ଦୁର୍ଗା

ହିନ୍ଦୁ ଦେବୀ

ଦୁର୍ଗା (ସଂସ୍କୃତ: दुर्गा, ଅସଂଲିବ: Durgā) ହିନ୍ଦୁ ଧର୍ମର ଏକ ପ୍ରମୁଖ ଦେବୀ । ସେ ଦେବୀଙ୍କ ଏକ ମୁଖ୍ୟ ଦିଗ ଭାବରେ ପୂଜା ପାଆନ୍ତି ଏବଂ ଲୋକପ୍ରିୟ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ଭାବେ ସମ୍ମାନୀତ । ସେ ସୁରକ୍ଷା, ଶକ୍ତି, ମାତୃତ୍ୱ, ବିନାଶ ଏବଂ ଯୁଦ୍ଧ ସହ ଜଡ଼ିତ ।[୧][୨][୩] ତାଙ୍କର କିମ୍ବଦନ୍ତୀ ଶାନ୍ତି, ସମୃଦ୍ଧି ଏବଂ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ମନ୍ଦ ଏବଂ ଭୂତ ଶକ୍ତିର ମୁକାବିଲା ସମ୍ବନ୍ଧିତ ।[୨][୪] ଦୁର୍ଗା ନିର୍ଯାତିତଙ୍କ ମୁକ୍ତି ପାଇଁ ଦୁଷ୍ଟମାନଙ୍କ ବିରୁଦ୍ଧରେ ନିଜର ଦିବ୍ୟ କ୍ରୋଧ ପ୍ରକାଶ କରୁଥିବା ଏବଂ ସୃଷ୍ଟିକୁ ସଶକ୍ତ କରିବା ପାଇଁ ବିନାଶ କରୁଥିବା ବିଶ୍ୱାସ କରାଯାଏ ।[୫]

ଦୁର୍ଗା
ଦୁର୍ଗତିନାଶିନୀ ମା
ସଂସ୍କୃତ ଅନୁବାଦDurgā
ଉପାଧିଦେବୀ
ବାସସ୍ଥାନକଦମ୍ବ ବଣ, (କଦମ୍ବ ଗଛ),ବିନ୍ଧ୍ୟ ପର୍ବତ
ମନ୍ତ୍ରଓଁ ଦୁମ୍ ଦୁର୍ଗାୟୈ ନମଃ
ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ
ଅସ୍ତ୍ରତ୍ରିଶୂଳ, ଖଣ୍ଡା, ନାଗପାଶ, ଶଙ୍ଖ, ଚକ୍ର, ଗଦା, ଅଙ୍କୁଶ, ଧନୁ, ବାଣ
ସାଥିଶିବ
ବାହନସିଂହ

ବ୍ୟୁତ୍ପୁତ୍ତି ସମ୍ପାଦନା

ଦୁର୍ଗା ଶବ୍ଦର ବିବିଧ ବିଶ୍ଳେଷଣ କରାଯାଇଛି।ସେଥିରୁ ଗୋଟିଏ ହେଉଛି ଦ୍+ଉ+ର୍+ଗ୍+ଆ । ‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁଯିଏ ଉଦ୍ଦିଷ୍ଟ, ଉ-ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ, ର- ସମସ୍ତ ରୋଗର ଯିଏ ବିନାଶକାରୀ, ଗ-ସକଳ ପାପର ଯିଏ କ୍ଷୟକାରୀ, ଆ-ସମସ୍ତ ଭୟର ଯେ ହରଣକାରୀ । ଅନ୍ୟ ଏକ ଶବ୍ଦିକ ବିଶ୍ଳେଷଣ ହେଉଛି ଦୁର୍ଗ+ଆ।ଦୁର୍ଗର ଅର୍ଥ ବିପଦ ବା ଦୁର୍ଗତି, ଆ ଅର୍ଥ ନଷ୍ଟ କରିବା ।[୬]

ପୌରାଣିକ ସମ୍ପାଦନା

ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣିତ। ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶିର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ।ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ ।

