ଚନ୍ଦ୍ରଭାଗା ବେଳାଭୂମି

ଚନ୍ଦ୍ରଭାଗା ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିରର ତିନି କିଲୋମିଟର ପୂର୍ବରେ ଅବସ୍ଥିତ । ଏହା ଭାରତୀୟ ରାଜ୍ୟ ଓଡ଼ିଶାର ପୁରୀ ସହରଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ।[୧] ଏଠାରେ କୁଷ୍ଠ ରୋଗୀମାନଙ୍କର ପ୍ରାକୃତିକ ଉପାୟରେ ଚିକିତ୍ସା ହୋଇଯାଏ ବୋଲି ପୂର୍ବେ ବିଶ୍ୱାସ ରହିଥିଲା । ଏସିଆର ପ୍ରଥମ ବେଳାଭୂମି ଭାବରେ ଚନ୍ଦ୍ରଭାଗା ବେଳାଭୂମିକୁ ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ର ମିଳିଥିଲା । ଏହି ପ୍ରମାଣପତ୍ର ସୁପରିବେଶାତ୍ମକ, ପରିଷ୍କାର ଏବଂ ଅନ୍ତର୍ଜାତୀୟ ସ୍ତରର ସୁବିଧାଯୁକ୍ତ ବେଳାଭୂମିଗୁଡ଼ିକୁ ମିଳେ ।[୨]

ଚନ୍ଦ୍ରଭାଗା ବେଳାଭୂମି

ପୌରାଣିକ କଥା ସମ୍ପାଦନା

 
ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ

ପୌରାଣିକ କଥାନୁସାରେ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ ଚନ୍ଦ୍ରଭାଗାର ନଦୀ ମୁହାଣରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରି ନିଜକୁ କୁଷ୍ଠ ରୋଗରୁ ମୁକ୍ତ କରିଥିଲେ । ନଦୀଟି ଏହାପରେ କୌଣସି କାରଣବଶତଃ ଶୁଖିଯାଇଥିଲା । ଧାର୍ମିକ କାମ ପାଇଁ ଏହାକୁ ଏକ ଆଦର୍ଶ ଜାଗା ବୋଲି ବିବେଚନା କରାଯାଇଥାଏ ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାଇ ଏକ ଋଷିଙ୍କର କନିକା, ଚନ୍ଦ୍ରଭାଗା ନିଜର ଚାତୁରୀରେ ସୂର୍ଯ୍ୟ ଦେବତାଙ୍କର ଧ୍ୟାନ ଆକର୍ଷଣ କରିଥିଲେ । ଦେବତା, ପ୍ରେମରେ ପଡ଼ି କନ୍ୟାଟିକୁ ବିବାହ କରିବାକୁ ମର୍ତ୍ତ୍ୟମଣ୍ଡଳରେ ଆଗମନ କରିଥିଲେ । ଚନ୍ଦ୍ରଭାଗା ନିଜକୁ ଭଗବାନଙ୍କର ନିକଟରେ ଅର୍ପଣ କରିନଥିଲେ । ପ୍ରେମରେ ପାଗଳ ହୋଇ ଦେବତା ଚନ୍ଦ୍ରଭାଗା ପଛରେ ପଡ଼ିଯାଇଥିଲେ । ଭୟଭୀତ ହୋଇ ଚନ୍ଦ୍ରଭାଗା ନିଜକୁ ରକ୍ଷା କରିବାକୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଦେଲେ । ଏହି ତ୍ୟାଗକୁ ମନେରଖିବାକୁ ପ୍ରତିବର୍ଷ ମାଘ ମାସ ସପ୍ତମୀ ତିଥିରେ, ଓଡ଼ିଶା ତଥା ଓଡ଼ିଶା ବାହାରୁ ଲୋକେ ଆସି ପୋଖରୀରେ ସଂକୁଚିତ ହୋଇଯାଇଥିବା ନଦୀରେ ବୁଡ଼ ପକାଇଥାନ୍ତି । ଏହାପରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରାଯାଇ ସୂର୍ଯ୍ୟୋଦୟ ଅନୁଭବ କରାଯାଇଥାଏ ।[୩]

ଚନ୍ଦ୍ରଭାଗାର ବଳିଦାନ ହୁଏତଃ ଭୂଲାଯାଇପାରେ କିନ୍ତୁ ତାଙ୍କ ନାମରେ ନାମିତ ସ୍ଥାନ ଏକ ପବିତ୍ର ଭୂମି ଏବଂ ସୂର୍ଯ୍ୟୋଦୟର ଭୂମି ଭାବରେ ଜଣାଶୁଣା । ଏହା ଧାର୍ମିକ ଏବଂ ଧ୍ୟାନ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ । କବି, କଳାକାର ଏବଂ ପ୍ରେମୀଯୁଗଳଙ୍କର କ୍ରୀଡ଼ାଭୂମି ଭାବରେ ଏହା ଆଜି ପରିଚିତ । ଚନ୍ଦ୍ରଭାଗା ପାଖରେ ଏକ ବତୀଘର ମଧ୍ୟ ଦେଖିବାକୁ ମିଳେ ।

ସାମୁଦ୍ରିକ ସମ୍ପଦର ଗନ୍ତାଘର ଅଟେ ଚନ୍ଦ୍ରଭାଗା । ଶୁଖିଯାଇଥିବା ନଦୀ ମୁହାଣରେ ବିଶାଖାପଟନମରୁ ଆସିଥିବା ବହୁ ମାଛଧରାଳୀ ବାସ କରନ୍ତି ।[ଆଧାର ଲୋଡ଼ା]

ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ର ସମ୍ପାଦନା

 
ଚନ୍ଦ୍ରଭାଗା ବେଳାଭୂମି

ନିମ୍ନଲିଖିତ ବ୍ୟବସ୍ଥା ଥିଲେ ଗୋଟିଏ ବେଳାଭୂମିକୁ ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ର ମିଳିଥାଏ:[୪]

  • ବେଳାଭୂମିରେ ସଫାସୁତୁରା ଏବଂ ସ୍ୱାସ୍ଥ୍ୟକାରୀ ଗାଧୋଇବା ପାଣି ମିଳିବ ଆବଶ୍ୟକ ।
  • ପର୍ଯ୍ୟଟକମାନଙ୍କ ପାଇଁ ମୌଳିକ ସୁବିଧା ଏବଂ
  • ପାଖାପାଖି ସ୍ଥାନରେ ସତତ ବିକାଶ ହେଉଥିବା ଆବଶ୍ୟକ ।

ବର୍ତ୍ତମାନ ସୁଦ୍ଧା ଭାରତରେ ୧୩ଟି ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ରଯୁକ୍ତ ବେଳାଭୂମି ଅଛି । ସ୍ପେନରେ ସର୍ବାଧିକ ୫୬୬ଟି, ପରେ ଗ୍ରୀସ ଏବଂ ଫ୍ରାନ୍ସରେ ଯଥାକ୍ରମେ ୫୧୫ ଏବଂ ୩୯୫ଟି ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ରଯୁକ୍ତ ବେଳାଭୂମି ଅଛି ।[୪]

ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦନା

 
ଚନ୍ଦ୍ରଭାଗାରେ ମାଘ ସପ୍ତମୀ
  • ଶାମ୍ବଦଶମୀ ଏବଂ ମାଘ ସପ୍ତମୀ ଅବସରରେ ବହୁ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଆସନ୍ତି । ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଏକ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ ।[୫] ଏହି ଦିନ ମାଘ ମେଳା ଆୟୋଜନ କରାଯାଇଥାଏ ।[୬]
  • ୨୦୧୫ ମସିହାରୁ ପ୍ରତିବର୍ଷ ଡିସେମ୍ବର ମାସ ପାଖାପାଖି, ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ପର୍ବ ପାଳନ କରାଯାଇଥାଏ । ଦେଶବିଦେଶରୁ ଅନେକ ପ୍ରତିଯୋଗୀ ଏଥିରେ ଭାଗ ନେଇଥାନ୍ତି ।[୭][୮]

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା