ରାକ୍ଷସତାଲ ହ୍ରଦ (ଇଂରାଜୀ ଭାଷାରେ Lake Rakshastal, ତିବ୍ବତୀୟ ଭାଷାରେ ལག་ངར་མཚོ, ଚୀନୀ ଭାଷାରେ 拉昂错) ଚୀନର ତିବ୍ବତ ସ୍ୱୟଂଶାସିତ ଅଞ୍ଚଳରେ ଅବସ୍ଥିତ ଏକ ହ୍ରଦ । ଏହି ହ୍ରଦ କୈଳାସ ପର୍ବତର ପାଦ ଦେଶରେ ଦକ୍ଷିଣ ଦିଗରେ ଓ ମାନସରୋବର ହ୍ରଦର ପୂର୍ବ ଦିଗରେ ରହିଛି ।[୧] ରାକ୍ଷସତାଲ ହ୍ରଦର ଉତ୍ତର-ପଶ୍ଚିମ ପଟରୁ ଶତଲେଜ ନଦୀ (ତିବ୍ବତୀୟ ଭାଷାରେ ଲାଂଗଚେନ ଜାଂଗବୋ) ନିର୍ଗତ ହୋଇଛି । ପବିତ୍ର ମାନସରୋବର ହ୍ରଦର ଅତି ନିକଟରେ (କେବଳ ୩.୭ କିଲୋମିଟର ଦୂରତାରେ) ରହିଥିବା ସତ୍ତ୍ୱେ ରାକ୍ଷସତାଲ ହ୍ରଦ ଧାର୍ମିକ ଦୃଷ୍ଟିକୋଣରୁ ସେତେଟା ମହତ୍ତ୍ୱପୂର୍ଣ୍ଣ ନୁହେଁ ।

ରାକ୍ଷସତାଲ ହ୍ରଦ
ଦକ୍ଷିଣ ପଟରୁ ରାକ୍ଷସତାଲ ହ୍ରହର ଦୃଶ୍ୟ (୨୦୦୬)
ରାକ୍ଷସତାଲ ହ୍ରଦ is located in Tibet
ରାକ୍ଷସତାଲ ହ୍ରଦ
ରାକ୍ଷସତାଲ ହ୍ରଦ
ଅବସ୍ଥାନତିବ୍ବତ ସ୍ୱୟଂଶାସିତ ଅଞ୍ଚଳ, ଚୀନ
ଦିଗବାରେଣି30°39′N 81°15′E / 30.65°N 81.25°E / 30.65; 81.25

ନାମକରଣ ସମ୍ପାଦନା

ସଂସ୍କୃତ ଭାଷାରେ ରାକ୍ଷସତାଲ ନାମର ଅର୍ଥ ହେଉଛି ରାକ୍ଷସର ପୋଖରୀ ବା ରାକ୍ଷାସର ହ୍ରଦ । ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ ଲଙ୍କାର ରାକ୍ଷସ ରାଜା ରାବଣ ଏହା ନିକଟରେ କଠୋର ତପସ୍ୟା କରିଥିଲେ ଓ ତେଣୁ ଏହି ହ୍ରଦକୁ ରାବଣତାଲ ବୋଲି ମଧ୍ୟ କୁହାଯାଇଥାଏ ।[୨]

ବୌଦ୍ଧ ଧର୍ମ ବିଶ୍ୱାସ ଅନୁଯାୟୀ ସୂର୍ଯ୍ୟ ପରି ଗୋଲାକାର ମାନସରୋବର ହ୍ରଦ ଓ ଅର୍ଦ୍ଧଚନ୍ଦ୍ରାକାର ରାକ୍ଷସତାଲ ହ୍ରଦ ଜ୍ୟୋତି ଓ ତମସାର ପ୍ରତୀକ । ରାକ୍ଷସତାଲ ହ୍ରଦର ପାଣି ଈଷତ ଲୁଣିଆ । ‘‘ଗଙ୍ଗା ଛୁ’’ ନାମକ ଏକ ପତଳା ସ୍ରୋତ ବା ନଦୀ ମାନସରୋବର ଓ ରାକ୍ଷସତାଲ ହ୍ରଦ ଦ୍ୱୟଙ୍କୁ ସଂଯୁକ୍ତ କରିଥାଏ । ଲୋକଙ୍କ ଧାର୍ମିକ ବିଶ୍ୱାସ ଅନୁସାରେ ମାନସରୋବରରୁ ଶୁଦ୍ଧ ପାଣି ରାକ୍ଷସତାଲକୁ ପ୍ରବାହିତ କରାଇବା ପାଇଁ ଋଷିମାନେ ଏହି ନଦୀ କ୍ଷରିତ କରାଇଥିଲେ ।

ରାକ୍ଷସତାଲ ହ୍ରଦ ମଧ୍ୟରେ ୪ଟି ଛୋଟ ଦ୍ୱୀପ ରହିଛି । ସେଗୁଡ଼ିକ ହେଲେ : ଟୋପ୍ସେର୍ମା, ଡୋଲା, ଲାଚାତୋ ଏବଂ ଦୋଶର୍ବା ।[୩] ସ୍ଥାନୀୟ ୟାକ୍ ପାଳକମାନେ ଶୀତ ଋତୁରେ ନିଜ ୟାକ୍‍ମାନଙ୍କୁ ଚରାଇବା ପାଇଁ ଏହି ଦ୍ୱୀପଗୁଡ଼ିକୁ ଯାଇଥାନ୍ତି ।