  • କାତ୍ୟାୟନୀ: ବାମନ ପୁରାଣ ଅନୁଯାୟୀ ମହିଷାସୁରର ଅତ୍ୟାଚାରରେ କ୍ଷୁବ୍ ଧ ହୋଇ ସମଗ୍ର ଦେବଗଣ କ୍ରୋଧରେ ପ୍ରଜ୍ଜଳିତ ହେଲେ । ବ୍ରହ୍ମା, ବିଷ୍ଣୁ, ଶିବ ଆଦି ଦେବଗଣଙ୍କ ସମ୍ମିଳିତ କ୍ରୋଧ ଏକ ତେଜୋମୟ ରୂପ ଧାରଣ କଲା । ସେହି କ୍ରୋଧପୁଞ୍ଜ କାତ୍ୟାୟନ ଋଷିଙ୍କ ଆଶ୍ରମ ଉପରେ ପର୍ବତ ଆକାରରେ ବ୍ୟାପ୍ତ ହେବାକୁ ଲାଗିଲା । ସେଥିରେ କାତ୍ୟାୟନଙ୍କ ବ୍ରହ୍ମତେଜ ମିଳିତ ହେବାରୁ ଦେବତାଙ୍କ ତେଜକୁ ଦ୍ୱିଗୁଣିତ କଲା । ସେହି ତେଜପୁଞ୍ଜରୁ ଏକ ଦିବ୍ୟ ଅଙ୍ଗସୈଷ୍ଠବ ବିଶିଷ୍ଟ ନାରୀ ଆବିର୍ଭୁତ ହେଲେ । କାତ୍ୟାୟନ ଋଷିଙ୍କ ଆଶ୍ରମର ଉପରିଭାଗରୁ ଉତ୍ପତ୍ତି ହୋଇଥିବାରୁ ତାଙ୍କ ନାମ ‘କାତ୍ୟାୟନୀ’ । [୭]
  • ଦୁର୍ଗା: ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ମହିଷାସୁର (ମହିଷ ଆକୃତି ଥିବା ଏକ ରାକ୍ଷସ) ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଅତ୍ୟାଚାର କଲା, ଫଳରେ ଦେବଗଣ ଭୀତଗ୍ରସ୍ତ ହୋଇ ବ୍ରହ୍ମାଙ୍କ ନିକଟରେ ନିଜର ଦୁଃଖ ଜଣାଇଲେ । ସର୍ବସମ୍ମତି ପରେ ବ୍ରହ୍ମା ଓ ଶିବ ଦେବତାମାନଙ୍କୁ ନେଇ ବିଷ୍ଣୁଙ୍କ ନିକଟରେ ଉପସ୍ଥିତ ହୋଇ ଦେବଗଣଙ୍କ ଦୁର୍ଦ୍ଦଶା ଜଣାଇଲେ ‌। ଦେବତାମାନଙ୍କର ଦୁର୍ଦ୍ଦଶା ଶୁଣି ଉଭୟ ବିଷ୍ଣୁ ଓ ଶିବ ଅତ୍ୟନ୍ତ କ୍ରୋଧ ପ୍ରକାଶ କଲେ ଏବଂ କ୍ରୋଧରେ ଉଭୟଙ୍କ ମୁଖ ମଣ୍ଡଳ ଲାଲ୍ ହୋଇଗଲା । ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ଭ୍ରୂକୁଟୀ କୁଟିଳ ହେବାରୁ, ସେହି ତିନିଦେବତାଙ୍କ ମୁଖରୁ ଗୋଟିଏ କାଳାନଳ ସଦୃଶ ତେଜ ପ୍ରକାଶ ହେଲା । ତତ୍ ସହିତ ଇନ୍ଦ୍ର ଓ ସମଗ୍ର ଦେବଗଣଙ୍କ ମୁଖରୁ ମଧ୍ୟ ତେଜ ନିର୍ଗତ ହେଲା । ସମସ୍ତ ତେଜ ଧିରେ ଧିରେ ଆକାଶରେ ସମ୍ମିଳିତ ହୋଇ ଏକାକାର ହୋଇଗଲା । ସେହି ତେଜରୁ ଅବିଳମ୍ବେ ଏକ ଦିବ୍ୟନାରୀ ରୂପରେ ପରିବର୍ତ୍ତିତ ହେଲା । ଶିବଙ୍କ ତେଜରେ ସେହି ଦିବ୍ୟନାରୀର ମୁଖ, ଯମଙ୍କ ତେଜରୁ କେଶ, ବିଷ୍ଣୁଙ୍କ ତେଜରୁ ଭୁଜ, ଚନ୍ଦ୍ରଙ୍କ ତେଜରୁ ଦୁଇସ୍ତନ, ଇନ୍ଦ୍ରଙ୍କ ତେଜରୁ ମଧ୍ୟଦେଶ, ବରୁଣଙ୍କ ତେଜରୁ ଜଙ୍ଘ ଓ ଉରୁ, ପୃଥିବୀଙ୍କ ତେଜରୁ ନିତମ୍ବ, ବ୍ରହ୍ମାଙ୍କ ତେଜରୁ ଚରଣ, ସୂର୍ଯ୍ୟଙ୍କ ତେଜରୁ ଚରଣର ଆଙ୍ଗୁଠି, ବସୁଗଣଙ୍କ ତେଜରୁ ହସ୍ତର ଅଙ୍ଗୁଳି, କୁବେରଙ୍କ ତେଜରୁ ନାସିକା, ନବପ୍ରଜାପତିଙ୍କ ତେଜରୁ ଦନ୍ତାବଳୀ, ଅଗ୍ନିଙ୍କ ତେଜରୁ ତ୍ରିନେତ୍ର ସୃଷ୍ଟି ସମ୍ଭବ ହୋଇଥିଲା । ସନ୍ଧ୍ୟାଙ୍କ ତେଜରୁ ଭ୍ରୂକୁଟୀ, ପବନଙ୍କ ତେଜରୁ କର୍ଣ୍ଣ, ଅନ୍ୟାନ୍ୟ ଦେବତାଗଣ ଓ ବିଶ୍ୱକର୍ମାଙ୍କ ତେଜରୁ ଦେବୀଙ୍କର ସମଗ୍ର ଶରୀର ସୃଷ୍ଟି ହୋଇଥିଲା । ଦେବୀଙ୍କ ଦିବ୍ୟରୂପ ଦେଖି ଦେବତା ଗଣ ଭାବିଲେ ଯେ ଏ ନିଶ୍ଚୟ ଆମର ଦୁର୍ଗତି ନାଶ କରିବ । ତେଣୁ ସମଗ୍ର ଦେବତା ସେହି ଦିବ୍ୟନାରୀର ନାମ ରଖିଲେ ‘ଦୁର୍ଗା’ । ତା’ପରେ ଦେବଗଣ ନିଜ ନିଜର ଦିବ୍ୟାସ୍ତ୍ର ଦେବୀଦୁର୍ଗାଙ୍କୁ ପ୍ରଦାନ କଲେ । ପ୍ରଥମେ ଶିବ ନିଜର ତ୍ରିଶୂଳ ପ୍ରଦାନ କଲେ । ବିଷ୍ଣୁ ଚକ୍ର, ଅଗ୍ନି ଶକ୍ତି, ପବନ ଧନୁର୍ବାଣ, ଇନ୍ଦ୍ର ବଜ୍ର ଓ ଘଣ୍ଟା, ଯମରାଜ କାଳଦଣ୍ଡ, ବରୁଣ ପାଶ ଓ ଶଙ୍ଖ, ଦକ୍ଷ ପ୍ରଜାପତି ଅକ୍ଷମାଳା ଏବଂ ବ୍ରହ୍ମା ଦେବୀଙ୍କୁ କମଣ୍ଡଳୁ ପ୍ରଦାନ କଲେ । ଦେବୀଙ୍କର ସମଗ୍ର ଅବୟବ ପୂର୍ଣ୍ଣ ନହେବାରୁ, ସୂର୍ଯ୍ୟ ତାଙ୍କ ପ୍ରତି ଲୋମରେ କିରଣମାଳା ପୂର୍ଣ୍ଣ କରିଦେଲେ, ମହାକାଳ ଦେବୀଙ୍କୁ କାଳର ଲହଲହ ଜିହ୍ନା ସଦୃଶ ଗୋଟିଏ ଖଡ୍ ଗ ପ୍ରଦାନ କଲେ । କ୍ଷୀର ସମୁଦ୍ର ଦେବୀଙ୍କ ଶରୀରର ସୌନ୍ଦର୍ଯ୍ୟକୁ ବର୍ଦ୍ଧିତ କରାଇ ବସ୍ତ୍ର, ଉତ୍ତରୀୟ, ମୋତିମାଳା, ଚୂଡାମଣି, ଦିବ୍ୟକୁଣ୍ଡଳ ତଥା କଙ୍କଣ ପ୍ରଦାନ କଲେ । ଚନ୍ଦ୍ରମା ଦେବୀଙ୍କ ଦୁଇପାଦରେ ରୁଣୁଝୁଣୁ ପାହୁଡ, ବାହୁରେ ବାଜୁବନ୍ଧ, କଣ୍ଠରେ ଚାପସରୀ ଓ ଅଙ୍ଗୁଳିମାନଙ୍କରେ ରତ୍ନମୁଦ୍ରିକା ପିନ୍ଧାଇ ଦେଲେ । ବିଶ୍ୱକର୍ମା ଦେବୀଙ୍କୁ ଗୋଟିଏ ଅଭେଦ୍ୟ କବଚ ଓ ତୀକ୍ଷ୍ ଣ ଧାରଯୁକ୍ତ ପରଶୁ, କୁବେର ଗୋଟିଏ ସୁନ୍ଦର ପାନପାତ୍ର, ଅନନ୍ତନାଗ ଗୋଟିଏ ମଣିଖଚିତ ନାଗହାର ପ୍ରଦାନ କଲେ । ପରିଶେଷରେ ହିମାଳୟ ଦେବୀଙ୍କ ବାହନ ରୂପେ ଏକ ସିଂହ ପ୍ରଦାନ କଲେ । ଦେବୀ ଦୁର୍ଗା ସିଂହ ଉପରେ ଆସୀନ ହେବା ମାତ୍ରେ ସମୁଦ୍ର ଏକ ପଦ୍ମମାଳା ଆଣି ତାଙ୍କ ଗଳାରେ ଲମ୍ବାଇ ଦେଲେ । [୮] ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ।ଯୁଦ୍ଧରେ ଦେବୀ ବିଡାଳାକ୍ଷ, ଅସିଲୋମା, ମହାହନୁ ଆଦି ମହିଷାସୁରର ଅନେକ ମୁଖ୍ୟ ସେନାପତିମାନଙ୍କୁ ବଧ କଲେ। ଅନ୍ତିମରେ ମହିଷାସୁର ନିଜର ମାୟାବୀ ଶକ୍ତିଦ୍ୱାରା ମହାମାୟାଙ୍କ ଉପରେ ଆକ୍ରମଣ କଲା, ଦେବୀ କ୍ଳାନ୍ତ ହୋଇପଡ଼ିବାରୁ ମହଦେବ ତାଙ୍କୁ ମଧୁ ପାନ କରିବାକୁ ଦେଇଥିଲେ। ଦେବୀ ପୁନଶ୍ଚ ଯୁଦ୍ଧରେ ନିମଗ୍ନା ହେଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାହୁଏ । ତ୍ରେତା ଯୁଗରେ ରାବଣକୁ ପରାସ୍ତ କରିବାହେତୁ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ, ଏହା ଦେବତାମାନଙ୍କଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ।[୯]
  • ଶତାକ୍ଷୀ: ଦୁର୍ଗା ଦୁର୍ଗମ ଅସୁରକୁ ବିନାଶ କରିଥିଲେ । ହିରଣାକ୍ଷ ବଂଶରେ ଦୁର୍ଗମ ଦୈତ୍ୟ ଜନ୍ମ ହୋଇ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବରପ୍ରାପ୍ତ ହୋଇଥିଲା । ଦୈତ୍ୟର ଆସୁରିକ ପ୍ରଭାବରେ ସଂସାରର ଧାର୍ମିକ କ୍ରିୟା ନଷ୍ଟ ହେଲା । ଦେବତାଙ୍କ ଯାଗଯଜ୍ଞାଦି ବନ୍ଦ ହେବାରୁ ମର୍ତ୍ତ୍ୟରେ ଏକଶତ ବର୍ଷ ପର୍ଯ୍ୟନ୍ତ ବର୍ଷା ହେଲାନାହିଁ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିଲୋକରେ ହା ହା କାର ଖେଳିଗଲା । ସେ ସ୍ୱର୍ଗ ଅଧିକାର କଲା । ଦେବତାଗଣ ଦୁର୍ଗମର ଅତ୍ୟାଚାରରେ ଅତିଷ୍ଠ ହେଲେ । ଭୟରେ ସ୍ୱର୍ଗ ତ୍ୟାଗ କରି ହିମାଳୟ ପର୍ବତରେ ପହଞ୍ଚିଲେ ଏବଂ ଶକ୍ତିମୟୀ ଦେବୀଙ୍କୁ ସ୍ମରଣ କଲେ । ଦେବୀ ତତ୍ କ୍ଷଣାତ ଆବିର୍ଭାବ ହେଲେ । ଦୈତ ପ୍ରଭାବରେ ତ୍ରିଲୋକରେ ଏପରି ବ୍ୟାକୁଳତା ଭରିଯାଇଥିଲା ଯେ ପରିସ୍ଥିତି ଦେଖି କୃପାମୟୀ ମା’ଙ୍କ ଆଖିରେ ଅଶ୍ରୁ ନିର୍ଗତ ହେବାକୁ ଲାଗିଲା । ବେଦନାକୁ ଧୋଇଦେବା ପାଇଁ ମା’ଙ୍କ ମୁଖମଣ୍ଡଳରେ ପ୍ରକାଶିତ ହେଲା ନେତ୍ର । ସେହି ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଲା, ସତେ ଯେପରି ହିମାଳୟ ବକ୍ଷରୁ ସ୍ରୋତସ୍ୱିନୀ ଗଙ୍ଗାର ପ୍ରବାହ । ମା’ଙ୍କ ନାମ ହେଲା ‘ଶତାକ୍ଷୀ’ ।
  • ଶାକମ୍ବରୀ:ଦେବୀଙ୍କ ଚକ୍ଷୁର ନୀର ତିନିଲୋକରେ ବୃଷ୍ଟିର ରୂପନେଲା । ନଦୀ ସମୁଦ୍ରରେ ଜଳ ଭରିଗଲା । ବନସ୍ପତି ମଧ୍ୟ ତୃପ୍ତ ହେଲେ । ଏହି ସମୟରେ ଭଗବତୀ ସମସ୍ତଙ୍କୁ ନିଜ ହାତରେ ଅନେକ ପ୍ରକାର ଶାକ ଓ ସ୍ୱାଦିଷ୍ଟ ଫଳ ପରସିଲେ ଏବଂ ଖୁଆଇଲେ । ତୃଣଭୋଜୀ ପ୍ରାଣୀଙ୍କ ପାଇଁ ସୁନ୍ଦର ଘାସ ଏବଂ ଅନ୍ୟପ୍ରାଣୀମାନଙ୍କ ପାଇଁ ଉପଯୁକ୍ତ ଭୋଜନ ଦେଲେ । ନିଜ ଶରୀରରୁ ତାଙ୍କର ଉତ୍ପନ ହୋଇଥିଲା ଶାକ । ତେଣୁ ତାଙ୍କ ନାମ ହେଲା ‘ଶାକମ୍ବରୀ’ ।[୧୦]

