ଜାମିନ ହେଉଛି ଏକ ଅନୁମତି ଯାହା ଜଣେ ଗିରଫ ହୋଇଥିବା ଲୋକକୁ ଜେଲରେ ନରହିବାର ସ୍ୱାଧୀନତା ଦେଇଥାଏ । ଜାମିନ ମଞ୍ଜୁର ହେବାଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଜେଲରେ ବନ୍ଦୀ ନହୋଇ କେବଳ ଆବଶ୍ୟକ ସମୟରେ ନ୍ୟାୟାଳୟରେ ହାଜର ହେବାକୁ ପଡ଼େ । ଜାମିନ ସାଧାରଣତଃ ଜାମିନଦାରଙ୍କ ପ୍ରତିଶ୍ରୁତିରେ ଦିଆଯାଏ ଯଦିଓ କେତେକ କ୍ଷେତ୍ରରେ ବ୍ୟକ୍ତିଗତ ମୁଚାଲିକାରେ ମଧ୍ୟ ମୁକ୍ତ କରାଯାଇଥାଏ ।

ଜାମିନ ସମ୍ବନ୍ଧୀୟ ଆଇନ ସମ୍ପାଦନା

ଜାମିନ ମୁଖ୍ୟତଃ ଦଣ୍ଡନୀତି ପ୍ରକ୍ରିୟା ସଂହିତାଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏହି ଆଇନ ଅନେକ ପ୍ରକାର ଜାମିନ ବିଷୟରେ ଉଲ୍ଲେଖ କରିଛି । ଜାମିନ ଦୃଷ୍ଟିରୁ ଅପରାଧଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି ।

  1. ଜାମିନଯୁକ୍ତ ମାମଲା
  2. ଜାମିନ ବିହୀନ ମାମଲା

ଜାମିନଯୁକ୍ତ ମାମଲା ସମ୍ପାଦନା

ଧାରା ୪୩୬ ଜାମିନଯୁକ୍ତ ମାମଲାରେ ଜାମିନର ପ୍ରାବଧାନ ରହିଛି । ସାଧାରଣତଃ ଜାମିନଯୁକ୍ତ ମାମଲାରେ ଜାମିନ ମିଳିବା ବନ୍ଦୀର ଅଧିକାର ଅଟେ । ଜାମିନଦାରଙ୍କଦ୍ୱାରା କିମ୍ବା ବ୍ୟକ୍ତିଗତ ମୁଚାଲିକାରେ ବନ୍ଦୀକୁ ଖଲାସ କରାଯାଇଥାଏ ।

ଜାମିନ ବିହୀନ ମାମଲା ସମ୍ପାଦନା

ଧାରା ୪୩୭ ଜାମିନ ବିହୀନ ମାମଲାର ଆଇନ ଉଲ୍ଲେଖ କରିଥାଏ । ଏହିପ୍ରକାର ମାମଲାରେ ଜାମିନ ମିଳିବା ଅଦାଲତ କିମ୍ବା ପୋଲିସ ଅଧିକାରୀଙ୍କ ଅନୁମତି ଉପରେ ନିର୍ଭର କରିଥାଏ । ସାଧାରଣତଃ ଗୁରୁତ୍ତ୍ୱପୂର୍ଣ୍ଣ ଅପରାଧମାନଙ୍କୁ ଜାମିନ ବିହୀନ ଭାବେ ଶ୍ରେଣୀଭୁକ୍ତ କରାଯାଇଛି ।

ଅଗ୍ରୀମ ଜାମିନ ସମ୍ପାଦନା

ଯଦିଓ ଜାମିନ କେବଳ ଗିରଫ ହେବା ପରେ ହିଁ ମଞ୍ଜୁର ହୋଇଥାଏ, ତଥାପି ଅନେକ କ୍ଷେତ୍ରରେ ଗିରଫଦାରୀ ଏଡ଼ାଇବା ପାଇଁ ଅଗ୍ରୀମ ଜାମିନ ଦିଆଯାଇଥାଏ । ଏହା ଜାମିନର ନୁହେଁ, କେବଳ ଏକ ନିର୍ଦ୍ଦେଶ ଯାହାଦ୍ୱାରା ଜାମିନ ବିହୀନ ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିକୁ ସଙ୍ଗେ ସଙ୍ଗେ ଜାମିନ ପ୍ରଦାନ କରାଯାଇଥାଏ । ଏହାର ପ୍ରାବଧାନ ଧାରା ୪୩୮ରେ ଉଲ୍ଲେଖ ରହିଛି ।