ତନ୍ଦୁର୍

ମାଟି ଚୁଲା

ତନ୍ଦୁର ବା ତନ୍ଦୂର ଏକ ସିଲିଣ୍ଡରାକୃତି ମାଟି ବା ଧାତୁରେ ନିର୍ମିତ ଭାଟି ଚୁଲି । ଏହାକୁ ତନ୍ନୁର୍ତନ୍ଦୁରୁ ବୋଲି ମଧ୍ୟ କୁହାଯାଏ । ତନ୍ଦୁର ମୁଖ୍ୟତଃ ଦକ୍ଷିଣ, ମଧ୍ୟ ଓ ପଶ୍ଚିମ ଏସିଆ[୧] ତଥା ଦକ୍ଷିଣ କକେସସରେ[୨] ରାନ୍ଧିବା ପାଇଁ ବ୍ୟବହୃତ ହୋଇଥାଏ । ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ବିବରଣୀ ଅନୁଯାୟୀ ଏହା ପାଉଁରୁଟି ତିଆରି କରାଯିବା ଚୁଲ୍ଲୀ ବା ଭାଟି ।

ଉପର - ସେରାମିକ୍ ନିର୍ମିତ ଆଧୁନିକ କାଠ ତନ୍ଦୁର ଓ ତଳ – ଇସ୍ପାତ ଘୋଡ଼ଣିବିଶିଷ୍ଟ କୋଇଲା ତନ୍ଦୁର

ତନ୍ଦୁର ମଧ୍ୟରେ କାଠ ବା କୋଇଲା ଜଳାଇ ରଖାଯାଏ । ଜଳୁଥିବା ଇନ୍ଧନ ତନ୍ଦୁର ମଧ୍ୟରେ ଉଚ୍ଚ ତାପ ସୃଷ୍ଟି କରିଥାଏ । ତାପ ବିକିରଣ ଓ ତାପ ପରିବହନ ପଦ୍ଧତିର ଉପଯୋଗ କରି ତନ୍ଦୁରରେ କଞ୍ଚା ଖାଦ୍ୟ ପଦାର୍ଥ ସିଝାଯାଇଥାଏ । କଞ୍ଚା ଖାଦ୍ୟରୁ ବିଭିନ୍ନ ରସ ଓ ତୈଳ ଜାତୀୟ ସ୍ନେହସାର ଚୁଲି ତଳେ ଥିବା କାଠ ବା କୋଇଲା ଉପରେ ପଡ଼ିଥାଏ ।[୨] ତନ୍ଦୁରର ଆଭ୍ୟନ୍ତରୀଣ ତାପମାତ୍ରା ୪୦୦° ସେଲସିୟସ୍ (୯୦୦° କେଲ୍‍ଭିନ୍) ପର୍ଯ୍ୟନ୍ତ ପହଞ୍ଚିଯାଏ । ଲମ୍ବା ସମୟ ପାଇଁ ଅତ୍ୟଧିକ ତାପମାତ୍ରା ବଜାୟ ରଖିବା ପାଇଁ ତନ୍ଦୁର ଚୁଲିର ଜାଳେଣୀ ଅଧିକ ସମୟ ପାଇଁ ଅଗ୍ନି ସଂଯୁକ୍ତ ହୋଇ ରହିଥାଏ । ତନ୍ଦୁରର ଢାଞ୍ଚା ପାରମ୍ପରିକ ମାଟି ଚୁଲା ଓ ଇଟା ଭାଟିର ମିଳିତ ବା ମଧ୍ୟବର୍ତ୍ତୀ ଢାଞ୍ଚା । ମୁଖ୍ୟତଃ ଭୋଜନାଳୟମାନଙ୍କରେ ତନ୍ଦୁର ନିର୍ମିତ ଓ ବ୍ୟବହୃତ ହୋଇଥାଏ ; ତେବେ ଆଜିକାଲି ଘରମାନଙ୍କରେ ମଧ୍ୟ କ୍ଷୁଦ୍ର ବୈଦ୍ୟୁତିକ ତନ୍ଦୁର ଚୁଲି ବ୍ୟବହୃତ ହେବାର ଦେଖାଯାଏ ।

