ଜଗନ୍ନାଥବଲ୍ଲଭ ମଠ ଶ୍ରୀଜଗନ୍ନାଥ ମନ୍ଦିରର ବଗିଚା ବୋଲି ବ୍ରିଟିଶ ଅମଳର ନଥିପତ୍ରରେ ଉଲ୍ଲେଖ ଅଛି ।[୧] ମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର ସ‌ହିତ ଜଗନ୍ନାଥବଲ୍ଲଭ ମଠର ସମ୍ପର୍କ ଅନେକ ପ୍ରାଚୀନ । ଜଗନ୍ନାଥବଲ୍ଲଭ ମଠ ଶ୍ରୀଜଗନ୍ନାଥଙ୍କର ପ୍ରମୋଦ ଉଦ୍ୟାନ ଭାବରେ ଖ୍ୟାତ । ବଡ଼ଦାଣ୍ଡରେ ଶ୍ରୀବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ଏହି ମଠଟି ଅବସ୍ଥିତ ।

ଜଗନ୍ନାଥ ବଲ୍ଲଭ ମଠ

ଅବସ୍ଥିତି ସମ୍ପାଦନା

ଜଗନ୍ନାଥବଲ୍ଲଭ ମଠଟି ପୁରୀ ପୌରପାଳିକା ହାଟର ବିପରୀତ ଦିଗରେ ଅବସ୍ଥିତ । ପ୍ରସିଦ୍ଧ ଚରିତ୍ର ରମାନନ୍ଦ ରାୟଙ୍କର ଶ୍ରଦ୍ଧାଞ୍ଜଳୀ ପାଇଁ ଏଇ ମଠଟି ତିଆରି ହୋଇଥିଲା । ୧୬ଶହ ଶତାବ୍ଦୀର ସନ୍ଥମାନଙ୍କ ମଧ୍ୟରୁ ରମାନନ୍ଦ ରାୟ ପ୍ରମୁଖ ‌ତ‌ଥା ପ୍ରସିଦ୍ଧ ସନ୍ଥ ଥିଲେ । ସେ ପ୍ରାରମ୍ଭରୁ ପ୍ରଶାସନିକ କାର୍ଯ୍ୟ ସ‌ହ ଯୋଡ଼ିହୋଇଥିଲେ ।[୨] ଏହି ସନ୍ଥଙ୍କର ଖ୍ୟାତିକୁ ସାଇତିରଖିବା ପାଇଁ ସନ୍ଥଙ୍କର ମୂର୍ତ୍ତି ପାଖରେ ଏକ ସୁନ୍ଦର ବଗିଚା ତିଆରି କରାଯାଇଥିଲା ।[୩] ଏହି ବଗିଚା ମଧ୍ୟରେ ଏକ ମନ୍ଦିର ରହିଛି, ଯାହାକି ପୁରୀ ସ‌ହରରେ ପର୍ଯ୍ୟଟକଙ୍କ ଗ‌ହଣରେ ଲୋକପ୍ରିୟତା ଲାଭ କରିଛି । ମୁଖ୍ୟତଃ ହିନ୍ଦୁ ଧର୍ମର ପର୍ଯ୍ୟଟକ ତ‌ଥା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏହି ମନ୍ଦିରଟି ଅଧିକ ଲୋକପ୍ରିୟ ହୋଇଛି । ମନ୍ଦିରଟି ବଗିଚାର ମଧ୍ୟଭାଗରେ ଅବସ୍ଥିତ । ରାମ‌ଭକ୍ତ ହନୁମାନଙ୍କର ଭକ୍ତମାନଙ୍କ ପାଇଁ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା । ଜଗନ୍ନାଥବଲ୍ଲଭ ମଠର ପ୍ରମୁଖ ଦେବତା ହନୁମାନଙ୍କୁ ଏଠାରେ ଥିବା ବଗିଚାରେ ବଢ଼ିଥିବା ବିଭିନ୍ନ ପ୍ରକାର ଗଛଗୁଡ଼ିକର ରକ୍ଷକ ବୋଲି ବିଶ୍ୱାସ କରାଯାଏ ।[୨]

