ଗାଆଁ ଗାଆଁରେ କେନ୍ଦରା ବଜାଇ ବୁଲି ମାଗଣ କରୁଥିବା ଜଣେ କେନ୍ଦରାବାଲା

କେନ୍ଦରା ହେଉଛି ଏକ ପ୍ରକାର ଛୋଟିଆ ବାଦ୍ୟଯନ୍ତ୍ର, ଯାହାକୁ ଧରି ଲୋକଟିଏ ଗାଆଁ ଗାଆଁ ବୁଲି କେନ୍ଦରା ଗୀତ ଗାଇ ମାଗଣ କରିଥାଆନ୍ତି । କେନ୍ଦରା ଶୁଖିଲା ନଡ଼ିଆ ଷଢ଼େଇ, ଗୋଧି ଚମଡ଼ା, ବାଉଁଶ ତ‌ଥା ଘୋଡ଼ାକେଶଦ୍ୱାରା ତିଆରି କରାଯାଇଥାଏ ।

କେନ୍ଦରା ତିଆରି ପ୍ରଣାଳୀସମ୍ପାଦନ କରନ୍ତୁ

ମୁଖ୍ୟତଃ କେନ୍ଦରା ତିଆରି କରିବା ପାଇଁ ଗୋଟିଏ ଶୁଖିଲା ନଡ଼ିଆ ଷଢ଼େଇର ଆବଶ୍ୟକ ହୋଇଥାଏ ଯାହାର ଖୋଲା ଅଂଶକୁ ଗୋଧି ଚମଡ଼ାଦ୍ୱାରା ଘେରାଯାଇ ବନ୍ଦ କରାଯାଏ । ଏହି ଷଢ଼େଇରେ ଗୋଟିଏ କ୍ଷୁଦ୍ର କଣାଟିଏ କରି ବାଉଁଶଟିଏ ଯୋଡ଼ାଯାଏ ଏବଂ ଘୋଡ଼ାକେଶକୁ ସୂତା ଭାବରେ ବ୍ୟବ‌ହାର କାରଯାଇଥାଏ । ଅନ୍ୟ ଏକ ଘୋଢ଼କେଶକୁ ଶକ୍ତ କରି ବାଉଁଶକାଠି କିମ୍ବା ଅନ୍ୟ କୌଣସି ବସ୍ତୁରେ ଧନୁ ଆକରରେ ବନ୍ଧାଯାଏ ଏବଂ ସେହି ଧନୁ ଆକରରେ ବନ୍ଧାଯାଇଥିବା ଘୋଡ଼ାକେଶକୁ କେନ୍ଦରରେ ଲାଗିଥିବା ଘୋଡ଼ାକେଶ ଉପରେ ଘସିଲେ ସେଥିରୁ ଏକ କରୁଣ ସ୍ୱର ବାହାରିଥାଏ ।[୧]

ବ୍ୟବ‌ହାରସମ୍ପାଦନ କରନ୍ତୁ

ଯୋଗୀମାନେ ମୁଖ୍ୟତଃ ଏହାର ବ୍ୟବ‌ହାର କରିଥାନ୍ତି । କେନ୍ଦରାଟିଏ ହାତରେ ଧରି ବଜାଇ ବଜାଇ ଯୋଗୀପିଲାମାନେ ଗାଁ ଦାଣ୍ଡକୁ ଆସୁଥିଲେ ଏବଂ ଘର ଘର ବୁଲି କେନ୍ଦରା ବଜାଇ ମାଗଣ କରୁଥିଲେ । କେନ୍ଦରାର କରୁଣ୍ୟ ସ୍ୱର ସାଙ୍ଗକୁ ସେମାନଙ୍କ କଣ୍ଠରୁ ଝରି ପଡ଼ୁଥିଲା ଟୀକା ଗୋବିନ୍ଦଚନ୍ଦ୍ର ସଂଗୀତ କିଛି ଧାଡ଼ି ।

