ଟ୍ରାନ୍‍ସ୍ ସଙ୍ଗୀତ

ଛାଞ୍ଚ:Infobox music genre

ଟ୍ରାନ୍‍ସ୍ ସଙ୍ଗୀତ (Trance Music) ଏକ ପ୍ରକାରର ବୈଦୁତିକ ସଙ୍ଗୀତ ଯାହା ଟେକ୍‍ନୋ ସଙ୍ଗୀତରୁ ଉଦ୍ଧୃତ କିନ୍ତୁ ଟେକ୍‍ନୋ ଅପେକ୍ଷା ଅଧିକ ଶ୍ରୁତିମଧୁର । ୧୯୯୦ ଦଶନ୍ଧିରେ ଜର୍ମାନୀ ଓ ଇଉରୋପ୍‍ର ଅନ୍ୟ ଦେଶମାନଙ୍କରେ ଏହାର ସୃଷ୍ଟି ହୋଇଥିଲା । ଟ୍ରାନ୍‍ସ୍ ସଙ୍ଗୀତରେ ମିନିଟ୍‍ ପ୍ରତି ୧୨୫ରୁ ୧୫୦ ତାଳ (Beats per Minute - BPM) ରହିଥାଏ । ଏକ ଟ୍ରାନ୍‍ସ୍ ଗୀତରେ ଗୋଟିଏ ନିର୍ଦ୍ଦିଷ୍ଟ ଧ୍ୱନି ବା ସ୍ୱରର ପୁନରାବୃତ୍ତି ହେଉଥାଏ । ଟ୍ରାନ୍‍ସ୍ ଗୀତରେ କ୍ଷୁଦ୍ର ଧ୍ୱନିମାନେ ସମ୍ମିଳିତ ହୋଇ ଉର୍ଦ୍ଧ୍ୱମୁଖୀ ଆବେଗରେ ଶିଖରରେ ପହଞ୍ଚିଯାଆନ୍ତି । ପ୍ରତି ଟ୍ରାନ୍‍ସ୍ ଗୀତରେ ଗୋଟିଏରୁ ଦୁଇଟି ଶିଖର ବା ଗହ୍ୱର ରହିଥାଏ । ଟ୍ରାନ୍‍ସ୍ ସଙ୍ଗୀତକୁ ବୈଦୁତିକ ସଙ୍ଗୀତ ଜଗତରେ ଏକ ସ୍ୱତନ୍ତ୍ର ସଙ୍ଗୀତ ଶୈଳୀର ମାନ୍ୟତା ମିଳିଛି ସତ, କିନ୍ତୁ ଏଥିରେ ଟେକ୍‍ନୋ[୧], ହାଉସ୍, ପପ୍, ଚିଲ୍-ଆଉଟ୍, ପାରମ୍ପରିକ ସଙ୍ଗୀତ, ଟେକ୍ ହାଉସ୍, ଲୋକପ୍ରିୟ ଓ ଚଳଚ୍ଚିତ୍ର ସଙ୍ଗୀତର ପ୍ରଭାବ ମଧ୍ୟ ସ୍ପଷ୍ଟ ରୂପରେ ଜଣାପଡେ ।

ଚେତନା ପ୍ରାପ୍ତିରେ ମଜ୍ଜିଥିବା ବା ସମ୍ମୋହିତ ମାନସିକ ଅବସ୍ଥାକୁ ଈଂରାଜୀରେ “ଟ୍ରାନ୍‍ସ୍” ଅବସ୍ଥା କୁହନ୍ତି । ଏପରି ମାନସିକ ଅବସ୍ଥାକୁ ସଙ୍ଗୀତ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ଧ୍ୱନିର ଏକାଧିକ ସ୍ତରକୁ ପୃଥକ୍ ଭାବେ ଯୋଡ଼ି ଶିଖର-ଗହ୍ୱର ଆବେଗର ରୂପ ଦିଆଯାଏ । ଟ୍ରାନ୍‍ସ୍ ଗୀତରେ କେବେକେବେ ଗୀତ ମଝିରେ ଉପସଂହାର ପରି ଆବେଗ ରଚନା କରାଯାଏ ଓ ଏହି ସମାପ୍ତି ପରି ଲାଗୁଥିବା ସ୍ଥାନରୁ ପୁଣି ଗୀତର ବେଗ ବଢ଼ି ସାଧାରଣ ଆବେଗକୁ ପହଞ୍ଚିଯାଏ । ଟ୍ରାନ୍‍ସ୍ ଗୀତ ସାଧାରଣତଃ ଟିକେ ଲମ୍ବା ଥାଏ । ଗୀତ ଲମ୍ବା ହୋଇଥିବା ଯୋଗୁଁ ଗୋଟିଏ ଗୀତରୁ ଆଉ ଏକ ଗୀତକୁ ଯିବାବେଳେ ତାଳ ମିଶାଇବା ପାଇଁ ଡିଜେମାନଙ୍କୁ ସୁବିଧା ହୁଏ ।

ଟ୍ରାନ୍‍ସ୍ ଗୀତରେ ବାଦ୍ୟଯନ୍ତ୍ରର ଧ୍ୱନି ବା ବୈଦୁତିକ ଉପାୟରେ ସୃଷ୍ଟ ଧ୍ୱନି ସର୍ବାଧିକ ବ୍ୟବହୃତ ହୁଏ । କେତେକ ଗୀତରେ ଏହି ସବୁ ଧ୍ୱନିର ଆଧାର ଉପରେ କଣ୍ଠଶିଳ୍ପୀମାନେ ଗୀତ ଗାଆନ୍ତି । ସମୂହଗାନ ବା କୋରସ୍ ପରିଲକ୍ଷିତ ହୁଏନାହିଁ । ଅଧିକ ସମୟରେ ଭୋକାଲ୍ ଟ୍ରାନ୍‍ସ୍‍ ଗୀତରେ ଏକାକୀ ମହିଳା କଣ୍ଠଶିଳ୍ପୀମାନଙ୍କୁ ଶୁଣିବାକୁ ମିଳେ । ଅଧିକ ପ୍ରଚଳନ ଯୋଗୁଁ ବର୍ତ୍ତମାନ ସମୟରେ ଭୋକାଲ୍ ଟ୍ରାନ୍‍ସ୍ ଏକ ସ୍ୱତନ୍ତ୍ର ଟ୍ରାନ୍‍ସ୍ ଶୈଳୀରୂପେ ଉଭା ହୋଇଛି ।

ଇତିହାସ ସମ୍ପାଦନା

 
ହଲାଣ୍ଡ୍‍ର ୟୁଟ୍‍ରେଖ୍‍ଟ୍ ସହରରେ ଟ୍ରାନ୍ସ୍ ଏନର୍ଜି ଉତ୍ସବ
 
କାଜାନ୍‍ଟିପ୍‍ର ସାଇକାଡେଲିକ୍ ଟ୍ରାନ୍‍ସ୍ ସଂସ୍କୃତି - ୨୦୦୬

ଟ୍ରାନ୍‍ସ୍ ସଙ୍ଗୀତ ଶୁଣି ମନ ଆବେଗ, ଆନନ୍ଦ, ଉତ୍ସାହ ଓ ଉନ୍ମାଦନାରେ ଭରି ଉଠେ ବୋଲି ଟ୍ରାନ୍‍ସ୍‍ପ୍ରେମୀ ଶ୍ରୋତାମାନେ ଅନୁଭବ କରନ୍ତି । ପ୍ରାରମ୍ଭିକ ସମୟରେ ବା ୧୯୯୦ ଦଶନ୍ଧିରେ ଏପରି ଶୈଳୀର ସଙ୍ଗୀତ ମନର ଆବେଗପୂର୍ଣ୍ଣ ଟ୍ରାନ୍‍ସ୍ ପରିସ୍ଥିତିକୁ ବର୍ଣ୍ଣନା କରୁଥିଲା ବୋଲି ସଙ୍ଗୀତପ୍ରେମୀ କହୁଥିଲେ ବୋଲି ଏପରି ନାମକରଣ କରାଯାଇଥିବା ସମ୍ଭବପର । ପରେ କିନ୍ତୁ ଏହି ଶୈଳୀରେ ଅନେକ ପରିବର୍ତ୍ତନ ଦେଖାଦେଲା ।

