ଧରଣୀଧର ଭୂୟାଁ

ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ

ବିପ୍ଳବୀ ଧରଣୀଧର ଭୂୟାଁ (୧୮୬୪-୧୯୧୪) ଓଡ଼ିଶାର ଜଣେ ସୁନାମଧନ୍ୟ ବିପ୍ଳବୀ ଥିଲେ । ୧୮୯୧ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ ପ୍ରଜାମେଳି ହୋଇଥିଲା, ତାହାର ନେତୃତ୍ଵ ନେଇଥିଲେ ବିପ୍ଳବୀ ଧରଣୀଧର । ଏହି ବିଦ୍ରୋହ କେନ୍ଦୁଝର ରାଜ୍ୟର ନିର୍ଦ୍ଦିଷ୍ଟ ସୀମା ଓ ସମ୍ପୃକ୍ତ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ମଧ୍ୟରେ ସୀମିତ ଥିଲେ ମଧ୍ୟ ସମଗ୍ର ଓଡ଼ିଶା ଏପରିକି ସାରା ଭାରତବର୍ଷରେ ଚହଳ ପକାଇଥିଲା । ତାଙ୍କର ସ୍ମୃତିରେ କେନ୍ଦୁଝରର ଧରଣୀଧର ମହାବିଦ୍ୟାଳୟର ନାମକରଣ ହୋଇଛି ।

ଧରଣୀଧର ଭୂୟାଁ
Dharani Dhar Bhuyan.jpg
ଜନ୍ମ ଓ ଜନ୍ମସ୍ଥାନ ଧରଣୀଧର ନାଏକ
୫ ମଇ ୧୮୬୪(1864-05-05)
କୁସୁମିତା, କେନ୍ଦୁଝର
ମୃତ୍ୟୁ ୧୬ ମଇ ୧୯୧୪ (୫୦ ବର୍ଷ)
ଜାତୀୟତା ଭାରତୀୟ
ଅଲଗା ନାଆଁ ବିପ୍ଳବୀ ଧରଣୀଧର
ପ୍ରସିଦ୍ଧି କେନ୍ଦୁଝର ପ୍ରଜାମେଳି
ବାପା ମା ଲଇକ୍ଷଣ ନାୟକ ଓ ବାଇଗଣୀ ଦେବୀ

ବିଷୟସୂଚୀ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ବିପ୍ଳବୀ ଧରଣୀଧର ୧୮୬୪ ମସିହା ମଇ ମାସ ୫ ତାରିଖରେ, କେନ୍ଦୁଝର ଜିଲ୍ଲାର ଆଦିବାସୀ ପଲ୍ଲୀ କୁସୁମିତାରେ ଏକ ପାହାଡ଼ି ଭୂୟାଁ ପରିବାରରେ ଜନ୍ମ ହୋଇଥିଲେ ।[୧] ତାଙ୍କର ପିତା ଥିଲେ ଶ୍ରୀ ଲଇଛଣ ନାୟକ ଏବଂ ମାତା ଥିଲେ ବାଇଗଣୀ ଦେବୀ । ମାତା ପିତାଙ୍କର କନିଷ୍ଠ ପୁତ୍ର ଧରଣୀଧର ଖୁବ ମେଧାବୀ ଥିଲେ ଏବଂ ପିଲାଟି ଦିନରୁ ପଢାପଢିରେ ତାଙ୍କର ଖୁବ ଆଗ୍ରହ ଥିଲା । ସେଥିଯୋଗୁଁ, ଏକ ଦରିଦ୍ର ଆଦିବାସୀ ପରିବାରରେ ଜନ୍ମ ହୋଇ ମଧ୍ୟ ଅନେକ ବାଧାବିଘ୍ନ ସତ୍ତ୍ୱେ ଇଂରାଜୀ ବିଦ୍ୟାଳୟର ଶିକ୍ଷା ସମାପ୍ତ କରିଥିଲେ । ଶିକ୍ଷା ପ୍ରତି ତାଙ୍କର ଏ ଆଗ୍ରହ ଯୋଗୁଁ, କେନ୍ଦୁଝରର ସେ ସମୟର ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କୁ କଟକରେ ଜମିଜମା ସର୍ବେକ୍ଷଣ (ସର୍ଭେ) ପାଠ ପଢିବାକୁ ପଠାଇଥିଲେ । ସେଠାରୁ ସଫଳତାର ସହ ଶିକ୍ଷା ସମାପ୍ତ କରି ଫେରିବା ପରେ, ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କୁ ସର୍ବେକ୍ଷଣ ନିରୀକ୍ଷକ (ସର୍ଭେ ଓଭରସିୟର) ଭାବେ ନିଯୁକ୍ତ କରିଥିଲେ ।