ନାମକରଣ ସମ୍ପାଦନା

 
ମାଟି ପାତ୍ର ଓ ତନ୍ଦୁର

ହିନ୍ଦୀ ଶବ୍ଦ तन्दूर ଓ ଉର୍ଦ୍ଦୁ ଭାଷାର ଶବ୍ଦ تندور ଏହି ତନ୍ଦୁର ଶବ୍ଦକୁ ଅନ୍ୟ ବହୁ ଭାଷାରେ ଲୋକପ୍ରିୟ କରାଇଛନ୍ତି । ପାରସିକ ଶବ୍ଦ ତନୁର ହେଉଛି ମୂଳ ଶବ୍ଦ ଓ ତନୁର୍‍ର ଅର୍ଥ ହେଲା ମାଟି ଚୁଲି ବା ମାଟିର ଭାଟି । ଦେଖୋଦା ପାରସିକ ଭାଷାକୋଷ ଅନୁସାରେ ପାରସ୍ୟ ଶବ୍ଦ ତନୁର୍ ପ୍ରାଚୀନ ଅକ୍କାଡୀୟ ଭାଷାର ଶବ୍ଦ ତିନୁରୁ (𒋾𒂟)ରୁ ଉଦ୍ଧୃତ । ଏହି ଶବ୍ଦ ତିନୁରୁରେ ବ୍ୟବହୃତ ତିନ ମାଟି ବା କାଦୁଅକୁ ବୁଝାଏ ଏବଂ ନୁର ଶବ୍ଦଟି ନିଆଁକୁ ବୁଝାଇଥାଏ । ଏହି ସମସ୍ତ ଶବ୍ଦ ବହୁ ପ୍ରାଚୀନ ଗିଲ୍‍ଗାମେଶ କିମ୍ବଦନ୍ତୀରେ ଉଲ୍ଲିଖିତ । ଅୱେସ୍ତା ଭାଷାରେ ମଧ୍ୟ ତନୁରା ଓ ମଧ୍ୟ-ପାରସ୍ୟ ଭାଷାରେ ତନୁର୍ ଶବ୍ଦର ବ୍ୟବହାର ରହିଛି । ଏହି ଦୃଷ୍ଟିରୁ ତନ୍ଦୁର ଶବ୍ଦଟି ଶାମି ଭାଷାମାନଙ୍କରୁ ସୃଷ୍ଟି ହୋଇଛି ।[୩][୪]

ଅନ୍ୟ ବିଭିନ୍ନ ଭାଷାରେ ତନ୍ଦୁର ସହିତ ସାମଞ୍ଜସ୍ୟ ଥିବା ଶବ୍ଦମାନ ରହିଛି । ଉଦାହରଣ ସ୍ୱରୂପ: ଦରୀ ପାରସ୍ୟ ଶବ୍ଦ ତନ୍ଦୁର ଓ ତନ୍ନୁର, ଆରବୀୟ ଶବ୍ଦ ତନ୍ନୁର (تنّور), ଆର୍ମେନୀୟ ଶବ୍ଦ ତୋନିର (Թոնիր), ଏସିରୀୟ ଶବ୍ଦ ତନୁରା (ܬܢܘܪܐ), ଆଜେରବାଇଜାନୀ ଶବ୍ଦ ତନ୍ଦିର, ଜର୍ଜୀୟ ଶବ୍ଦ ତୋନ୍ (თონე), ହିବ୍ରୁ ଶବ୍ଦ ତନୁର୍ (תנור)[୫], କୁର୍ଦ୍ଦିଶ୍ ଶବ୍ଦ ତେନୁର୍, ତୁର୍କୀ ଶବ୍ଦ ତନ୍ଦିର, ତୁର୍କମେନୀ ଶବ୍ଦ ତମ୍‍ଦିର୍, ଉଜବେକି ଶବ୍ଦ ତନ୍ଦିର ।

ଉପଯୋଗ ପଦ୍ଧତି ସମ୍ପାଦନା

 
କୋଇଲା ଜାଳେଣୀ ରୂପେ ବ୍ୟବହୃତ ହେଉଥିବା ଓ ପାଉଁଶ ସଂଗ୍ରାହକ ତଥା ତାପମାନଯନ୍ତ୍ର ସଂଯୁକ୍ତ ହୋଇଥିବା ତନ୍ଦୁର