ରାଜା ସୁରଥ ଓ ସମାଧି ବୈଶ୍ୟ ସମ୍ପାଦନା

ପୁରାଣ ସମ୍ପାଦନା

ଚୈତ୍ର ବଂଶରେ ସୁରଥ ନାମକ ଜଣେ ରାଜା ପୃଥିବୀକୁ ଶାସନ କରୁଥିଲେ ।ସେ ତାଙ୍କ ପ୍ରଜାଙ୍କୁ ପୁତ୍ରତୁଲ୍ୟ ପାଳନ କରୁଥିବା ସମୟରେ ବିଧ୍ୱଂସ ନାମକ ଜଣେ ରାଜା ତାଙ୍କ ସହିତ ଶତ୍ରୁତା କଲେ ।ରାଜା ସୁରଥଙ୍କ ସହିତ ତାଙ୍କର ଯୁଦ୍ଧ ହେଲା ।ଶତ୍ରୁମାନଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ରାଜା ସୁରଥ ଦୁର୍ଭାଗ୍ୟବଶତଃ ଶତ୍ରୁଙ୍କଠାରୁ ପରାସ୍ତ ହେଲେ ।କୌଶଳକ୍ରମେ ରାଜା ସୁରଥ ଶତ୍ରୁଙ୍କ କବଳରୁ ଖସି ଆସି ରାଜଧାନୀରେ ଦେଖିଲେ ଯେ, ଆତ୍ମୀୟମାନେ କୋଷାଗାର ଏବଂ ସୈନ୍ୟବାହିନୀକୁ ନଷ୍ଟ କରୁଛନ୍ତି ।ଏହିପରିଭାବେ ରାଜ୍ୟ ନଷ୍ଟ ହୋଇଯିବାରୁ, ରାଜା ସୁରଥ ଉପାୟଶୂନ୍ୟ ହୋଇ ଅଶ୍ୱ ଚଢ଼ି ଜଙ୍ଗଲକୁ ପଳାଇଗଲେ ।ଲକ୍ଷ୍ୟହୀନ ଭାବେ ଜଙ୍ଗଲରେ ଘୂରିବୁଲୁଥିବା ସମୟରେ ମେଧାଋଷିଙ୍କ ଆଶ୍ରମରେ ଆଶ୍ରୟ ନେଲେ ।କିଛିଦିନ ରହିବା ପରେ, ଆଶ୍ରମ ନିକଟରେ ବୁଲୁଥିବା ସମାଧି ନାମକ ବୈଶ୍ୟକୁ ଭେଟିଲେ ।ତାଙ୍କର ଆଗମନର କାରଣ ଥିଲା, ସେ ଜଣେ ଅତ୍ୟନ୍ତ ଧନଶାଳୀ ବୈଶ୍ୟ ।ଧନରତ୍ନରେ ଲୋଭ କରି ପତ୍ନୀ ଓ ପୁତ୍ରମାନେ ତାଙ୍କୁ ଗୃହରୁ ବିତାଡିତ କରିଦେଲେ ।ଆତ୍ମୀୟସ୍ୱଜନ କେହି ମଧ୍ୟ ଏପରି ଅବସ୍ଥାରେ ସାହାଯ୍ୟ କଲେନାହିଁ ।ଅଗତ୍ୟା, ଜଙ୍ଗଲକୁ ପଳାଇ ଆସିଲେ ।ରାଜା ସୁରଥ ବୈଶ୍ୟ ସମାଧିଙ୍କ ପ୍ରତି ହୋଇଥିବା ଅନ୍ୟାୟରେ ସମଦୁଃଖୀ ତାଙ୍କୁ ମେଧାଋଷିଙ୍କ ଆଶ୍ରମକୁ ନେଇ ଗଲେ ।ଦେବୀଙ୍କ ମାହାତ୍ମ୍ୟ ମହର୍ଷି ମେଧାଙ୍କଠାରୁ ଶୁଣିଲା ପରେ ରାଜା ସୁରଥ ଓ ବୈଶ୍ୟ ସମାଧି ଦେବୀଙ୍କ କୃପାଲାଭ କରିବା ନିମିତ୍ତ ମନ ବଳାଇଲେ ।ଗଙ୍ଗାନଦୀ କୂଳରେ ଦେବୀଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି କରି ଧୂପ,ଦୀପ, ଗନ୍ଧ, ପୁଷ୍ପ ଦେଇ ଅତ୍ୟନ୍ତ ନିଷ୍ଠାର ସହିତ ଆରାଧନା କଲେ ।ସେ ଦୁହେଁ ଉପବାସ ରହି କେବେ କେବେ ସ୍ୱଳ୍ପାହାର ଗ୍ରହଣ କରି ମାଆଙ୍କ ପୂଜା କରୁଥିଲେ ।ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ଦେହର ରକ୍ତକୁ ଅର୍ପଣ କରିବାକୁ ପଛାଉନଥିଲେ ।ଏହିପରି ଭାବେ ତିନିବର୍ଷ ଅତିବାହିତ ହୋଇଯିବା ପରେ ଦେବୀ ସେଦୁହିଁଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଇପ୍‌ସିତ ବର ପ୍ରଦାନ କଲେ ।[୧୧]

