁ ରତ୍ଥମ୍-ମହିଷମ୍, ମହିଷକ-ମଣ୍ଡଳମହିଷ୍ମକ ଇତ୍ୟାଦି ଭିନ୍ନ ଭିନ୍ନ ନାମରେ ସମ୍ବୋଧିତ କରିଛନ୍ତି । ଜନ୍ ଫେଥ୍‍ଫୁଲ୍ ଫ୍ଲିଟ୍ ମତ ରଖିଥିଲେ ଯେ ଏହି ଅଞ୍ଚଳରେ ମହିଷନାମକ ଏକ ଜାତି ରହୁଥିଲେ ଓ ମାହିଷ୍ମତୀ ସେମାନଙ୍କ ରାଜଧାନୀ ଥିଲା । ମହାଭାରତ କାବ୍ୟର ଭୀଷ୍ମ ପର୍ବରେ ବିନ୍ଧ୍ୟ ପର୍ବତ ଓ ନର୍ମଦା ନଦୀର ଦକ୍ଷିଣ ଭାଗରେ ରହିଥିବା ରାଜ୍ୟକୁ ମଧ୍ୟ ମହିଷକ ବୋଲି କୁହାଯାଇଛି ।[୨]

ବଭାରିଙ୍କ ଶିଷ୍ୟମାନେ ଯେତେବେଳେ ପ୍ରତିଷ୍ଠାନରୁ ଉଜ୍ଜୟିନୀ ଆଡ଼କୁ ଯାତ୍ରା କରିଥିଲେ ସେତେବେଳେ ମାହିଷ୍ଂତୀ ନଗର ଦେଇ ଯାଇଥିଲେ ବୋଲି ସୁତ୍ତ ନିପାତରେ ଉଲ୍ଲେଖ ରହିଛି । ସାଞ୍ଚିରେ ରହିଥିବା ଶିଳାଲେଖରୁ ଜଣାପଡ଼େ ଯେ ମାହିଷ୍ମତୀରୁ ତୀର୍ଥଯାତ୍ରୀମାନେ ସାଞ୍ଚି ସ୍ତୁପ ଦର୍ଶନ କରିବାକୁ ଆସିଥିଲେ ।[୨]

ତେଲୁଗୁ ସାହିତ୍ୟ ସମ୍ପାଦନା

ମହାଭାରତରେ ରହିଥିବା ଏକ ବର୍ଣ୍ଣନା ଅନୁସାରେ[୧୭] ମାହିଷ୍ମତୀରେ ବିବାହକୁ ନେଇ କେତେକ ଅଦ୍ଭୁତ ପ୍ରଥା ରହିଥିଲା ଯାହା ସମଗ୍ର ଆର୍ଯ୍ୟାବର୍ତ୍ତରେ ଦେଖାଯାଉନଥିଲା । ତେଲୁଗୁ ମହାଭାରତର ସଭା ପର୍ବରେ ମଧ୍ୟ ଏହି ପ୍ରଥାର ଉଲ୍ଲେଖ ରହିଛି ।

