ଜାତୀୟ ଆଇନ ସେବା ପ୍ରାଧିକରଣ ବନାମ ଭାରତ ସରକାର

ଜାତୀୟ ଆଇନ ସେବା ପ୍ରାଧିକରଣ ବନାମ ଭାରତ ସରକାର (ଇଂରାଜୀ: National Legal Services Authority v. Union of India) ହେଉଛି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲା, ଯାହା ହିଞ୍ଜଡ଼ା ଭାବେ ପରିଚିତ ଲୋକଙ୍କୁ 'ତୃତୀୟ ଲିଙ୍ଗ'ର ମାନ୍ୟତା ପ୍ରଦାନ କରିଛି । ଏହି ଫଇସଲାଦ୍ୱାରା ନିଶ୍ଚିତ ହୋଇଛି ଯେ ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ମୌଳିକ ଅଧିକାର ସେମାନଙ୍କ ପାଇଁ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ ହେବ । ସେମାନଙ୍କୁ ପୁରୁଷ, ମହିଳା କିମ୍ବା ତୃତୀୟ ଲିଙ୍ଗ ଭାବରେ ସେମାନଙ୍କର ଆତ୍ମ-ପରିଚୟ କରିବାର ଅଧିକାର ରହିବ ।

ଭାରତରେ ଲିଙ୍ଗଗତ ସମାନତା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଏହି ଫଇସଲା କାର୍ଯ୍ୟ କରିଛି ।[୧][୨][୩][୪] ଅଧିକନ୍ତୁ, ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ତୃତୀୟ ଲିଙ୍ଗ ଭାବେ ପରିଚିତ ଏହି ଲୋକଙ୍କୁ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗ ଭାବରେ ବ୍ୟବହାର କରାଯାଉଥିବାରୁ ସେମାନଙ୍କୁ ଶିକ୍ଷାନୁଷ୍ଠାନ ଏବଂ ଚାକିରିରେ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ ।

ମାମଲା ସଂପର୍କରେ ସମ୍ପାଦନା

ରିଟ୍‌ ପର୍ଯ୍ୟାୟଭୁକ୍ତ ଉକ୍ତ ମାମଲାରେ ଜାତୀୟ ଆଇନ ସେବା ପ୍ରାଧିକରଣ ( NALSA), ଦିଲ୍ଲୀ ପ୍ରାଥମିକ ଆବେଦନକାରୀ ଥିଲା । ଭାରତୀୟ ସମାଜର ତଳ ସ୍ତରରେ ଥିବା ଉପେକ୍ଷିତ ଜନଗୋଷ୍ଠୀକୁ ମାଗଣା ଆଇନ ସହାୟତା ସେବା ପ୍ରଦାନ କରିବାର ମୂଳ ଉଦ୍ଦେଶ୍ୟ ସହିତ ଏହା ଗଠନ କରାଯାଇଥିଲା । ଏହି ମାମଲାରେ ଅନ୍ୟ ଆବେଦନକାରୀମାନେ ଥିଲେ ପଞ୍ଜୀକୃତ ସଂସ୍ଥା ତଥା ଏନଜିଓ ପୂଜା ମାତା ନାସିବ କୌର ଜୀ ମହିଳା କଲ୍ୟାଣ ସମିତି ଏବଂ ହିଞ୍ଜଡ଼ା ମାନଙ୍କ ସାମାଜିକ ଅଧିକାର ପାଇଁ ଲଢୁଥିବା ଏକ ମାନବାଧିକାର କର୍ମୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ।

ବେଞ୍ଚ ସମ୍ପାଦନା

ଜଷ୍ଟିସ କେ.ପାନିକର୍ ରାଧାକୃଷ୍ଣନ୍ ଏବଂ ଜଷ୍ଟିସ୍ ଅର୍ଜନ୍ କୁମାର ସିକ୍ରି ଏହି ଦୁଇଜଣିଆ ଖଣ୍ଡପୀଠରେ ଉକ୍ତ ମାମଲାଟିର ଶୁଣାଣି ହୋଇଥିଲା । ଜଷ୍ଟିସ୍ ରାଧାକୃଷ୍ଣନ୍ ଅନେକ ଶିକ୍ଷାଗତ ତଥା ସାମାଜିକ ସଂଗଠନ ପାଇଁ ଷ୍ଟାଣ୍ଡିଂ କାଉନ୍ସିଲ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ସୁପ୍ରିମକୋର୍ଟରେ ଉନ୍ନୀତ ହେବା ପୂର୍ବରୁ କେରଳ, ଜାମ୍ମୁ କାଶ୍ମୀର ଏବଂ ଗୁଜରାଟର ହାଇକୋର୍ଟରେ ନିଯୁକ୍ତି ପାଇଥିଲେ । ଜଷ୍ଟିସ ସିକ୍ରି ଦିଲ୍ଲୀରେ ସାମ୍ବିଧାନିକ ମାମଲା, ଶ୍ରମ ଏବଂ ସେବା ତଥା ଆର୍ବିଟ୍ରେସନ୍ ପ୍ରସଙ୍ଗରେ ବିଶେଷଜ୍ଞ ହୋଇ ଓକିଲାତି ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟରେ ତାଙ୍କର ନିଯୁକ୍ତି ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟ ଏବଂ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ନିଯୁକ୍ତ ହୋଇଥିଲେ ।

ଅଦାଲତଙ୍କ ରାୟ ସମ୍ପାଦନା

ଉକ୍ତ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଲୟଙ୍କ ରାୟ ତଥା ନିର୍ଦ୍ଦେଶ ଏହିପରି:

  • ଲିଙ୍ଗଗତ ପରିଚୟ ଜଣେ ବ୍ୟକ୍ତିର ସମ୍ମାନ ପାଇଁ ଅବିଚ୍ଛେଦ୍ୟ ଅଟେ । ହିଞ୍ଜଡ଼ାମାନେ ଏଣିକି ତୃତୀୟ ଲିଙ୍ଗର ମାନ୍ୟତା ପାଇବେ ଏବଂ ସାଧାରଣଭାବେ ପୁରୁଷ କିମ୍ବା ମହିଳା ମାନଙ୍କ ଭଳି ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ମୌଳିକ ଅଧିକାର ସେମାନଙ୍କ ପାଇଁ ସମାନ ପ୍ରଯୁଜ୍ୟ ହେବ ।
  • ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ତୃତୀୟ ଲିଙ୍ଗର ବ୍ୟକ୍ତିବିଶେଷଙ୍କୁ ସେମାନଙ୍କୁ ସାମାଜିକ ଏବଂ ଶିକ୍ଷାଗତ ଅଧିକାର ପ୍ରଦାନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ । ଅଧିକନ୍ତୁ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗ ଭାବରେ ସେମାନଙ୍କୁ ଶିକ୍ଷାନୁଷ୍ଠାନ ଏବଂ ଚାକିରିରେ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ ।

ଆଧାର ସମ୍ପାଦନା

  1. Delhi, Associated Press in New (15 April 2014). "India recognises transgender people as third gender". the Guardian (in ଇଂରାଜୀ). Retrieved 19 March 2022.
  2. "India now recognizes transgender citizens as 'third gender'". Washington Post. Retrieved 19 March 2022.
  3. "Supreme Court recognizes transgenders as 'third gender'". Times of India. 15 April 2014. Retrieved 19 March 2022.
  4. Mark E. Wojcik, Male. Female. Other. India Requires Legal Recognition of a Third Gender, 43:4 International Law News 1 (2014)(American Bar Association Section of International Law).