ଷଡ଼ଯନ୍ତ୍ରର ଶିକାରସମ୍ପାଦନ କରନ୍ତୁ

ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ ଧରଣୀଧର ନିଜର ବ୍ୟକ୍ତିତ୍ଵ, ସାଧୁତା, ପରିଶ୍ରମ ଓ ଅଧ୍ୟବସାୟଦ୍ଵାରା ଖୁବ୍ କମ୍ ସମୟ ଭିତରେ ରାଜାଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଏଥିରେ କ୍ଷୁବ୍ଧ ହୋଇ କିଛି ସ୍ଵାର୍ଥପର କର୍ମଚାରୀ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ଲାଗିଲେ । ଏ ସବୁର ମୁଖ୍ୟ ପୁରୋଧା ଥିଲେ ସେ ସମୟର ରାଜାଙ୍କର ସହକାରୀ ଦେବାନ୍, କ୍ଷମତାଲୋଭୀ ବିଚିତ୍ରାନନ୍ଦ ଦାସ । ଧରଣୀଧରଙ୍କୁ ବଦନାମ କରିବା ଏବଂ ରାଜାଙ୍କ ନିକଟରେ ତାଙ୍କୁ ଅପ୍ରିୟ କରାଇବା ଥିଲା ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଏହି ସମୟରେ ୧୮୯୦ ମସିହାରେ କେନ୍ଦୁଝର ଓ ସିଂହଭୂମ ରାଜ୍ୟ ମଧ୍ୟରେ ସୀମାକୁ ନେଇ ବିବାଦ ଉଠିଥିଲା । ସେଥିପାଇଁ ମପାମପି କାମ ପାଇଁ ରାଜା ଧରଣୀଧରଙ୍କୁ ସୀମାନ୍ତ ଅଞ୍ଚଳକୁ ପଠାଇଥିଲେ । ତାଙ୍କ ଅନୁପସ୍ଥିତିରେ ବିଚିତ୍ରାନନ୍ଦ ଦାସ ଏବଂ ତାଙ୍କର ଅନୁଗାମୀମାନେ ଧରଣୀଧରଙ୍କ ବିରୋଧରେ ଖଚମିଛ କହି, ମିଥ୍ୟା ଅଭିଯୋଗ କରି ରାଜାଙ୍କ ମନରେ ବିଷ ଭରିବାରେ ସଫଳ ହୋଇଥିଲେ । ସେହି କାରଣରୁ ସୀମାନ୍ତରୁ ସୂଚାରୁ ରୂପେ କାର୍ଯ୍ୟ ସମାପନ କରି ଆସିବା ପରେ ମଧ୍ୟ ତାଙ୍କୁ ତାଙ୍କର ପଦବୀ ହରାଇବାକୁ ପଡ଼ିଥିଲା ।

ପ୍ରଜାମେଳି ଓ ବିଦ୍ରୋହସମ୍ପାଦନ କରନ୍ତୁ

୧୮୬୮ ମସିହାରେ ରାଜାଙ୍କ ଅତ୍ୟାଚାରକୁ ବିରୋଧ କରି ବିପ୍ଳବୀ ରତ୍ନା ନାୟକଙ୍କ ନେତୃତ୍ଵରେ ଭୂୟାଁ ସମ୍ପ୍ରଦାୟ ଯେଉଁ ମେଳି କରିଥିଲେ ତାକୁ ଇଂରେଜମାନଙ୍କ ସହାୟତାରେ ଖୁବ ନିଷ୍ଠୁରତାର ସହ ଦମନ କରାଯାଇଥିଲା । ଏହି ଘଟଣା ଭୂୟାଁମାନଙ୍କୁ ଖୁବ ଅସନ୍ତୁଷ୍ଟ କରିଥିଲା । ତା’ ସହିତ ରାଜା ଓ ରାଜକର୍ମଚାରୀମାନଙ୍କ ଦିନକୁ ଦିନ ବଢୁଥିବା ଅତ୍ୟାଚାର ଓ ତା’ ସହିତ ପ୍ରଚଳିତ ବେଠି ପ୍ରଥା ଧରଣୀଧରଙ୍କ ମନକୁ ଖୁବ୍ ଆନ୍ଦୋଳିତ ଓ କ୍ଷୁବ୍ଧ କରିଥିଲା । ଏହି ସମୟରେ କେନ୍ଦୁଝରର ଏକ ଘଟଣା ତାଙ୍କ ମନରେ କୁହୁଳୁଥିବା ବିପ୍ଳବର ନିଆଁକୁ ପ୍ରଜ୍ଵଳିତ କରିବାରେ ସକ୍ଷମ ହୋଇଥିଲା ।