୧୯୯୧-୧୯୯୪ ମସିହା ସମୟରେ “ଷ୍ଟ୍ରିଟ୍‍ସ୍ ଅଫ୍ ରେଜ୍" ନାମକ ଏକ ଭିଡ଼ିଓ ଗେମ୍ ପାଇଁ ୟୁଜୋ କୋଶିରୋ ଏବଂ ମୋତୋହିରୋ କାୱାଶିମା ବୈଦୁତିକ ପ୍ରଣାଳୀରେ କେତେକ ଗୀତ ରଚନା କରିଥିଲେ । ଯୁକ୍ତରାଜ୍ୟର ମେଗାଟ୍ରିପୋଲିସ୍‍ କ୍ଲବ୍‍ରେ ଏହି ସବୁ ଗୀତ ବାଜିବା ପରେ ଏହା ଅନ୍ତର୍ଜାତୀୟ ଖ୍ୟାତି ଲାଭ କଲା ଓ ଏହା ଟ୍ରାନ୍‍ସ୍ ସଙ୍ଗୀତର ପ୍ରଥମ ସୋପାନ ଥିଲା ।

ଜର୍ମାନ୍ ଡିଜେ ଯୁଗଳ ଜାମ୍ ଓ ସ୍ପୁନ୍ ୧୯୯୦ ମସିହାର ଏକ ଗୀତ “ଦ ଏଜ୍ ଅଫ୍ ଲଭ୍”ର ୧୨ ମିନିଟିଆ ରିମିକ୍ସ୍ ୧୯୯୨ରେ ପ୍ରସ୍ତୁତ କରିଥିଲେ । ଆଉ ଏକ ଡିଜେ ଯୁଗଳ ଡ୍ୟାନ୍‍ସ୍ ଟୁ ଟ୍ରାନ୍‍ସ୍ ୧୯୯୦ ମସିହାରେ “ୱି କେମ୍ ଇନ୍ ପିସ୍” ପ୍ରସ୍ତୁତ କରିଥିଲେ। ଏହି ସବୁ ଗୀତକୁ ପ୍ରାରମ୍ଭିକ ସମୟର ଟ୍ରାନ୍‍ସ୍ ଗୀତ ବୋଲି କୁହାଯାଇପାରିବ ।

ଜନୈକ ଲେଖକ କହିଛନ୍ତି ଯେ ଡିଜେ ପଲ୍ ଭାନ୍ ଡାଇକ୍‍ ୧୯୯୩ ମସିହାରେ ପ୍ରସ୍ତୁତ କରିଥିବା “ଲଭ୍ ସିମ୍ୟୁଲେସନ୍” ଗୀତର ରିମିକ୍ସ୍‍ରୁ ଟ୍ରାନ୍‍ସ୍ ଶୈଳୀର ଆରମ୍ଭ । ପ୍ରକୃତରେ ପଲ୍ ଭାନ୍ ଡାଇକ୍ ଏହା ପୂର୍ବରୁ “ଭିଜନ୍ ଅଫ୍ ଶିବ” ନାମକ ଏକ ଗୀତ ଅନୁରୂପ ଶୈଳୀରେ ପ୍ରସ୍ତୁତ କରିସାରିଥିଲେ । କ୍ରମଶଃ ପପ୍ ସଙ୍ଗୀତ ଓ ପ୍ରୋଗ୍ରେସିଭ୍ ଟ୍ରାନ୍‍ସ୍‍ର ମିଶ୍ରଣରେ ଭୋକାଲ୍ ଟ୍ରାନ୍‍ସ୍, ପାରମ୍ପରିକ, ଚଳଚ୍ଚିତ୍ର ଓ ଟ୍ରାନ୍‍ସ୍ ଶୈଳୀର ମିଶ୍ରଣରେ “ଏପିକ୍ ଟ୍ରାନ୍‍ସ୍”ର ଉଦ୍ଭବ ହେଲା ।

୧୯୯୦ ଦଶନ୍ଧିର ଦ୍ୱିତୀୟାର୍ଦ୍ଧରୁ ନେଇ ୨୦୦୦ ଦଶନ୍ଧିର ପ୍ରଥମ ଭାଗ ପର୍ଯ୍ୟନ୍ତ ଟ୍ରାନ୍‍ସ୍ ସଙ୍ଗୀତ ବହୁଳ ବ୍ୟାବସାୟିକ ସଫଳତା ଲାଭ କରିଥିଲା ।

ରଚନା ସମ୍ପାଦନା

 
Roland JP-8000 ସିନ୍ଥେସାଇଜର୍ ଯନ୍ତ୍ର

ପାରମ୍ପରିକ ଟ୍ରାନ୍‍ସ୍ ଶୈଳୀରେ ମିନିଟ୍ ପ୍ରତି ୧୨୫ରୁ ୧୫୦ଟି ତାଳ ରହିଥାଏ ଓ ଏହାର ବେଗ ହାଉସ୍ ଶୈଳୀରୁ ଅଧିକ ।

ଟ୍ରାନ୍‍ସ୍ ଗୀତରେ ଗୀତର ବେଗ ଧୀରେ ଧୀରେ ବଢେ । ଉପକ୍ରମଣିକା ବେଗକୁ “ମିକ୍ସ୍-ଇନ୍” ଓ ଉପସଂହାର ବେଗକୁ “ମିକ୍ସ୍-ଆଉଟ୍” କୁହାଯାଏ । ଡିଜେମାନଙ୍କୁ ସମତାଳରେ ରହିଥିବା ପୂର୍ବ ଗୀତର ମିକ୍ସ୍-ଆଉଟ୍ ଅଂଶ ସହିତ ଆଗାମୀ ଗୀତର ମିକ୍ସ୍-ଇନ୍ ମିଶାଇବାକୁ (ମିକ୍ସିଂ କରିବାକୁ) ପଡ଼େ । କ୍ଷୀପ୍ର ଗତିରେ ଚାଲୁଥିବା ତାଳ ସହିତ ଅନେକ ଛୋଟ ଧ୍ୱନି ମିଶାଯାଏ । ଟ୍ରାନ୍‍ସ୍ ଗୀତରେ ଏକ ମୂଳ “ହୁକ୍” ବା ମୁଖ୍ୟ ସ୍ୱର ରହିଥାଏ । ସମଗ୍ର ଗୀତରେ ଏହି ସ୍ୱରଟି ଅନବରତ ବାଜୁଥାଏ । ଗୀତର ଆବେଗ ଅନୁସାରେ ଏହି ପୁନରାବୃତ୍ତି ସମୟ ଦୁଇଟି ତାଳରୁ ନେଇ ୩୨ଟି ବାର୍ ମଧ୍ୟରେ ଯେକୌଣସି ସମୟରେ ହୋଇପାରେ । ବର୍ତ୍ତମାନ ସମୟରେ ଟ୍ରାନ୍‍ସ୍ ସଙ୍ଗୀତ ଇଲେକ୍ଟ୍ରୋ, ପ୍ରୋଗ୍ରେସିଭ୍ ହାଉସ୍ ପରି ନୂତନ ଶୈଳୀ ମଧ୍ୟ ବ୍ୟବହାର କଲାଣି । ହାଉସ୍ ସଙ୍ଗୀତରେ ପ୍ରତି ମିନିଟ୍‍କୁ ୧୨୦-୧୩୫ଟି ତାଳ (BPM) ରହିଥାଏ ।

ଟ୍ରାନ୍‍ସ୍ ଶୈଳୀ ସମ୍ପାଦନା

ସାଧାରଣତଃ ଟ୍ରାନ୍‍ସ୍ ସଙ୍ଗୀତକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇନଥାଏ । କିନ୍ତୁ ଲୋକମୁଖରେ ପ୍ରଚଳିତ ହୋଇ ଏହାର କେତେକ ଶ୍ରେଣୀ ସୃଷ୍ଟି ହୋଇଛି ।