 
କେନ୍ଦରା

"ଭଜୁକିନା ରାମ ନାମରେ କୁମର....
ଭଜୁକିନା ରାମ ନାମ....
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧି ନେବ କାଳଯମରେ କୁମର
ବାନ୍ଧିନେବ କାଳଯମ ।
ବାଛିନେବ କଞ୍ଚା ରଖିବ ପାଚିଲାରେ କୁମର...
ବାନ୍ଧି ନେବ କାଳଯମ ।"

ଏହି ଗୀତ ପଛରେ ରହିଛି ଏକ କିମ୍ବଦନ୍ତୀ ଯାହାକି ଜଣେ ମାଆର ଆକୁଳ ନିବେଦନ । ଯୁବରାଜ ଗୋବିନ୍ଦଚନ୍ଦ୍ରକୁ ରାଣୀ ମାଆଙ୍କର ପ୍ରବୋଧନା । ଯୁବରାଜଙ୍କ କମ ଆୟୁଷ ବିଷୟରେ ଜାଣିବା ପରେ ବିଚଳିତ ହୋଇ ପଡ଼ିଥିଲେ ରାଣୀ ମାଆ । ଆୟୁବୃଦ୍ଧି ନିମନ୍ତେ ତାଙ୍କୁ ସେ ଯୋଗୀ ରୂପରେ ସଜାଇଦେଇଥିଲେ ଏବଂ ହାଡ଼ିପାଙ୍କ ଶିଷ୍ୟତ୍ୱ ଗ୍ରହଣ କରିବାକୁ ପଠାଇଥିଲେ । ଏହି ଗୀତ ଗାଇ ଗାଇ ସେ ଯୁବରାଜଙ୍କୁ ଆଶ୍ୱାସନା ଦେବା ସ‌ହ ଭିକ୍ଷା ମାଗିବାକୁ ଯିବାବେଳେ ଏହାକୁ ଗାଇବାକୁ ସେ ଶିଖାଇଥିଲେ ।

ଓଡ଼ିଶାରେ କେନ୍ଦରାର ବ୍ୟବ‌ହାରସମ୍ପାଦନ କରନ୍ତୁ

କେନ୍ଦରା ବାଦକ ଯୋଗୀଙ୍କଦ୍ୱାରା କେନ୍ଦରା ଗୀତ ପରିବେଶଣ ।

ଓଡ଼ିଶାରେ ଏହି ଭାବନାର ପ୍ରଚାର ପ୍ରସାର କରୁଥିଲେ ନାଥ ସଂପ୍ରଦାୟର ଯୋଗୀମାନେ । ଗୀତ ଗାଇ ଗାଇ ଲୋକଙ୍କୁ ଚେତାଇ ଦେଉଥିଲେ ଶେଷ ସମୟ ଆସିବା ପୂର୍ବରୁ କିଛି ଧର୍ମ କାମ କର । ଭଗବାନଙ୍କର ନାମ ସଂକୀର୍ତ୍ତନ କର । ନ ହେଲେ ଅବେଳରେ ବାନ୍ଧିନେବ କାଳଯମ । ସେମାନେ ଗାଁର ପାଦ ଦେଶରେ ପାଦ ଦେଉ ଦେଉ କେନ୍ଦରାର ସ୍ୱର ତ‌ଥା ସେମାଙ୍କର ମୁଖରୁ ନିସୃତ ବାଣୀ ଶୁଣି ଗାଆଁ ଲୋକମାନେ ସେମାନଙ୍କର ଆଗମନ ବିଷୟରେ ଜାଣିପାରୁଥିଲେ । ସେହି ଯୋଗୀମାନେ ପ୍ରାୟତଃ ଏକୁଟିଆ ଆସନ୍ତି କିମ୍ବା ସଂଘବଦ୍ଧ ହୋଇ ଗୀତ ଗାଇ ଗାଇ ଆସୁଥିଲେ । ଛୋଟ ଛୋଟ ଗାଆଁରେ ମଣ୍ଡପ ଉପରେ ବସୁଥିବା ବେଳେ ବଡ଼ ବଡ଼ ଗାଆଁମାନଙ୍କରେ ଘରକୁ ଘର ବୁଲି ଭିକ୍ଷାବୃତ୍ତି କରୁଥିଲେ । ସେମାନଙ୍କୁ ଯିଏ ଯାହା ଦେଲେ ସେମାନେ ତାକୁ ଖୁସିରେ ଗ୍ରହଣ କରନ୍ତି ଏବଂ ଅଧିକ କିଛି ଦାବି କରନ୍ତି ନାହିଁ । ସାଧରଣତଃ ଉପକୂଳ ଓଡ଼ିଶାରେ ଏମାନେ ଦେଖାଯାଉଥିଲେ ।