କେନ୍ଦୁଝରରେ ଥିବା ମାଛକାନ୍ଦଣା ନଦୀକୁ ବନ୍ଧାଇ କେନ୍ଦୁଝର ଆଡକୁ ନେବାର ଯୋଜନା କରାଯାଇଥିଲା । ସେଥିପାଇଁ ଗରିବ ଆଦିବାସୀମାନଙ୍କୁ ମଜୁରୀ ନ ଦେଇ ବେଠି ବେଗାରିରେ କାମ କରିବାକୁ ବାଧ୍ୟ କରାଗଲା । ସେତେବେଳେ କେନ୍ଦୁଝର ଗଡ଼ର ଦେବାନ୍ ଥା’ନ୍ତି ବ୍ୟାସକବି ଫକୀରମୋହନ ସେନାପତି, ଏବଂ ଏହି କେନାଲ ଖୋଳାର ତଦାରଖ ଦାୟିତ୍ଵରେ ଥା’ନ୍ତି ସହକାରୀ ଦେବାନ୍ ବିଚିତ୍ରାନନ୍ଦ ଦାସ । ଧୂର୍ତ୍ତ ବିଚିତ୍ରାନନ୍ଦଙ୍କର କ୍ରୂର ବ୍ୟବହାର ଓ ନିର୍ମମ ଅତ୍ୟାଚାର ନିରୀହ ଆଦିବାସୀମାନଙ୍କୁ ଆହୁରି ଉତ୍ୟକ୍ତ କଲା । ରାଜାଙ୍କଠାରେ ଅଭିଯୋଗ କରି ନିରାଶ ହେଲା ପରେ ଉତ୍ୟକ୍ତ ଆଦିବାସୀମାନେ ରାଜାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କଲେ । ସେମାନଙ୍କ ମଧ୍ୟରେ ଧରଣୀଧରଙ୍କ ଭାଇ ଗୋପାଳ ନାୟକ ମଧ୍ୟ ଥାନ୍ତି । ରାଜାଙ୍କ ଆଦେଶରେ ଗୋପାଳଙ୍କ ସମେତ ୨୦ଜଣ ଭୂୟାଁ ସର୍ଦ୍ଦାରଙ୍କୁ ବନ୍ଦୀ କରାଗଲା । ଏସବୁ ଘଟଣାରେ ଖୁବ୍ ମର୍ମାହତ ଓ ଉତ୍ତ୍ୟକ୍ତ ହୋଇ ଧରଣୀଧର ସମଗ୍ର ଭୂୟାଁ ସମ୍ପ୍ରଦାୟକୁ ରାଜାଙ୍କର ଏପରି ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ବିପ୍ଳବ କରିବାକୁ ଆହ୍ଵାନ କଲେ । ଏଥିରେ କେନ୍ଦୁଝର, ବଣାଇ, ସିଂହଭୂମ ଅଞ୍ଚଳର ହଜାର ହଜାର ଆଦିବାସୀ ଆସି ଯୋଗଦେଲେ ।

ଧରଣୀଧର ନିଜ ମେଳି ସହାୟତାରେ ସଶସ୍ତ୍ର ଲଢେଇ କରି, ରାଜାଙ୍କୁ ଗାଦିରୁ ହଟେଇ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବାକୁ ଏବଂ ତା ସହିତ ବିଚିତ୍ରାନନ୍ଦଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ । ବିଦ୍ରୋହ ପୂର୍ବରୁ ଧରଣୀଧର କଟକରେ ଥିବା କମିଶନର, କଲିକତାର ଇଂରେଜ କର୍ତୃପକ୍ଷ ଏବଂ ମୟୂରଭଞ୍ଜର ମ୍ୟାନେଜରଙ୍କୁ ରାଜାଙ୍କର ଅତ୍ୟାଚାର ବିଷୟରେ ଜଣାଇଥିଲେ । ସେଥିପାଇଁ, ବିଦ୍ରୋହ ଆରମ୍ଭ ହେଲା ପରେ ଇଂରେଜ ସରକାର ରାଜାଙ୍କୁ ସାହାଯ୍ୟ କରିବାକୁ ପଥମେ ମନା କରିଦେଲେ, କିନ୍ତୁ ଚତୁର ଦେବାନ୍ ଫକୀରମୋହନଙ୍କ ବିଚକ୍ଷଣତା ଯୋଗୁଁ ପରେ ସହାୟତା କରିଥିଲେ । କ୍ରମେ ବିଦ୍ରୋହ ଭୀଷଣ ରୂପ ଧାରଣ କଲା । ବିଦ୍ରୋହୀମାନେ ରାଜବାଟୀ ଆକ୍ରମଣ କରିବା ଆଗରୁ ରାଜା ଓ ବିଚିତ୍ରାନନ୍ଦ ଆନନ୍ଦପୁରକୁ ଲୁଚି ପଳାଇଲେ । ବିଦ୍ରୋହୀମାନେ ମଧ୍ୟ ରାଜ ନଅର ଅକ୍ତିଆର କରି ପାରିଲେ ନାହିଁ ।