ପ୍ରଥମ ଥର ପାଇଁ ବ୍ୟବହୃତ ହେଉଥିବା ତନ୍ଦୁରକୁ ଧୀରେ ଧୀରେ ଗରମ କରାଯାଏ ଓ ତାହାର ଆଭ୍ୟନ୍ତରୀଣ ତାପମାତ୍ରା ବଢ଼ାଯାଏ । ଏହାଦ୍ୱାରା ତନ୍ଦୁରର ସମସ୍ତ କାନ୍ଥ ଠିକ୍ ଭାବେ ତାପ ପାଇବା ଏବଂ ଲମ୍ବା ସମୟ ସକ୍ରିୟ ରହିବା ପାଇଁ ଏପରି କରିବା ଅତ୍ୟନ୍ତ ଆବଶ୍ୟକ । ତେଣୁ ପ୍ରଥମେ ଅଳ୍ପ ଜାଳେଣୀ ଜଳାଇ ଓ କ୍ରମଶଃ ଜାଳେଣୀର ମାତ୍ରା ବଢ଼ାଇ ତନ୍ଦୁରର ଅଭ୍ୟନ୍ତରରେ ଉତ୍ତାପ ବଢ଼ାଯାଏ । ସାଧାରଣତଃ ପ୍ରାରମ୍ଭିକ ସମୟରେ ତନ୍ଦୁରର କାନ୍ଥରେ କିଛି ପତଳା ଫାଟ ସୃଷ୍ଟି ହୋଇଥାଏ । ତନ୍ଦୁରର ତାପ ଧାରଣ କ୍ଷମତା ଓ କାର୍ଯ୍ୟକାରିତା ଉପରେ ଏହି ଫାଟ ବେଶୀ ପ୍ରଭାବ ପକାଇନଥାଏ । ତନ୍ଦୁର ଥଣ୍ଡା ହେବା ପରେ ଏହି ସରୁ ଫାଟ ଆଉ ଦେଖାଯାଇନଥାଏ । ତାପଜନିତ ପ୍ରସାରଣ ଓ ସଂକୁଚନ ସମୟରେ ତନ୍ଦୁରର ମାଟି କାନ୍ଥ ମଧ୍ୟ ଦେଇ ବାୟୁ ଗମନାଗମନ ପାଇଁ ଏହି ଫାଟ ସାହାଯ୍ୟ କରେ । ପ୍ରାରମ୍ଭିକ ସମୟରେ ଯେତେ କମ୍ ହାରରେ ତନ୍ଦୁର ମଧ୍ୟର ତାପମାତ୍ରା ବଢ଼ାଯିବ, ତନ୍ଦୁରର କାନ୍ଥରେ ସେତେ କମ୍ ପତଳା ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଥାଏ ।[୬]

ବିଭିନ୍ନ ପ୍ରକାରର ତନ୍ଦୁର ସମ୍ପାଦନା

ଆଫଗାନି ତନ୍ଦୁର ସମ୍ପାଦନା

ଆଫଗାନି ତନ୍ଦୁର ଭୂମି ଉପରେ ଏବଂ ଇଟାଦ୍ୱାରା ନିର୍ମିତ ।

ପଞ୍ଜାବୀ ତନ୍ଦୁର ସମ୍ପାଦନା

 
ଏକ ପାକିସ୍ତାନୀ ତନ୍ଦୁର

ଭାରତୀୟ ଉପମହାଦେଶର ପଞ୍ଜାବୀ ତନ୍ଦୁର ପାରମ୍ପରିକ ରୂପେ ମାଟିରେ ତିଆରି ଓ ଏହାର ଆକାର ଘଣ୍ଟା ପରି । କାଠ ବା କୋଇଲା ଜାଳେଣୀ ବ୍ୟବହାର କରି ମାଟି ତଳେ ବା ମାଟି ଉପରେ ନିର୍ମିତ ହୋଇପାରୁଥିବା ଏହି ତନ୍ଦୁରର ଅଭ୍ୟନ୍ତରର ତାପମାତ୍ରା ପ୍ରାୟ ୪୮୦ ଡିଗ୍ରୀ ସେଲସିୟସ୍ ରଖାଯାଏ ।[୭] ଅବିଭକ୍ତ ପଞ୍ଜାବ ଅଞ୍ଚଳରୁ ସୃଷ୍ଟ ପଞ୍ଜାବୀ ରାନ୍ଧଣାରେ ତନ୍ଦୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।[୮]

ଭାରତପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଖାଦ୍ୟ ପାରମ୍ପରିକ ଭାବେ ତନ୍ଦୁରରେ ପ୍ରସ୍ତୁତ ହୋଇ ଆସୁଛି ।[୯] ପଞ୍ଜାବୀମାନେ ଏହି ତନ୍ଦୁର ରାନ୍ଧଣାକୁ ନିଜ ଅଞ୍ଚଳରେ ସୀମିତ କରି ରଖିଥିଲେ ।[୧୦] ୧୯୪୭ ମସିହାରେ ଭାରତର ବିଭାଜନ ପରେ ପଞ୍ଜାବୀ ହିନ୍ଦୁ ଓ ଶିଖ ଲୋକମାନେ ଦିଲ୍ଲୀ ଓ ଭାରତର ଅନ୍ୟାନ୍ୟ ଅଞ୍ଚଳକୁ ସ୍ଥାନାନ୍ତରିତ ହେଲେ ।[୧୧] ପଞ୍ଜାବର ଗ୍ରାମମାନଙ୍କରେ ସାମୁହିକ ତନ୍ଦୁର ନିର୍ମିତ ଓ ବ୍ୟବହୃତ ହେବା ଏକ ସାଧାରଣ କଥା ଥିଲା ।[୮] କିଛି ଗ୍ରାମରେ[୧୨] ବର୍ତ୍ତମାନ ସୁଦ୍ଧା ସାମୁହିକ ତନ୍ଦୁର ରହିଛି ଏବଂ ୧୯୪୭ ପୂର୍ବରୁ ଏପରି ବ୍ୟବସ୍ଥା ପଞ୍ଜାବର ଅଧିକାଂଶ ଭାଗରେ ଦେଖାଯାଉଥିଲା ।[୧୩]

ଆର୍ମେନୀୟ ତୋନିର ସମ୍ପାଦନା

ପୁରାତନ ଯୁଗରେ ପୃଥିବୀ ପୃଷ୍ଠ ଉପରେ ସୂର୍ଯ୍ୟଙ୍କ ସଙ୍କେତ ଭାବେ ଆର୍ମେନୀୟ ଲୋକେ ତୋନିରକୁ ପୂଜା କରୁଥିଲେ । ସୂର୍ଯ୍ୟ ଜଣେ ମୁଖ୍ୟ ଦେବତା ରୂପେ ପରିଗଣିତ ହେଉଥିଲେ ଓ ସୂର୍ଯ୍ୟାସ୍ତ (ସୂର୍ଯ୍ୟ ଭୂମିକୁ ପ୍ରବେଶ କରି ଅସ୍ତ ହେବା) ଉପମାକୁ ଆଖି ଆଗରେ ରଖି ତୋନିରମାନ ନିର୍ମାଣ କରାଯାଉଥିଲା । ଏହି ଭୂତଳ ତୋନିର ମାଟିରେ ନିର୍ମିତ ହେଉଥିଲା । ଆର୍ମେନୀୟ ରାନ୍ଧଣାରେ ଏହି ତୋନିର ଏକ ଆବଶ୍ୟକୀୟ ଉପକରଣ ଏବଂ ଏହା ଏହାକୁ ଭାଟି, ଚୁଲି ଓ ଗରମ କରିବା ପାଇଁ ବ୍ୟବହାର କରାଯାଏ । ଭୂତଳ ତୋନିରରୁ ଆର୍ମେନୀୟମାନେ ଉତ୍ପନ୍ନ ହୋଇଥିଲେ ବୋଲି ବିଶ୍ୱାସ ରହିଛି ।[୧୪]