ତିବ୍ବତୀୟ ଭାଷାରେ ଏହି ହ୍ରଦକୁ ଲାନାଂଗ୍ ତ୍ସୋ ବୋଲି ମଧ୍ୟ କୁହାଯାଏ ଯାହାର ଅର୍ଥ ହେଲା ବିଷପୂର୍ଣ୍ଣ ତମସା ହ୍ରଦ ।

ପୌରାଣିକ କିମ୍ବଦନ୍ତୀ ସମ୍ପାଦନା

ହିନ୍ଦୁ ଧର୍ମ ଶାସ୍ତ୍ରାନୁସାରେ ରାବଣ ରାକ୍ଷସତାଲ ସୃଷ୍ଟି କରାଇଥିଲେ । କୈଳାସ ପର୍ବତ ନିବାସୀ ମହାଦେବ ଶିବଙ୍କୁ ନିଜ ଭକ୍ତି ଓ ତପସ୍ୟା ବଳରେ ପ୍ରସନ୍ନ କରି ମହାନ ଶକ୍ତି ହାସଲ କରିବା ଉଦ୍ଦେଶ୍ୟରେ ରାବଣ କୈଳାସ ପର୍ବତ ନିକଟକୁ ଆସିଥିଲେ । କୈଳାସ ପାଦଦେଶରେ ଏହି ହ୍ରଦ କୂଳରେ ପ୍ରତିଦିନ ଶିବଙ୍କୁ ଜଳ ତର୍ପଣ କରି ଓ ନିଜର ଦଶରୁ ଗୋଟିଏ ମୁଣ୍ଡ ବଳିଦାନ ଦେଇ ସେ ଶିବଙ୍କୁ ଆବାହନ କଲେ । ଦଶମ ଦିନରେ ଶିବ ରାବଣଙ୍କ ପ୍ରତି ପ୍ରସନ୍ନ ହୋଇ ତାଙ୍କୁ ଦର୍ଶନ କଲେ ଓ ତାଙ୍କ ଇପ୍‍ସିତ ବର ପ୍ରଦାନ କରିଥିଲେ ।

ଏହି ହ୍ରଦର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କୌଣସି ଜୀବଜନ୍ତୁ ବସବାସ କରନ୍ତି ନାହିଁ । ତେଣୁ ତିବ୍ବତୀୟମାନେ ଏହା ଏକ ତମସାଚ୍ଛନ୍ନ ବା ଭୂତ ହ୍ରଦ ବୋଲି ବିଶ୍ୱାସ କରନ୍ତି । ରାକ୍ଷସତାଲ ନିକଟକୁ ଯାଉଥିବା ପର୍ଯ୍ୟଟକମାନେ ପାପ ବା ଅନିଷ୍ଟରୁ ଦୂରେଇ ରହିବା ପାଇଁ ହ୍ରଦକୁ ସମ୍ମାନ ସହ ନମସ୍କାର କରିଥାନ୍ତି ।[୪]

ଭୂଗୋଳ ସମ୍ପାଦନା

ରାକ୍ଷସତାଲର ସମୁଦାୟ କ୍ଷେତ୍ରଫଳ ୨୫୦ ବର୍ଗ କିଲୋମିଟର । ସମୁଦ୍ର ପତନରୁ ଏହି ହ୍ରଦ ୪୫୭୫ ମିଟର ଉଚ୍ଚତାରେ ରହିଛି । ହ୍ରଦ ନିକଟରେ ତୃଣଭୂମି ଓ ଜୀବଜନ୍ତୁଙ୍କ ଅନୁପସ୍ଥିତି ସତ୍ତ୍ୱେ ଏହି ହ୍ରଦର ସୁନୀଳ ଜଳ, ହ୍ରଦ ମଧ୍ୟବର୍ତ୍ତୀ ଦ୍ୱୀପଙ୍କ ଲୋହିତ ମୃତ୍ତିକା, ହ୍ରଦ ନିକଟସ୍ଥ ଶ୍ୱେତ ଶିଳାରାଶି ଯୋଗୁଁ ଏହାର ଏକ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ରହିଛି ଯାହା ବହୁ ଲୋକପ୍ରିୟ ପର୍ଯ୍ୟଟକପୂର୍ଣ୍ଣ ହ୍ରଦରେ ମଧ୍ୟ ପରିଲକ୍ଷିତ ହୁଏନାହିଁ ।

ଜଳବାୟୁ ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Taruna Vijaya (2001). Kailash Manasarovar, an odyssey in Tibet. Ritwik Prakashan. p. 58. Retrieved 2012-07-24.
  2. Pradeep Chamaria (1996). Kailash Manasarovar on the Rugged Road to Revelation. Abhinav Publications. p. 67. ISBN 978-81-7017-336-6. Retrieved 2012-07-24.
  3. "Archived copy". Archived from the original on 2010-11-05. Retrieved 2010-10-11.{{cite web}}: CS1 maint: archived copy as title (link)
  4. Lhanag Tso(The Ghost Lake), Ngari Tourist Sights, Tibet Travel.Info