ଖଇରମୁଣ୍ଡୀ ବସନ୍ତ (ଇଂରାଜୀରେ Brown-headed Barbet, ଜୀବବିଜ୍ଞାନ ନାମ Psilopogon zeylanicus) ଭାରତୀୟ ଉପମହାଦ୍ୱୀପରେ ଦେଖାଯାଉଥିବା ଏକ ଏସୀୟ ବାର୍ବେଟ୍ ପ୍ରଜାତିର ପକ୍ଷୀ । କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଆର୍ଦ୍ର ଅରଣ୍ୟରେ ଏହି ପକ୍ଷୀ ବସବାସ କରନ୍ତି । ନେପାଳଭାରତର ତେରାଇ ଅଞ୍ଚଳରୁ ନେଇ ଶ୍ରୀଲଙ୍କା ପର୍ଯ୍ୟନ୍ତ ଏହି ପକ୍ଷୀ ବ୍ୟାପ୍ତ । IUCN ତାଲିକାରେ ଏହି ପକ୍ଷୀକୁ “Least Concern” ଶ୍ରେଣୀରେ ସ୍ଥାନ ଦିଆଯାଇଛି ।[୧] ଖଇରମୁଣ୍ଡୀ ବସନ୍ତ ମୁଖ୍ୟତଃ ଗଛ ଉପରେ ବାସ କରନ୍ତି ଏବଂ ବିଭିନ୍ନ ଫଳ, କୀଟପତଙ୍ଗ ଏମାନଙ୍କ ପ୍ରମୁଖ ଆହାର । ଏମାନେ ଜନବସତି ନିକଟରେ ରହିବାକୁ କୁଣ୍ଠାବୋଧ କରନ୍ତି ନାହିଁ, ତେଣୁ ବିଭିନ୍ନ ନଗରର ଉଦ୍ୟାନରେ ମଧ୍ୟ ଏମାନେ ଦେଖିବାକୁ ମିଳନ୍ତି । ଗଛର କୋରଡ଼ ବା ଗର୍ତ୍ତରେ ନିଜର ବସା ବାନ୍ଧି ଖଇରମୁଣ୍ଡୀ ବସନ୍ତ ସେଥିରେ ୨-୪ ଅଣ୍ଡା ଦେଇଥାଏ । ଆମ୍ବ, ପାଚିଲା ପଣସ, ଅମୃତଭଣ୍ଡା, ଡିମିରି, କଦଳୀ ଓ ଅନ୍ୟ ବହୁ ଫଳ ଏମାନେ ଖାଆନ୍ତି । ଉଭୟ ଘଞ୍ଚ ଅରଣ୍ୟ ଓ ଜନବସତି ପାଖର ତୋଟା ଏବଂ ଉଦ୍ୟାନ ଏମାନଙ୍କ ପରିବାସର ଅନ୍ତର୍ଭୁକ୍ତ । ଗଛ କୋରଡ଼ରେ ରହିଥିବା ଏମାନଙ୍କ ବସା ଅସ୍ଥାୟୀ । ଉଭୟ ଅଣ୍ଡିରା ଓ ମାଈ ଅଣ୍ଡା ଉଷୁମାଇଥାନ୍ତି ଏବଂ ନିଜର କୁରା, କୁରା ଶବ୍ଦଦ୍ୱାରା ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ କରନ୍ତି ।[୨]

ଖଇରମୁଣ୍ଡୀ ବସନ୍ତ
ଭାରତର ଭରତପୁରରେ ରେକର୍ଡ୍ ହୋଇଥିବା ଖଇରମୁଣ୍ଡୀ ବସନ୍ତ ପକ୍ଷୀର ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Piciformes
Family: Megalaimidae
Genus: Psilopogon
ଜାତି: P. zeylanicus
ବାଇନୋମିଆଲ ନାମ
Psilopogon zeylanicus
(ୟୋହାନ୍ ଫ୍ରେଡ୍ରିଖ୍ ମେଲିନ୍, ୧୭୮୮)
Synonyms

Megalaima zeylanica

ବୟସ୍କ ଖଇରମୁଣ୍ଡୀ ବସନ୍ତର ମୁଣ୍ଡ, ବେକ ଓ ଛାତି ମାଟିଆ (ଖଇରିଆ) ରଙ୍ଗର । ଏମାନଙ୍କ ଆଖି ଚାରିପଟେ ଏକ ହଳଦିଆ ଦାଗ ରହିଥାଏ । ଏହା ଦେହର ଅନ୍ୟ ଅଂଶର ପର ସବୁଜ ରଙ୍ଗର । ଏହି ପକ୍ଷୀଟି ପ୍ରାୟ ୨୭ ସେଣ୍ଟିମିଟର୍ ଲମ୍ବା । ଏମାନଙ୍କ ମୁଣ୍ଡ ବଡ଼, ବେକ ଛୋଟ ଓ ଲାଞ୍ଜଟି ଛୋଟ । ଏହି ପକ୍ଷୀ ଡାକ ଦେବା ସମୟରେ ବାରମ୍ବାର କୁଟ୍ରୂ…କୁଟ୍ରୂ…କୁଟ୍ରୂ ଡାକିଥାଏ । ଜଣକର ଡାକ ସରିଲେ ଆଉ ଏକ ପକ୍ଷୀ ତା’ ଡାକର ପୁନରାବୃତ୍ତି କରେ । ଏମାନେ ଶୀତ ଦିନରେ ଡାକ ପକାଇବା ପ୍ରାୟ ଶୁଣାଯାଏ ନାହିଁ ।

ସିଂହଳୀ ଭାଷାରେ ଖଇରମୁଣ୍ଡୀ ବସନ୍ତକୁ ପୋଲୋସ୍ କୋତ୍ତୋରୁୱା - පොලොස් කොට්ටෝරුවා ବୋଲି ଡକାଯାଏ ।

ଆଧାର ସମ୍ପାଦନା

  1. ୧.୦ ୧.୧ BirdLife International (2016). "Psilopogon zeylanicus". The IUCN Red List of Threatened Species. IUCN. 2016: e.T22681597A92912739. doi:10.2305/IUCN.UK.2016-3.RLTS.T22681597A92912739.en.
  2. Ali, S.; Daniel, J. C. (1983). The book of Indian Birds (Twelfth Centenary ed.). New Delhi: Bombay Natural History Society and Oxford University Press.

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା