ଜୋର୍ଡାନ ପଶ୍ଚିମ ଏସିଆର ଜୋର୍ଡାନ ନଦୀର ପୂର୍ବ କୂଳରେ ସ୍ଥିତ ଲେଭାଣ୍ଟ ଅଞ୍ଚଳର ଏକ ଆରବୀୟ ଦେଶ । ସାଉଦି ଆରବ, ଇରାକ, ସିରିଆ, ଇସ୍ରାଏଲ ଏବଂ ପାଲେଷ୍ଟାଇନ (ପଶ୍ଚିମ କୂଳ) ଜୋର୍ଡାନର ପଡୋଶୀ ରାଷ୍ଟ୍ର । ମୃତ ସାଗର ଏହାର ପଶ୍ଚିମ ସୀମାରେ ଅବସ୍ଥିତ । ଦେଶର ଦକ୍ଷିଣ-ପଶ୍ଚିମ ଦିଗରେ ଲୋହିତ ସାଗରର ୨୬ କିଲୋମିଟର (୧୬ ମାଇଲ୍) ଦୀର୍ଘ ଉପକୂଳ ଅଛି । ଜୋର୍ଡାନ ଏସିଆ, ଆଫ୍ରିକା ଏବଂ ୟୁରୋପର ମିଳନସ୍ଥଳୀ ନିକଟରେ ଅବସ୍ଥିତ । ରାଜଧାନୀ ଆମ୍ମାନ ହେଉଛି ଜୋର୍ଡାନର ସବୁଠାରୁ ଜନବହୁଳ ସହର ତଥା ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର ।

ଜୋର୍ଡାନ ହେଉଛି ଏକ ଅର୍ଦ୍ଧ-ଶୁଷ୍କ, ପ୍ରାୟ ଉପକୁଳବିହୀନ ଦେଶ, ଯାହାର କ୍ଷେତ୍ର ୮୯,୩୪୨ ବର୍ଗକିଲୋମିଟର (୩୪,୪୯୫ ବର୍ଗମାଇଲ) । ଜନସଂଖ୍ୟା ୧୦ ନିୟୁତ ଓ ଏହା ଏକାଦଶତମ ଜନସଂଖ୍ୟା ବିଶିଷ୍ଟ ଆରବ ଦେଶ । ପ୍ରାୟ ୯୫% ଲୋକ ସୁନ୍ନି ଇସଲାମ ହେଉଛି ଧର୍ମାବଲମ୍ବୀ ଏବଂ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଦ୍ୱିତୀୟ ବୃହତ୍ ଜନସମୂହ ।ପଶ୍ଚିମ ଏସିଆର ଅଶାନ୍ତ ଅଞ୍ଚଳରେ ଜୋର୍ଡାନକୁ “ସ୍ଥିରତାର ମରୁଦ୍ୟାନ” ବୋଲି କୁହାଯାଏ । ୨୦୧୦ର ଆରବ ବସନ୍ତ ବିପ୍ଳବ ସମୟରେ ଏହି ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡ ଜୋର୍ଡାନକୁ ପ୍ରଭାବିତ କରି ନାହିଁ ।

ଜୋର୍ଡାନକୁ “ଉଚ୍ଚ ମଧ୍ୟମ ବିକାଶ” ଅର୍ଥନୀତି ସହିତ “ଉଚ୍ଚ ମାନବ ବିକାଶ” ଦେଶ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ଜୋର୍ଡାନର ଅର୍ଥନୀତି, ଏହି ଅଞ୍ଚଳର ସବୁଠାରୁ ଛୋଟ ଅର୍ଥନୀତି । ଏହାର ଦକ୍ଷ କର୍ମଜୀବୀ ଉପରେ ଆଧାର କରି ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିଥାଏ ।ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏହା ସତ୍ତ୍ୱେ ପ୍ରାକୃତିକ ସମ୍ପଦର ଅଭାବ,ଆଞ୍ଚଳିକ ଅସ୍ଥିରତା ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ସୃଷ୍ଟି କରିଛି ।

ଭୂଗୋଳସମ୍ପାଦନ କରନ୍ତୁ

 
ଅଜ୍ଲୁନ୍ ଜଙ୍ଗଲ

ଜୋର୍ଡାନ ଏସିଆ, ଆଫ୍ରିକା ଏବଂ ୟୁରୋପର ମିଳନସ୍ଥଳୀ ନିକଟରେ ସ୍ଥିତ । ଏହାର କ୍ଷେତ୍ରଫଳ ୮୯,୩୪୨ ବର୍ଗକିଲୋମିଟର (୩୪,୪୯୫ ବର୍ଗମାଇଲ) ଏବଂ ଏହାର ଉତ୍ତର ଦିଗର ଶେଷ ସ୍ଥାନ ଉମ୍ କାଏସ୍ ଏବଂ ଦକ୍ଷିଣ ଦିଗର ଶେଷ ସ୍ଥାନ ଆକାବା ମଧ୍ୟରେ ଦୁରତା ୪୦୦ କିଲୋମିଟର (୨୫୦ ମାଇଲ) । ଏହା ୨୯°ରୁ ୩୪° ଉତ୍ତର ଅକ୍ଷ୍ୟାଂଷ ମଧ୍ୟରେ, ଏବଂ ୩୪°ରୁ ୪୦° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହାର ଦକ୍ଷିଣ ଏବଂ ପୂର୍ବରେ ସାଉଦି ଆରବ, ଉତ୍ତର-ପୂର୍ବରେ ଇରାକ, ଉତ୍ତରରେ ସିରିଆ ଏବଂ ପଶ୍ଚିମ ଦିଗରେ ଇସ୍ରାଏଲ୍ ଓ ପାଲେଷ୍ଟାଇନ ଅବସ୍ଥିତ ।

ଜୋର୍ଡାନ ପୂର୍ବ ଅଞ୍ଚଳ ହେଉଛି ଏକ ଶୁଷ୍କ ମାଳଭୂମି ଯାହା ମୋୖସୁମୀ ବର୍ଷା ଏବଂ ଋତୁକାଳୀନ ଜଳଧାରାଦ୍ୱାରା ଜଳସେଚିତ ହୁଏ । ଉର୍ବର ମୃତ୍ତିକା ଏବଂ ଅପେକ୍ଷାକୃତ ଅଧିକ ବୃଷ୍ଟିପାତ ହେତୁ ପ୍ରମୁଖ ସହରଗୁଡିକ ରାଜ୍ୟର ମୁଖ୍ୟତଃ ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ । ଇରବିଡ, ଜେରାଶ ଏବଂ ଜାର୍କା ଉତ୍ତର-ପଶ୍ଚିମରେ , ମଧ୍ୟ ପଶ୍ଚିମରେ ରାଜଧାନୀ ଆମ୍ମାନ ଏବଂ ଅଲ-ଲୁନ୍ ଏବଂ ଦକ୍ଷିଣ-ପଶ୍ଚିମରେ ମାଡାବା, ଅଲ-କରକ ଏବଂ ଆକାବା ସହର ଅନ୍ତର୍ଭୁକ୍ତ । ଦେଶର ପୂର୍ବ ଭାଗର ପ୍ରମୁଖ ସହରଗୁଡ଼ିକ ହେଉଛି ଆଜ୍ରାକ୍ ଏବଂ ରୁୱାଇଶ୍ ଯାହାକି ମରୂଦ୍ୟାନ କେନ୍ଦ୍ରିୟ ସହର ।

