ଚଷମା ଆଖି ଚଢ଼େଇ (ଇଂରାଜୀରେ Indian stone-curlew ବା Indian thick-knee, ଜୀବବିଜ୍ଞାନ ନାମ Burhinus indicus) ବର୍ହିନିଡେ ପରିବାରର ଏକ ସଦସ୍ୟ ପକ୍ଷୀ । ପ୍ରଥମେ ଏହାକୁ ୟୁରେସୀୟ ଚଷମା ଆଖି ପକ୍ଷୀର ଏକ ଉପପ୍ରଜାତି କୁହାଯାଉଥିଲା । ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର ସମତଳ ଅଞ୍ଚଳରେ ଏହି ପକ୍ଷୀ ପରିଲକ୍ଷିତ ହୋଇଥାଏ । ଚଷମା ଆଖି ପକ୍ଷୀର ଆଖିଗୁଡ଼ିକ ବଡ଼ । ଏହାର ଦେହ ମାଟିଆ ଓ ଫିକା ହଳଦିଆ ରଙ୍ଗର ହୋଇଥିବାରୁ ମାଟି ଓ ପଥର ପ୍ରଚ୍ଛଦରେ ଅପୂର୍ବ ଛଳାବରଣ ସୃଷ୍ଟି ହୋଇ ଏହି ପକ୍ଷୀକୁ ଠାବ କରିବା ଅତି କଷ୍ଟକର ହୋଇଥାଏ । ଏହି ପକ୍ଷୀ ଅନ୍ଧାରରେ ଅଧିକ ସକ୍ରିୟ । ଚଷମା ଆଖି ପକ୍ଷୀର ଡାକରୁ ଏହାର ଇଂରାଜୀ ନାମ curlewର ସୃଷ୍ଟି । ଓଡ଼ିଶାରେ ଲୋକେ ଏହି ପକ୍ଷୀକୁ ରାମା ଚଢ଼େଇବରସିରି ନାମରେ ମଧ୍ୟ ଡାକିଥାନ୍ତି ।

ଚଷମା ଆଖି ପକ୍ଷୀ
Indian Stone Curlew.jpg
ଚଷମା ଆଖି ପକ୍ଷୀର ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Burhinidae
Genus: Burhinus
ଜାତି: B. indicus
ବାଇନୋମିଆଲ ନାମ
Burhinus indicus
ତୋମ୍ମାସୋ ସାଲ୍‍ଭାଡୋରି, ୧୮୬୫
Synonyms
  • Oedicnemus indicus
  • Burhinus oedicnemus indicus

ବିବରଣୀସମ୍ପାଦନ କରନ୍ତୁ

 
ଚଷମା ଆଖି ପକ୍ଷୀର ବଡ଼ ଆଖି ଏହାର ରାତ୍ରିଚର ପ୍ରବୃତ୍ତିର ସୂଚକ

ମାଟିଆ ରଙ୍ଗର ଏହି ଭୂମିଚର ପକ୍ଷୀର ଆଖି ହଳଦିଆ ରଙ୍ଗର, ବଡ଼ ଓ ପ୍ରାୟ ୪୧ ସେଣ୍ଟିମିଟର୍ ଲମ୍ବା । ଏହାର ବାଲି ମାଟି ପରି ରଙ୍ଗର ଶରୀରରେ କଳା ଚିହ୍ନ ସବୁ ରହିଥାଏ । ଅନ୍ୟ ପକ୍ଷୀଙ୍କ ତୁଳନାରେ ମୁଣ୍ଡଟି ଅପେକ୍ଷାକୃତ ବଡ଼ ଓ ଆଖିର ଚାରିପଟେ ଧଳା ବା ହଳଦି ରଙ୍ଗର ପଟି ରହିଥାଏ । ଏହି ପଟି ଭ୍ରୁଲତା ପରି ପତଳା ।[୨] ଆଖି ପାଖର ଦାଗ ସବୁ ଧଳା-ହଳଦି ଚଷମା [୩] ପରି ଭ୍ରମ ସୃଷ୍ଟି କରୁଥିବାରୁ ଓଡ଼ିଶାରେ ଏହି ପକ୍ଷୀର ସ୍ଥାନୀୟ ନାମ ‘ଚଷମା ଆଖି ପକ୍ଷୀ’ । ଚଷମା ଆଖି ପକ୍ଷୀର ଗୋଡ଼ଗୁଡ଼ିକ ସବଳ ଓ ଏହାର ଆଣ୍ଠୁଟି ମୋଟା ହୋଇଥାଏ । ଏହି କାରଣରୁ ଇଂରାଜୀ ଭାଷାରେ ଏହାର ଆଉ ଏକ ସାଧାରଣ ନାମ ହେଲା "thick-knee" (ମୋଟା ଆଣ୍ଠୁଆ) । ମାଈ ଓ ଅଣ୍ଡିରା ପକ୍ଷୀର ଗଠନରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ । ଶୈଶବାବସ୍ଥାରେ ଶରୀରର ରଙ୍ଗ ସାମାନ୍ୟ ଫିକା ହୋଇଥାଏ । ଉଡ଼ନ୍ତା ଅବସ୍ଥାରେ ଏହି ପକ୍ଷୀର ଡେଣାର ଧଳା ଦାଗ ଓ ପଟି ସ୍ପଷ୍ଟ ଭାବେ ଦେଖାଯାଏ । ସ୍ଥିତାବସ୍ଥାରେ ଡେଣାରେ ଅବସନ୍ନ ପୀତ ରଙ୍ଗର ପଟି ଦିଶେ ।[୪][୫]

