ଖୁଦୁରୁକୁଣୀ ଓଷା

ଓଡ଼ିଶାର ପର୍ବ ପର୍ବାଣୀ
(ଖୁଦୁରୁକୁଣି ଓଷାରୁ ଲେଉଟି ଆସିଛି)

ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହା ଭାଲୁକୁଣି ଓଷାଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।

ଖୁଦୁରୁକୁଣୀ ଓଷା
Khudurukuni osha in fategarh.jpg
ଖୁଦରଙ୍କୁଣି
ନାମଖୁଦୁରୁକୁଣୀ ଓଷା
ଅନ୍ୟ ନାମଖୁଦୁରୁକୁଣୀ, ଖୁଦରଙ୍କୁଣି
ପାଳନକାରୀକୁଆଁରୀ ଓଡ଼ିଆ ଝିଅ
ବିଶେଷତାତଅପୋଇଙ୍କ ସ୍ମୃତି ଆବାହନ
ପର୍ବ ପାଳନପୂଜା, ବନ୍ଦାପନା
ଆରମ୍ଭଭାଦ୍ରବ ମାସ ପ୍ରଥମ ରବିବାର
୨୦୨୩ ତାରିଖdate missing (please add)

କିମ୍ବଦନ୍ତୀସମ୍ପାଦନ କରନ୍ତୁ

କିମ୍ବଦନ୍ତୀ ଅନୁସାରେ ପୁରାତନ ଯୁଗରେ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟି ଆସୁଥିଲେ । ଏହି ଦିନ ତାଙ୍କର ଗୋଟିଏ ମାତ୍ର ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ । ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଛି ।

ପାଳନ ବିଧିସମ୍ପାଦନ କରନ୍ତୁ

ଏହା ଏକ ଭାଦ୍ରବ ମାସର ରବିବାରରେ ପଡ଼ିଥାଏ । ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ "ଖୁଦରଙ୍କୁଣି" ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣୀ ହୋଇଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାରକଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣୀଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି:

ଆମ ଭାଲକୁଣ୍ଡି ଖାଏ ଲିଆ, ତୁମ ଭାଲକୁଣ୍ଡି ମୁହଁରେ ନିଆଁ ।

ଏଥିରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ପିଢ଼ି ପରେ ପିଢ଼ି ଏହି ଗୀତ ଲୋକ ସାହିତ୍ୟ ଭାବରେ ଲୋକମୁଖରେ ଆଜି ଯାଏଁ ଚଳିଆସୁଅଛି । ଏବେ ଏହା ଛପା ହୋଇ ମିଳୁଅଛି । ପ୍ରଥମ ପାଳିରେ ଦୁର୍ଗାଙ୍କର ମହିଷାସୁର ବଧ ବାବଦରେ ବଖଣାଯାଇଅଛି । ୨ୟ ପାଳିଟି ହେଉଛି "ତଅପୋଇ", ଏଥିରେ ଏହି ସାଧବ ଝିଅର ଦୟନୀୟ କାହାଣୀ, ଭାଉଜମାନଙ୍କର ଦୂରାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଉଦ୍ଧାର ଆଦି ବଖଣାଯାଇଅଛି । ଏହି ଦୁଇଟି ପାଳି ଏହି ଓଷାରେ ପଢ଼ାଯାଇଥାଏ । ପ୍ରଥମଟିରେ ଦୁର୍ଗାଙ୍କର ଅସୁର ଶକ୍ତିର ବିନାଶ ଓ ଦ୍ୱିତୀୟଟିରେ ତଅପୋଇର ଦୁଃଖ, କଷଣକୁ ସହିବା ଓ ତାହାପରର ଆନନ୍ଦ ଏହି ଓଷାର ମୁଖ୍ୟ ବିଷୟ ହୋଇଥାଏ । ପୂଜା ଓ ବନ୍ଦାପନା ଶେଷରେ ଖୁଦୁରୁକୁଣୀଙ୍କ ମୂର୍ତ୍ତୀକୁ ଜଳ-ବିସର୍ଜନ କରାଯାଇଥାଏ ।[୧]

ଆଧାରସମ୍ପାଦନ କରନ୍ତୁ

  1. "Khudarankuni Osha – Festival of Odisha". eOdisha. Retrieved 24 August 2014.

ବାହାର ଲିଙ୍କସମ୍ପାଦନ କରନ୍ତୁ