ଜାଭା କଲରାପତରିଆ ବାଘ

କଲରାପତରିଆ ବାଘ ଉପପ୍ରଜାତି


ଜାଭା କଲରାପତରିଆ ବାଘ (ଇଂରାଜୀରେ Javan leopard, ଜୀବବିଜ୍ଞାନ ନାମ Panthera pardus melas) ଇଣ୍ଡୋନେସିଆର ଜାଭା ଦ୍ୱୀପରେ ବାସ କରୁଥିବା କଲରାପତରିଆ ବାଘ ଉପପ୍ରଜାତି । ୨୦୦୮ ମସିହାରୁ ଏହି ଉପପ୍ରଜାତିକୁ IUCN ନାଲି ତାଲିକାରେ ଅତି ସଙ୍କଟାପନ୍ନ (Critically Endangered) ଶ୍ରେଣୀରେ ରଖାଯାଇଛି । ବର୍ତ୍ତମାନ କେବଳ ୨୫୦ଟି ଜାଭା କଲରାପତ୍ରିଆ ଜୀବିତ ଥିବା ବେଳେ ଏମାନଙ୍କ ସଂଖ୍ୟା ଦ୍ରୁତ ହାରରେ ହ୍ରାସ ପାଇବାରେ ଲାଗିଛି । ଏମାନଙ୍କ ସର୍ବମୋଟ ପରିବାସ ମଧ୍ୟ ୨୨୬୭.୯ରୁ ୩୨୭୭.୩ ବର୍ଗ କିଲୋମିଟର୍ ଅଞ୍ଚଳରେ ସୀମିତ ହୋଇଆସିଲାଣି ।[୧]

ଜାଭା କଲରାପତରିଆ ବାଘ
ଜାଭା କଲରାପତ୍ରିଆ ବାଘ
Panthera pardus close up-2.jpg
ଇଣ୍ଡୋନେସିଆସ୍ଥିତ ବାଲି ଦ୍ୱୀପର ସଫାରୀ ପାର୍କରେ ଥିବା ଏକ ଜାଭା କଲରାପତ୍ରିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Kingdom: Animalia
Phylum: Chordata
Class: Mammalia
Order: Carnivora
Suborder: Feliformia
Family: Felidae
Genus: Panthera
ଜାତି: P. pardus
ଉପଜାତି: P. p. melas
ଜ୍ୟର୍ଜେସ୍ କୁଭିଏ, ୧୮୦୯
ଟ୍ରାଇନୋମିଆଲ ନାମ
Panthera pardus melas
ଜ୍ୟର୍ଜେସ୍ କୁଭିଏ, ୧୮୦୯

ଗଠନ ଓ ପ୍ରକୃତିସମ୍ପାଦନ କରନ୍ତୁ

ଜାଭା କଲରାପତରିଆ ବାଘକୁ ପ୍ରଥମେ ରୂପେଲି ବା ପାଉଁଶିଆ ଆଖି ଓ ଗାଢ଼ କଲରାପତ୍ର ଦାଗ ଥିବା କଳା ବାଘ ରୂପେ ବର୍ଣ୍ଣିତ କରାଯାଇଥିଲା ।[୨] ଜାଭା କଲରାପତରିଆର ଛାଲ ସାମାନ୍ୟ ଭାବେ କଲରାପତରିଆ ବାଘଙ୍କ ପରି । କିନ୍ତୁ ଜିନ୍‍ଗତ (ଜେନେଟିକ୍) କାରଣରୁ କିଛି କଲରାପତରିଆ ବାଘଙ୍କ ରଙ୍ଗ ସମ୍ପୂର୍ଣ୍ଣ ଭାବେ କଳା ହୋଇଥାଏ ।[୩]

