ପୁରାଣ ମତରେ ଦେବକୀ; ବସୁଦେବଙ୍କ ସ୍ତ୍ରୀ, କଂସର ଭଗିନୀ ଓ ଶ୍ରୀକୃଷ୍ଣଙ୍କ ଜନ୍ମଦାତ୍ରୀ ଥିଲେ ୤ ଏହାଙ୍କ ଗର୍ଭଜାତ ସନ୍ତାନଦ୍ୱାରା ନିଜର ମୃତ୍ୟୁ ହେବ ବୋଲି କଂସ ଅବଗତ ହେବା ପରେ ଦେବକୀ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରି ରଖି ଦେବକୀଙ୍କ ଗର୍ଭଜାତ ୭ଗୋଟି ଶିଶୁଙ୍କୁ ହତ୍ୟା କଲା ୤ ଅଷ୍ଟମ ଗର୍ଭରେ ଶ୍ରୀକୃଷ୍ଣ ଜାତ ହେଲେ ଓ ଯୋଗମାୟା ବଳରେ ବସୁଦେବ ସେହି ରାତି ମଧ୍ୟରେ ତାଙ୍କୁ ଗୋପପୁରକୁ ନେଇ ନନ୍ଦଙ୍କ ଭାର୍ଯ୍ୟା ଯଶୋଦାଙ୍କ କୋଳରେ ରଖି ଯଶୋଦାଙ୍କ ଗର୍ଭଜାତା କନ୍ୟାକୁ ଆଣି ଶ୍ରୀକୃଷ୍ଣଙ୍କ ଅରିଷ୍ଟ ଶଯ୍ୟାରେ ରଖିଲେ ୤ ଉକ୍ତ ଶିଶୁକୁ କଂସ ଧରି କଚାଡ଼ିବା ବେଳେ ସେ (ଶିଶୁ ରୂପ ଧାରିଣୀ ଦୁର୍ଗା) କଂସ ହସ୍ତରୁ ଖସି ଯାଇ ଶୂନ୍ୟରେ ମିଶି ଗଲେ ଓ ଶ୍ରୀକୃଷ୍ଣ ଗୋପପୁରରେ ବଢିଲେ ୤

ପୂର୍ବଜନ୍ମ ସମ୍ପାଦନା

ଦେବକୀ ପୂର୍ବଜନ୍ମରେ କଶ୍ୟପ ମୁନିଙ୍କ ପତ୍ନୀ ଅଦିତି ଥିଲେ ୤ ତାଙ୍କ ସଉତୁଣୀ ଥିଲେ ଦିତି ୤ ଅଦିତିଙ୍କ ଗର୍ଭରୁ ଇନ୍ଦ୍ର ଜନ୍ମ ନେବାପରେ ଦିତି ଗର୍ଭବତୀ ହେଲେ ୤ ଇନ୍ଦ୍ରଙ୍କଠାରୁ ମହାନ କେହି ଜନ୍ମ ନ ହୁଅନ୍ତୁ ବୋଲି ଅଦିତି ଚାହୁଁଥିଲେ ୤ ତେଣୁ ସେ ଇନ୍ଦ୍ରଙ୍କ ସହ ମିଶି ଦିତିଙ୍କ ଗର୍ଭ ନଷ୍ଟ କରିବା ଲାଗି ଷଡ଼ଯନ୍ତ୍ର କଲେ ୤ ଇନ୍ଦ୍ର କ୍ଷୁଦ୍ର କୀଟ ରୂପ ଧାରଣ କରି ଦିତିଙ୍କ ଗର୍ଭ ନଷ୍ଟ କରିଦେଲେ ୤ ଅଦିତିଙ୍କ ଷଡ଼ଯନ୍ତ୍ର ଦିତିଙ୍କୁ ଅଛପା ରହିଲା ନାହିଁ ୤ ଇନ୍ଦ୍ର କେବେହେଲେ ତିନିପୁରର ରାଜା ହୋଇପାରିବେ ନାହିଁ ବୋଲି ସେ ଅଭିଶାପ ଦେଇଥିଲେ ୤ ସେହିପରି ତାଙ୍କର ଅଭିଶାପ କ୍ରମେ ଅଦିତି ଦେବକୀ ରୂପେ ଜନ୍ମ ହୋଇ ନିଜ ପୁଅମାନଙ୍କର ମୃତ୍ୟୁ ନିଜ ଆଖିରେ ଦେଖିଥିଲେ ୤ ବ୍ରହ୍ମାଙ୍କ ଅଭିଶାପ ଅନୁଯାୟୀ କଶ୍ୟପ, ବସୁଦେବ ରୂପେ ଜନ୍ମ ହୋଇଥିଲେ ଓ ଦିତି, ରୋହିଣି ରୂପେ ବଳରାମଙ୍କୁ ଜନ୍ମ ଦେଇଥିଲେ ୤

ଆଧାର ସମ୍ପାଦନା