ଇତିହାସ ସମ୍ପାଦନା

ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତକରେ ରଚିତ ‘ମାର୍କଣ୍ଡେୟ ପୁରାଣ’ ଅନୁସାରେ ରାଜା ସୁରଥ ପ୍ରଥମେ ଉତ୍କଳରେ ଦୁର୍ଗାପୂଜା ଆରମ୍ଭ କରିଥିଲେ ।ରାଜା ସୁରଥ ହେଉଛନ୍ତି ଚେଦିବଂଶର ମହାମେଘବାହନ ଐରଖାରବେଳଙ୍କ ବଂଶଧର ।ଖାରବେଳ ଏହି ପୁରାଣ ପ୍ରସିଦ୍ଧ ସୁରଥ ରାଜାଙ୍କର ପଞ୍ଚମ ସୋପାନ ବା ପଞ୍ଚମ ବଂଶାନୁକ୍ରମେ ସମୁଚୀନ ମନେହୁଏ ।ଖାରବେଳଙ୍କ ପୂର୍ବଜ ସୁରଥ ହେଉଛନ୍ତି ଚେଦି ।ଚେତି ଚୈତ୍ୟବଂଶର ଜନୈକ କୌଣସି ରାଜାଙ୍କ ସହ ଯୁଦ୍ଧରେ ପରାସ୍ତ ହୋଇ ବନରେ ଆତ୍ମଗୋପନ କଲେ ।ସେଠାରେ ନିଜ ସ୍ତ୍ରୀ ଓ ପୁତ୍ରଦ୍ୱାରା ପରିତ୍ୟକ୍ତ ସମାଧି ନାମକ ଜନୈକ ନିର୍ଦ୍ଧନ ସାଧବଙ୍କ ସହିତ ସାକ୍ଷାତ ହେଲା ।ଉଭୟ ମେଧସ୍ ଋଷିଙ୍କ ଆଶ୍ରମରେ ଆଶ୍ରୟ ନେଇ ତାଙ୍କର ପରାମର୍ଶକ୍ରମେ ଶରତ ଋତୁରେ ନଦୀତଟରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ନିର୍ମାଣ ପୂର୍ବକ ପୁଷ୍ପଧୂପ ନୈବେଦ୍ୟ ସମର୍ପଣ କରି ଶ୍ରୀଶ୍ରୀ ଦେବୀସୂକ୍ତରେ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ ।ପରବର୍ତ୍ତୀ ସମୟରେ ଏହା ଧରାପୃଷ୍ଠରେ ସର୍ବବିଦିତ ହେଲା ।[୧୨]

ଦଶ ମହାବିଦ୍ୟା ସମ୍ପାଦନା

 
ଉପରେ ବାମରୁ: କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ ଓ ଭୈରବୀ,
ତଳେ ବାମରୁ: ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା

ଦୁର୍ଗାଙ୍କର ବିଦ୍ୟାରୂପୀ ଦଶଶକ୍ତି ନିରୂପଣ କରାଯାଇଛି ଆଗମ ଶାସ୍ତ୍ରରେ । ସେହି ଦଶ ମହାବିଦ୍ୟା ହେଉଛନ୍ତି - କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ,ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା[୧୩] ଏହାମଧ୍ୟରେ କାଳୀ, ତାରା, ଛିନ୍ନମସ୍ତା, ଧୂମାବତୀ ଉଗ୍ରା, ତଥା ବଗଳା, ଭୈରବୀ ସୌମ୍ୟୋଗ୍ର ମହାବିଦ୍ୟା ଏବଂ ଷୋଡ଼ଶୀ, ଭୁବନେଶ୍ୱରୀ, କମଳା, ମାତଙ୍ଗୀ ସୌମ୍ୟ ମହାବିଦ୍ୟା ରୂପେ ପରିଚିତା । ସୌମ୍ୟ ମହାବିଦ୍ୟାଙ୍କୁ ଶ୍ରୀସୁନ୍ଦରୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉଗ୍ର, ସୌମ୍ୟୋଗ୍ର ମହବିଦ୍ୟାଙ୍କୁ କାଳୀ କୁଳରେ ଅନ୍ତର୍ଭୁକ୍ତ କରାହୋଇଛି । ଶ୍ରୀସୁନ୍ଦରୀ ଦେବୀମାନଙ୍କ ଆରଧନା ଗୃହ ମଧ୍ୟରେ ହେଉଥିଲାବେଳେ କାଳୀକୁଳ ଦେବୀମାନଙ୍କ ଉପାସନା ଶ୍ମଶାନ, ବଣ, ନଦୀତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ, ତଥା ସୌମ୍ୟୋଗ୍ର ବିଦ୍ୟା ଉଭୟ ସ୍ଥାନରେ ଉପାସିତା ହୁଅନ୍ତି ।[୧୪]

ଦୁର୍ଗାଙ୍କ ଭୁଜ ବୈଶିଷ୍ଟ୍ୟ[୧୫] ସମ୍ପାଦନା

ମନ୍ଦିରମାଳିନୀ ଓଡ଼ିଶା ସାରା ବିଶ୍ୱରେ ମୂର୍ତ୍ତି ନିର୍ମାଣ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରୁଥିବା ବେଳେ ମନ୍ଦିର ଗାତ୍ର ହେଉ ବା ମନ୍ଦିର ବକ୍ଷରେ ହେଉ ବିଭିନ୍ନ ଦେବଦେବୀ ବିଭିନ୍ନ ରୂପରେ ପୂଜା ପାଉଥିବା ଦେଖା ଯାଏ । ସେହିପରି ଦୁର୍ଗାଙ୍କୁ ଦଶଭୁଜା ବୋଲି କୁହାଯାଉଥିଲେ ମଧ୍ୟ ବହୁ ମନ୍ଦିରରେ ତାଙ୍କୁ ବିଭିନ୍ନ ରୂପରେ ଦେଖିବାକୁ ମିଳିଥାଏ । କେଉଁଠି ଦ୍ୱିଭୁଜା ଆକାରରେ ତ କେଉଁଠି ଚତୁର୍ଭୁଜା ରୂପରେ । କେଉଁଠି ଷଡଭୁଜା ତ କେଉଁଠି ଅଷ୍ଟଭୁଜା । ଏପରିକି ଅଷ୍ଟାଦଶ ଭୁଜା ସମ୍ପନ୍ନ ଦେବୀ ମଧ୍ୟ କେତେକ ସ୍ଥାନରେ ଦୃଶ୍ୟ ହୁଅନ୍ତି । ଦୁର୍ଗା ମୂର୍ତ୍ତିର ବିଭିନ୍ନ ରୂପ ସମ୍ପର୍କରେ ଆଲୋକପାତ କରିବା ପୂର୍ବରୁ ପ୍ରଥମେ ଏହା ଠାବ କରାହୁଏ ପ୍ରାଚୀନ ସିନ୍ଧୁ ସଭ୍ୟତାରେ ମାଟି ନିର୍ମିତ ମୂର୍ତ୍ତିରୁ । ଖ୍ରୀ.ପୂ. ଦ୍ୱିତୀୟ-ପ୍ରଥମ ଶତାବ୍ଦୀର ଯେଉଁ ମୂର୍ତ୍ତି ଆବିଷ୍କାର କରାଯାଇଛି ସେଥିରେ ଜଣେ ନାରୀ ଗୋଟିଏ ମହିଷକୁ ବଧ କରିବା ଦେଖାଯାଇଛି । ତେବେ ବର୍ତ୍ତମାନର କଳା କୌଶଳ ସମ୍ପନ୍ନ ଦୁର୍ଗା ମୂର୍ତ୍ତି ସାଧାରଣତଃ ଖ୍ରୀ.ଅ.୪ର୍ଥ- ୫ମ ଶତାବ୍ଦୀରୁ ହିଁ ଦେଖାଯାଏ ।