  1. ଏସିଡ୍ ଟ୍ରାନ୍‍ସ୍
  2. ପାରମ୍ପରିକ ଟ୍ରାନ୍‍ସ୍
  3. ହାର୍ଡ୍ ଟ୍ରାନ୍‍ସ୍
  4. ପ୍ରୋଗ୍ରେସିଭ୍ ଟ୍ରାନ୍‍ସ୍
  5. ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍
  6. ଭୋକାଲ୍ ଟ୍ରାନ୍‍ସ୍
  7. ସାଇକାଡେଲିକ୍ ଟ୍ରାନ୍‍ସ୍

ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ଶୈଳୀକୁ ଆନ୍ଥେମ୍ ଟ୍ରାନ୍‍ସ୍, ଏପିକ୍ ଟ୍ରାନ୍‍ସ୍, ବ୍ୟବସାୟିକ ଟ୍ରାନ୍‍ସ୍, ଷ୍ଟାଡ଼ିୟମ୍ ଟ୍ରାନ୍‍ସ୍ ବା ୟୁଫୋରିକ୍ ଟ୍ରାନ୍‍ସ୍ ମଧ୍ୟ କୁହାଯାଏ । ଏହି ଶୈଳୀ ୧୯୯୦ ଓ ୨୦୦୦ ଦଶକର ପାଶ୍ଚାତ୍ୟ ପାରମ୍ପରିକ ସଙ୍ଗୀତରୁ ପ୍ରଭାବିତ ହୋଇଥିଲା । ଫେରି କୋର୍ଷ୍ଟେନ୍, ଆର୍ମିନ୍ ଭାନ୍ ବ୍ୟୁରେନ୍, ଟିଏଷ୍ଟୋ, ପୁଶ୍, ପଂକ୍, ରାଂକ୍-ୱାନ୍ ପରି ଅନେକ ଡିଜେ ବା କଳାକାର ଏହି ଶୈଳୀକୁ ଜନାଦୃତ କରାଇଥଲେ । ବର୍ତ୍ତମାନ ସମୟରେ ଆଣ୍ଡି ବ୍ଲୁମ୍ୟାନ୍, ସିରୋ ଭିଜୋନେ, ସାଉଣ୍ଡଲିଫ୍ଟ୍, ଆର୍କ୍‍ଟିକ୍ ମୁନ୍, ସର୍ଗି ନେଭୋନ୍ ଓ ସିମୋନ୍ ଓ’ଶାଇନ୍ ପରି କଳାକାରମାନଙ୍କ ଯୋଗୁଁ “ଅର୍କେଷ୍ଟ୍ରାଲ୍ ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍” ବା “ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ୱିଥ୍ ସିଂଫୋନିକ୍ ଅର୍କେଷ୍ଟ୍ରା” ବେଶ୍ ଜନପ୍ରିୟ ହୋଇଛି । ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ପରି ଆଉ ଏକ ଶୈଳୀ ହେଉଛି ୟୁରୋ ଟ୍ରାନ୍‍ସ୍ । ବ୍ୟବସାୟିକ ସ୍ତରରେ ସମସ୍ତ ପ୍ରକାରର ଇଉରୋପୀୟ ଟ୍ରାନ୍‍ସ୍ ଓ ଡାନ୍‍ସ୍ ସଙ୍ଗୀତକୁ ୟୁରୋ ଟ୍ରାନ୍‍ସ୍ ଭାବେ ଅଭିହିତ କରାଯାଇଛି । ବୈଦୁତିକ ସଙ୍ଗୀତର କିଛି ଶୈଳୀର ମିଶ୍ରଣରେ ନୂଆ ଶୈଳୀର ଉଦ୍ଭବ ହୋଇଛି । ଯଥା ଟେକ୍‍ନୋ ଓ ଟ୍ରାନ୍‍ସ୍‍ର ମିଶ୍ରଣରେ ଟେକ୍ ଟ୍ରାନ୍‍ସ୍ ଓ ଟ୍ରାନ୍‍ସ୍ ସଙ୍ଗୀତରେ କିଛି ଅଂଶ ପାଇଁ ଜଣେ ଶିଳ୍ପୀ କଣ୍ଠଦାନ କଲେ ତାହାକୁ “ଭୋକାଲ୍ ଟ୍ରାନ୍‍ସ୍” କୁହାଯାଏ । ୧୯୯୦ ଦଶନ୍ଧିର ମଧ୍ୟଭାଗରେ ରବର୍ଟ୍ ମାଇଲ୍‍ସ୍ ନାମକ ଜଣେ ଡିଜେ ଡ୍ରିମ୍ ଟ୍ରାନ୍‍ସ୍ ଶୈଳୀର ଆରମ୍ଭ କରାଇଥଲେ ।

ବିଶ୍ୱର କେତେକ ନାମୀଦାମୀ ଟ୍ରାନ୍‍ସ୍ ଡିଜେ (ଟ୍ରାନ୍‍ସ୍ ସଙ୍ଗୀତ ଶିଳ୍ପୀ)
 
ଆର୍ମିନ୍ ଭାନ୍ ବ୍ୟୁରେନ୍
ଆର୍ମିନ୍ ଭାନ୍ ବ୍ୟୁରେନ୍ 
 
ଟିଏଷ୍ଟୋ
ଟିଏଷ୍ଟୋ 
 
ପଲ୍ ଭାନ୍ ଡାଇକ୍
ପଲ୍ ଭାନ୍ ଡାଇକ୍ 
 
ଅଲି ଏବଂ ଫିଲା
ଅଲି ଏବଂ ଫିଲା 
 
ଫେରି କୋର୍ଷ୍ଟେନ୍
ଫେରି କୋର୍ଷ୍ଟେନ୍ 

ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ ସମ୍ପାଦନା

ସମଗ୍ର ବିଶ୍ୱରେ ଅନୁଷ୍ଠିତ ହେଉଥିବା କେତେକ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବମାନଙ୍କର ଏକ ତାଲିକା ନିମ୍ନର ପ୍ରଦତ୍ତ କରାଗଲା ।

ଏସିଆ ସମ୍ପାଦନା

ଚୀନ ସମ୍ପାଦନା

ଚୀନ‍ର ୟୁନାନ୍‍ର କୁନ୍‍ମିଂଗ୍‍ ସହର ବାହାରେ “ସ୍ପିରିଟ୍ ଟ୍ରାଇବ୍” ନାମକ ଉତ୍ସବ ନିୟମିତ ରୂପେ ଅନୁଷ୍ଠିତ ହୁଏ ।[୨]

