ଡନ୍ ଷ୍ଟିଫେନ୍ ସେନାନାୟକେ

ଡନ୍ ଷ୍ଟିଫେନ୍ ସେନାନାୟକେ ବା ଡି. ଏସ୍. ସେନାନାୟକେ (ସିଂହଳୀ: දොන් ස්ටීවන් ; ତାମିଲ୍: டி. எஸ். சேனநாயக்கா;୨୧ ଅକ୍ଟୋବର ୧୮୮୩ -୨୨ ମାର୍ଚ୍ଚ ୧୯୫୨) ଶ୍ରୀଲଙ୍କା ବା ତତକାଳୀନ ସିଲୋନର ଜନେ ରାଜନୈତିକ ନେତା ଥିଲେ । ଶ୍ରୀଲଙ୍କାର ସ୍ୱାଧୀନତା ଆନ୍ଦୋଳନର ଜନେ ନେତା ଭାବରେ ଉଭା ହୋଇଥିବା ଏହି ବ୍ୟକ୍ତି ଥିଲେ ଶ୍ରୀଲଙ୍କାର ପ୍ରଥମ ପ୍ରଧାନମନ୍ତ୍ରୀ ।ଶ୍ରୀଲଙ୍କାରେ ତାଙ୍କୁ "ଜାତିର ପିତା" ଭାବରେ ମଧ୍ୟ ବିବେଚନା କରାଯାଏ ।[୧]

ପେଷାରେ ଜଣେ କୃଷକ ଥିବା ସେନାନାୟେକ୍ ଶ୍ରୀଲଙ୍କାର ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବେ ଜଡ଼ିତ ଥିଲେ । ପ୍ରଥମେ ସେ ସିଲୋନର ବିଧାନ ପରିଷଦ ଏବଂ ପରେ ସିଲୋନର ରାଜ୍ୟ ପରିଷଦକୁ ନିର୍ବାଚିତ ହୋଇଥିଲେ ଏବଂ ସେଠାରେ ସେ କୃଷି ଓ ଭୂସଂପଦ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତତକାଳୀନ ସିଲୋନର ପ୍ରଥମ ସଂସଦକୁ ନିର୍ବାଚିତ ହୋଇ ସେ ୧୯୪୭ରୁ ୧୯୫୨ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ସେ ସିଲୋନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଥିଲେ ।

ଯୁବାବସ୍ଥାରେ ଡନ୍ ଷ୍ଟିଫେନ୍ ସେନାନାୟକେ

ଆଦ୍ୟ ଜୀବନୀ ସମ୍ପାଦନା

୨୧ ଅକ୍ଟୋବର ୧୮୮୩ରେ ହାପିଟିଗାମ କୋରେଲେର (ବର୍ତ୍ତମାନ ମିରିଗାମା ନାମରେ ଜଣାଶୁଣା) ବୋଟାଲେ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଡନ ସ୍ପାଟର ସେନାନାୟାକେ ଏବଂ ମା ଥିଲେ ଡୋନା କ୍ୟାଥେରିନା ଏଲିଜାବେଥ ପେରିୟାର ଗୁନାସେଖର ସେନାନାୟକେ । ଗ୍ରାଫାଇଟ୍ ଖଣିରେ ନିଜର ବୃତ୍ତି ଅର୍ଜନ କରିଥିଲେ ଏବଂ ପରେ ପରେ ସେ କୃଷି ଏବଂ ଶେଷରେ ଆରେକ୍ (ଏକ ପ୍ରକାର ମଦ୍ୟ) ବ୍ୟବସାୟରେ ଜଡ଼ିତ ରହି ଜୀବିକା ଉପାର୍ଜନ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସେ ସମାଜ ସେବାରେ ସୁନାମ ଅର୍ଜନ କରିବା ସହ "ମୁଦାଲିୟର" ଉପାଧୀ ଲାଭ କରିଥିଲେ । ଷ୍ଟିଫେନ୍ ସେନାୟାକେଙ୍କର ଦୁଇ ବଡ଼ ଭାଇ ଥିଲେ, ଡନ୍ ଚାର୍ଲ୍ସ (ଡି.ସି) ସେନାନାୟାକେ ଏବଂ ଫ୍ରେଡ୍ରିକ୍ ରିଚାର୍ଡ (ଏଫ୍.ଆର) ସେନାନାଇକେ; ଏବଂ ଜଣେ ଭଉଣୀ, ମାରିଆ ଫ୍ରାନ୍ସିସ୍ ସେନାନାଇକେ ଯିଏ ଏଫ୍.ଏଚ୍ ଡିଆସ୍ ବନ୍ଦରନାଇକେଙ୍କୁ ବିବାହ କରିଥିଲେ ।