ଦ୍ୱିଭୁଜା ସମ୍ପାଦନା

ଓଡ଼ିଶାର ସର୍ବପ୍ରାଚୀନ ଦୁର୍ଗା ମୂର୍ତ୍ତି ହେଉଛନ୍ତି ଯାଜପୁରର ବିରଜା ମୂର୍ତ୍ତି । ସମୁଦ୍ରଗୁପ୍ତଙ୍କ ଦକ୍ଷିଣ ଭାରତ ବିଜୟ ବେଳେ ଉତ୍ତର ଭାରତର କାନ୍ୟକୁବ୍ ଜମାନେ ଆସି ଯାଜପୁରରେ ବାସ କରୁଥିଲେ । ସେହିସମୟରେ ଏହି ମୂର୍ତ୍ତିକୁ ଏଠାରେ ଅବସ୍ଥାପିତ କରାଯାଇଥିବା ଜଣାଯାଏ । ଏଠାରେ ଦୁର୍ଗା ଦ୍ୱିଭୁଜା ସମ୍ପନ୍ନ ଏବଂ ମୁକୁଟରେ ସନ୍ନିବେଶିତ ହୋଇଥିବା ପଞ୍ଚଦେବତା ହେଉଛନ୍ତି ଗଣେଶ, ଶଚ୍ଛିଚକ୍ର ସହ ଶିବଲିଙ୍ଗ, ନାଗ ଓ ଚନ୍ଦ୍ର । ମାହଙ୍ଗାର ଶୁକ୍ଳେଶ୍ୱର ମନ୍ଦିର, ଟାଙ୍ଗୀର ଚଣ୍ଡେଶ୍ୱର ମନ୍ଦିର, ଭୁବନେଶ୍ୱରର ଭଗ୍ନ ବୁଦ୍ଧନାଥ ମନ୍ଦିରରେ ଦ୍ୱିଭୁଜା ଦୁର୍ଗା ଦେଖିବାକୁ ମିଳେ । ମହିଷ ରୂପରେ ଥିବା ଅସୁରର ଶରୀର ସାଧାରଣତଃ ଶୈଳୋଦ୍ ଭବ ରାଜତ୍ୱ ସମୟରେ ଅର୍ଥାତ ୬ଷ୍ଠ – ୮ମ ଶତାବ୍ଦୀରେ ଦେଖାଯାଇଥିଲା । ପରେ ଏହି ରୂପ ଅଧିକାଂଶ ଜାଗାରେ ଦେଖିବାକୁ ମିଳିଥିଲା । କେତେକ କ୍ଷେତ୍ରରେ ଛିନ୍ନମସ୍ତକ ମହିଷ ଶରୀରରୁ ମନୁଷ୍ୟରୂପୀ ଅସୁରର ଆବିର୍ଭାବ ଭୁବନେଶ୍ୱରର କେତେକ ମନ୍ଦିରରେ ଦେଖାଯାଏ । ଏହିପରି ଏକ ମୂର୍ତ୍ତି ଲିଙ୍ଗରାଜ ମନ୍ଦିରରେ ରହିଛି । ନିଆଳିର ଶୋଭନେଶ୍ୱର, ଅଡଶପୁର, ମାହାଙ୍ଗାର ଶୁକ୍ଳେଶ୍ୱର, ଗଞ୍ଜାମର ବଡଗାଁ ଆଦି ମନ୍ଦିରରେ ଏହି ଧରଣର ମୂର୍ତ୍ତି ଦେଖାଯାଏ ।

ଚତୁର୍ଭୁଜା ସମ୍ପାଦନା

ଦୁର୍ଗାଙ୍କ ହସ୍ତ ସଂଖ୍ୟା ବୃଦ୍ଧି ଏକ ଉଲ୍ଲେଖନୀୟ ବିଷୟ ହେଲେ ବି ଏହା ଉପରେ ବିଶେଷ ଗବେଷଣା ହୋଇନାହିଁ । ଚତୁର୍ଭୁଜସମ୍ପନ୍ନ ଦୁର୍ଗାମୂର୍ତ୍ତି ଭୁବନେଶ୍ୱର ଲକ୍ଷ୍ମଣେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, କୋଣାର୍କ ନିକଟସ୍ଥ ବୟାଳିଶିବାଟିର ଗଙ୍ଗେଶ୍ୱରୀ ଦେଉଳରେ ଦେଖାଯାଏ । ଚତୁର୍ଭୁଜ ମୂର୍ତ୍ତିରେ ଦେବୀ ମୁଖ୍ୟ ଦୁଇ ହସ୍ତରେ ତ୍ରିଶୂଳକୁ ସଳଖ ଭାବେ ଅସୁର ବକ୍ଷରେ ଭେଦ କରୁଥିବା ଦେଖାଯାଏ । ଚତୁର୍ଭୁଜା ବିଗ୍ରହ ଖୋର୍ଦ୍ଧା ନିକଟସ୍ଥ ବଳପୁରରେ ଶୋଭାପାଉଛି । ଭୁବନେଶ୍ୱରର ମେଘେଶ୍ୱର ଓ ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିରରେ ଚତୁର୍ଭୁଜା ଦୁର୍ଗାମୂର୍ତ୍ତି ରହିଛି । ଢେଙ୍କାନାଳର କପିଳାସରେ ଥିବା ମହିଷମର୍ଦ୍ଦିନୀ ଶଙ୍ଖ, ଚକ୍ର, ତ୍ରିଶୂଳ ଧାରଣ କରିଥିବା ଚତୁର୍ଭୁଜା ବକ୍ର ଭଙ୍ଗୀରେ ଠିଆ ହୋଇଥିବା ବେଳେ ଏହା ୧୪ଶ ଶତାବ୍ଦୀରେ ନିର୍ମିତ ବୋଲି କୁହାଯାଏ ।

ଷଡ଼ଭୁଜା ସମ୍ପାଦନା

ଖ୍ରୀଷ୍ଟାବ୍ଦ ୬ଷ୍ଠ – ୮ମ ଶତବ୍ଦୀରେ ଷଡଭୁଜା ଦୁର୍ଗା ନିର୍ମିତ ହୋଇଥିଲା ବୋଲି କୁହଯାଏ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିରରେ ଏହିପରି ଏକ ମୂର୍ତ୍ତି ଦେଖାଯାଏ । ଭୁବନେଶ୍ୱରର ଉତ୍ତରେଶ୍ୱର ଓ ବିନ୍ଦୁସାଗର ନିକଟସ୍ଥ ମନ୍ଦିରରେ ଏହିଧରଣର ମୂର୍ତ୍ତି ଦେଖିବାକୁ ମିଳେ । ମହାନଦୀ ଟାପୁରେ ଥିବା ସିଂହନାଥ ମନ୍ଦିର ଗାତ୍ରରେ ମଧ୍ୟ ଏହିପରି ଏକ ମୂର୍ତ୍ତି ରହିଛି ।

ଅଷ୍ଟଭୁଜା ସମ୍ପାଦନା

ଖ୍ରୀଷ୍ଟାବ୍ଦ ୮ମ – ୯ମ ଶତାବ୍ଦୀରେ ଅଷ୍ଟଭୁଜା ଦୁର୍ଗା ମୂର୍ତ୍ତିର ପ୍ରସାର ହୋଇଥିଲା ଏବଂ ଅନେକ ମନ୍ଦିରରେ ଏହିଧରଣର ମୂର୍ତ୍ତି ସ୍ଥାନ ପାଇଥିଲା । ଭୁବନେଶ୍ୱରର ଚାମୁଣ୍ଡାଦେବୀ ମନ୍ଦିର, ବୈତାଳ ଦେଉଳରେ ଏହି ମୂର୍ତ୍ତି ଦେଖାଯାଏ । ଏହାର ଉତ୍ତର ପାର୍ଶ୍ୱବାଡରେ ପାର୍ଶ୍ୱଦେବୀ ଭାବେ ସ୍ଥାନିତ ଏହିପ୍ରକାର ମୂର୍ତ୍ତିଟି ଅତ୍ୟନ୍ତ ଶ୍ରେଷ୍ଠ ବୋଲି କୁହାଯାଏ । ଅଷ୍ଟଭୁଜର ଦକ୍ଷିଣହସ୍ତରେ ଖଡ୍ଗ, ଚକ୍ତ, ତ୍ରିଶୂଳ ଆଦି ର୍ହିଥିବା ବେଳେ ବାମହସ୍ତରେ ଢାଲ, ଧନୁ, ସର୍ପ ଆଦି ରହିଛି । ପ୍ରାଚୀନଦୀ ଅବବାହିକାର ଅସ୍ତରଙ୍ଗ, ମୋଟିଆ, କୋଣାର୍କ, ବାଲେଶ୍ୱରର ଶେରଗଡ, ଢେଙ୍କାନାଳର କୁଆଳୋ ଆଦି ଗ୍ରାମର ମନ୍ଦିରରେ ଏହି ଧରଣର ମୂର୍ତ୍ତି ରହିଛି ।