ଭାରତ ସମ୍ପାଦନା

୨୦୦୭ ମସିହା ଡିସେମ୍ବର୍ ମାସରେ ଦକ୍ଷିଣ-ଏସିଆର ପ୍ରଥମ ବୈଦୁତିକ ସଙ୍ଗୀତ ସମାରୋହ “ସନ୍‍ବର୍ଣ୍ଣ୍ ଉତ୍ସବ” ଭାରତର ଗୋଆଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଲ୍ କକ୍ସ୍ ଓ ଜନ୍ ‘୦୦’ ଫ୍ଲେମିଂଗ୍ ପରି ନାମୀଦାମୀ ଡିଜେ (DJ) ପ୍ରଦର୍ଶନ କରିଥିଲେ । “ଗୋଆ ଟ୍ରାନ୍‍ସ୍” ସଙ୍ଗୀତ ସଂସ୍କୃତିର ଲୋକପ୍ରିୟତା ଯୋଗୁଁ ଭାରତର ପଶ୍ଚିମ ତଟରେ ଏହି ଉତ୍ସବର ଆରମ୍ଭ ହୋଇଛି । ୨୦୦୮ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବ ୩ ଦିନ ଧରି ଚାଲିଥିଲା ଓ ଏଥିରେ ୫୦୦୦ରୁ ଅଧିକ ସଙ୍ଗୀତପ୍ରେମୀ ଟ୍ରାନ୍‍ସ୍ ସଙ୍ଗୀତ ଉପଭୋଗ କରିଥିଲେ । ୨୦୦୯ ମସିହାର ଉତ୍ସବରେ ଆର୍ମିନ୍ ଭାନ୍ ବ୍ୟୁରେନ୍ ଓ ସାଣ୍ଡର୍ ଭାନ୍ ଡୁର୍ଣ୍ଣ୍ ପରି ଡିଜେ ୧୫,୦୦୦ରୁ ୧୮,୦୦୦ ଶ୍ରୋତାଙ୍କ ସମ୍ମୁଖରେ ସଙ୍ଗୀତ ପରିବେଷଣ କରିଥିଲେ । ୨୦୧୦ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବରେ ପଲ୍ ଭାନ୍ ଡାଇକ୍ ଓ ଅନେକ ଡିଜେ ୩୦,୦୦୦ ଶ୍ରୋତାଙ୍କ ସମ୍ମୁଖରେ ଟ୍ରାନ୍‍ସ୍‍ ସଙ୍ଗୀତ ପରିବେଷଣ କରିଥିଲେ । ୨୦୧୫ ମସିହାର ସନ୍‍ବର୍ଣ୍ଣ୍ ଉତ୍ସବରେ ମାର୍ଟିନ୍ ଗ୍ୟାରିକ୍ସ୍ ଓ ଆଫ୍ରୋଜାକ୍ ପରି ଡିଜେ ସଙ୍ଗୀତ ପରିବେଷଣ କରିଥିଲେ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ରେକର୍ଡ୍ ସଂଖ୍ୟକ ୩,୫୦,୦୦୦ ଟ୍ରାନ୍‍ସ୍ ସଙ୍ଗୀତପ୍ରେମୀ ଏକତ୍ରିତ ହୋଇଥିଲେ ।[୩] ସନ୍‍ବର୍ଣ୍ଣ୍ କିନ୍ତୁ ଭାରତର ପ୍ରଥମ ଟ୍ରାନ୍‍ସ୍ ଉତ୍ସବ ନୁହେଁ । ୧୯୮୦ ଓ ୧୯୯୦ ଦଶନ୍ଧିରେ ଗୋଆରେ ଅନେକ ଛୋଟ ଛୋଟ ଟ୍ରାନ୍‍ସ୍ ଉତ୍ସବ ଅନୁଷ୍ଠିତ ହେଉଥିଲା । ସେ ସମୟରେ “ଗୋଆ ପାର୍ଟିଜ୍” ବହୁତ ଲୋକପ୍ରିୟତା ହାସଲ କରିଥିଲା ।[୪][୫]

ଥାଇଲ୍ୟାଣ୍ଡ ସମ୍ପାଦନା

  • ୧୯୮୫ ମସିହାରୁ କୋଃ ଫାନାଂଗ୍ ଦ୍ୱୀପରେ ପ୍ରତିମାସରେ ଫୁଲ୍ ମୁନ୍ ଉତ୍ସବ (Full Moon Party) ଅନୁଷ୍ଠିତ ହୋଇଥାଏ । ସମଗ୍ର ବିଶ୍ୱରୁ ପୂର୍ଣ୍ଣ ଚନ୍ଦ୍ରର ଆଲୋକରେ ପ୍ଳାବିତ ରାତିରେ ସମୁଦ୍ର କୂଳରେ ଟ୍ରାନ୍‍ସ୍ ସଙ୍ଗୀତ ଉପଭୋଗ କରି ଆନନ୍ଦରେ ନାଚିବା ପାଇଁ ସମଗ୍ର ବିଶ୍ୱରୁ ଲୋକେ ହାଡ୍ ରିନ୍ ନୋକ୍ (ବା ସନ୍‍ରାଇଜ୍ ବିଚ୍)ରେ ଏକତ୍ରିତ ହୋଇଥାନ୍ତି ।
  • ପ୍ରଥମେ ଚେକ୍ ଗଣରାଜ୍ୟର ପ୍ରାଗ୍‍ରୁ ଆରମ୍ଭ ହୋଇଥିବା ଟ୍ରାନ୍‍ସ୍‍ମିଶନ୍ ଉତ୍ସବ ବର୍ତ୍ତମାନ ବ୍ୟାଂକକ୍‍ରେ ମଧ୍ୟ ଅନୁଷ୍ଠିତ ହେଉଛି ।