ଆଜେରବାଇଜାନୀ ତନ୍ଦିର ସମ୍ପାଦନା

 
ଆଜେରବାଇଜାନୀ ତନ୍ଦିର

ପ୍ରାଚୀନ କାଳରେ ଲୋକେ ରୁଟି ବା ପାଉଁରୁଟି ଓ ଅନ୍ୟ ବ୍ୟଞ୍ଜନ ରାନ୍ଧିବା ପାଇଁ ତନ୍ଦିର ବ୍ୟବହାର କରୁଥିଲେ ।[୧୫]

ତନ୍ଦିର ରୁଟି ସମଗ୍ର ଆଜେରବାଇଜାନରେ ଖିଆଯାଏ । ତନ୍ଦିରର କାନ୍ଥରୁ ବାହାରୁଥିବା ତାପରେ ତନ୍ଦିର ରୁଟି ସେକାଯାଏ ଓ ଏପରି ପ୍ରସ୍ତୁତିରେ ଅଳ୍ପ ସମୟରେ ରୁଟି ପ୍ରସ୍ତୁତ ହୋଇଯାଇଥାଏ ।[୧୬][୧୭]

୨୦୧୫ ମସିହାରେ ଆଜେରବାଇଜାନର ଆସ୍ତାରା ସହରରେ ଏକ ବୃହତ୍ ତନ୍ଦିର ନିର୍ମିତ ହୋଇଥିଲା । ଏହି ତନ୍ଦିରର ଉଚ୍ଚତା ୬.୫ ମିଟର୍ ଥିଲା ଓ ଏହାର ଗୋଲେଇର ବ୍ୟାସ ୧୨ ମିଟର୍ ଥିଲା । ଏହି ତନ୍ଦିରର ଶରୀର ତିନି ଭାଗରେ ବିଭକ୍ତ ହୋଇଥିଲା ।[୧୮]

ତୁର୍କମେନୀ ତମ୍‍ଦିର୍ ସମ୍ପାଦନା

 
ତୁର୍କମେନୀ ତମ୍‍ଦିରରେ କୋରେକ୍ ଓ ସୋମସା ପ୍ରସ୍ତୁତି

ତୁର୍କମେନିସ୍ତାନର ପାରମ୍ପରିକ ଭୋଜିରେ କୋରେକ୍ ନାମକ ଏକ ରୁଟି ପ୍ରସ୍ତୁତ କରିବାର ପ୍ରଥା ରହିଛି । ତମ୍‍ଦିର୍ ନାମକ ଏକ ପାରମ୍ପରିକ ମାଟି ଭାଟିରେ ଏହି ରୁଟି ପ୍ରସ୍ତୁତ କରାଯାଇଥାଏ ।[୧୯]

ଗ୍ରାମାଞ୍ଚଳରେ ରହୁଥିବା ଅଧିକାଂଶ ତୁର୍କମେନ୍ ଘରେ ତମ୍‍ଦିର୍ ରହିଥାଏ । ବେଳେବେଳେ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଗ୍ରାମର ସବୁ ପରିବାର ପାଇଁ ରୁଟି ତିଆରି କରିଥାନ୍ତି । ତୁର୍କମେନିସ୍ତାନରେ ଛୁଟି ଦିନମାନଙ୍କରେ ମାଂସ ମିଶା ଏକ ରୁଟି ଅଧିକ ପ୍ରସ୍ତୁତ ହୁଏ ଯାହାକୁ ଏଟ୍‍ଲି କୋରେକ୍ କୁହନ୍ତି । ତୁର୍କମେନୀ ଲୋକେ ତମ୍‍ଦିର୍ ସହାୟତାରେ ରୁଟି ବ୍ୟତୀତ ଆହୁରି ଅନେକ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ତନ୍ମଧ୍ୟରୁ ସୋମ୍‍ସା ଅନ୍ୟତମ ଯାହା ଗୋରୁମାଂସର ପୁର ଥିବା ଏକ ପିଠା ପରି । ତମ୍‍ଦିର୍‍କୁ ରନ୍ଧନଯୋଗ୍ୟ କରିବା ପାଇଁ ଏହାର ଅଭ୍ୟନ୍ତରରେ ଅଗ୍ନି ସଂଯୋଗ କରାଯାଏ । ରୁଟି ପ୍ରସ୍ତୁତକାରୀ ତମ୍‍ଦିର୍ ଅଭ୍ୟନ୍ତର କାନ୍ଥର ରଙ୍ଗ ଉପରେ ଦୃଷ୍ଟି ରଖିଥାଏ । କାନ୍ଥର ରଙ୍ଗ ଧଳା ହେବାକୁ ଲାଗିଲେ ତମ୍‍ଦିର୍ ଭିତରେ ଥିବା ଗାତରେ ପାଉଁଶଗୁଡ଼ିକୁ ଠେଲି ଦେଇ ଗାତଟି ବନ୍ଦ କରିଦିଆଯାଏ ।[୨୦] ତୁର୍କମେନୀ ରୁଟିରେ ଜୀରା, ଡାଲଚିନି, ଜାଇତୁନ୍, ସୋରିଷ, ସୂର୍ଯ୍ୟମୁଖୀ ଫୁଲର ମଞ୍ଜି ଓ ଅନେକ ମସଲା ମଧ୍ୟ ମିଶାଯାଇଥାଏ ।[୨୧] ରୁଟିଗୁଡ଼ିକୁ ତମ୍‍ଦିର୍ କାନ୍ଥରେ ଯତ୍ନର ସହିତ ଲଗାଯାଏ ଯେପରିକି ଏହାର ଆକାର ଖରାପ ନହୁଏ ଓ ଏହା କାନ୍ଥରେ ଭଲ ଭାବେ ଲାଗି ରହେ ।[୨୨]