ଦଶଭୁଜା ସମ୍ପାଦନା

ଖ୍ରୀଷ୍ଟାବ୍ଦ ୧୦ମ ଶତାବ୍ଦୀରୁ ଦଶଭୁଜା ମୂର୍ତ୍ତିର ପ୍ରସାର ଆରମ୍ଭ ହୋଇଥିଲା ଏବଂ ଏହି ମୂର୍ତ୍ତି ଓଡ଼ିଶାର ବହୁ ସ୍ଥାନରେ ଦେଖାଯାଏ । ଶିଶିରେଶ୍ୱର ମନ୍ଦିର ଜଗମୋହନ ମଧ୍ୟରେ ଏହିପରି ଏକ ମୂର୍ତ୍ତି ରହିଥିବା ବେଳେ କ‌ଳାରାହଙ୍ଗ ଗ୍ରାମର ଜଳେଶ୍ୱର ମନ୍ଦିର ମୂର୍ତ୍ତିଟି ଏହି ଧରଣର । ପ୍ରାଚୀନଦୀ ଅବବାହିକାରେ ଏହି ଧରଣର ମୂର୍ତ୍ତି ବହୁଳ ମାତ୍ରାରେ ଦେଖାଯାଏ । କଟକର ଶୁକ୍ଳେଶ୍ୱର, ନିଆଳିର ଶୋଭନେଶ୍ୱର, ବାଲେଶ୍ୱରର ଦାଦପୁର, ଶେରଗଡ, କଟକର ବଟେଶ୍ୱର, ମହାନଦୀ କୂଳ ସିଂହନାଥ ଓ ବୈଦ୍ୟେଶ୍ୱରରେ ଏହି ଧରଣର ମୂର୍ତ୍ତି ରହିଛି ।

ଦ୍ୱାଦଶଭୁଜା ସମ୍ପାଦନା

ଓଡ଼ିଶାରେ ଦ୍ୱାଦଶଭୁଜ ବିଶିଷ୍ଟ ଦୁର୍ଗା ମୂର୍ତ୍ତି ଖୁବ କମ ଦେଖିବାକୁ ମିଳେ । ଏହିମୂର୍ତ୍ତିଗୁଟିକ ସାଧାରଣତଃ ଖ୍ରୀ୭ମରୁ ୯ମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା । କଟକଜିଲ୍ଲା ଧର୍ମଶାଳାରୁ ଆନୀତ ଦ୍ୱାଦଶଭୁଜା ବିଶିଷ୍ଟ ଦୁର୍ଗାମୂର୍ତ୍ତି ରାଜ୍ୟ ସଂଗ୍ରହାଳୟରେ ରହିଛି । ଢେଙ୍କାନାଳର କୁଆଳୋର କନକେଶ୍ୱର ମନ୍ଦିର ପରିସରରେ ଏହି ଧରଣର ଏକ ବିରଳ ମୂର୍ତ୍ତି ରହିଛି । ପ୍ରାଚୀନଦୀ ଅବବାହିକାର ଅମଣାକୁଦ ଗ୍ରାମରେ ଲାଲ କନ୍ଦା ପଥରରେ ନିର୍ମିତ ଏହିମୂର୍ତ୍ତି ଅତି କମନୀୟ ।

ଅଷ୍ଟାଦଶଭୁଜା ସମ୍ପାଦନା

ଖ୍ରୀଷ୍ଟାବ୍ଦ ୧୫ଶ ଶତାବ୍ଦୀରେ ଷୋଡଶ ଭୁଜା ଓ ଅଷ୍ଟାଦଶ ଭୁଜା ବିଶିଷ୍ଟ ଦୁର୍ଗାମୂର୍ତ୍ତି ନିର୍ମିତ ହୋଇଥିଲା । ତେବେ ଖୁବ କମ୍ ସ୍ଥାନରେ ଏହିମୂର୍ତ୍ତି ଦେଖାଯାଏ । ଖୋର୍ଦ୍ଧା ନିକଟସ୍ଥ ଡିଆ ଗ୍ରାମରେ ଏହିଧରଣର ଏକ ଅଷ୍ଟାଦଶଭୁଜା ବିଶିଷ୍ଟ ଦୁର୍ଗାମୂର୍ତ୍ତି ରହିଛି । ରାଜ୍ୟରେ ଶୈଳୋଦ୍ଭବ ରାଜତ୍ୱ ସମୟରେ ନିର୍ମିତ ମନ୍ଦିରଗୁଡିକରେ ପାର୍ବତୀଙ୍କ ମୂର୍ତ୍ତିକୁ ପାର୍ଶ୍ୱଦେବୀ ଭାବେ ତିଆରି କରାଯାଉଥିବା ବେଳେ ଭୌମିକ ରାଜତ୍ୱ ସମୟରେ ଦୁର୍ଗାମୂର୍ତ୍ତିକୁ ପ୍ରାଧାନ୍ୟ ଦିଆଗଲା । ତେବେ ପୁଣି ସୋମବଂଶୀ ଓ ଗଙ୍ଗବଂଶୀ ରାଜତ୍ୱରେ ରାଜତ୍ୱରେ ପାର୍ବତୀଙ୍କ ମୂର୍ତ୍ତିକୁ ପ୍ରାଧାନ୍ୟ ଦିଆଗଲା । ତେବେ ଭୁଜ ସଂଖ୍ୟା କାହିଁକି ଭିନ୍ନ ଭିନ୍ନ ତାହାର କୌଣସି କାରଣ ଜଣାପଡ଼ି ନ ଥିବା ବେଳେ ମାନସିକ ପ୍ରତିଫଳନର ଆଧାର ବୋଲି ବିଚାର କରାଯାଏ । ପୁଣି ମଧ୍ୟଯୁଗୀୟ କଳାକୌଶଳର ଏହା ଏକ ପ୍ରତିଫଳନ ବୋଲି କେହି କେହି କହନ୍ତି ।

ପର୍ବ ସମ୍ପାଦନା

ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ। ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନବଦିନ, ତ୍ରିଦିନ ଧରି ପାଳିତ ହୁଏ । ମୁଖ୍ୟତ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷ ମଧ୍ୟ ବାସନ୍ତୀ ନବରାତ୍ର ରୂପେ ପରିଚିତ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ । ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ।ଅର୍ଣର ଅର୍ଥ ଅକ୍ଷର।ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ। ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ।[୧୬]