ଭୌଗୋଳିକ ବିତରଣ ଓ ପରିବାସସମ୍ପାଦନ କରନ୍ତୁ

ଜାଭା କଲରାପତରିଆ ବାଘର ଭୌଗୋଳିକ ବିତରଣ ଇଣ୍ଡୋନେସିଆର ଜାଭା ଦ୍ୱୀପ ମଧ୍ୟରେ ହିଁ ସୀମିତ । ଗୁଣ୍ଟୁଂଗ୍ ହାଲିମୁନ୍ ଜାତୀୟ ଉଦ୍ୟାନ, ଉଜୁଂଗ୍ କୁଲୋନ ଜାତୀୟ ଉଦ୍ୟାନ, ଗୁନୁଂଗ୍ ଗେଡ଼େ ପାଂଗ୍ରାଂଗୋ ଜାତୀୟ ଉଦ୍ୟାନ, ସେରେମାଇ ଜାତୀୟ ଉଦ୍ୟାନ, ମେର୍ବାବୁ ଜାତୀୟ ଉଦ୍ୟାନ, ମେରାପି ଆଗ୍ନେୟଗିରି ଜାତୀୟ ଉଦ୍ୟାନ, ବ୍ରୋମୋ ଟେଙ୍ଗେର ସେମେରୁ ଜାତୀୟ ଉଦ୍ୟାନ, ମେରୁ ବେଟିରି ଜାତୀୟ ଉଦ୍ୟାନ, ଇଜେନ୍ ପର୍ବତ, ବାଲୁରାନ ଜାତୀୟ ଉଦ୍ୟାନ ଓ ଆଲାସ୍ ପୁରୱୋ ଜାତୀୟ ଉଦ୍ୟାନରେ ଜାଭା କଲରାପତ୍ରିଆ ବାଘ ରହୁଥିବା ଦେଖାଯାଇଛି ।[୧] ସମୁଦ୍ର ପତନରୁ ୨୫୪୦ ମିଟର୍ ଉଚ୍ଚ କ୍ରାନ୍ତୀୟ ବୃଷ୍ଟିବନ ଓ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟରେ ଜାଭା କଲରାପତରିଆ ରହିପାରନ୍ତି । ୨୦୦୮ରୁ ୨୦୧୪ ମସିହା ମଧ୍ୟରେ ସଂରକ୍ଷିତ ଅଞ୍ଚଳ ବାହାରେ ରହିଥିବା ଅଘଞ୍ଚ ଜଙ୍ଗଲ, ଚାଷଜମି ଓ ତୋଟା ଉଦ୍ୟାନ ଇତ୍ୟାଦିରେ ମଧ୍ୟ ଜାଭା କଲରାପତରିଆଙ୍କୁ ଦେଖାଯାଇଛି ।[୪]

୧୯୯୦ ଦଶନ୍ଧିରେ ବ୍ୟାପକ ଜଙ୍ଗଲ ଉଚ୍ଛେଦ ସମୟରେ ଏମାନେ ଖାପଖୁଆଇ ଚଳିଯାଇଛନ୍ତି ଏବଂ ତେଣୁ ଅନ୍ୟ ପ୍ରାଣୀଙ୍କ ତୁଳନାରେ ଜଙ୍ଗଲରେ ମନୁଷ୍ୟକୃତ କାର୍ଯ୍ୟକଳାପ ଏମାନଙ୍କ ଉପରେ କମ୍ ପ୍ରଭାବ ପକାଇଥାଏ ।[୩]

୨୦୦୧ରୁ ୨୦୦୪ ମସିହା ମଧ୍ୟରେ ଗୁଣ୍ଟୁଂଗ୍ ହାଲିମୁନ୍ ଜାତୀୟ ଉଦ୍ୟାନର ୨୦ ବର୍ଗ କିଲୋମିଟର୍ ଅଞ୍ଚଳରେ କ୍ୟାମେରା ଟ୍ରାପ୍ ଓ ରେଡ଼ିଓ କଲାର୍ ଲଗାଇ ଗବେଷଣାତ୍ମକ ଅଧ୍ୟୟନ କରାଯାଇଥିଲା । ନିରୀକ୍ଷିତ ଅଞ୍ଚଳ ମଧ୍ୟରେ ୭ଟି ଜାଭା କଲରାପତରିଆ ରହୁଥିବାର ଜଣାପଡ଼ିଲା । ଜାତୀୟ ଉଦ୍ୟାନର ସର୍ବମୋଟ କଲରାପତରିଆ ସଂଖ୍ୟା ୪୨ରୁ ୫୮ ହୋଇଥିବା ଅନୁମାନ କରାଗଲା । ଏକ ବୟସ୍କ ମାଈ କଲରାପତରିଆ ହାରାହାରି ୯.୮୨ ବର୍ଗ କିଲୋମିଟର୍ କ୍ଷେତ୍ର ନିୟନ୍ତ୍ରଣ କରୁଥିବା ଜଣାପଡ଼ିଥିଲା ।[୫]

ପରିସ୍ଥିତିକ ବ୍ୟବହାରସମ୍ପାଦନ କରନ୍ତୁ

 
ଜାଭା କଲରାପତରିଆ ବାଘର ଖପୁରୀ

ଜାଭା କଲରାପତ୍ରିଆ ବାଘ କୁଟୁରା, ବାରହା, ଜାଭା କୁଜି ହରିଣ, ମାଙ୍କଡ଼, କଙ୍କଡ଼ାଖିଆ ମାଙ୍କଡ଼, ରୂପେଲି ଲୁଟୁଂଗ୍, ଜାଭା ଗିବନ୍ ପ୍ରଭୃତି ଜୀବଙ୍କୁ ଶିକାର କରି ଆହରଣ କରିଥାଏ । ଏମାନେ ଜନବସତି ନିକଟକୁ ଆସି ପୋଷା କୁକୁର, କୁକୁଡ଼ା, ଛେଳି ପ୍ରଭୃତି ମାରି ଖାଇବା ମଧ୍ୟ ଦେଖାଯାଇଛି ।[୩] ଦୈନନ୍ଦିନ କାର୍ଯ୍ୟର ନିରୀକ୍ଷଣ ପାଇଁ ଗୁଣ୍ଟୁଂଗ୍ ହାଲିମୁନ୍ ଜାତୀୟ ଉଦ୍ୟାନର ଦୁଇଟି କଲରାପତରିଆ ବାଘଙ୍କୁ ରେଡ଼ିଓ କଲାର୍ ବନ୍ଧା ଯାଇଥିଲା । ସକାଳ ୬:୦୦ରୁ ୯:୦୦ ଏବଂ ଅପରାହ୍ନ ୩:୦୦ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ସେମାନେ ସର୍ବାଧିକ ସକ୍ରିୟ ଥିବା ଜାଣିବାକୁ ମିଳିଥିଲା ।[୫]

ଜାଭା କଲରାପତ୍ରିଆଙ୍କ ପ୍ରତି ସଙ୍କଟସମ୍ପାଦନ କରନ୍ତୁ

 
ଆନୁମାନିକ ୧୯୦୦ ମସିହା ସମୟରେ “ରାମ୍ପୋକାନ୍” ଖେଳରେ ନିହତ ୭ ଜାଭା କଲରାପତ୍ରିଆ ବାଘ ଓ ଏକ ଜାଭା ବାଘ (ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ)
 
ଆନୁମାନିକ ୧୯୧୫-୧୯୨୬ ମସିହାର ଏହି ଫଟୋରେ ଜଣେ ଲୋକ ଓ ଏକ ବାଳକ ଏକ ଜାଭା କଲରାପତରିଆର ଶିକାର କରିଥିବା ସମୟର ଦୃଶ୍ୟ (ସ୍ଥାନ: ବାଣ୍ଟେନ୍, ପଶ୍ଚିମ ଜାଭା)

ପରିବାସ କ୍ଷୟ, ଶିକାର ଜନ୍ତୁଙ୍କ ସଂଖ୍ୟା ହ୍ରାସ, ଜନସଂଖ୍ୟା ଓ କୃଷିକାର୍ଯ୍ୟ ବୃଦ୍ଧି ଯୋଗୁଁ ଅବୈଧ ଶିକାର ଇତ୍ୟାଦି ଜାଭା କଲରାପତରିଆ ବାଘଙ୍କ ଅସ୍ଥିତ୍ୱ ପାଇଁ ଏବେ ଏକ ବଡ଼ ସମସ୍ୟା ପାଲଟିଛି ।[୧] ବିଭିନ୍ନ କାରଣରୁ ମନୁଷ୍ୟ ଓ କଲରାପତରିଆ ମୁହାଁମୁହିଁ ହୋଇ ବହୁ ଜୀବଙ୍କ ପ୍ରାଣହାନି ଘଟୁଛି ।[୫] ଜାଭା ଦ୍ୱୀପର ୯୦% ସବୁଜିମା ଉଜୁଡ଼ି ସାରିଛି ଓ ଜନସଂଖ୍ୟା ଘନତା ଦୃଷ୍ଟିରୁ ବର୍ତ୍ତମାନ ଏହା ପୃଥିବୀର ସବୁଠାରୁ ଘନ ଦ୍ୱୀପ । କେବଳ ୧୪୦୦ ମିଟରରୁ ଅଧିକ ଉଚ୍ଚ ପର୍ବତମାନଙ୍କର ସବୁଜିମା ବଞ୍ଚି ରହିଛି ।[୩] ୧୧.୮୩ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଓ ୨୨୮୬ ବର୍ଗ ମାଇଲ୍ ବିଶିଷ୍ଟ ଜାଭା ଦ୍ୱୀପରେ ଇଣ୍ଡୋନେସିଆର ସର୍ବମୋଟ ଜନସଂଖ୍ୟାର ୫୯% ବାସ କରନ୍ତି । ଅନ୍ୟ ଦ୍ୱୀପମାନଙ୍କ ତୁଳନାରେ ଜନସଂଖ୍ୟାର ଘନତା ଏଠାରେ ଖୁବ୍ ଅଧିକ ।[୬]

ସଂରକ୍ଷଣସମ୍ପାଦନ କରନ୍ତୁ

ଜାଭା କଲରାପତରିଆ ବାଘ (Panthera pardus melas) CITESର ପ୍ରଥମ ଅନୁଚ୍ଛେଦର ଜୀବଙ୍କ ମଧ୍ୟରେ ସ୍ଥାନ ପାଇଛି ।[୧]

ଜାଭା କଲରାପତ୍ରିଆଙ୍କ ପୁନରୁତ୍ଥାନ ପାଇଁ ଚେଷ୍ଟା ଚାଲିଛି ଯେପରିକି ଏହି ଉପପ୍ରଜାତି ମଧ୍ୟ ଜାଭା ଦ୍ୱୀପରୁ ବିଲୁପ୍ତ ନ ହେଉ । ଶିକାରକୁ ନିଷିଦ୍ଧ ଘୋଷଣା କରାଯାଇଛି ଓ ବନ୍ୟଜୀବ ଶିକାର ସମ୍ବନ୍ଧୀୟ ନିୟମ କଡ଼ାକଡ଼ି କରାଯାଇଛି । ଜାଭା କଲରାପତରିଆ, ରୂପେଲି ଗିବନ୍ ଓ ଜାଭା ହକ୍-ଇଗଲ୍ ଇତ୍ୟାଦିଙ୍କ ସଂରକ୍ଷଣ ପାଇଁ ୨୦୦୫ ମସିହାରେ ଗୁଣ୍ଟୁଂଗ୍ ହାଲିମୁନ୍ ଜାତୀୟ ଉଦ୍ୟାନକୁ ତାହାର ମୂଳ ଆକାରର ୩ ଗୁଣ ସମ୍ପ୍ରସାରିତ କରାଯାଇଥିଲା ।[୫]

ଜନସଂଖ୍ୟା ବୃଦ୍ଧି ଯୋଗୁଁ ସଂରକ୍ଷିତ ଜୀବଙ୍କ ପରିବାସ କ୍ଷୟ ଅଟକାଇବା ପାଇଁ ଇଣ୍ଡୋନେସୀୟ ସରକାର ସମଗ୍ର ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା ଚଳାଇ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଯୋଜନାନୁସାରେ ଲୋକଙ୍କୁ ଗର୍ଭ ନିରୋଧକ ବଟିକା ଓ ସାମଗ୍ରୀ ସୁବିଧାରେ ଯୋଗାଇ ଦିଆଯାଉଛି ।[୭]

ଚିଡ଼ିଆଖାନା ଓ ସଂରକ୍ଷଣ କେନ୍ଦ୍ରରେ ଥିବା ଜାଭା କଲରାପତରିଆସମ୍ପାଦନ କରନ୍ତୁ

୧୯୯୭ ମସିହା ବେଳକୁ ବିଭିନ୍ନ ୟୁରୋପୀୟ ଚିଡ଼ିଆଘରେ ୧୪ଟି ଜାଭା କଲରାପତରିଆ ବାଘ ରହିଥିଲେ । ୟୁରୋପ ଓ ଆମେରିକାରେ ଜାଭା କଲରାପତ୍ରିଆଙ୍କ ପାଇଁ ପ୍ରଜନନ କେନ୍ଦ୍ର ଯୋଜନା କରାଯାଇ ନାହିଁ । ୨୦୦୭ ମସିହା ବେଳକୁ ଇଣ୍ଡୋନେସିଆର ବୋଗୋର ଚିଡ଼ିଆଖାନାରେ ୭ଟି ମାଈ ଓ ୧୦ଟି ଅଣ୍ଡିରା (ସର୍ବମୋଟ ୧୭ଟି) ଜାଭା କଲରାପତରିଆ ରଖାଯାଇଥିଲା । ସେଥିରୁ ୪ ଯୋଡ଼ା ପ୍ରଜନନରେ ସକ୍ରିୟ ଥିଲେ । ଇଣ୍ଡୋନେସିଆର ସୁରବାୟା ଓ ରଗୁନାନ୍ ଚିଡ଼ିଆଖାନାମାନଙ୍କରେ ମଧ୍ୟ ଜାଭା କଲରାପତରିଆ ରଖାଯାଇଛି ।[୮] ୨୦୧୧ ମସିହା ଡିସେମ୍ବର ମାସ ବେଳକୁ, ଜର୍ମାନୀସ୍ଥିତ ବର୍ଲିନର ଟିଏର୍‍ପାର୍କରେ ୨ଟି ଜାଭା କଲରାପତ୍ରିଆ ବାଘ ଓ ଗୋଟିଏ ଜାଭା କଲରାପତ୍ରିଆ ବାଘୁଣୀ ରଖାଯାଇଥିଲା ଏବଂ ଜାକର୍ତ୍ତାର ଚିଡ଼ିଆଖାନାରେ ଗୋଟିଏ ଲେଖାଏଁ ମାଈ ଓ ଅଣ୍ଡିରା ଜାଭା କଲରାପତରିଆ ବାଘ ରଖାଯାଇଥିଲା ।[୯] ୨୦୧୩ ମସିହାରେ ଗୋଟିଏ ଜାଭା କଲରାପତରିଆ ବର୍ଲିନ୍ ଟିଏର୍‍ପାର୍କରୁ ପ୍ରାଗ୍ ନଗରର ଚିଡ଼ିଆଘରକୁ ସ୍ଥାନାନ୍ତରିତ ହୋଇଥିଲା ।[୧୦]