ଏକ କିମ୍ବଦନ୍ତୀ ଅନୁସାରେ ନିଷାଦ ରାଜା ନୀଳ ମାହିଷ୍ମତୀର ଶାଷକ ଥିଲେ । ରାଜାନୀଳଙ୍କର ଏକ ଅତି ସୁନ୍ଦରୀ କନ୍ୟା ଥିଲେ । ତାଙ୍କ ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ଅଗ୍ନି ଦେବ ତାଙ୍କୁ ପ୍ରେମ କରିବାକୁ ଲାଗିଲେ ଓ ରାଜକୁମାରୀ ମଧ୍ୟ ଅଗ୍ନିଙ୍କ ପ୍ରେମ ସ୍ୱୀକାର କରିଥିଲେ । ରାଜା ହୋମ, ଯଜ୍ଞ କରିବା ସମୟରେ ରାଜକୁମାରୀ ସର୍ବଦା ଅଗ୍ନି ନିକଟରେ ନିଜ ପିତାଙ୍କ ସହିତ ରହୁଥିଲେ । ତେଣୁ ଅଗ୍ନି ଅଧିକ ଉଦ୍ଦୀପ୍ତ ହୋଇ ଜଳି ଉଠୁଥିଲେ । ରାଜା ନୀଳଙ୍କ ହୋମାଗ୍ନି ବହୁ ଚେଷ୍ଟା ପରେ ମଧ୍ୟ ପ୍ରଶମିତ ହେଉନଥିଲା । ଶେଷରେ ରାଜକୁମାର ଫୁଙ୍କିବା ପରେ ଅଗ୍ନି ଶାନ୍ତ ହେଉଥିଲେ । ଅଗ୍ନି ଜଣେ ବ୍ରାହ୍ମଣଙ୍କ ରୂପରେ ଆସି ରାଜକୁମାରୀଙ୍କୁ ଦେଖା କରିବାକୁ ଲାଗିଲେ । କିନ୍ତୁ କିଛି ଦିନ ପରେ ରାଜା ନୀଳ ବ୍ରାହ୍ମଣ ଓ ରାଜକୁମାରୀଙ୍କ ଏହି ଚୋରା ପ୍ରେମକାହାଣୀ ବିଷୟରେ ଜାଣିପାରିଲେ ଓ ଅତି କ୍ଷୁବ୍ଧ ହୋଇଥିଲେ । ବ୍ରାହ୍ମଣଙ୍କୁ ନିୟମାନୁଯାୟୀ ଦଣ୍ଡିତ କରିବା ପାଇଁ ରାଜା ଆଦେଶ ଦେଲେ । ଏହା ଶୁଣି ଅଗ୍ନି ଦେବ କ୍ରୋଧରେ ପ୍ରବଳ ଶିଖାରେ ପ୍ରଜ୍ଜ୍ୱଳିତ ହୋଇ ନିଜର ପ୍ରକୃତ ରୂପ ଦେଖାଇଲେ । ରାଜା ଭୟରେ ଅଗ୍ନିଙ୍କ ସମ୍ମୁଖରେ ନତମସ୍ତକ ହୋଇଗଲେ । ରାଜା ଅଗ୍ନିଙ୍କ ଉଦ୍ଦେଶ୍ୟରେ ସ୍ତୁତି ଗାନ କଲେ, ତଥା ଧର୍ମ ଓ ଜ୍ଞାନର ଉତ୍ସ ବେଦର ସୃଷ୍ଟିର କାରଣ ଜଣେ ଦେବଙ୍କୁ ସେ କଦାପି ଦଣ୍ଡିତ କରିପାରିବେ ନାହିଁ ବୋଲି କ୍ଷମା ପ୍ରାର୍ଥନା କଲେ । ଶାନ୍ତ ହେବା ପରେ ଅଗ୍ନି ନିଷାଦଙ୍କୁ ଏକ ବର ଦେବା ପାଇଁ ସ୍ଥିର କଲେ ଓ ରାଜା ସମସ୍ତ ପ୍ରକାରର ଅନୁପ୍ରବେଶରୁ ତାଙ୍କ ରାଜ୍ୟର ସୁରକ୍ଷାର ବର ମାଗିଥିଲେ । ଅନାବିଳ ପ୍ରେମ ଥିଲେ ସମ୍ଭୋଗ କରିପାରିବାର କାର୍ଯ୍ୟକୁ ନିୟମାନୁସାରେ ଗ୍ରହଣ କଲେ ସେ ତାଙ୍କ ରାଜ୍ୟକୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବେ ବୋଲି ଅଗ୍ନି ରାଜି ହୋଇଗଲେ ।[ଆଧାର ଲୋଡ଼ା]

ବହୁ ବର୍ଷ ପରେ କୁରୁକ୍ଷେତ୍ର ଯୁଦ୍ଧ ଜିତି ରାଜା ଯୁଧିଷ୍ଠିର ଚକ୍ରବର୍ତ୍ତୀ ହେବା ଲକ୍ଷ୍ୟରେ ଅଶ୍ୱମେଧ ଯଜ୍ଞର ଆୟୋଜନ କଲେ । ସର୍ବକନିଷ୍ଠ ପାଣ୍ଡବ ଭ୍ରାତା ସହଦେବ ନିଷାଦ ରାଜ୍ୟ ଅଗ୍ନିଙ୍କଦ୍ୱାରା ସୁରକ୍ଷିତ ବୋଲି ଜାଣି ଅଗ୍ନିଙ୍କ ସ୍ତୁତି ବନ୍ଦନା କରିଥିଲେ ଓ ସୌରାଷ୍ଟ୍ର ରାଜ୍ୟ ଆଡ଼କୁ ଅଗ୍ରସର ହୋଇଥିଲେ ।[୧୮]

ପୁରାଲେଖ ତଥ୍ୟ ସମ୍ପାଦନା

୬ଷ୍ଠ ଓ ୭ମ ଶତାବ୍ଦୀରେ ମାହିଷ୍ମତୀ କାଳଚୁରୀ ରାଜ୍ୟର ରାଜଧାନୀ ରହିଆସିଥିଲା ।[୧୯]