ନାମ ସମ୍ପାଦନା

ଦୁର୍ଗାଙ୍କର ୧୦୮ଟି ନାମ ଅଛି।ସେଗୁଡିକ ହେଲା: ସତୀ,ସାଧ୍ୱୀ, ଭବପ୍ରିତା, ଭବାନୀ, ଭବମୋଚନୀ, ଆର୍ଯ୍ୟା, ଦୁର୍ଗେ, ଜୟା, ଆଧ୍ୟା, ଅଭୟା, ମାୟା, ତ୍ରିନେତ୍ରା, ଶୂଳଧାରିଣୀ, ପିନାକଧାରିଣୀ, ଚିତ୍ରା, ଚନ୍ଦ୍ରଘଣ୍ଟା, ମହାତପା, ବୁଦ୍ଧି, ଅହଙ୍କାରା, ଚିତ୍ତରୁପା, ଚିତା, ସର୍ବମନ୍ତ୍ରମୟୀ, ସତ୍ତା, ସତ୍ୟାନନ୍ଦସ୍ୱରୁପିଣୀ, ଅନନ୍ତା, ଭାବିନୀ, ଭବ୍ୟା, ଅଭୟା, ସଦାଗତୀ, ସାମ୍ଭାବୀ, ଦେବମାତା, ଚିନ୍ତା, ରତ୍ନପ୍ରିୟା, ସର୍ବବିଦ୍ୟା, ଦକ୍ଷକନ୍ୟା, ଦକ୍ଷଯଜ୍ଞବିନାସିନୀ, ଅପର୍ଣ୍ଣା, ଅନେକବର୍ଣ୍ଣା, ପାଟଳା, ପାଟଳାବତୀ, ପଟାମ୍ବରପରିଧାନା, କଲମଞ୍ଜରୀରଞ୍ଜିନୀ, ଅମୟା, ବିକ୍ରମା, କ୍ରୂରା, ସୁନ୍ଦରୀ, ସୁରସୁନ୍ଦରୀ, ବନଦୁର୍ଗା, ମାତଙ୍ଗୀ, ମାତଙ୍ଗମୁନିପୂଜିତା, ବ୍ରାହ୍ମୀ, ମାହେଶ୍ୱରୀ, ଐନ୍ଦ୍ରୀ, କୌମାରୀ, ବୈଷ୍ଣବୀ, ଚାମୁଣ୍ଡା, ବାରାହୀ, ଲକ୍ଷ୍ମୀ, ପୁରୁଷାକୃତି, ବିମଳା, ଉତ୍କର୍ଷିଣୀ, ଜ୍ଞାନା, କ୍ରିୟା, ନିତ୍ୟା, ବୁଦ୍ଧିଦା, ବହୁଳା, ବହୁଳାପ୍ରେମା, ସର୍ବବାହନବାହାନା, ନିଶୁମ୍ଭଶୁମ୍ଭହନନୀ, ମହିଷାସୁର ମର୍ଦ୍ଦିନୀ, ମଧୁକୈଟଭହନ୍ତ୍ରୀ, ଚଣ୍ଡମୁଣ୍ଡବିନାଶିନୀ, ସର୍ବସୁର ବିନାଶା, ସର୍ବଦାନବଘାତିନୀ, ସର୍ବଶାସ୍ତ୍ରମୟୀ, ସତ୍ୟା, ସର୍ବଶସ୍ତ୍ରଧାରିଣୀ, ଅନେକ ଶସ୍ତ୍ରହସ୍ତା, ଅନେକାସ୍ତ୍ରଧାରିଣୀ, କୁମାରୀ, ଏକକନ୍ୟା, କୈଶୋରୀ, ଯୁବତୀ, ଯତିଃ, ଅପ୍ରୌଢା, ପ୍ରୌଢା, ବୃଦ୍ଧମାତା, ବଳପ୍ରଦା, ମହୋଦରୀ, ମୁକ୍ତକେଶୀ, ଘୋରରୂପା, ମହାବଳା, ଅଗ୍ନିଜ୍ୱାଳା, ରୌଦ୍ରମୁଖୀ, କାଳରାତ୍ରିଃ, ତପସ୍ୱିନୀ, ନାରାୟଣୀ, ଭଦ୍ରକାଳୀ, ବିଷ୍ଣୁମାୟା, ଜଳୋଦରୀ, ଶିବଦୂତୀ, କରାଳୀ, ପରମେଶ୍ୱରୀ, କାତ୍ୟାୟନୀ, ସାବିତ୍ରୀ, ପ୍ରତ୍ୟକ୍ଷା ଓ ବ୍ରହ୍ମାବାଦିନୀ ।[୧୭][୧୮][୧୯]

ପ୍ରିୟ ରଙ୍ଗ ସମ୍ପାଦନା

ଦୁର୍ଗାଙ୍କ ପ୍ରିୟ ରଙ୍ଗ ଲାଲ। ଲାଲ ରଙ୍ଗ ସବୁଠୁ ପ୍ରଖର ଓ ଶକ୍ତି ସମନ୍ୱିତ।ମଙ୍ଗଳ ଗ୍ରହର ପ୍ରତିକ ଲାଲ।ଦେବ ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ ଚାଲୁଥିବା ବେଳେ ମଙ୍ଗଳ ଗ୍ରହ ଶକ୍ତିରୂପୀ ଦୁର୍ଗାଙ୍କୁ ସହଯୋଗ କରି ସଂହାରକ ଶକ୍ତି ପ୍ରଦାନ କରିଥିଲେ।ଦାନବଙ୍କୁ ନିରନ୍ତର ସଂହାରକରି ଦୁର୍ଗାଙ୍କ ଆଖି,ସୀମନ୍ତ,ବସ୍ତ୍ର,ଅସ୍ତ୍ରଶସ୍ତ୍ର ସବୁ ରକ୍ତରଞ୍ଜିତ ଅର୍ଥାତ ଲାଲ ରଙ୍ଗ ହେଇଯାଇଥିଲା। ଦେବୀଙ୍କୁ ଲାଲ ରଙ୍ଗର ବସ୍ତ୍ର, ରୋଲି, ଚନ୍ଦନ, ସିନ୍ଦୂର, ଲାଲ ଓଢ଼ଣୀ ଓ ଆଭୂଷଣ ଅର୍ପଣ କରାଯାଇଆସୁଛି। ନବରାତ୍ରି ଅବସରରେ ସର୍ବପ୍ରଥମେ ନବଦୁର୍ଗାଙ୍କୁ ଲାଲ ବସ୍ତ୍ର ଅର୍ପଣ କରାଯାଇଥାଏ। ପୂଜାର୍ଚ୍ଚନା ପୂର୍ବରୁ କଳସରେ ଲାଲ କପଡ଼ା ଉପରେ ନଡ଼ିଆ ରଖାଯାଏ। ପୂଜାର୍ଚ୍ଚନାର ସମସ୍ତ ସାମଗ୍ରୀ ଲାଲ୍। ପୂଜାନୁଷ୍ଠାନରେ ମଙ୍ଗଳ ଗ୍ରହଙ୍କ କୃପା ଓ ଅନୁକୁମ୍ପା ଲାଭ ପାଇଁ ଦେବୀଦୁର୍ଗାଙ୍କଠାରେ ଲାଲ ରଙ୍ଗ ଚଢାଯାଇଥାଏ।[୨୦]