ଜାପାନ : ରି-ବର୍ଥ୍ (ପୁନର୍ଜନ୍ମ) ଉତ୍ସବ

ଇଉରୋପ୍ ସମ୍ପାଦନା

 
୨୦୦୬ ଅପ୍ରେଲ୍ ୧୬ ତାରିଖରେ ଗେଟ୍‍କ୍ରାଶର୍ଦ୍ୱାରା ଆୟୋଜିତ ପାର୍ଟିରେ ଜନ ସମାଗମ
  • ରୋମେନିଆ : ଡାକିନି ଉତ୍ସବ
  • ହଙ୍ଗେରି : ଓଜୋରା ଉତ୍ସବ
  • ସ୍ୱିଜରଲ୍ୟାଣ୍ଡ : ୧୯୯୨ ମସିହାରୁ ଜୁରିକ୍ ସହରରେ ଅନୁଷ୍ଠିତ ହେଉଥିବା ଷ୍ଟ୍ରିଟ୍ ପରେଡ଼୍ ବିଶ୍ୱର ସର୍ବବୃହତ୍ ବୈଦୁତିକ ସଙ୍ଗୀତୋତ୍ସବ । ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ଷ୍ଟ୍ରିଟ୍ ପରେଡ଼୍ ଦେଖିବାକୁ ଆସନ୍ତି ।
  • ପର୍ତ୍ତୁଗାଲ୍ : ୧୯୯୭ ମସିହାରୁ ପ୍ରଚଳିତ ବୁମ୍ ଉତ୍ସବର ଗତ ସଂସ୍କରଣ ଇଦାନା-ଆ-ନୋଭାଠାରେ ଅନୁଷ୍ଠିତ ହୋଇଥିଲା । ସାଇକାଡେଲିକ୍ ଗୋଆ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରାଯାଉଥିବା ଏହି ଉତ୍ସବ ପ୍ରତି ଦୁଇ ବର୍ଷରେ ଥରେ ମୁକ୍ତ ଆକାଶ ତଳେ କୌଣସି ଏକ ବଡ଼ ଖୋଲା ଯାଗାରେ ଅନୁଷ୍ଠିତ ହୁଏ । ଅନେକ ଦିନ ଯାଏଁ ଚାଲୁଥିବା ଏହି ଉତ୍ସବରେ କର୍ମଶାଳା, ଚଳଚ୍ଚିତ୍ର ଇତ୍ୟାଦି ମଧ୍ୟ ପ୍ରଦର୍ଶିତ ହୋଇଥାଏ । ଫ୍ରିଡମ୍ ଉତ୍ସବ, କିନ୍ ଓ ଫୋର୍ ଏଲିମେଣ୍ଟ୍‍ସ୍ ଉତ୍ସବ ପରି ଅନେକ ଉତ୍ସବ ପର୍ତ୍ତୁଗାଲରେ ଅନୁଷ୍ଠିତ ହୁଏ । ବର୍ତ୍ତମାନ ସମୟରେ ଅନେକ ପ୍ରଖ୍ୟାତ ଟ୍ରାନ୍‍ସ୍ ଡିଜେ ପର୍ତ୍ତୁଗାଲ ଭ୍ରମଣ କରି ସଙ୍ଗୀତ ପରିବେଷଣ କରିସାରିଛନ୍ତି ।
  • ଜର୍ମାନୀ : ୱାଲ୍‍ଡ୍‍ଫ୍ରିଡେନ୍ ୱାଣ୍ଡରଲ୍ୟାଣ୍ଡ, ଷ୍ଟେମ୍ବେଡେ ଇତ୍ୟାଦି ଉତ୍ସବ ୧୯୯୭ ମସିହାରୁ ଅନୁଷ୍ଠିତ ହୋଇଆସୁଛି । ପ୍ରତିବର୍ଷ ଅଗଷ୍ଟ ମାସରେ ଫରେଷ୍ଟ ପିସ୍ ୱାଣ୍ଡରଲ୍ୟାଣ୍ଡ ନାମକ ଏକ ମୁକ୍ତାକାଶ ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଥାଏ । ଏହି ସମାରୋହରେ ମୁଖ୍ୟତଃ ସାଇକାଡେଲିକ୍ ଟ୍ରାନ୍‍ସ୍ ପରିବେଷିତ ହୋଇଥାଏ । [୬]
  • ସ୍ୱିଡେନ୍ : ୨୦୦୨ ମସିହାଠାରୁ ଷ୍ଟକହୋମ୍ ଓ ବାଲ୍‍ଟିକ୍ ଦେଶମାନଙ୍କ ମଧ୍ୟରେ ଯାତାୟତ କରୁଥିବା ଏକ ନିର୍ଦ୍ଦିଷ୍ଟ ଯାହାଜରେ ମଣ୍ଡେ ବାର୍ କ୍ରୁଜ୍ (Monday Bar Cruize) ଉତ୍ସବ ପାଳନ କରାଯାଏ । ଏହି ଉତ୍ସବ ପାଳିତ ହେଉଥିବା ଯାହାଜର ଯାତ୍ରୀବାହୀ କ୍ଷମତା ପ୍ରାୟ ୨୦୦୦ ଓ ଏହା ବର୍ଷକୁ ୪ ଥର ପାଳିତ ହୁଏ । ଟ୍ରାନ୍‍ସ୍, ସାଇଟ୍ରାନ୍‍ସ୍, ହାର୍ଡ୍ ଷ୍ଟାଇଲ୍‌ ଓ ହାର୍ଡ୍‍କୋର୍ ଶୈଳୀର ବୈଦୁତିକ ସଙ୍ଗୀତ ଏହି ଯାହାଜରେ ପରିବେଷିତ ହୁଏ । [୭]
  • ବେଲ୍‍ଜିୟମ୍ : ୨୦୦୫ ମସିହାରୁ ବୁମ୍‍ଠାରେ ଟୁମୋରୋଲ୍ୟାଣ୍ଡ୍ ଉତ୍ସବ ଅନୁଷ୍ଠିତ ହେଉଅଛି । ଏହା ବେଲ୍‍ଜିୟମ୍‍ର ସର୍ବବୃହତ୍ ମୁକ୍ତାକାଶ ସଙ୍ଗୀତ ସମାରୋହରେ ଆର୍ମିନ୍ ଭାନ୍ ବ୍ୟୁରେନ୍, ଟିଏଷ୍ଟୋ, ଆର୍ଟି, କସ୍‍ମିକ୍ ଗେଟ୍‍ଙ୍କ ପରି ଅନେକ ପ୍ରଖ୍ୟାତ ଡିଜେ ଯୋଗ ଦେଇଥାନ୍ତି ।
  • ଚେକ୍ ଗଣରାଜ୍ୟ : ପ୍ରାଗ୍‍ ନଗରରେ ୨୦୦୬ ମସିହାରୁ ଟ୍ରାନ୍‍ସ୍‍ମିଶନ୍ ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଏହା ପୂର୍ବ ଓ ମଧ୍ୟ ଇଉରୋପ୍‍ର ସର୍ବବୃହତ୍ ସଙ୍ଗୀତ ସମାରୋହ । ମାର୍କୁସ୍ ଶୁଲ୍‍ଜ୍ ନାମକ ଡିଜେ ଏହି ଉତ୍ସବର ଜଣେ ମୁଖ୍ୟ ପ୍ରଦର୍ଶକ ରହି ଆସିଛନ୍ତି ।
  • ଜର୍ମାନୀ : ୨୦୧୦ରୁ ବର୍ଲିନ୍ ନଗରରେ “ୱି ଆର୍ ୱାନ୍” ଉତ୍ସବ ଆୟୋଜିତ ହୋଇ ଆସୁଛି । ଡିଜେ ପଲ୍ ଭାନ୍ ଡାଇକ୍‍ଙ୍କ ନେତୃତ୍ୱରେ ଆୟୋଜନ କରାଯାଉଥିବା ଏହି ଉତ୍ସବରେ ବିଭିନ୍ନ ଶୈଳୀର ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରାଯାଏ ।
  • ଫିନ୍‍ଲ୍ୟାଣ୍ଡ : ୨୦୧୧ ମସିହାରୁ ହେଲସିଂକିରେ ସମର୍ ସାଉଣ୍ଡ୍ ନାମକ ଉତ୍ସବ ଆୟୋଜିତ ହୋଇଆସୁଛି । ଏହା ସ୍କାଣ୍ଡିନେଭିଆର ସର୍ବବୃହତ୍ ସଙ୍ଗୀତ ସମାରୋହ । ୨୦୧୧ ମସିହାରେ ହେଲସିଂକିର ସୁଭିଲାତିରେ ଏକ ଦିନିଆ ଉତ୍ସବ ଭାବେ ଆରମ୍ଭ ହୋଇଥିବା ସଙ୍ଗୀତ ସମାରୋହ ପରେ ଏକ ତିନି ଦିନିଆ ସମାରୋହରେ ପରିଣତ ହେଲାଣି । ପ୍ରତିବର୍ଷ ଗ୍ରୀଷ୍ମଋତୁରେ ଟିଏଷ୍ଟୋ, ଆର୍ମିନ୍ ଭାନ୍ ବ୍ୟୁରେନ୍ ଓ ଫେଥ୍‍ଲେସ୍ ପରି ଡିଜେ ଏହି ଉତ୍ସବରେ ସଙ୍ଗୀତ ପରିବେଷଣ କରନ୍ତି । [୮]
  • ଗ୍ରୀସ୍ : ପ୍ରଚୀନ ଅଲିମ୍ପିଆ ସହରରେ ୨୦୧୪ ମସିହାରୁ ଡ୍ରିମ୍‍ଲ୍ୟାଣ୍ଡ୍ ନାମକ ଉତ୍ସବ ଅନୁଷ୍ଠିତ ହୁଏ । ବିଭିନ୍ନ ପ୍ରକାରର ବୈଦୁତିକ ସଙ୍ଗୀତ ଶୈଳୀର ପ୍ରଚାର ଓ ବ୍ୟବସାୟିକ ସହଯୋଗିତା ସହ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । [୯]
  • ଯୁକ୍ତରାଜ୍ୟ : ବିଭିନ୍ନ ସମୟରେ ଅନେକ ଛୋଟବଡ଼଼ ସମାରୋହ (ଯଥା ବ୍ରିମିଂଗ୍‍ହାମ୍ ଏନ୍. ଇ. ସି.) ଗେଟ୍‍କ୍ରାଶର୍‍ଙ୍କଦ୍ୱାରା ଆୟୋଜିତ ହୋଇଛି ।

