ବାରୋମିଟର୍

ବାୟୁ ଚାପମାପକ ଯନ୍ତ୍ର

ଆମ ଚାରିଆଡ଼େ ବାୟୁମଣ୍ଡଳ ଘେରି ରହିଛି । ଏହି ବାୟୁମଣ୍ଡଳର ଓଜନ ରହିଛି । ତେଣୁ ଏହା ଆମ ଉପରେ ଚାପ ପକାଏ । କେବଳ ଆମେ କାହିଁକି, ପୃଥିବୀ ପୃଷ୍ଠରେ ଚାରିଆଡ଼େ ଏହା ଚାପ ପକାଏ । ପୃଥିବୀ ପୃଷ୍ଠରେ ପ୍ରତିବର୍ଗ ଏକକ ସ୍ଥାନ ଉପରେ ବାୟୁ ଖମ୍ବର ଯେଉଁ ଓଜନ ରହିଥାଏ ତାହାକୁ ବାୟୁ ଚାପ କୁହାଯାଏ । ସମୁଦ୍ର ପତ୍ତନରେ ବାୟୁ ଚାପ ସବୁଠାରୁ ଅଧିକ ରହେ । ମାତ୍ର ଉପରକୁ ଗଲେ ବାୟୁଚାପ କମି କମି ଯାଏ । ବାୟୁର ଚାପ ମାପ ପାଇଁ ଯେଉଁ ଉପକରଣ ବ୍ୟବହାର କରାଯାଏ ତାହାକୁ ବାୟୁ ଚାପମାନ ଯନ୍ତ୍ର ବା ବାରୋମିଟର କୁହାଯାଏ । ଚାପମାନ ଯନ୍ତ୍ର ବା ବାରୋମିଟର ହେଉଛି ଦୁଇ ପ୍ରକାରର । ତାହା ହେଲା ପାରଦ ଚାପମାନ ଯନ୍ତ୍ର ଓ ଆନିରଏଡ଼ ଚାପମାନ ଯନ୍ତ୍ର ।

୧୬୪୩ ମସିହାରେ ଇଟାଲିର ବୈଜ୍ଞାନିକ ଇଭାେଞ୍ଜଲିସ୍ତା ଟରିସେଲି ପ୍ରଥମେ ଗୋଟିଏ ପାରଦ ଚାପମାନ ଯନ୍ତ୍ର ତିଆରି କରିଥିଲେ । ଏହି ଚାପମାନ ଯନ୍ତ୍ରରେ ୮୪ ସେ.ମି. ଉଚ୍ଚର ଗୋଟିଏ କାଚନଳୀରେ ପାରଦ ଭିର୍ କରି ତାହାକୁ ଗୋଟିଏ ପାରଦ ଭିର୍ ବଡ଼ ପାତ୍ର ଉପରେ ଓଲଟାଇ ରଖାଯାଇଥାଏ । ପାତ୍ରର ପାଦର ଉପରେ ବାୟୁଚାପ ପଡ଼ିବାରୁ କାଚ ନଳୀର ପାରଦକୁ ଉପରକୁ ଉଠି ସମୁଦ୍ର ପତନରେ କାଚନଳୀଟିରେ ପାରଦ ସ୍ତମ୍ଭର ଉଚ୍ଚତା ୭୬ ସେ.ମି. ରହେ । ମାତ୍ର ସମୁଦ୍ର ପତନରୁ ଉପରକୁ ଗଲେ ବାୟୁର ଚାପ କମି ଯାଉଥିବାରୁ କାଚନଳୀ ମଧ୍ୟରେ ପାରଦ ସ୍ତମ୍ଭର ଉଚ୍ଚତା କମିକମି ଯାଏ । ଏହି ଚାପମାନ ଯନ୍ତ୍ରଟିରେ ବାୟୁର ଚାପକୁ ଅତି ନିର୍ଭୁଲ ଭାବେ ମାପ କରାଯାଇଥାଏ । ମାତ୍ର ଏହା ଆକାରରେ ଖୁବ୍ ବଡ଼ ହୋଇଥିବାରୁ ଏହାକୁ ବ୍ୟବହାର ଓ ନେବା ଆଣିବା କରିବାରେ ଅସୁବିଧା ହୁଏ । ଆନିରଏଡ଼ ଚାପମାନ ଯନ୍ତ୍ରକୁ ଉନବିଂଶ ଶତାବ୍ଦୀରେ ଫରାସୀ ଉଦ୍ଭାବକ ଲୁସିଏନ ଭିଡ଼ି ଏହାର ଉଦ୍ଭାବନ କରିଥିଲେ । ଏହି ଚାପମାନଯନ୍ତ୍ରଟିରେ ଗୋଟିଏ ଧାତୁ ନର୍ମିତ ନିବୁଜ ବାକ୍ସ ଥାଏ । ଏହି ପାତ୍ରଟିରୁ ବାୟୁ ବାହାର କରି ତାହାକୁ ବାୟୁ ଶୂନ୍ୟ କରାଯାଇଥାଏ । ବାହାରର ବାୟୁଚାପ ବଢ଼ିଗଲେ ବାକ୍ସଟି ଚାପ ପାଇ ସଙ୍କୁଚିତ ହୋଇଯାଏ । ମାତ୍ର ବାୟୁ ଚାପ କମିଗଲେ ବାକ୍ସିଟି ଫୁଲିଯାଏ । ଚାପ ଅନୁସାରେ ବାକ୍ସ ସହ ଲାଗିଥିବା କାଟି ଘୂରିବୁଲି ଗୋଲାକାର ଡ୍ରମ ଉପରେ ବାୟୁ ଚାପକୁ ସୂଚାଇଥାଏ । ଏହି ଚାପମାନ ଯନ୍ତ୍ରଟି ଛୋଟ ହୋଇଥିବାରୁ ଏହାକୁ ନେବା ଆଣିବା ଓ ବ୍ୟବହାର କରିବା ସହଜ ହୋଇଥାଏ । ମାତ୍ର ଏହା ସାହାଯ୍ୟରେ ନିର୍ଭୁଲ ଭାବେ ବାୟୁ ଚାପ ମାପ କରାଯାଇପାରେ ନାହିଁ । ଏହି ଚାପମାନ ଯନ୍ତ୍ରରେ ବାୟୁଚାପକୁ ମିଲିବାର ଏକକରେ ମାପ କରାଯାଏ । ସମୁଦ୍ର ପନରେ ବାୟୁର ସାଧାରଣ ଚାପ ୧୦୧୩ ମିଲିବାର ହୋଇଥାଏ । ଏହା ପ୍ରତି ବର୍ଗ ସେ.ମି. ଉପରେ ୧୦୩୩ ଗ୍ରାମ ବାୟୁଚାପ ସହ ସମାନ । ବାୟୁର ଚାପ ହେଉଛି ପାଣି ପାଗର ଗୋଟିଏ ମୁଖ୍ୟ ଉପାଦାନ । ଏହା ଉପରେ ଝଡ଼, ବର୍ଷା, ନିର୍ମଳ ପାଗ ଆଦି ନିର୍ଭର କରିଥାଏ । ତେଣୁ ପାଣିପାଗ କେନ୍ଦ୍ର ଗୁଡ଼ିକରେ ବାୟୁଚାପ ମାପ ପାଇଁ ବିଭିନ୍ନ ଚାପ ମାନ ଯନ୍ତ୍ର ବ୍ୟବହାର କରାଯାଇଥାଏ ।