ଶକ୍ତିପୀଠ ସମ୍ପାଦନା

ଶକ୍ତିଙ୍କୁ ମଧ୍ୟ ବିଦ୍ୟା କୁହାଯାଏ।ଶକ୍ତି ହେଉଛନ୍ତି ମୋକ୍ଷଦାୟିନୀ।ଦୁର୍ଗା ବା ପାର୍ବତୀଙ୍କର ୫୧ ଶକ୍ତିପୀଠ ପୁରାଣରେ ସ୍ୱୀକୃତ । କେତେକ ଶକ୍ତିପୀଠ ରହିଯାଇଛି ପାକିସ୍ତାନବାଂଲାଦେଶରେ । ପ୍ରଥମ ଶକ୍ତିପୀଠ ହିଙ୍ଗୁଳା ବା ହିଙ୍ଗଳାଜ ପାକିସ୍ତାନର କରାଚିରେ ଅବସ୍ଥିତ । ସେହି ପରି ସର୍କରରେ ଶକ୍ତିପୀଠ ପାକିସ୍ତାନର ସୁକ୍କର ଷ୍ଟେସନ ନିକଟରେ ଅବସ୍ତିତ । ସୁଗନ୍ଧ, ଛତ୍ରାଳ ଇତ୍ୟାଦି ଶକ୍ତିପୀଠ ବାଂଲାଦେଶର ଶିକାରପୁରରେ ଅବସ୍ତିତ। ଗୁହ୍ୟେଶ୍ୱରୀ ପୀଠ ନେପାଳରେ ଅବସ୍ତିତ । ପୁରାଣରେ ଏକାବନ ଶକ୍ତିପୀଠର ବିସ୍ତୃତ ବର୍ଣ୍ଣନା ରହିଛି।କେତେକ ପ୍ରମୁଖ ଶକ୍ତିପୀଠ ହେଲା-କିରୀଟ କାତ୍ୟାୟନୀ, କରବୀର, ଶ୍ରୀ ପର୍ବତ, ବିଶାଳାକ୍ଷୀ, ସୁଚିନ୍ଦ୍ରମ, ପଞ୍ଚସାଗର, ଜ୍ୱାଳାମୁଖୀ, ଭୈରବ ପର୍ବତ, ଅଟ୍ଟହାସ, ଜନସ୍ଥାନ, କାଶ୍ମୀର, ନନ୍ଦିପୁର, ଶ୍ରୀଶୈଳ, ନଳହଟୀ, ମିଥିଳା, ରତ୍ନାବଳୀ, ଅମ୍ବାଜୀ, ଜାଳନ୍ଧ୍ର, ରାମଗିରି, ହାର୍ଦ୍ଦ, ବକତ୍ରୋଶ୍ୱର, କନ୍ୟକାଶ୍ରମ କନ୍ୟାକୁମାରୀ, ବହୁଳା, ମଣିବେଦିକା, ବିରଜା, କାଞ୍ଚି, କାଳମାଧ୍ୱ, ଶୋଣ, କାମରୂପ କାମାକ୍ଷା, ଜୟନ୍ତୀ, ମଗଧ, ତ୍ରିସ୍ତୋତା, ତ୍ରିପୁରୀ ସୁନ୍ଦରୀ, ବିଭାସ, ଦେବୀକୂପ, ପୀଠକୁରୁକ୍ଷେତ୍ର, ଅମ୍ବିକା, କାଳୀ, ମାନସ, ଲଙ୍କା, ଗଣ୍ଡକୀ, ହିଙ୍ଗଳାଜ, ସୁଗନ୍ଧ, କରତ୍ୟୋୟଘାଟ, ଚଟ୍ଟଲ ଓ ଜଶରେଶ୍ୱରୀ ଶକ୍ତିପୀଠ।[୨୧][୨୨]

ମୁଖ୍ୟ ସିଦ୍ଧପୀଠ ସମ୍ପାଦନା

ଦୁର୍ଗାଙ୍କ ମୁଖ୍ୟ ପୀଠ ଭାବେ ଆଠଟି ସିଦ୍ଧପୀଠ ସ୍ୱୀକୃତ ଯାହା ଶକ୍ତିପୀଠଠାରୁ ଭିନ୍ନ । ଏହାହେଲା କାମରୂପ ବା କାମଗିରି, ପୂର୍ଣ୍ଣଗିରି, ଜାଳନ୍ଧର, ସଂହାରଗିରି, କୋଲ୍ହାଗିରି, ବିନ୍ଧ୍ୟଗିରି, କାମକୋଟି ଏବଂ ଉଡ୍ଡୀୟାନ ।

ଉଡ୍ଡୀୟାନ ପୀଠ ସମ୍ପାଦନା

କଳାହାଣ୍ଡିର ମାରାଗୁଡା ଶାକ୍ତବିହାର, ପୁରୁଷୋତ୍ତମ କ୍ଷେତ୍ରର ବିମଳା, ଯାଜପୁରର ବିରଜା, ସମ୍ବଲପୁରର ସମଲେଇ,ଝଙ୍କଡ଼ର ଶାରଳା, ଏକାମ୍ରକ୍ଷେତ୍ରର ଗୌରୀ ଏବଂ ପାର୍ବତୀଚାମୁଣ୍ଡା, ବାଙ୍କିର ଚର୍ଚ୍ଚିକା ଏପରି ଅସଂଖ୍ୟ ରୂପରେ ମା’ ଆବିଭୂତା । ରୁଦ୍ରଯାମଳତନ୍ତ୍ର, କୁଳାର୍ଣ୍ଣବତନ୍ତ୍ର ଓ ଜ୍ଞାନାର୍ଣ୍ଣବ ତନ୍ତ୍ରରେ ଉତ୍କଳ ଉଡ୍ଡୀୟାନ ପୀଠ ଭାବେ ପ୍ରତିଷ୍ଠିତ।ପୁନଶ୍ଚ ସପ୍ତମାତୃକା, ଦଶମହାବିଦ୍ୟା, ତଥା ଯୋଗିନୀ ଉପାସନାରେ ଓଡ଼ିଶାର ପୂର୍ଣାବୟବ ଶାକ୍ତଉପାସନା ପରିପ୍ରକାଶ ହୋଇଛି।ହୀରାପୁର ତଥା ରାଣୀପୁର ଝରିଆଲରେ ରହିଛି । ଚଉଷଠି ଯୋଗିନୀଙ୍କର ବୃତ୍ତାକାର ଉପାସନା ପୀଠ ।[୨୩][୨୪]

ଅଧିକ ପଠନ ସମ୍ପାଦନା

ଆଧାର ସମ୍ପାଦନା

  1. Encyclopedia Britannica 2015.
  2. ୨.୦ ୨.୧ David R Kinsley 1989, pp. 3–4.
  3. Charles Phillips, Michael Kerrigan & David Gould 2011, pp. 93–94.
  4. Paul Reid-Bowen 2012, pp. 212–213.
  5. Laura Amazzone 2012, pp. 3–5.
  6. ସମୟ ସାପ୍ତାହିକ , ଅକ୍ତୋବର ୨୦୧୧
  7. ପଣ୍ଡିତ ନୀଳମଣି ମିଶ୍ର, ବାମନ ପୁରାଣ କଥା, ପୃଷ୍ଠା-୪୯
  8. ପଣ୍ଡିତ ନୀଳମଣି ମିଶ୍ର, ମାର୍କଣ୍ଡେୟ ପୁରାଣ କଥା, ପୃଷ୍ଠା-୧୨୮-୧୨୯
  9. http://www.theholidayspot.com/durgapuja/akalbodhan.htm
  10. ବ୍ରହ୍ମଚାରୀ ସତ୍ୟଚୈତନ୍ୟ, ସୂର୍ଯ୍ୟପ୍ରଭା, ପୃଷ୍ଠା-୯, ଅକ୍ଟୋବର ୨୨, ୨୦୧୨
  11. ପଣ୍ଡିତ ନୀଳମଣି ମିଶ୍ର, ମାର୍କଣ୍ଡେୟ ପୁରାଣ କଥା, ପୃଷ୍ଠା-୧୪୬-୧୪୭
  12. ସୁଶାନ୍ତ କୁମାର ସ୍ୱାଇଁ, ସୂର୍ଯ୍ୟପ୍ରଭା, ପୃଷ୍ଠା-୧୦, ଅକ୍ଟୋବର ୪, ୨୦୧୧
  13. "ଆର୍କାଇଭ୍ କପି". Archived from the original on 2012-08-22. Retrieved 2012-09-08. {{cite web}}: Cite has empty unknown parameter: |1= (help)
  14. http://www.kamakotimandali.com/blog/index.php?p=102&more=1&c=1&tb=1&pb=1/
  15. ବିନୋଦ ମହାରଣା, ଧରିତ୍ରୀ, ୦୭-୧୦-୨୦୦୮, ପୃଷ୍ଠା: ୦୮
  16. "ଆର୍କାଇଭ୍ କପି". Archived from the original on 2012-09-06. Retrieved 2012-09-08. {{cite web}}: Cite has empty unknown parameter: |1= (help)
  17. http://www.theholidayspot.com/durgapuja/names.htm
  18. http://www.maavaishnavi.com/2012/05/26/108-sacred-names-of-maa-durga/
  19. http://www.stutimandal.com/gif_devi/durga_shatnaam.htm
  20. http://hindupad.com/durga-navratri/9-colours-of-durga-navratri/
  21. https://www.maavaishnavi.com/51-shakti-peethas-of-maa-durga-maa-sati-dakshayani/
  22. http://www.shaktipeethas.org/panchasat/topic6.html[permanent dead link]
  23. Mohan Lal (1 January 2006). The Encyclopaedia Of Indian Literature (Volume Five (Sasay To Zorgot). Sahitya Akademi. pp. 4294–. ISBN 978-81-260-1221-3. Retrieved 24 October 2012.
  24. http://www.orissa.gov.in/e-magazine/Orissareview/june2006/engpdf/91-95.pdf

ଅଧିକ ତଥ୍ୟ ସମ୍ପାଦନା