ବର୍ତ୍ତମାନର ଦକ୍ଷିଣ-ଭାରତରେ ୧୧ଶ ଓ ୧୨ଶ ଶତାବ୍ଦୀ ବେଳକୁ ଶାସନ କରୁଥିବା ରାଜାମାନେ ହୈହୟ ବଂଶର ଉତ୍ତରାଧିକାରୀ ବୋଲି କୁହାଯାଏ । ସେମାନଙ୍କ ଉତ୍ସ ଯେ ଶ୍ରେଷ୍ଠ ନଗର ମାହିଷ୍ମତୀ ଓ ସେମାନେ ତାହାର ଅଧିପତି ବୋଲି ଉଲ୍ଲେଖ ଦେଖିବାକୁ ମିଳେ ।[୨]

୧୩ଶ ଶତାବ୍ଦୀ ବେଳକୁ ମଧ୍ୟ ମାହିଷ୍ମତୀ ଏକ ସମୃଦ୍ଧ ନଗର ଥିଲା । ପରମାର ରାଜା ଦେବପାଳଙ୍କ ୧୨୨୫ ଖ୍ରୀଷ୍ଟାବ୍ଦର ଏକ ଶିଳାଲେଖରେ ଉଲ୍ଲିଖିତ ଯେ ସେ ମାହିଷ୍ମତୀରେ ରହୁଥିଲେ ।[୨]

ଆଧୁନିକ ଲୋକସଂସ୍କୃତିରେ ମାହିଷ୍ମତୀ ସମ୍ପାଦନା

ବାହୁବଳୀ ଚଳଚ୍ଚିତ୍ରର କାଳ୍ପନିକ କାହାଣୀ ମାହିଷ୍ମତୀ ନଗର/ରାଜ୍ୟ ଉପରେ ପର୍ଯ୍ୟବସିତ ।[୨୦]

ଆଧାର ସମ୍ପାଦନା

  1. James G. Lochtefeld (2002). The Illustrated Encyclopedia of Hinduism: A-M. The Rosen Publishing Group. p. 410. ISBN 978-0-8239-3179-8.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ PK Bhattacharya (1977). Historical Geography of Madhya Pradesh from Early Records. Motilal Banarsidass. pp. 170–175. ISBN 978-81-208-3394-4.
  3. V. S. Krishnan; P. N. Shrivastav; Rajendra Verma (1994). Madhya Pradesh District Gazetteers: Shajapur. Government Central Press, Madhya Pradesh. p. 12.
  4. Harihar Panda (2007). Professor H.C. Raychaudhuri, as a Historian. Northern Book Centre. p. 23. ISBN 978-81-7211-210-3.
  5. The Quarterly Journal of the Mythic Society (Bangalore). 1911. p. 65.
  6. G.C. Mendis (1 December 1996). The Early History of Ceylon and Its Relations with India and Other Foreign Countries. Asian Educational Services. p. 31. ISBN 978-81-206-0209-0.
  7. Trivedi 1991, pp. 175–177.
  8. Hasmukhlal Dhirajlal Sankalia (1977). Aspects of Indian History and Archaeology. B. R. p. 218.
  9. ୯.୦ ୯.୧ ୯.୨ PN Bose (1882). Note on Mahishmati. Calcutta, India: Asiatic Society. p. 129. {{cite book}}: |work= ignored (help)
  10. Madhya Pradesh District Gazetteers: Rajgarh. Government Central Press, Mahishmati. 1996. p. 175.
  11. Fleet, J. F. (2011). "XII. Mahishamandala and Mahishmati". Journal of the Royal Asiatic Society of Great Britain & Ireland. 42 (02): 425–447. doi:10.1017/S0035869X00039605. ISSN 0035-869X.
  12. Hartosh Singh Bal (19 December 2013). Water Close Over Us. HarperCollins India. p. 69. ISBN 978-93-5029-706-3.
  13. Subodh Kapoor (2002). Encyclopaedia of Ancient Indian Geography, Volume 2. Genesis Publishing Pvt Ltd. p. 435. ISBN 9788177552997.
  14. Pargiter, F.E. (1972) [1922]. Ancient Indian Historical Tradition, Delhi: Motilal Banarsidass, pp.263,263fn3.
  15. Pargiter, F.E. (1972) [1922]. Ancient Indian Historical Tradition, Delhi: Motilal Banarsidass, p.265-7
  16. Manika Chakrabarti (1981). Mālwa in Post-Maurya Period: A Critical Study with Special Emphasis on Numismatic Evidences. Punthi Pustak.
  17. story of Mahishmati in Mahabharata
  18. Andhra Mahabharatha.
  19. "Kalachuris of Mahismati". CoinIndia. Retrieved 2012-01-08.
  20. "Baahubali is set in Mahishmathi kingdom".