ବିବର୍ତ୍ତନସମ୍ପାଦନ କରନ୍ତୁ

ଆକୃତିବିଜ୍ଞାନ ଗବେଷଣାରୁ ଜଣାପଡ଼ିଛି ଯେ କପାଳମିତି ଦୃଷ୍ଟିକୋଣରୁ ଜାଭା କଲରାପତରିଆ ପ୍ରଜାତି ଅନ୍ୟ ଏସୀୟ କଲରାପତରିଆ ପ୍ରଜାତିଙ୍କଠାରୁ ଭିନ୍ନ । ପ୍ରାୟ ୮ ଲକ୍ଷ ବର୍ଷ ପୂର୍ବେ ମଧ୍ୟାତ୍ୟନ୍ତନୂତନ ଯୁଗ (Middle Pleistocene) ସମୟରେ ଏହି ଉପପ୍ରଜାତି ଅନ୍ୟ ଏସୀୟ ଉପପ୍ରଜାତିଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଥିଲା । ସେହି ସମୟରେ ଦକ୍ଷିଣ ଏସିଆରୁ ଜାଭା ମଧ୍ୟରେ ରହିଥିବା ସଂକୀର୍ଣ୍ଣ ଭୂଖଣ୍ଡରେ ଏମାନେ ବୋର୍ଣ୍ଣିଓ ଏବଂ ସୁମାତ୍ରା ପରି ଦ୍ୱୀପକୁ ଅତିକ୍ରମ କରି ଜାଭାକୁ ଚାଲି ଆସିଥିବେ ।[୧୧]

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ Stein, A. B.; Athreya, V.; Gerngross, P.; Balme, G.; Henschel, P.; Karanth, U.; Miquelle, D.; Rostro, S.; Kamler, J. F. & Laguardia, A. (2016). "Panthera pardus". The IUCN Red List of Threatened Species. IUCN. 2016: e.15954/102421779. doi:10.2305/IUCN.UK.2016-1.RLTS.T15954A50659089.en.
  2. Cuvier, G. (1809). "Recherches sur les espėces vivantes de grands chats, pour servir de preuves et d'éclaircissement au chapitre sur les carnassiers fossils". Annales du Muséum National d'Histoire Naturelle. Tome XIV: 136–164.
  3. ୩.୦ ୩.୧ ୩.୨ ୩.୩ Santiapillai, C.; Ramono, W. S. (1992). "Status of the leopard (Panthera pardus) in Java, Indonesia" (PDF). Tiger Paper. XIX (2): 1–5.
  4. Wibisono, H.T., Wahyudi, H.A., Wilianto, E., Pinondang, I.M.R., Primajati, M., Liswanto, D. and Linkie, M. (2018). "Identifying priority conservation landscapes and actions for the Critically Endangered Javan leopard in Indonesia: Conserving the last large carnivore in Java Island". PLOS One. 13 (6): e0198369. doi:10.1371/journal.pone.0198369. PMC 6021038.CS1 maint: multiple names: authors list (link)
  5. ୫.୦ ୫.୧ ୫.୨ ୫.୩ Harahap, S., Sakaguchi, H. (2005). Ecological research and conservation of the Javan Leopard Panthera pardus melas in Gunung Halimun National Park, West Java, Indonesia. In: The wild cats: ecological diversity and conservation strategy. The 21st Century Center of Excellence Program International Symposium. Okinawa, Japan.
  6. Embassy of the Republic of Indonesia in London; United Kingdom (2009). "A Solution to Java's Overcrowding". Retrieved December 8, 2009.
  7. Embassy of the Republic of Indonesia in London (2009). "A Solution to Java's Overcrowding". United Kingdom. Retrieved December 8, 2009.
  8. Gippoliti, S.; Meijaard, E. (2007). "Taxonomic uniqueness of the Javan Leopard: an opportunity for zoos to save it". Contributions to Zoology. 76: 55–58.
  9. International Species Information System (2011). "ISIS Species Holdings: Panthera pardus melas, December 2011".
  10. Exner, O. (2013). "Rare Leopard in Prague Zoo". Portal of Prague. Archived from the original on 2013-10-13.
  11. Meijaard, E. (2004). "Biogeographic history of the Javan leopard Panthera pardus based on craniometric analysis". Journal of Mammalogy. 85 (2): 302–310. doi:10.1644/ber-010.

ଅନ୍ୟାନ୍ୟ ଲିଂକ୍ସମ୍ପାଦନ କରନ୍ତୁ