ନେଦର୍‍ଲ୍ୟାଣ୍ଡସ୍ ସମ୍ପାଦନା

  • ନେଦର୍‍ଲ୍ୟାଣ୍ଡସ୍ ବା ହଲାଣ୍ଡରେ ALDA Events, ID&T, UDC ଓ Q-Dance ପରି ଆୟୋଜକ ସଂସ୍ଥା ମୁଖ୍ୟତଃ ସମସ୍ତ ସଙ୍ଗୀତୋତ୍ସବର ଆୟୋଜନ ଦାୟିତ୍ୱ ସମ୍ଭାଳିଥାନ୍ତି । ହଲାଣ୍ଡର କେତେକ ପ୍ରମୁଖ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ ହେଲେ :
    • ଆର୍ମିନ୍ ଓନ୍‍ଲି : ଏହି ଉତ୍ସବ ୟୁଟ୍ରେଖ୍‍ଟ୍ ସହରର ୟାବର୍ସ୍‍ଠାରେ ଅନୁଷ୍ଠିତ ହୁଏ । ଏହି ଉତ୍ସବରେ କେବଳ ଆର୍ମିନ୍ ଭାନ୍ ବ୍ୟୁରେନ୍ ନାମକ ଜଣେ ଡିଜେ ପ୍ରଦର୍ଶନ କରନ୍ତି । ୨୦୦୫ ମସିହାରେ ALDA Eventsଦ୍ୱାରା ଆୟୋଜିତ ଆର୍ମିନ୍ ଓନ୍‍ଲି ରୋଟର୍‍ଡ୍ୟାମ୍‍ର ଆହୋୟରେ ଅନୁଷ୍ଠିତ ହୋଇଥିଲା । ୨୦୦୮ ଓ ୨୦୧୦ ମସିହାରେ ୟାବର୍ସ୍‍ରେ ଆର୍ମିନ୍ ଓନ୍‍ଲି ସମାରୋହ ଅନୁଷ୍ଠିତ ହୋଇଥିଲା । ୨୦୧୩ ମସିହାର ଆର୍ମିନ୍ ଓନ୍‍ଲି ଆମ୍‍ଷ୍ଟର୍‍ଡ୍ୟାମ୍‍ର ଜିଗୋ ଡୋମ୍‍ରେ ଆୟୋଜିତ ହୋଇଥିଲା ।
    • UDC ଆୟୋଜନ କରୁଥିବା ମୁକ୍ତାକାଶ ସଙ୍ଗୀତ ସମାରୋହ ଡ୍ୟାନ୍‍ସ୍ ଭ୍ୟାଲି ସ୍ପାର୍ଣ୍ଣୁଡ୍‍ରେ ଅନୁଷ୍ଠିତ ହୁଏ ।
    • ଆମ୍‍ଷ୍ଟର୍‍ଡ୍ୟାମ୍‍ ଏରିନାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ସେନ୍‍ସେସନ୍ ଉତ୍ସବ ID&Tଦ୍ୱାରା ଆୟୋଜିତ ହୋଇଥାଏ ।
    • ୟୁଟ୍‍ରେଖ୍‍ଟ୍‍ର ୟାବର୍ସ୍‍ରେ ଏନର୍ଜି ନାମକ ଏକ ଉତ୍ସବ ଆୟୋଜିତ ହୁଏ । ଏଥିରେ କେବଳ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ ହେଉଥିବାରୁ ପୂର୍ବେ ଏହାର ନାମ ଟ୍ରାନ୍‍ସ୍ ଏନର୍ଜି ଥିଲା । ୨୦୧୧ ମସିହାରେ ଏହି ଉତ୍ସବର ନାମ ବଦଳାଯାଇ “ଏନର୍ଜି” ରଖାଗଲା ଓ ଅନ୍ୟାନ୍ୟ ଶୈଳୀର ବୈଦୁତିକ ସଙ୍ଗୀତ ପ୍ରଦର୍ଶନ କରିବା ଆରମ୍ଭ କରାଗଲା । ID&T ଏହାର ଆୟୋଜନ କରିଥାଏ ।
    • ପ୍ରତିବର୍ଷ ଅକ୍ଟୋବର ମାସରେ ଆମ୍‍ଷ୍ଟର୍‍ଡ୍ୟାମ୍ ଡ୍ୟାନ୍‍ସ୍ ଇଭେଣ୍ଟ୍ ଅନୁଷ୍ଠିତ ହୁଏ ।
    • ଏ ଷ୍ଟେଟ୍ ଅଫ୍ ଟ୍ରାନ୍‍ସ୍ : ଆର୍ମିନ୍ ଭାନ୍ ବ୍ୟୁରେନ୍‍ଙ୍କ ରେଡ଼ିଓ କାର୍ଯ୍ୟକ୍ରମ "ଏ ଷ୍ଟେଟ୍ ଅଫ୍ ଟ୍ରାନ୍‍ସ୍"ର ପ୍ରତି ୫୦ତମ ଅଧ୍ୟାୟ ହଲାଣ୍ଡର ୟୁଟ୍‍ରେଖ୍‍ଟ୍ ପରି ସହରରୁ ପ୍ରସାରିତ ହୁଏ ।
    • ଇଲେକ୍ଟ୍ରୋନିକ୍ ଫ୍ୟାମିଲି ସମାରୋହ ALDA Eventsଦ୍ୱାରା ଆୟୋଜିତ ହୁଏ ।
    • ID&Tଦ୍ୱାରା ଆୟୋଜିତ ମିଷ୍ଟ୍ରିଲ୍ୟାଣ୍ଡ୍ ବୈଦୁତିକ ସଙ୍ଗୀତର ଅନେକ ଉତ୍ସବର ସମାହାର । ଏହି ଉତ୍ସବ ୧୯୯୩ ମସିହାରୁ ଅନୁଷ୍ଠିତ ହୋଇଆସୁଛି ।
    • ୨୦୦୭ ମସିହାରୁ ଆମ୍‍ଷ୍ଟର୍‍ଡ୍ୟାମ୍‍ରେ ଲ୍ୟୁମିନୋସିଟି ଇଭେଣ୍ଟ୍‍ସ୍ ନାମକ ସଂସ୍ଥା ଲ୍ୟୁମିନୋସିଟି ଉତ୍ସବର ଆୟୋଜନ କରିଆସୁଛି । ଶହ ଶହ ଲୋକ ଦେଖିବାକୁ ଯାଉଥିବା ଏହି ଉତ୍ସବର ଶ୍ଳୋଗାନ୍ ହେଲା “ଟ୍ରାନ୍‍ସ୍ ସଙ୍ଗୀତ ପ୍ରତି ଶ୍ରଦ୍ଧାର ପ୍ରଚାର” । କେଟି ୱିଟ୍‍ଲି ପରି ଟ୍ରାନ୍‍ସ୍ ଗୁରୁ ଏହି ଉତ୍ସବରେ ଯୋଗଦାନ କରନ୍ତି ।
    • ସାଇ-ଫାଇ ନାମକ ଏକ ମୁକ୍ତାକାଶ ସଙ୍ଗୀତ ଉତ୍ସବ ଲିଉୱାର୍ଡେନ୍‍ରେ ଅନୁଷ୍ଠିତ ହୁଏ ଓ ଏଥିରେ ସାଇକାଡେଲିକ୍ ଟ୍ରାନ୍‍ସ୍ ସଙ୍ଗୀତ ପ୍ରଦର୍ଶନ କରାଯାଏ ।
କିଛି ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ (ଟ୍ରାନ୍‍ସ୍ ପାର୍ଟି)
 
ସେନ୍ସେସନ୍ ହ୍ୱାଇଟ୍-୨୦୦୬
ସେନ୍ସେସନ୍ ହ୍ୱାଇଟ୍-୨୦୦୬ 
 
ଜୁରିକ୍ ଷ୍ଟ୍ରିଟ୍ ପରେଡ଼୍-୨୦୦୭
ଜୁରିକ୍ ଷ୍ଟ୍ରିଟ୍ ପରେଡ଼୍-୨୦୦୭ 
 
ଟୁମୋରୋଲ୍ୟାଣ୍ଡ୍ - ୨୦୧୪
ଟୁମୋରୋଲ୍ୟାଣ୍ଡ୍ - ୨୦୧୪ 
 
ଷ୍ଟିରିଓସୋନିକ୍ -୨୦୧୦
ଷ୍ଟିରିଓସୋନିକ୍ -୨୦୧୦ 

ଉତ୍ତର ଆମେରିକା ସମ୍ପାଦନା

କ୍ୟାନାଡ଼ା ସମ୍ପାଦନା

  • ମଣ୍ଟ୍ରିୟାଲ୍ ସହରରେ ପ୍ରତିବର୍ଷ ଅପ୍ରେଲ୍ ମାସ ଇଷ୍ଟର୍ ଛୁଟିରେ ବଲ୍-ଏ-ବ୍ଲା ନାମକ ଏକ ରେଭ୍ ପାର୍ଟି ଆୟୋଜିତ ହୁଏ । ଏହି ଉତ୍ସବ ସମୟରେ ଦୁଇଟି ପ୍ରକାଣ୍ଡ କୋଠରୀରୁ ଗୋଟିଏରେ ହାଉସ୍ ସଙ୍ଗୀତ ଓ ଅନ୍ୟଟିରେ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରାଯାଏ । ଏହି ସମାରୋହ ୧୪ ଘଣ୍ଟା ପର୍ଯ୍ୟନ୍ତ ଚାଲେ ।
  • ୨୦୧୪ ମସିହା ଜୁନ୍ ମାସରେ ଟରଣ୍ଟୋରେ ଡିଜିଟାଲ୍ ଡ୍ରିମ୍‍ସ୍ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
  • କ୍ୟାନାଡ଼ାର ଅଟ୍ଟାୱାରେ କ୍ୟାନାଡ଼ା ଡେ (ଜୁଲାଇ ୧) ଉପଲକ୍ଷେ ଏସ୍କେପେଡ଼୍ ସଙ୍ଗୀତ ଉତ୍ସବ ଅନୁଷ୍ଠିତ ହୁଏ ।