ମଠ ସ‌ହ ଶ୍ରୀମନ୍ଦିରର ସମ୍ପର୍କ ସମ୍ପାଦନା

ଏହି ମଠ ଶ୍ରୀମନ୍ଦିର ପ୍ରଶାସନର ଅଧୀନସ୍ଥ ନୁହେଁ, ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣାଧୀନ । ଏହି ମଠର ଏକ ଟ୍ରଷ୍ଟବୋର୍ଡ ରହିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ବିଜେ ପ୍ରତିମାମାନଙ୍କର ଏହି ମଠରେ କେତେକ ବିଶିଷ୍ଟ ତିଥି ଓ ଯାନିଯାତ୍ରାମାନଙ୍କରେ ନୀତି ହୁଏ; ଯଥା-ବସନ୍ତପଞ୍ଚମୀ ଦିନ ମଧ୍ୟାହ୍ନ ଧୂପ ସରି ଚାଚେରୀ ବେଶ ହେବା ପରେ ଓ ଫାଲ୍‍ଗୁନ ଶୁକ୍ଲପକ୍ଷ ପ୍ରତିପଦ, ଚତୁର୍ଥୀ, ପଞ୍ଚମୀ ଓ ଦ୍ୱାଦଶୀ ତିଥିରେ ମଙ୍ଗଳ ଅାରତି ପରେ ଶ୍ରୀମନ୍ଦିରରୁ ଠାକୁର ବେଣ୍ଟ ବା ଶିକାର ପାଇଁ ଏହି ମଠକୁ ବିଜେ କରନ୍ତି । ଦୋଳଗୋବିନ୍ଦ ଠାକୁର ମଠରେ ବିଜେ ହେବା ପରେ ମଠ ତରଫରୁ ଶୀତଳ ଭୋଗ ହୁଏ । ମଠରେ ଥିବା ବେଣ୍ଟ ପୋଖରୀରେ ଶିକାର ନୀତି ହୁଏ ।[୧][୪]

ଶ୍ରୀମନ୍ଦିରରେ ଦୈନିକ ଅବକାଶ ସମୟରେ ମଶାଲ, ବଲ୍ଲଭ ସମୟରେ ବଲ୍ଲଭ ଓ ବଡ଼ସିଂହାର ବେଶ ପାଇଁ ତିଳକଝୁମ୍ପା ଏହି ମଠ ଯୋଗାଏ । 'ବଣଭୋଜି ବେଶ' ପାଇଁ ପିଙ୍ଗଳ, 'କାଳୀୟଦଳନ' ଓ 'ପ୍ରଳମ୍ବାସୁରବଧ ବେଶରେ ଶ୍ରୀହସ୍ତ କୋରା, ଦୟଣାଚୋରି ନୀତିରେ ଦୟଣା, ବେଣ୍ଟ ନୀତିରେ ପଇଡ଼, ଚନ୍ଦନଯାତ୍ରା ଓ ଚାପରେ କର୍ପୂର ଓ ମଶାଲ ଯୋଗାଇବା ଏହି ମଠର ଦାୟିତ୍ୱ ।[୫] [୬] ଶ୍ରୀମନ୍ଦିରରୁ ମଠର ମହାବୀରଙ୍କ ପାଇଁ ପ୍ରତିଦିନ ଶ୍ରୀଜୀଉଙ୍କର 'କରପଲ୍ଲବ' ପଠାଯାଏ । ମଠର ମହନ୍ତ ଶ୍ରୀମନ୍ଦିରରେ ଚାମର ସେବା କରିପାରିବେ । ଏବେ ମହନ୍ତ କେହି ନାହାନ୍ତି । ପୂର୍ବେ ମହନ୍ତଙ୍କୁ ଦୟଣା ଚୋରି ନୀତିରେ ପାଗ, ଶିରୋପା ଓର ଦଉଡ଼ି ପ୍ରାପ୍ୟ ଶ୍ରୀମନ୍ଦିରରୁ ମିଳୁଥିଲା । ବର୍ତ୍ତମାନ ମଠର ଟ୍ରଷ୍ଟିଙ୍କୁ ଦୟଣାଚୋରି ନୀତି ପାଇଁ ଖଣ୍ଡୁଅା ପ୍ରଦାନ କରାଯାଉଛି । ପହିଲି ଭୋଗ (ଧନୁ ମାସ) ସମୟରେ ଓ କେତେକ ନିର୍ଦ୍ଧିଷ୍ଟ ପର୍ବ ଦିନମାନଙ୍କରେ ଶ୍ରୀମନ୍ଦିରର କୋଠଭୋଗରୁ ଖେଇ ଏହି ମଠକୁ ପ୍ରଦାନ କରାଯାଏ ।[୧]