ପଶ୍ଚିମରେ ଭାଗଟି ଏକ ମାଳଅଞ୍ଚଳ ଯେଉଁଠି ଜଳସେଚିତ ଚାଷ ଜମି ଓ ଭୂମଧ୍ୟସାଗରୀୟ ଚିରସବୁଜ ଜଙ୍ଗଲ ଅନ୍ତର୍ଭୁକ୍ତ । ଏହି ମାଳ ଅଞ୍ଚଳ ଜୋର୍ଡାନ ଗସ୍ତ ଉପତ୍ୟକା ସହ ମିଶି ଯାଇଛି । ଏହି ଗସ୍ତ ଉପତ୍ୟକା ମଧ୍ୟରେ ଜୋର୍ଡାନ ନଦୀ ପ୍ରବାହିତ ଯାହା ଜୋର୍ଡାନକୁ ଇସ୍ରାଏଲଠାରୁ ଅଲଗା କରେ ।ମୃତ ସାଗର ଏହି ଉପତ୍ୟକା ମଧ୍ୟର ସ୍ଥିତ । ଲୋହିତ ସାଗରର ଆକାବା ଉପସଗରରେ ଜୋର୍ଡାନର ୨୬ କିଲୋମିଟର (୧୬ ମାଇଲ୍) ଦୀର୍ଘ ଉପକୂଳ ଅଛି । ୟର୍ମୋକ୍ ନଦୀ , (ଜୋର୍ଡାନ ନଦୀର ଏକ ଉପନଦୀ), ଉତ୍ତରରେ ଜୋର୍ଡାନ ଏବଂ ସିରିଆ ମଧ୍ୟରେ ସୀମାରେଖା ସୃଷ୍ଟି କରେ । ଜୋର୍ଡାନର ସୀମା ଅନେକ ଆନ୍ତର୍ଜାତୀୟ ଏବଂ ସ୍ଥାନୀୟ ଚୁକ୍ତିନାମାଦ୍ୱାରା ଗଠିତ ହୋଇଛି । ଜୋର୍ଡାନ ସର୍ବୋଚ୍ଚ ବିନ୍ଦୁ ସମୁଦ୍ର ପତ୍ତନଠାରୁ ୧,୮୫୪ ମିଟର (୬,୦୮୩ ଫୁଟ) ଉଚ୍ଚରେ ସ୍ଥିତ । ସର୍ବନିମ୍ନ ସ୍ଥାନ ହେଉଛି ମୃତ ସାଗର , ଯାହକି ସମୁଦ୍ର ପତ୍ତନଠାରୁ ୪୨୦ ମିଟର (୧,୩୭୮ ଫୁଟ) ତଳେ । ଏହା ପୃଥିବୀର ସର୍ବନିମ୍ନ ସ୍ଥଳଭାଗ ।[୧]

 
ମୃତ ସାଗର

ସରକାରସମ୍ପାଦନ କରନ୍ତୁ

ଜୋର୍ଡାନ ଏକ ଐକିକ ସାମ୍ବିଧାନିକ ରାଜତନ୍ତ୍ର । ଜୋର୍ଡାନର ସମ୍ବିଧାନ, ୧୯୫୨ରେ ଗୃହିତ ହୋଇଥିଲା ଏବଂ ଏହା ପରଠାରୁ ଏଥିରେ ଅନେକ ଥର ସଂଶୋଧନ କରାଯାଇଛି । ଏହି ସମ୍ବିଧାନ ରାଜତନ୍ତ୍ର, ସରକାର, ସଂସଦ ଏବଂ ନ୍ୟାୟପାଳିକାକୁ ନିୟନ୍ତ୍ରଣ କରିଥାଏ । ରାଜାଙ୍କ ନିକଟରେ ବ୍ୟାପକ କାର୍ଯ୍ୟନିର୍ବାହୀ ଏବଂ ବୈଧାନିକ କ୍ଷମତା ରହିଛି । ରାଜା ସରକାରଙ୍କ ମାଧ୍ୟମରେ ନିଜର କ୍ଷମତା ପ୍ରୟୋଗ କରନ୍ତି ଯାହାକୁ ସେ ଚାରି ବର୍ଷ ପାଇଁ ନିଯୁକ୍ତ କରନ୍ତି । ସରକର୍ ସଂସଦ ଆଗରେ ଉତ୍ତରଦାୟୀ । ସଂସଦର ଦୁଇଟି ଗୃହ: ସିନେଟ ଏବଂ ପ୍ରତିନିଧିସଭାକୁ ନେଇ ଗଠିତ । ସମ୍ବିଧାନ ଅନୁଯାୟୀ ନ୍ୟାୟପାଳିକା ସ୍ୱାଧୀନ ଅଟେ ।

ରାଜା ହେଉଛନ୍ତି ରାଷ୍ଟ୍ରମୁଖ୍ୟ ଏବଂ ସେନାର ସେନାଧ୍ୟକ୍ଷ । ଯୁଦ୍ଧ ଏବଂ ଶାନ୍ତି ଘୋଷଣା କରିବା, ଆଇନ ଏବଂ ଚୁକ୍ତିନାମାକୁ ଅନୁମୋଦନ କରିବା, ସଂସଦ ଅଧିବେଶନ ଡକାଇବ ଓ ବନ୍ଦ କରିବା, ନିର୍ବାଚନକୁ ଘୋଷଣା ଏବଂ ସ୍ଥଗିତ କରିବା , ସରକାରଙ୍କୁ ବରଖାସ୍ତ କରିବା ଏବଂ ସଂସଦ ଭଙ୍ଗ କରିବା ଇତ୍ୟାଦି ଅଧିକାର ରାଜାଙ୍କ ନିକଟରେ ଅଛି । ନିର୍ବାଚିତ ପ୍ରତିନିଧିସଭାରେ ଅନାସ୍ଥା ପ୍ରସ୍ତାବ ବହୁମତ ଭୋଟ୍ ମାଧ୍ୟମରେ ନିଯୁକ୍ତ ସରକାରଙ୍କୁ ମଧ୍ୟ ବରଖାସ୍ତ କରାଯାଇପାରିବ । ସରକାରଙ୍କଦ୍ୱାରା ଏକ ଚିଠା ପ୍ରସ୍ତାବିତ ହେବା ପରେ ଏହାକୁ ଲୋକ ସଭାରେ ତାପରେ ସିନେଟ୍ ଅନୁମୋଦନ କରିବା ଆବଶ୍ୟକ ଏବଂ ରାଜାଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୁଏ ।

ପ୍ରଶାସନିକ ବିଭାଜନସମ୍ପାଦନ କରନ୍ତୁ

ଜୋର୍ଡାନର ପ୍ରଥମ ସ୍ତରୀୟ ଉପବିଭାଗ ହେଉଛି ମୁହାଫାଜା । ମୁହାଫାଜା ଗୁଡିକ ଲିୱା କିମ୍ବା ଜିଲ୍ଲାରେ ବିଭକ୍ତ, ଯାହାକି କାଜା ବା ଉପ-ଜିଲ୍ଲାରେ ବିଭକ୍ତ । ପ୍ରତ୍ୟେକ ପ୍ରଶାସନିକ ବିଭାଗ ନିୟନ୍ତ୍ରଣ ଏକ ପ୍ରଶାସନିକ କେନ୍ଦ୍ରରୁ କରାଯାଏ ଯାହାକି ନାହିୟା ଭାବରେ ଜଣାଶୁଣା ।

ଅର୍ଥନୀତିସମ୍ପାଦନ କରନ୍ତୁ

ଜୋର୍ଡାନର ଅର୍ଥନୀତି ଅପେକ୍ଷାକୃତ ବିବିଧ । ଜିଡିପିର ପ୍ରାୟ ଏକ ତୃତୀୟାଂଶ ବାଣିଜ୍ୟ ଏବଂ ଅର୍ଥନୈତିକ କାର୍ଯ୍ୟକଳାପରୁ ଆସେ । ପରିବହନ ଏବଂ ଯୋଗାଯୋଗ, ଜନସାଧାରଣ ସେବା, ଏବଂ ଗୃହନିର୍ମାଣର ଅବଦାନ ଜିଡିପିର ଏକ ପଞ୍ଚମାଂଶ । ଖଣି ଏବଂ ଉତ୍ପାଦନ ପ୍ରାୟ ଅନ୍ୟ ଏକ ପଞ୍ଚମାଂଶ ।ଜନସଂଖ୍ୟାର ପ୍ରାୟ ୧୪.୪% ଦାରିଦ୍ର୍ଯ ସୀମାରେଖା ତଳେ ବାସ କରନ୍ତି । ଜୋର୍ଡାନର ଅର୍ଥନୀତି ହେଉଛି ଏହି ଅଞ୍ଚଳର ସବୁଠାରୁ ଛୋଟ ଅର୍ଥନୀତି ଏବଂ ଦେଶର ଜନସଂଖ୍ୟା ବେକାରି ଏବଂ ଦାରିଦ୍ରର ଅପେକ୍ଷାକୃତ ଅଧିକ ହାରରେ ପୀଡିତ ।