ଯୁକ୍ତରାଷ୍ଟ୍ର ଆମେରିକା ସମ୍ପାଦନା

  • ଯୁକ୍ତରାଷ୍ଟ୍ର ଆମେରିକାର ସଙ୍ଗୀତ ମହୋତ୍ସବମାନଙ୍କରେ ଟ୍ରାନ୍‍ସ୍, ହାଉସ୍, ଟେକ୍‍ନୋ, ଡବ୍‍ଷ୍ଟେପ୍, ଡ୍ରମ୍ ଏଣ୍ଡ୍ ବେସ୍, ଇଲେକ୍ଟ୍ରୋ ଏପରି ଅନେକ ଶୈଳୀର ବୈଦୁତିକ ସଙ୍ଗୀତ ପ୍ରଦର୍ଶିତ ହୁଏ ।
  • ଫ୍ରାକ୍ଟାଲ୍‍ଫେଷ୍ଟ୍ – ନ୍ୟୁୟର୍କ୍‍ର ଷ୍ଟିଫେନ୍‍ଟାଉନ୍‍ରେ “ଫ୍ରାକ୍ଟାଲ୍‍ଟ୍ରାଇବ୍”ର ବାର୍ଷିକ ସାଇ-ଟ୍ରାନ୍‍ସ୍ ଉତ୍ସବ ମୁକ୍ତାକାଶ ତଳେ ଅନୁଷ୍ଠିତ ହୁଏ । ଅନେକ କଳାକାର, ସଙ୍ଗୀତଜ୍ଞ, ସଙ୍ଗୀତ ଆୟୋଜକମାନେ ମିଳିତ ହୋଇ ଫ୍ରାକ୍ଟାଲ୍‍ଟ୍ରାଇବ୍ ଗୋଷ୍ଠୀ ଗଠନ କରିଛନ୍ତି । ସାଇକାଡେଲିକ୍ ଟ୍ରାନ୍‍ସ୍ ସଙ୍ଗୀତର ତାଳରେ ଲୋକଙ୍କୁ ଏମାନେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥାନ୍ତି ।
  • ଡେସିବେଲ୍ ଉତ୍ସବ : ସିଆଟେଲ୍ ସହରରେ ୨୦୦୪ ମସିହାରୁ ଏହି ବାର୍ଷିକ ସଙ୍ଗୀତୋତ୍ସବ ଆରମ୍ଭ ହୋଇଥିଲା । ଏହି ଉତ୍ସବ ବୈଦୁତିକ ସଙ୍ଗୀତ ଓ କଳା ପ୍ରତି ଉତ୍ସର୍ଗୀକୃତ । ଏହି ଉତ୍ସବରେ ଅନେକ କଳା ଓ ଚଳଚ୍ଚିତ୍ର, ସଙ୍ଗୀତ ଏପରି ଅନେକ କାର୍ଯ୍ୟକ୍ରମର ଉପଭୋଗ କରାଯାଇପାରିବ ।
  • ଅଲ୍‍ଟ୍ରା ସଙ୍ଗୀତ ଉତ୍ସବ ଫ୍ଲୋରିଡ଼ାର ମିଆମିଠାରେ ଆୟୋଜିତ ହୁଏ । ଏହି ଉତ୍ସବ ବର୍ଷକୁ ଥରେ ମାର୍ଚ୍ଚ୍ ମାସରେ ଅନୁଷ୍ଠିତ ହୁଏ । ଏ ଷ୍ଟେଟ୍ ଅଫ୍ ଟ୍ରାନ୍‍ସ୍‍ର ଅନେକ ଅଧ୍ୟାୟ ଅଲ୍‍ଟ୍ରା ଉତ୍ସବର ସେଟ୍‍ରୁ ପ୍ରସାରିତ ହୋଇଛି ।
  • ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ଦ୍ୱାରା ପ୍ରତିବର୍ଷ ଇଲେକ୍ଟ୍ରିକ୍ ଡେଇଜି କାର୍ଣ୍ଣିଭାଲ୍ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇଥାଏ । ୧୯୯୭ରୁ ୨୦୧୦ ପର୍ଯ୍ୟନ୍ତ ଏହି ଉତ୍ସବ ଦକ୍ଷିଣ କାଲିଫର୍ଣ୍ଣିଆ ତଥା ୨୦୧୧ ପରଠାରୁ ଏହା ଲାସ୍ ଭେଗାସ୍‍ରେ ଆୟୋଜିତ ହେଉଛି । ୨୦୦୯ ମସିହାର ସଂସ୍କରଣରେ ଉତ୍ସବ ୩ ଦିନ ଧରି ପାଳିତ ହୋଇଥିଲା ।
  • ଦକ୍ଷିଣ କାଲିଫର୍ଣ୍ଣିଆରେ ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ ପ୍ରତିବର୍ଷ ନୋକ୍ଟର୍ନାଲ୍ ଫେଷ୍ଟିଭାଲ୍‍ର ଆୟୋଜନ କରେ । ଏହି ଆୟୋଜକ ସଂସ୍ଥା ଅଗଷ୍ଟ ଓ ସେପ୍ଟେମ୍ବର୍ ମାସରେ କାଲିଫର୍ଣ୍ଣିଆର ସାନ୍ ବର୍ଣ୍ଣାର୍ଡିନୋରେ ଥର୍ଣ୍ଣ୍‍ଡେଲ୍ ଉତ୍ସବର ଆୟୋଜନ ମଧ୍ୟ କରିଥାଏ ।
  • ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ଦ୍ୱାରା ଉତ୍ତର କାଲିଫର୍ଣ୍ଣିଆରେ ଆୟୋଜିତ ଆଉ ଏକ ବୈଦୁତିକ ସଙ୍ଗୀତ ଉତ୍ସବ ହେଉଛି ବେୟଣ୍ଡ ୱାଣ୍ଡର୍‍ଲ୍ୟାଣ୍ଡ ।
  • ଡ୍ରିମ୍‍ଷ୍ଟେଟ୍ ନାମକ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ ୨୦୧୫ ମସିହା ନଭେମ୍ବର୍ ୨୭-୨୮ ତାରିଖରେ କାଲିଫର୍ଣ୍ଣିଆର ସାନ୍ ବର୍ଣ୍ଣାର୍ଡିନୋରେ ଅନୁଷ୍ଠିତ ହୋଇଥିଲା । ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ ଏହାର ଆୟୋଜକ ଥିଲା ।
  • ଶ୍ରମ ଦିବସ ଛୁଟିରେ ନ୍ୟୁୟର୍କ ନଗରର ରାଣ୍ଡାଲ୍ ଆଇଲାଣ୍ଡ୍ ପାର୍କରେ ଇଲେକ୍ଟ୍ରିକ୍ ଜୁ ଫେଷ୍ଟିଭାଲ୍ ନାମକ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୁଏ ।
  • ମିସିଗାନ୍‍ରେ ଅନୁଷ୍ଠିତ ହେଉଥିବା ଏକ ଚାରି ଦିନିଆ ବାର୍ଷିକ ସଙ୍ଗୀତ ଉତ୍ସବ ହେଲା ଇଲେକ୍ଟ୍ରିକ୍ ଫରେଷ୍ଟ୍ ଫେଷ୍ଟିଭାଲ୍ ।
  • ଟୁମୋରୋ ୱାଲ୍‍ଡ୍ ହେଉଛି ଟୁମୋରୋ ଲ୍ୟାଣ୍ଡ ପରି ଆଉ ଏକ ଉତ୍ସବ ଓ ID&T ଏହାର ଆୟୋଜକ । ଏହି ତିନି-ଦିନିଆ ବାର୍ଷିକୋତ୍ସବ ଜର୍ଜିଆ ସହରରେ ଅନୁଷ୍ଠିତ ହୁଏ ।
  • ସୋନିକ୍ ବ୍ଲୁମ୍ ନାମକ ତିନି-ଦିନିଆ ବାର୍ଷିକୋତ୍ସବ କଲରାଡ଼ୋ ସହରରେ ଅନୁଷ୍ଠିତ ହୁଏ ।
  • ସ୍ପ୍ରିଙ୍ଗ୍ ଏୱେକେନିଂଗ୍, ନାମକ ତିନି-ଦିନିଆ ବାର୍ଷିକୋତ୍ସବ ସିକାଗୋରେ ଅନୁଷ୍ଠିତ ହୁଏ ।