ତନ୍ଦୁରରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସମ୍ପାଦନା

 
ଆଧୁନିକ ୟେମେନୀ ତନ୍ନୁର ଚଟକା ମୁଲାୱା ରୁଟି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ
 
ଆର୍ମେନିଆର ତୋନିରରେ କୁକୁଡ଼ା ଡେଣା, ପିଆଜ, ଆଳୁ ଓ ଘୁଷୁରୀ ଚର୍ବି ରନ୍ଧା ଯାଉଥିବା ଚିତ୍ର

ତନ୍ଦୁରୀ ରୁଟି, ତନ୍ଦୁରୀ ନାନ୍, ତନ୍ଦୁରୀ ଲଚ୍ଛା ପରଟା, ତନ୍ଦୁରୀ କୁଲ୍‍ଚା ଓ ମିଶି ରୁଟି ପରି ବିଭିନ୍ନ ପ୍ରକାରର ଚଟକା ରୁଟି ତିଆରି କରିବା ପାଇଁ ତନ୍ଦୁର ବ୍ୟବହୃତ ହୁଏ । ଭଜା ହୋଇଥିବା କାଜୁ, ଛେନାର ବଟା ସହିତ ମସଲାଯୁକ୍ତ କ୍ରିମ୍ ମିଶାଇ ତନ୍ଦୁର ଭିତରେ ରଖି ପେଶାୱରୀ ଖାର ପ୍ରସ୍ତୁତ କରାଯାଏ । ଆଳୁରେ ଛେନା, ପନିପରିବା, କାଜୁ ଇତ୍ୟାଦିର ପୁର ଦିଆଯାଇ ତନ୍ଦୁର ମଧ୍ୟରେ ସିଝାଇ ବଲୋଚ ଓ ଆଳୁ ପ୍ରସ୍ତୁତ ହୋଇଥାଏ ।