ଏହି ମଠରେ ମହାପ୍ରଭୁଙ୍କ ବାହାର ସମସ୍ତ ଲୀଳା ଚଳନ୍ତି ପ୍ରତିନିଧି ଦେବତାଙ୍କଦ୍ୱାରା ଅନୁଷ୍ଠିତ ହୋଇଥାଏ । ବାସନ୍ତିକ ଦୁର୍ଗାପୂଜା ଦଶହରାରେ ଅର୍ଥାତ ଚୈତ୍ରଶୁକ୍ଳ ଦଶମୀ ଦିନ ନବକଳେବର ଲୀଳାର ବନଯାଗ ବିଧି ଆରମ୍ଭ ହୁଏ । ଏହି ବିଧିରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ଶାଢ଼ି ବନ୍ଧା ନୀତି ପରେ ଦଇତାମାନେ ଶ୍ରୀନଅରକୁ ଆସନ୍ତି । ଶ୍ରୀନଅରରେ ଗଜପତିଙ୍କଠାରୁ ଗୁଆ ନେବା ପରେ ଦଇତାମ ପତିମହାପାତ୍ର, ଲେଙ୍କା, ଆଚାର୍ଯ୍ୟ ଓ ଦେଉଳକରଣ ଏକ ଶୋଭାଯାତ୍ରାରେ ଯାଇ ଜଗନ୍ନାଥବଲ୍ଲଭ ମଠରେ ପ‌ହଞ୍ଚନ୍ତି । ସେହିଦିନ ରାତ୍ରିରହଣି ଜଗନ୍ନାଥବଲ୍ଲଭ ମଠରେ ହୋଇଥାଏ ।[୭] ସମସ୍ତ ବନଯାଗ ଯାତ୍ରୀଙ୍କ ରହଣି ବାବାଦ ଖର୍ଚ୍ଚ ମଠ ପକ୍ଷରୁ ବ‌ହ‌ନ କରାଯାଏ ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ତ୍ରିପାଠୀ, ମହୀମୋହନ. ଶ୍ରୀ ଜଗନ୍ନାଥ. ଆମ ଓଡ଼ିଶା. p. ୧୭୧. ISBN 978-81-89436-30-8.
  2. ୨.୦ ୨.୧ "Jagannath Ballav Math". Maps of India. Retrieved 25 July 2016.
  3. "Puri". Sand Pebbles Tour N Travels. Archived from the original on 26 July 2016. Retrieved 25 July 2016.
  4. "Math & Ashram". Shree Jagannath Temple. Retrieved 25 July 2016.
  5. "www.purionline.in/city-guide/mathas-and-aashrams-at-puri". Puri Online City Guide. Retrieved 25 July 2016.
  6. "Mathas and Ashrams in Puri". FullOdisha.com. Retrieved 25 July 2016.
  7. "Banajaga Yatra Started Daitapatis Night Halt at Jagannath Ballav Matha". Jagannath Culture. Retrieved 25 July 2016.
  8. "Banajaga Yatra". JagannathDham.in. Retrieved 25 July 2016.