ଏହି ପକ୍ଷୀ ଭୋର ବା ପାହାନ୍ତା ଓ ଗୋଧୂଳି ସମୟରେ ସର୍ବାଧିକ ସକ୍ରିୟ ଥାଏ । ଆଖି ଚଷମା ପକ୍ଷୀ ପ୍ରାୟତଃ ରାତି ବେଳେ ଡାକ ପକାଇଥାଏ । ତୀବ୍ର ସ୍ୱରର ପିକ୍-ପିକ୍-ପିକ୍-ପିକ୍ ଡାକ ବେଳେବେଳେ ପିକ୍-ୱିକ୍, ପିକ୍-ୱିକ୍ ଡାକରେ ସମାପ୍ତ ହୁଏ । ଚଷମା ଆଖି ପକ୍ଷୀ ଛୋଟ ଦଳରେ ରହିବା ଦେଖାଯାଏ । ଦିନବେଳେ ଏମାନେ ବୁଦା ମୂଳର ଛାଇରେ ଲୁଚି ଛିଡ଼ା ହୋଇ ରହିଥାନ୍ତି ।[୪]

 
ଚଷମା ପରି ଆଖି

ବର୍ଗୀକରଣସମ୍ପାଦନ କରନ୍ତୁ

ଭାରତୀୟ ଚଷମା ଆଖି ପକ୍ଷୀକୁ ପ୍ରଥମେ ୟୁରେସୀୟ ଚଷମା ଆଖି ପକ୍ଷୀର (Burhinus oedicnemus) ଏକ ଉପପ୍ରଜାତି ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଭାରତୀୟ ଚଷମା ଆଖି ପକ୍ଷୀର ଦେହର ରଙ୍ଗ ଅନ୍ୟ ପ୍ରଜାତିର ଚଷମା ଆଖି ପକ୍ଷୀଙ୍କଠାରୁ ସ୍ୱତନ୍ତ୍ର । ପୁଣି ଭାରତୀୟ ଚଷମା ଆଖି ପ୍ରବାସ କରନ୍ତି ନାହିଁ ଓ ନିଜ ଅଧିବାସ ମଧ୍ୟରେ ବିଚରଣ କରିଥାନ୍ତି । ଏହି ସବୁ ତଥ୍ୟକୁ ଭିତ୍ତି କରି ୨୦୦୫ ମସିହାରେ ପାମେଲା ରାସ୍ମୁସେନ୍ ଭାରତୀୟ ଉପମହାଦେଶର ଚଷମା ଆଖି ପକ୍ଷୀକୁ ଏକ ସ୍ୱତନ୍ତ୍ର ପ୍ରଜାତି ରୂପେ ପରିଗଣନା କରିଥିଲେ ।[୬] କିନ୍ତୁ ଏହି ପକ୍ଷୀ ଉପରେ କୌଣସି ବଡ଼ ଧରଣର ପଲିଜେନେଟିକ୍ ଶୌଧ କରାଯାଇନାହିଁ ।

ପରିବାସସମ୍ପାଦନ କରନ୍ତୁ

ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, କଣ୍ଟାବୁଦା ଜଙ୍ଗଲ, ବୁଦାଳିଆ ନଦୀଶଯ୍ୟା, ତୋଟା ଓ ବଗିଚା ଇତ୍ୟାଦି ସ୍ଥାନ ଚଷମା ଆଖି ପକ୍ଷୀଙ୍କ ରହିବା ସ୍ଥାନ ।[୫]

ଭୌଗୋଳିକ ବିତରଣସମ୍ପାଦନ କରନ୍ତୁ

 
ବୟସ୍କ ଓ ଛୁଆ ଚଷମା ଆଖି ପକ୍ଷୀ

ଚଷମା ଆଖି ପକ୍ଷୀର ଭାରତୀୟ ପ୍ରଜାତି ମୁଖ୍ୟତଃ ବଙ୍ଗଳାଦେଶ, ଭୁଟାନ, କାମ୍ବୋଡ଼ିଆ, ଭାରତ, ଲାଓସ୍, ବ୍ରହ୍ମଦେଶ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ୍ ଓ ଭିଏତ୍‍ନାମ[୭] ଇତ୍ୟାଦି ଦେଶରେ ଦେଖାଯାନ୍ତି । ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, ବୁଦାଳିଆ ଜଙ୍ଗଲ, ପଥୁରିଆ ପାହାଡ଼ କଡ଼ ପରି ସ୍ଥାନ ଏମାନଙ୍କ ପାଇଁ ଉତ୍ତମ ଅଧିବାସ ।[୪]

 
ବୁଦା ତଳେ ଲୁଚି ରହିଥିବା ଚଷମା ଆଖି ପକ୍ଷୀ

ପ୍ରଜନନସମ୍ପାଦନ କରନ୍ତୁ

ମାର୍ଚ୍ଚ ଓ ଅପ୍ରେଲ୍ ମାସ ଚଷମା ଆଖି ପକ୍ଷୀଙ୍କ ମୁଖ୍ୟ ପ୍ରଜନନ ସମୟ । ଖୋଲା ଭୂମିରେ ନିର୍ମିତ ଖାଲୁଆ ବସାରେ ବା ବୁଦା ମୂଳରେ ଏମାନେ ୨ରୁ ୩ଟି ଅଣ୍ଡା ଦିଅନ୍ତି । ଅଣ୍ଡାଗୁଡ଼ିକର ରଙ୍ଗ ପଥର ସହିତ ପ୍ରାୟ ମିଶିଯାଏ । ମାଈ ଚଢ଼େଇ ମୁଖ୍ୟତଃ ଅଣ୍ଡା ଉଷୁମାଇବା ଦାୟିତ୍ତ୍ୱ ନିଏ ଏବଂ ଅଣ୍ଡିରା ଚଢ଼େଇ ପାଖରେ ଅଣ୍ଡାମାନଙ୍କୁ ଜଗି ରହିଥାଏ । ଅଣ୍ଡା ଫୁଟି ଛୁଆ ବାହାରିବା ପରେ ସେମାନେ ତୁରନ୍ତ ପିତାମାତାଙ୍କ ପଛରେ ଚାଲି ବୁଲିବା ଆରମ୍ଭ କରିଦେଇଥାନ୍ତି । ଛୁଆମାନଙ୍କ ଦେହର ରଙ୍ଗ ମଧ୍ୟ ଛଳାବରଣ ପୂର୍ଣ୍ଣ ହୋଇଥାଏ । ବିପଦ ସଙ୍କେତ ମିଳିଲେ ଛୁଆମାନେ ନିଶ୍ଚଳ ଭାବେ ଛିଡ଼ା ହୋଇଯାନ୍ତି ବା ଭୂମିରେ ବସି ପଡ଼ନ୍ତି । ଦେହର ଛଳାବରଣ ଯୋଗୁଁ ସେମାନଙ୍କୁ ସହଜରେ ଠଉରାଇ ହୁଏ ନାହିଁ ।[୪]

ଆହାରସମ୍ପାଦନ କରନ୍ତୁ

ବିଭିନ୍ନ ପ୍ରକାରର କୀଟପତଙ୍ଗ, ଜିଆ, କେଞ୍ଚୁଆ, କ୍ଷୁଦ୍ର ସରୀସୃପ ଓ ଭୂପତିତ ବିଭିନ୍ନ ଫଳର ମଞ୍ଜି ଇତ୍ୟାଦି ଚଷମା ଆଖି ପକ୍ଷୀର ପ୍ରମୁଖ ଆହାର ।[୪]

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଦେବତା ବିନ୍ଧାଣୀ ଚଢ଼େଇ

ପେଚା

କୁଣ୍ଡାଖିଆ ଚଢ଼େଇ

ଆଧାରସମ୍ପାଦନ କରନ୍ତୁ

  1. "Burhinus indicus". IUCN Red List of Threatened Species. Version 2015.2. International Union for Conservation of Nature. 2014. Retrieved 28 June 2015.CS1 maint: ref=harv (link)
  2. Whistler, Hugh (1949). Popular handbook of Indian birds (4 ed.). London: Gurney and Jackson. pp. 450–451.
  3. http://www.india-birds.com/greatthickknee.aspx
  4. ୪.୦ ୪.୧ ୪.୨ ୪.୩ ୪.୪ Ali, Sálim; Ripley, S. Dillon (1978). Handbook of the birds of India and Pakistan : together with those of Bangladesh, Nepal, Bhutan and Sri Lanka. Volume 3 Stone Curlews to Owls (2nd ed.). New Delhi: Oxford University Press. p. 2. ISBN 019565936-8.
  5. ୫.୦ ୫.୧ Rasmussen, Pamela C.; Anderton, John C. Birds of South Asia The Ripley Guide Volume 2: Attributes and Status (2005 ed.). Washington, D.C and Barcelona: Smithsonian Institution and Lynx Edicions. p. 181.
  6. Inskipp, Tim; Collar, N.J (2015). "Notable taxonomic changes proposed for Asian birds in 2014" (PDF). Birding Asia. 24: 64–71.
  7. https://www.iucnredlist.org/species/45111544/95142370

ଅନ୍ୟାନ୍ୟ ଲିଂକ୍ସମ୍ପାଦନ କରନ୍ତୁ