ଜୋର୍ଡାନୀୟ ଡିନାର ସରକାରୀ ମୁଦ୍ରା , ଯାହା ୧ ଆମେରିକୀୟ ଡଲାର୍ ≡ ୦.୭୦୯ ଡିନାର ବିନିମୟ ମୂଲ୍ୟ ସହିତ ସମାନ । ୨୦୧୮ ଅନୁମାନ ହିସାବରେ ମୁଣ୍ଡପିଛା ଜିଡିପି $ ୯,୪୦୬ ।

ଜନସଂଖ୍ୟାସମ୍ପାଦନ କରନ୍ତୁ

୨୦୧୫ ଜନଗଣନା ଅନୁସାରେ ଜୋର୍ଡାନର ଜନସଂଖ୍ୟା ୯,୫୩୧,୭୧୨ (ମହିଳା: ୪୭%; ପୁରୁଷ: ୫୩%) । ପ୍ରାୟ 2.9 ନିୟୁତ (୩୦%) ଅଣ ନାଗରିକ, ଶରଣାର୍ଥୀ ଏବଂ ବେଆଇନ ପ୍ରବାସୀ । ଜନସଂଖ୍ୟାର ପ୍ରାୟ ୯୮% ଆରବୀୟ । ଅବଶିଷ୍ଟ ୨%ରେ ମୁଖ୍ୟତଃ ସର୍କାସିଆନ୍, ଆର୍ମେନିଆ , ଚେଚେନ ଓ ଅନେକ ଛୋଟ ସଂଖ୍ୟାଲଘୁ ଗୋଷ୍ଠୀ ଅନ୍ତର୍ଭୁକ୍ତ । ପ୍ରାୟ ୮୪.୧% ଲୋକ ସହରାଞ୍ଚଳରେ ବାସ କରନ୍ତି ।

ଧର୍ମସମ୍ପାଦନ କରନ୍ତୁ

ସୁନ୍ନି ଇସଲାମ ଜୋର୍ଡାନର ପ୍ରମୁଖ ଧର୍ମ । ଦେଶର ଜନସଂଖ୍ୟାର ପ୍ରାୟ ୯୫% ମୁସଲମାନ; ଏଥିରୁ ସେମାନଙ୍କ ମଧ୍ୟରୁ ୯୩% ସୁନ୍ନି ସମ୍ପ୍ରଦାୟର । ସେଠାରେ ଅଳ୍ପ ସଂଖ୍ୟକ ଅହମ୍ମଦିୟ ମୁସଲମାନ, ଏବଂ କିଛି ସିଆ ମୁସଲମାନ ମଧ୍ୟ ଅଛନ୍ତି । ଅନେକ ଅନେକ ସିଆ ମୁସଲମାନ ହେଉଛନ୍ତି ଇରାକୀ ଏବଂ ଲେବାନୀୟ ଶରଣାର୍ଥୀ ।[୨] ଜୋର୍ଡାନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସ୍ଥିତି ପୁରାତନ । ଖ୍ରୀଷ୍ଟଙ୍କ କୃଶବିଦ୍ଧ ପରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଏଠରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଆରମ୍ଭ ହୋଇଥିଲା ।[୩]

ଆଧାରସମ୍ପାଦନ କରନ୍ତୁ

  1. Teller, M. (2002). Jordan. ROUGH GUIDE JORDAN. Rough Guides. p. 138. ISBN 978-1-85828-740-9. Retrieved 2020-11-06.
  2. "Religious Identity Among Muslims". Pew Research Center's Religion & Public Life Project. 2012-08-09. Retrieved 2020-11-06.
  3. Moujaes, Anthony (29 April 2015). "Four refugee families living in Jordan share their stories with Mid-East delegation". United Church of Christ. Archived from the original on 24 September 2016. Retrieved 27 July 2016.