ବିଦ୍ରୋହ ଦମନ ଓ ବନ୍ଦୀସମ୍ପାଦନ କରନ୍ତୁ

ଇଂରେଜ ସରକାର ବିଦ୍ରୋହକୁ ଦମନ କରିବାକୁ ଚାଇଁବସାର ଡେପୁଟି କମିଶନର ଏଚ. ଡାଉସନଙ୍କୁ କେନ୍ଦୁଝର ପଠାଇଲେ । ଏପଟେ ଧରଣୀଧର ରାଜାବିହୀନ କେନ୍ଦୁଝରର ଟିକାୟତଭାବେ ନିଜକୁ ଘୋଷଣା କରି ରାଇସୁଆଁର ଏକ ଆମ୍ବତୋଟା ମଧ୍ୟରେ ଦରବାର ବସେଇଲେ । ଏହି ସମୟରେ ବିଦ୍ରୋହୀମାନଙ୍କଦ୍ଵାରା ଦେବାନ ଫକୀରମୋହନ ଧରାପଡ଼ିଲେ । ତାଙ୍କ ପରି ଜଣେ ଗୁଣୀ ବ୍ୟକ୍ତିଙ୍କୁ ବନ୍ଦୀ ନକରି ଧରଣୀଧର ଫକୀରମୋହନଙ୍କୁ ନିଜର ପରମର୍ଶଦାତାରୂପେ ନିଯୁକ୍ତ କରି ବିଦ୍ରୋହ ଚଳାଇଲେ । ଡାଉସନ ମଧ୍ୟ ତାଙ୍କୁ ଓ ତାଙ୍କର ସାଥୀମାନଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଥାନ୍ତି । ଏହି ସମୟରେ ଧରଣୀଧର ପୁଣିଥରେ ରାଜନଅର ଅକ୍ତିଆର କରିବାକୁ ଯୋଜନା କଲେ, କିନ୍ତୁ ଫକୀରମୋହନଙ୍କ ବିଚକ୍ଷଣ କୂଟନୀତି ଯୋଗୁଁ ତାହା ବିଫଳ ହେଲା । ପୁଣି, ଫକୀରମୋହନଙ୍କ ପରାମର୍ଶରେ ସେ ଡାଉସନଙ୍କୁ ଦେଖାକରି ସବୁ କଥା ଜଣାଇବା ପାଇଁ ଯିବାକୁ ରାଜି ହୋଇଗଲେ । ସରଳ ବିଶ୍ଵାସୀ ଧରଣୀଧର ଏହା ଭିତରେ ଥିବା ଷଡଯନ୍ତ୍ରକୁ ବୁଝି ନପାରି ଅଳ୍ପକିଛି ସାଥୀଙ୍କୁ ଧରି ଡାଉସନଙ୍କୁ ଦେଖା କରିବାକୁ ଗଲେ ଏବଂ ବନ୍ଦୀ ହେଲେ ।

ଧରଣୀଧରଙ୍କ ବନ୍ଦୀ ହେବାପରେ ବିଦ୍ରୋହୀମାନେ ଆନ୍ଦୋଳନ ଜାରି ରଖିପାରିଲେ ନାହିଁ ଏବଂ ବିଦ୍ରୋହର ଅକାଳ ଅବସାନ ଘଟିଲା । ବିଦ୍ରୋହ କରିଥିବା ଅପରାଧରେ ବିପ୍ଳବୀ ଧରଣୀଧରଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଗଲା ।

ଶେଷ ଜୀବନସମ୍ପାଦନ କରନ୍ତୁ

ଧରଣୀଧର ୧୮୯୭ ମସିହାରେ କାରାଗାରରୁ ମୁକ୍ତି ପାଇଥିଲେ । ପୁରୀର ବାଙ୍କୀ ମୁହାଣରେ ସେ ଅନେକ ବର୍ଷ ତପସ୍ୟାରତ ରହିଥିଲେ । ଏ ସମୟରେ ତାଙ୍କ ସହିତ ଦେଖା କରିବାକୁ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଆଦି ମନୀଷୀମାନଙ୍କର ଆଗମନ ହୋଇଥିଲା । ଏହାପରେ ୧୯୧୨ ମସିହାରେ ପୁରୀଠାରୁ ଆଳିଯାଇ ସେଠାରେ ଆଶ୍ରମ ସ୍ଥାପନା କରି ସନ୍ୟାସୀ ଜୀବନ ଅତିବାହିତ କରିଥିଲେ । ୧୬ ମଇ ୧୯୧୪ମସିହାରେ ତାଙ୍କର ମୃତ୍ୟୁ ହେଇଥିଲା ।[୨]

ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