ଏମାନେ ପଶ୍ଚିମ ବଙ୍ଗରୁ ଶରଣାର୍ଥୀ ଭାବେ ଓଡ଼ିଶାକୁ ଆସି ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ବସତି ସ୍ଥାପନ କରିଥିଲେ । ଗାଁରୁ ଗାଁକୁ ବୁଲି ବୁଲି କେନ୍ଦରା ବଜାଇ ଗୀତ ଗାଇ ସେମାନେ ଚାଉଳ ଓ ଅର୍ଥ ସଂଗ୍ରହ କରୁଥିଲେ । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଖୁଲଣା ସୁନ୍ଦରୀ, ଟୀକା ଗୋବିନ୍ଦଚନ୍ଦ୍ର ସଂଗୀତ ଗାଇ ଭିକ୍ଷା ମାଗୁଥିଲେ । କେନ୍ଦ୍ରପଡ଼ାର ଡେରାବିଶ, ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ରାଜନ‌ଗର ଆଦି ବ୍ଲକର ୫୦ରୁ ଉର୍ଦ୍ଧ୍ୱ ଗ୍ରାମରେ ପ୍ରାୟ ଅଧିକାଂଶ ପରିବାର ଏହି ବୃତ୍ତିକୁ ଆପଣାଇଥିଲେ । ହେଲେ ଧିରେ ଧିରେ ଏଥିପ୍ରତି ଲୋକଙ୍କର ଆଦର କମିଗଲା । ନୂତନ ପିଢ଼ୀ ଏହାକୁ ଶିଖିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ଏହିରୁ କମ ଆୟ ହେଉଥିବାରୁ ସେମାନେ କାମ ଛାଡ଼ିଦେବାକୁ ବାଧ୍ୟ ହେଲେ ଏବଂ ଅନ୍ୟ ବୃତ୍ତି ଗ୍ରହଣ କଲେ । ଏବେ ଏହା ଲୁପ୍ତପ୍ରାୟ ଅବସ୍ଥାରେ । ଯାହା କେବଳ କେତେଜଣ ହାତଗଣତି ଲୋକ ଏହ ଉପରେ ନିର୍ଭର କରି ଚାଳୁଥିବା ବେଳେ ପରମ୍ପରା ବଞ୍ଚାଇ ରଖିଛନ୍ତି ।

ଏବେ ଏହି ଯୋଗୀମାନେ ପ୍ରାୟତଃ ମହାଶିବରାତ୍ରି ପୂର୍ବରୁ ଆସି ଭିକ୍ଷା କରି ନେଉଛନ୍ତି ଏବଂ ମହାଶିବରାତ୍ରିରେ କପିଳାସ ପିଠରେ ପୂଜାର୍ଚ୍ଚନାରେ ଏହି ଭିକ୍ଷାରାଶି ନିୟୋଜନ କରୁଛନ୍ତି ।

ଆଧାରସମ୍ପାଦନ କରନ୍ତୁ

  1. "ସ୍ୱର ଆଉ ଶୁଭୁନାହିଁ". ପ୍ରମେୟ (in ଓଡ଼ିଆ). ଭୁବନେଶ୍ୱର. p. ୪. Archived from the original on 22 May 2016. Retrieved 18 July 2016. More than one of |pages= and |page= specified (help)CS1 maint: unrecognized language (link)