ଏକ ଧର୍ମନୀଷ୍ଠ ବୌଦ୍ଧ ପରିବାରରେ ଜନ୍ମଗ୍ରହଣ କରି ସେ ମୁତୱାଲର ସମ୍ମାନଜନକ ସ୍କୁଲ୍ ଏସ୍ ଥୋମାସ୍ କଲେଜରେ ଶିକ୍ଷା ଆରମ୍ଭ କରିଥିଲେ । ପାଠରେ ସେତେଟା ଚମତ୍କାର ପ୍ରଦର୍ଶନ କରି ନ ପାରିଲେ ବି ସେ ରୋୟାଲ ଥ୍ରୋମିଆନ ପକ୍ଷରୁ ଖେଳି ଜଣେ ଭଲ କ୍ରିକେଟ ଖେଳାଳି ଭାବେ ସୁନାମ ଅର୍ଜନ କରିପାରିଥିଲେ । ପରବର୍ତ୍ତୀ ସମୟରେ ସେ ସିଂହଳି ସ୍ପୋର୍ଟସ କ୍ଲବ ଏବଂ ନୋଣ୍ଡେସ୍କ୍ରିପ୍ଟ କ୍ରିକେଟ୍ କ୍ଲବ ପାଇଁ ମଧ୍ୟ କ୍ରିକେଟ୍ ଖେଳିଥିଲେ । ତାଙ୍କ ସମସାମୟିକ କ୍ରିକେଟ ଖେଳାଳୀ ହେଉଛନ୍ତି ଡି ଆର ୱିଜେବର୍ଦ୍ଧନେ, ସାର ପଲ ପେଇରିସ, ସାର ଆର୍ଥର ୱିଜେବର୍ଦ୍ଧନେ ଓ ସାର ଫ୍ରାନ୍ସିସ ମୋଲାଲୁରେ ।[୨]

ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ସେ ସର୍ଭେୟର୍ ଜେନେରାଲ୍ ବିଭାଗରେ ଏକ କିରାଣୀ ଭାବରେ କାର୍ଯ୍ୟ କରିଥିଲେ, କିନ୍ତୁ କିଛି ସମୟ ତାଲିମ ଲାଭ କରିବା ପରେ ସେ ଏହି କାର୍ଯ୍ୟ ଛାଡିଦେଇଥିଲେ । ସେ ତାଙ୍କ ଭାଇ ଡି.ସି. ସେନାନାୟାକେଙ୍କ ସହିତ ତାଙ୍କ ପିତାଙ୍କ ବ୍ୟାପକ ବ୍ୟବସାୟ ଚଳାଇବାରେ ଯୋଗ ଦେଇଥିଲେ । ସେ ଏକ ରବର ଚାଷୀ ଭାବରେ କାର୍ଯ୍ୟ ଆରମ୍ଭ କରି ସେ ରବରର ନୂତନ ବ୍ୟବସାୟିକ ଫସଲକୁ ପରିବାରର ବ୍ୟବସାୟରେ ଜଡ଼ିତ କରାଇଲେ । ତାଙ୍କ ଭାଇ ଏଫ୍ ଆର ସେନାନାଇକେ ପତ୍ନୀଙ୍କ ପରିବାରର ଅଧୀନରେ ଥିବା କହାଟାଗାହା ଗ୍ରାଫାଇଟ୍ ଖଣିର ପରିଚାଲନା ଭାର ମଧ୍ୟ ସେ ନେଲେ । ୧୯୧୪ ମସିହାରେ ମାଡାଗାସ୍କାରରେ ଗ୍ରାଫାଇଟ ଖଣି ଖନନ ବିଷୟରେ ଅଧ୍ୟୟନ ତଥା ଏକ ବିବରଣୀ ପ୍ରସ୍ତୁତ କରିବା ନିମିତ୍ତ ଗଠିତ ସରକାରୀ ଆରୋଗର ଏକ ସଭ୍ୟ ଭାବେ ମନୋନୀତ ହୋଇ ମାଡାଗାସ୍କାର ଯାତ୍ରା କରିଥିଲେ ।[୩]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଡି.ଏସ୍. ସେନାନାଇକେ ୧୯୧୦ ମସିହାରେ ମଲ୍ଲି ଡୁନୁୱିଲାଙ୍କୁ ବିବାହ କରିଥିଲେ । ମଲ୍ଲି ଥିଲେ କଲମ୍ବୋ ମ୍ୟୁନିସିପାଲିଟି କାଉନସିଲର ସେକ୍ରେଟେରୀ ଆର ଆର୍ ଦୁନୁୱାଲାଙ୍କ ଝିଅ । ସେମାନଙ୍କର ଦୁଇଟି ପୁତ୍ର ଥିଲେ, ଡଡଲି ଶେଲଟନ୍ ସେନାନାଇକେ (୧୯ ଜୁନ୍ ୧୯୧୧ - ୧୩ ଏପ୍ରିଲ ୧୯୭୩) ଏବଂ ରୋବର୍ଟ ପରାକ୍ରାମା ସେନାନାୟାକେ (୮ ଏପ୍ରିଲ ୧୯୧୩ - ୨୬ ଏପ୍ରିଲ ୧୯୮୬) । ତାଙ୍କର ବଡ଼ ପୁଅ ଡଡଲି ଶେଲଟନ୍ ସେନାନାଇକେ ୧୯୫୨ ମସିହାରେ ଏବଂ ତାଙ୍କ ପୁତୁରା ସାର୍ ଜନ୍ କୋଟେଲାୱାଲା (୧୮୯୭–୧୯୮୦) ୧୯୫୩ ମସିହାରେ ତାଙ୍କ ଉତ୍ତରାଧୀକାରୀ ଭାବେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଆସନ ଅଳଂକୃତ କରିଥିଲେ । ତେବେ ୧୯୫୬ ମସିହାରେ ସୋଲୋମନ ୱେଷ୍ଟ୍ ରିଜୱେ ଡାଏସ୍ ବନ୍ଦରନାଇକେଙ୍କ ଜବରଦସ୍ତ ବିଜୟ ସହିତ ସେନାନାୟକେଙ୍କ ଏହି ନଅ ବର୍ଷର ପରିବାର ରାଜବଂଶ ସମାପ୍ତ ହୋଇଥିଲା । ଡଡଲି ସେନାନାୟାକେ ୧୯୬୦ରେ ପ୍ରଧାନମନ୍ତୀ ପଦ ଫେରି ପାଇଥିଲେ ଏବଂ ପୁନର୍ବାର ୧୯୬୫ରୁ ୧୯୭୦ ପର୍ଯ୍ୟନ୍ତ ପ୍ରଧାନମନ୍ତୀ ଭାବେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

୨୧ ମାର୍ଚ୍ଚ ୧୯୫୨ ଶୁକ୍ରବାର ଦିନ, ସେନାନାୟାକେ ତାଙ୍କ ସରକାରୀ ବାସଭବନଠାରୁ କିଛି ଦୂରରେ ନିଜର ପ୍ରିୟ ଘୋଡ଼ା ଚିତ୍ରାକୁ ନେଇ ନିତିଦିନିଆ ପ୍ରାକ-ଜଳଖିଆ ଅଶ୍ୱାରୋହଣ ଆରମ୍ଭ କରିଥିଲେ । ସେଦିନ ତାଙ୍କ ସହିତ କିଛି ପୋଲିସ ଅଧିକାରୀ ଏବଂ ଏକ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଅକସ୍ମାତ ଘୋଡ଼ାଟି ଅତ୍ୟନ୍ତ ବେଗ ସହ ଏକ ମାଇଲ୍ ଚାଲିଗଲା ଏବଂ ହଠାତ୍ ପ୍ରଧାନମନ୍ତ୍ରୀ ଘୋଡ଼ାପିଠିରୁ ଖସିପଡିଥିଲେ । ତାଙ୍କୁ ଏକ ନର୍ସିଂହୋମକୁ ନିଆଯାଇଥିଲା ଯେଉଁଠାରେ ସେ ପରବର୍ତ୍ତୀ ବତିଶ ଘଣ୍ଟା ଧରି ଚେତାଶୂନ୍ୟ ରହିଥିଲେ । ଅଭିଜ୍ଞ ଡାକ୍ତରଙ୍କ ଏକ ଦଳ ତାଙ୍କର ଚିକିତ୍ସାଅ ଅକରିବା ସତ୍ତ୍ୱେ ୨୨ ମାର୍ଚ୍ଚ ୧୯୫୨ ଅପରାହ୍ନ ସାଢେ ୩ଟାରେ ସେନାନାଇକେଙ୍କର ମୃତ୍ୟୁ ହୋଇଥିଲା ।

ଆଧାର ସମ୍ପାଦନା

  1. "D.S. Senanayake – The Father of the Nation". www.dailymirror.lk (in English). Retrieved 24 November 2020.{{cite web}}: CS1 maint: unrecognized language (link)
  2. "The Sunday Leader Online - Review". www.thesundayleader.lk. Retrieved 25 November 2020.
  3. "D. S. Senanayake | prime minister of Ceylon". Encyclopedia Britannica (in ଇଂରାଜୀ). Retrieved 25 November 2020.