ମେକ୍ସିକୋ ସମ୍ପାଦନା

  • ଇନ୍ସୋମ୍‍ନିଆକ୍ ଇଭେଣ୍ଟ୍‍ସ୍ ନାମକ ଏକ ସଂସ୍ଥା ଉତ୍ତର ମେକ୍ସିକୋରେ ବେୟଣ୍ଡ୍ ୱାଣ୍ଡରଲ୍ୟାଣ୍ଡ୍ ମେକ୍ସିକୋ ଉତ୍ସବର ଆୟୋଜନ କରିଥାଏ ।

ଓସେନିଆ ସମ୍ପାଦନା

ଅଷ୍ଟ୍ରେଲିଆ ସମ୍ପାଦନା

  • ଡୁଫ୍ – ଏହା ମୁକ୍ତାକାଶ ତଳେ ହେଉଥିବା ଏକ ସମାରୋହ । ସାଧାରଣତଃ ସହର ବାହାରର ବୁଦାଳିଆ ପଡ଼ିଆ, ଜଙ୍ଗଲ ବା ଗାଁ ନିକଟରେ ଏପରି ଉତ୍ସବର ଆୟୋଜନ କରାଯାଏ । ଡୁଫ୍ ଉତ୍ସବରେ ବୈଦୁତିକ ସଙ୍ଗୀତର ଅନେକ ଶୈଳୀ ଯଥା ଗୋଆ ଟ୍ରାନ୍‍ସ୍, ଟେକ୍‍ନୋ, ଡ୍ରମ୍ ଆଣ୍ଡ୍ ବେସ୍, ସାଇକାଡେଲିକ୍ ଟ୍ରାନ୍‍ସ୍ ଡିଜେମାନଙ୍କଦ୍ୱାରା ପ୍ରଦର୍ଶିତ ହୁଏ ।
  • ଡେଫ୍‍କନ୍ ଡଟ୍ ୱାନ୍ ଉତ୍ସବ – ଏହି ସଙ୍ଗୀତୋତ୍ସବରେ ମୁଖ୍ୟତଃ ହାର୍ଡ୍କୋର୍ ଟେକ୍‍ନୋ, ହାର୍ଡ୍ ହାଉସ୍ ଓ ହାର୍ଡ୍ ଟ୍ରାନ୍‍ସ୍ ଶୈଳୀ ଅନୁସରଣ କରାଯାଏ । ୨୦୦୯ ମସିହା ସେପ୍ଟେମ୍ବରରୁ ଏହି ଉତ୍ସବ ସିଡ୍‍ନିରେ ଆୟୋଜିତ ହୋଇଆସୁଛି ।
  • ରେନ୍‍ବୋ ସର୍ପେଣ୍ଟ୍ ଉତ୍ସବ – ଭିକ୍ଟୋରିଆରେ ଅନୁଷ୍ଠିତ ହେଉଥିବା ଏହା ଏକ ବୃହତ୍ ବୈଦୁତିକ ସଙ୍ଗୀତ ସମାରୋହ । ସାଇକାଡେଲିକ୍ ଟ୍ରାନ୍‍ସ୍ ସଙ୍ଗୀତ ଏହି ଉତ୍ସବର ମୁଖ୍ୟ ଆକର୍ଷଣ । ସମୟ ସମୟରେ କିଛି ଟେକ୍‍ନୋ ଓ ଅଣ-ବୈଦୁତିକ ସଙ୍ଗୀତ ମଧ୍ୟ ପ୍ରଦର୍ଶିତ ହୋଇଥାଏ ।
  • ଷ୍ଟିରିଓସୋନିକ୍ - ଏହା ଓସେନିଆର ସର୍ବବୃହତ୍ ସଙ୍ଗୀତ ସମାରୋହ । ୨୦୧୩ ମସିହାରେ ଏହି ଉତ୍ସବ ଦୁଇ ଦିନ ଧରି ଚାଲିଥିଲା । ଏହି ଉତ୍ସବରେ କେବଳ ଟ୍ରାନ୍‍ସ୍ ଗୀତ ପ୍ରଦର୍ଶିତ ହୁଏ । ଏବୋଭ୍ ଆଣ୍ଡ୍ ବେୟୋଣ୍ଡ୍, ଆର୍ମିନ୍ ଭାନ୍ ବ୍ୟୁରେନ୍‍ଙ୍କ ପରି ଖ୍ୟାତନାମା ଡିଜେ ଏହି ଉତ୍ସବରେ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରନ୍ତି ।

ଦକ୍ଷିଣ ଆମେରିକା ସମ୍ପାଦନା

କ୍ରମଶଃ ଦକ୍ଷିଣ ଆମେରିକାରେ ଟ୍ରାନ୍‍ସ୍ ସଙ୍ଗୀତ ଲୋକପ୍ରିୟ ହେବାରେ ଲାଗିଛି । ଦକ୍ଷିଣ ଆମେରିକାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଟ୍ରାନ୍‍ସ୍ ଉତ୍ସବ ହେଉଛି “ୟୁନିଭର୍ସୋ ପାରାଲେଲୋ” । ବ୍ରାଜିଲ୍ ଦେଶରେ ସାଇ-ଟ୍ରାନ୍‍ସ୍ ଖୁବ୍ ଲୋକପ୍ରିୟ ଥିଲା । ୨୦୦୦ ଦଶନ୍ଧିରେ xxxperience ଉତ୍ସବ କିଛି ବର୍ଷ ପାଇଁ ଖୁବ୍ ଲୋକପ୍ରିୟ ଥିଲା ।

ବ୍ରାଜିଲ୍ ସମ୍ପାଦନା

ଶିବାନେରିସ୍ ଇଷ୍ଟର୍ ଉତ୍ସବ, ଟ୍ରାନ୍‍ସ୍ ଇନ୍ ମୁନ୍, ଫେଷ୍ଟିଭାଲ୍ ମୁଣ୍ଡୋ ଡି ଓଜି, ୟୁନିଭର୍ସୋ ପାରାଲେଲୋ ଇତ୍ୟାଦି ବ୍ରାଜିଲ୍‍ରେ ଆୟୋଜିତ ମୁଖ୍ୟ ଟ୍ରାନ୍‍ସ୍ ଉତ୍ସବ ।

ପେରୁ ସମ୍ପାଦନା

ଆର୍କାନା ଉତ୍ସବ

ଆଧାର ସମ୍ପାଦନା

  1. Fassbender, Torsten (2008). The Trance Experience. Knoxville, Tennessee: Sound Org Inc. ISBN 978-0-2405-2107-7: p. 15, 16, 17, 19
  2. "A look back at April's Spirit Tribe Trance celebration". GoKunming. 6 May 2016. Archived from the original on 12 May 2016. Retrieved 12 May 2016.
  3. Meadow, Matthew. "Martin Garrix & Other Top 100 DJs Helped This EDM Festival Break Massive Record". Your EDM. Retrieved 5 March 2016.
  4. D'Andrea, Anthony (24 January 2007). "Global Nomads: Techno and New Age as Transnational Countercultures in Ibiza". books.google.com. Routledge. p. 177. Retrieved 25 January 2016.
  5. St John, Graham (1 June 2004). "Rave Culture and Religion". Routledge. p. 242. Retrieved 25 January 2016.
  6. https://www.wald-frieden.de/index.php/en/
  7. "Monday Bar -". Retrieved 22 November 2016.
  8. "SUMMER SOUND FESTIVAL 2015". Retrieved 22 November 2016.
  9. "dreamland greece - dreamland greece". Archived from the original on 24 April 2018. Retrieved 22 November 2016.