ଭାରତୀୟ ଉପମହାଦେଶର ପଞ୍ଜାବ ଅଞ୍ଚଳରେ ତନ୍ଦୁର ମଧ୍ୟରେ ମସଲା ଲେପାଯାଇଥିବା କୁକୁଡ଼ା ମାଂସକୁ ସିଝାଇ ତନ୍ଦୁରୀ କୁକୁଡ଼ା ପ୍ରସ୍ତୁତ କରାଯାଏ ।[୨୩][୨୪] ପ୍ରଥମେ ଦହି, ଗରମ ମସଲା, ରସୁଣ, ଅଦା, ଜୀରା, ଲାଲ ମରିଚ, ଲାଲ ମରିଚ ଗୁଣ୍ଡ ଓ ଅନ୍ୟ କିଛି ମସଲାର ବଟାରେ କୁକୁଡ଼ା ମାଂସକୁ ଲେପି ଦିଆଯାଏ । ଅଧିକ ରାଗ ପାଇଁ ମରିଚ ଓ ମରିଚ ଗୁଣ୍ଡର ମାତ୍ରା ଅଧିକ ରଖାଯାଏ । ଅଳ୍ପ ରାଗ ପାଇଁ ମାତ୍ରା କମ୍ କରି ମାଂସ ଲାଲ୍ ଦେଖାଯିବା ପାଇଁ ଖାଦ୍ୟରେ ରଙ୍ଗ ମିଶାଯାଏ ।[୨୫] ହଳଦି ଯୋଗୁଁ ଏହି ବଟା ମସଲାରେ ହଳଦିଆ ଦିଶେ । ଏହି ମସଲା ଲେପା ମାଂସକୁ ଉଚ୍ଚ ତାପମାନରେ ତନ୍ଦୁର ମଧ୍ୟରେ ରନ୍ଧାଯାଏ ।

କୁକୁଡ଼ା ଟିକ୍କା (ଉର୍ଦ୍ଦୁ ଭାଷାରେمرغ تکہ ; ହିନ୍ଦୀ ଭାଷାରେ मुर्ग़ टिक्का) ଏକ ମୋଗଲ ରାନ୍ଧଣା ।[୨୬][୨୭] ହାଡ଼ବିହିନ ଛୋଟ ଛୋଟ କୁକୁଡ଼ା ମାଂସ ଖଣ୍ଡକୁ ପ୍ରଥମେ ମସଲା ଓ ଦହିର ଲେପ ଦିଆଯାଏ ଓ ତାହା ପରେ ଏକ ବାଡ଼ିରେ ଗୁନ୍ଥି ତନ୍ଦୁର ମଧ୍ୟରେ ସିଝାଇ ପ୍ରସ୍ତୁତ କରାଯାଏ । ପ୍ରସ୍ତୁତ ହୋଇସାରିବା ପରେ ଏହାକୁ ସାଗୁଆ ରଙ୍ଗର ଧନିଆ ବା ପୋଦିନା ଚଟଣି ସହିତ ଖିଆଯାଏ । ଏହି ଟିକ୍କାକୁ କୁକୁଡ଼ା ଟିକ୍କା ମସଲା ନାମକ ଆଉ ଏକ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରାଯାଏ ।

ଭାରତୀୟ ଉପମହାଦେଶରେ ବହୁ ପ୍ରଚଳିତ ଆଉ ଏକ ତନ୍ଦୁର ରାନ୍ଧଣାର ନାମ ତଙ୍ଗଡ଼ି କବାବ । କୁକୁଡ଼ାର ଗୋଡ଼ମାନଙ୍କୁ ଦହି ଓ ମସଲାରେ ଗୋଳାଇ ମସଲା ଭିତରକୁ ଜରିବା ପାଇଁ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରଖାଯାଏ ଓ ତା’ ପରେ ତନ୍ଦୁରରେ ରନ୍ଧାଯାଏ । ପ୍ରସ୍ତୁତ ହୋଇସାରିବା ପରେ ପୋଦିନା ପତ୍ର, ପତଳା କଟା ଯାଇଥିବା ପିଆଜ ଓ ଲେମ୍ବୁ ସହିତ ଏହାକୁ ବଢ଼ାଯାଏ ।

ପିରାମିଡ଼୍ ଆକୃତିର ସିଙ୍ଗଡ଼ା ବା ସମୋସା ଏକ ଲୋକପ୍ରିୟ ଖାଦ୍ୟ । ଛଣା କିମ୍ବା ସେକା ଖୋଳ ମଧ୍ୟରେ ଛୋଟ ଛୋଟ କଟାଯାଇଥିବା ପରନିପରିବା, ମାଂସର ପୁର ରହିଥାଏ । ଏହି ସିଙ୍ଗଡ଼ାର ଆକାର ଓ ଏହାର ବାହ୍ୟ ଖୋଳର ଉପାଦାନ ସ୍ଥାନାନୁସାରେ ଭିନ୍ନ ଭିନ୍ନ ହୋଇପାରେ । ମଧ୍ୟ ଏସିଆର କାଜାଖ୍‍ସ୍ତାନ, କିର୍‍ଗିଜ୍‍ସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନ ଇତ୍ୟାଦି ଦେଶରେ ସିଙ୍ଗଡ଼ାଗୁଡ଼ିକୁ ତନ୍ଦୁରରେ ସେକି ପ୍ରସ୍ତୁତ କରାଯାଏ । କିନ୍ତୁ ଅନ୍ୟ ସ୍ଥାନରେ ଏହାକୁ ତେଲରେ ଛାଣି ତିଆରି କରାଯାଏ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Raichlen, Steven (10 May 2011). "A Tandoor Oven Brings India's Heat to the Backyard". The New York Times.
  2. ୨.୦ ୨.୧ Raichlen, Steven (10 May 2011). "A Tandoori Oven brings India's heat to the backyard". New York Times. Retrieved 9 May 2011.
  3. Monier-Williams, Monier (1872). A Sanskrit-English Dictionary: ...with Special Reference to Greek, Latin, Gothic, German, Anglo-saxon... (in ଇଂରାଜୀ). Clarendon. p. 201.
  4. Achaya K. T. "Indian Food Tradition A Historical Companion". Retrieved 2019-02-06.
  5. "Leviticus 2:4".
  6. "USER GUIDE". luxury-tandoors.com.
  7. "Tandoori Chicken". vahrehvah.com.
  8. ୮.୦ ୮.୧ "Gurmukhi Book - Alop Ho Reha Virsa; Pure". apnaorg.com.
  9. [୧] The Rough Guide to Rajasthan, Delhi and Agra By Daniel Jacobs, Gavin Thomas
  10. "What is Mughalai Cuisine?". Archived from the original on 10 ଅକ୍ଟୋବର 2013.
  11. Raichlen, Steven (10 May 2011). "A Tandoor Oven Brings India's Heat to the Backyard". The New York Times. Retrieved 17 January 2015.
  12. Pind Diyan Gallian PTC Channel - Bilga (Jalandhar) has a communal Tandoor also known as tadoor in Punjabi
  13. "specialities Punjabi cuisine". shvoong.com. Archived from the original on 2016-09-14. Retrieved 2015-07-18.
  14. "Armenian symbol of the Sun in the ground". narinnamkn.wordpress.com. 28 December 2013. Archived from the original on 4 January 2017. Retrieved 10 November 2015.
  15. "Life on Earth's biggest pressure cooker". BBC.
  16. "What is Tandyr or how traditional bread is baked in Baku". travelphotoreport.com. 27 March 2012.
  17. "Tendir Choreyi Azerbaijan Recipe". geniuskitchen.com.
  18. "Azerbaijan to build the world`s biggest tandoor". en.azvision.az (in ଇଂରାଜୀ). Retrieved 2019-09-02.
  19. Nuriev, Ahmetjan (2005). "Bread baking is an ancient ritual in Turkmenistan". Turkmenistan, The analytic illustrated magazine: 80–83.
  20. Nuriev, Ahmetjan (2005). "Bread baking is an ancient ritual in Turkmenistan". Turkmenistan, The analytic illustrated magazine: 80–83.
  21. Zarembo, Vladimir. "Tamdyr in the yard - peace on Earth (in Russian)". Orient. Archived from the original on 2020-01-02. Retrieved 2020-11-03.
  22. Zarembo, Vladimir. "Tamdyr in the yard - peace on Earth (in Russian)". Orient. Archived from the original on 2020-01-02. Retrieved 2020-11-03.
  23. "Metro Plus Delhi / Food : A plateful of grain". Chennai, India: The Hindu. 24 November 2008. Retrieved 7 May 2009.
  24. "Where does biryani come from?". Hindustan Times. Archived from the original on 24 ଜୁନ 2016.
  25. For instance, see the recipe in Madhur Jaffrey's Indian Cookery pp66-69
  26. "Chicken Tikka Recipe, How To Make Chicken Tikka At Home - Indian Tandori Chicken". Indian Food Forever.
  27. "Chicken Tikka Masala". khanakhazana.com.

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା