ପ୍ରିୟମ୍ବଦା ଦେବୀ

ଓଡ଼ିଆ ରାଜନୀତିଜ୍ଞ

ପ୍ରିୟମ୍ବଦା ଦେବୀ (୧୮୯୮ - ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୯୨୪ ମସିହାରେ ଓଡ଼ିଶାରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ବାନର ସେନା ଗଠନ କରିଥିଲେ ଓ ବିଭିନ୍ନ ସ୍ଥାନମାନଙ୍କରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ପ୍ରଚାର କରୁଥିଲେ ।[୧] ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ତାଙ୍କୁ ୧୯୩୦, ୧୯୩୨, ୧୯୩୬ ଓ ୧୯୪୨ ମସିହାରେ ଚାରିଥର ଗିରଫ କରାଯାଇଥିଲା । ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ୨ୟ ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ କଟକ ସହରରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ ।

ପ୍ରିୟମ୍ବଦା ଦେବୀ
ବିଧାୟିକା: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୮ ମଇ ୧୯୪୬ – ୨୦ ଫେବୃଆରୀ ୧୯୫୨
ନିର୍ବାଚନ ମଣ୍ଡଳୀକଟକ ନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୮୯୮
ମୃତ୍ୟୁ୮ ଜୁଲାଇ ୧୯୯୯
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତିଜ୍ଞ


ଜନ୍ମ ସମ୍ପାଦନ କରନ୍ତୁ

ପ୍ରିୟମ୍ବଦା ଦେବୀ ୧୮୯୮ ମସିହାରେ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୧]

ସ୍ୱାଧୀନା ସଂଗ୍ରାମରେ ଯୋଗଦାନ ସମ୍ପାଦନ କରନ୍ତୁ

୧୯୨୪ ମସିହାର ପ୍ରିୟମ୍ବଦା ଦେବୀ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ପ୍ରଥମେ ସେ ବାନର ସେନା ଗଠନ କରି ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼େଇ କରିବା ଆରମ୍ଭ କରିଥିଲେ ।[୧] ସେହି ସମୟରେ ସେମାନେ ବ୍ରିଟିଶ ସରକାର ବିରୁଦ୍ଧରେ ବିଭିନ୍ନ ପ୍ରକାରର ପ୍ରଚାର କରିବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଲୋକମାନଙ୍କୁ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେବାକୁ ପ୍ରବର୍ତ୍ତାଉଥିଲେ ।

ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ପାଇଁ ପ୍ରିୟମ୍ବଦା ଦେବୀ ଚାରିଥର ଗିରଫ ହୋଇ କରାଦଣ୍ଡ ଭୋଗିଥିଲେ । ତାଙ୍କୁ ୧୯୩୦, ୧୯୩୨, ୧୯୩୬ ଓ ୧୯୪୨ ମସିହାରେ ଗିରଫ କରାଯାଇ କାରାଗାରକୁ ପଠାଯାଇଥିଲା ।[୧]

ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ

ପ୍ରିୟମ୍ବଦା ଦେବୀ ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ଗଠନ କରାଯାଇଥିବା ୨ୟ ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ସେ ଏହି ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରିୟମ୍ବଦା ଦେବୀ ଏହି ବିଧାନ ସଭାରେ ୨୮ ମଇ ୧୯୪୬ରୁ ୨୦ ଫେବୃଆରୀ ୧୯୫୨ରେ ଏହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।[୨]

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରିୟମ୍ବଦା ଦେବୀଙ୍କର ମହତ୍ତ୍ୱପୂର୍ଣ୍ଣ ଅଂଶଗ୍ରହଣ ପାଇଁ ତାଙ୍କୁ ଭାରତ ସରକାରଙ୍କଦ୍ୱାରା କାଂସ୍ୟ ପଦକରେ ପୁରସ୍କୃତ କରାଯାଇଥିଲା ଏବଂ ଓଡ଼ିଶା ସରକାର ମଧ୍ୟ ତାଙ୍କୁ ସମ୍ମାନୀତ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନ କରନ୍ତୁ

ପ୍ରିୟମ୍ବଦା ଦେବୀ ୧୯୯୯ ମସିହାର ଜୁଲାଇ ମାସ ୮ ତାରିଖରେ ମୃତ୍ୟବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା ।[୧] ୧୯୯୯ ମସିହାର ଜୁଲାଇ ମାସ ୯ ତାରିଖରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ସଭାର ଆୟୋଜନ କରାଯାଇଥିଲା ।[୧]

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Late Priyambada Devi". odishaassembly.nic.in. Odisha Assembly. Retrieved 27 March 2019.
  2. "Priyambada Debi vs State Of Orissa And Anr. on 24 March, 1992". indiankanoon.org. Archived from the original on 27 March 2019. Retrieved 2019-03-27.