କୁଷ୍ମାଣ୍ଡା

ହିନ୍ଦୁ ଦେବୀ
(କୁଷ୍ମାଣ୍ଡରୁ ଲେଉଟି ଆସିଛି)

କୁଷ୍ମାଣ୍ଡା‌ (ଇଂରାଜୀ ଭାଷାରେ Kushmanda) ଜଣେ ହିନ୍ଦୁ ଦେବୀ ଯିଏ ତାଙ୍କର ମୃଦୁହାସଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟି କରିପାରନ୍ତି । କାଲିକୁଲା ସମ୍ପ୍ରଦାୟର ଲୋକମାନେ କୁଷ୍ମାଣ୍ଡା‌ଙ୍କୁ ଦେବୀ ଦୁର୍ଗାଙ୍କର ଚତୁର୍ଥ ଅବତାର ବୋଲି ମନେକରନ୍ତି ।[୧]

କୁଷ୍ମାଣ୍ଡା‌
କୁଷ୍ମାଣ୍ଡା‌ ଦେବୀ, ଦେବୀ ଦୁର୍ଗାଙ୍କର ଚତୁର୍ଥ ଅବତାର
ଅନ୍ତରୀକ୍ଷ ଅଣ୍ଡାର ଦେବୀ
Affiliationପାର୍ବତୀଙ୍କର ଏକ ଅବତାର
ଗ୍ରହସୂର୍ଯ୍ୟ
Mantraसुरासम्पूर्णकलशं रुधिराप्लुतमेव च। दधाना हस्तपद्माभ्यां कूष्माण्डा शुभदास्तु मे॥
Weaponପଦ୍ମ, ଚକ୍ର, କମଣ୍ଡଳୁ, ଧନୁ, ତୀର, ଗଦା, ମାଳା, ଅମୃତ ପାତ୍ର ଓ ରକ୍ତ
ସ୍ୱାମୀ/ସ୍ତ୍ରୀଶିବ
Mountବାଘ

ନବରାତ୍ରୀର ଚତୁର୍ଥ ଦିବସରେ କୁଷ୍ମାଣ୍ଡା‌ଙ୍କୁ ପୂଜା କରାଯାଏ; ସେ ସମ୍ପଦ ଓ ଶକ୍ତିର ଉନ୍ନତି କରୁଥିବା ବିଶ୍ୱାସ କରାଯାଏ । [୨] ଦେବୀ କୁଷ୍ମାଣ୍ଡା‌ଙ୍କର ଆଠଟି ହାତ ଥିବାରୁ ସେ ଅଷ୍ଟଭୂଜା ଦେବୀ ଭାବରେ ପରିଚିତ । ତାଙ୍କ ଜପାମାଳାରେ ସିଦ୍ଧି ଓ ନିଧି ଦେବାର ସମସ୍ତ ଶକ୍ତି ନିହିତ ଥାଏ ।

ପ୍ରବାଦ ଅଛି, ସେ କେବଳ ସ୍ମିତ ହସଦ୍ୱାରା ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ । ସେ ଧଳା କ‌ଖାରୁ ବା କୁଷ୍ମାଣ୍ଡକୁ ଭଲ ପାଆନ୍ତି । ତାଙ୍କର ବ୍ରହ୍ମାଣ୍ଡ ଓ କୁଷ୍ମାଣ୍ଡ ସାଥିରେ ସମ୍ପର୍କ ରହିବା ଯୋଗୁ ତାଙ୍କର ଏହି ଲୋକପ୍ରିୟ କୁଷ୍ମାଣ୍ଡା ନାମ ହୋଇଛି ।

ଆକାର ସମ୍ପାଦନା

କୁଷ୍ମାଣ୍ଡା‌ଙ୍କର ୮ ବା ଦଶ ହାତ ଥିବା ବର୍ଣ୍ଣନା କରାଯାଏ ଯାହା ସାହାଯ୍ୟରେ ସେ ପଦ୍ମ, ଚକ୍ର, କମଣ୍ଡଳୁ, ଧନୁ, ତୀର, ଗଦା, ମାଳା, ଅମୃତ ପାତ୍ର ଓ ରକ୍ତ ଇତ୍ୟାଦି ଧରିଥାଆନ୍ତି । ତାଙ୍କର ଭକ୍ତମାନଙ୍କୁ ତାଙ୍କର ଗୋଟିଏ ହାତରେ ଥିବା ଅଭୟ ମୁଦ୍ରା ସାହାଯ୍ୟରେ ସେ ଆଶୀର୍ବାଦ ଦିଅନ୍ତି । ବାଘ ହେଉଛି ତାଙ୍କର ବାହନ ।

ଉତ୍ପତ୍ତି ସମ୍ପାଦନା

ଏପରି ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀ ବୋଲି କିଛି ନଥିଲା, ଗୋଟିଏ ଶୂନ୍ୟ ସ୍ଥାନ ଅନ୍ଧକାରରେ ଆଚ୍ଛାଦିତ ଥିଲା । ସଂସାରର କୌଣସି ଚିହ୍ନ ବର୍ଣ୍ଣ ନଥିଲା । କେବଳ ଗୋଟିଏ ଆଲୋକ ରେଖା ସର୍ବଦା ବିରାଜମାନ ଥିଲା ଯାହା ଏହି ଶୂନ୍ୟ ସ୍ଥାନ‌କୁ ଆଲୋକିତ କରୁଥିଲା । ଏହି ଆଲୋକ ସାଗରର ଆକାର ନଥିଲା । ହଠାତ ଏହି ଶୂନ୍ୟ ସ୍ଥାନରେ ଆକାର ବିରାଜମାନ ହେଲା ଯାହା ଏକ ସ୍ୱର୍ଗୀୟ ଦେବୀ ଭଳି ପ୍ରତୀତ ହେଲେ ଓ ସେ କୁଷ୍ମାଣ୍ଡା ଥିଲେ । ଦେବୀଙ୍କର ନିରବ ସ୍ମିତ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ ହେଲା । ସେ ଅନ୍ତରୀକ୍ଷ ଅଣ୍ଡା ଉତ୍ପନ୍ନ କଲେ । ତାଙ୍କ ସ୍ମିତ ହସଦ୍ୱାରା ଅନ୍ଧକାର ଦୂରୀଭୂତ ହୋଇ ଏକ ନୂଆ ବ୍ରହ୍ମାଣ୍ଡ ତିଆରି ହେଲା । ଏହି ହସରୁ ଆଲୋକ ଓ ଜୀବନ ସୃଷ୍ଟି ହେଲା । ପୃଥିବୀ, ଗ୍ରହ, ନକ୍ଷତ୍ର ଓ ଆକାଶ ଗଙ୍ଗାର ସୃଷ୍ଟି ହୋଇଥିଲା । ଜୀବ ଜଗତ ବଞ୍ଚିବା ନିମନ୍ତେ ସୂର୍ଯ୍ୟ ଦରକାର ହେଲା । ତେଣୁ ସେ ସୂର୍ଯ୍ୟ ଓ ଶକ୍ତି ସୃଷ୍ଟି କଲେ ଓ ଜୀବ ଜଗତ ବଞ୍ଚି ରହିବା ନିମନ୍ତେ ଶକ୍ତି ଓ ଆଲୋକ ଦେଲେ । ତାଙ୍କର ଶକ୍ତି ପାଇ ସୂର୍ଯ୍ୟ ଶକ୍ତିଶାଳୀ ହୋଇଛି ।

ସେ ହିଁ ସୂର୍ଯ୍ୟଙ୍କର ଉତ୍ସ । ତାଙ୍କ ବିନା ଆଲୋକ ଓ ଶକ୍ତି ନିଷ୍ପ୍ରଭ ହୋଇଯିବ । ସୃଷ୍ଟିକୁ ସୂର୍ଯ୍ୟ ଆଲୋକିତ କରୁଥିଲେ ମଧ୍ୟ ତାଙ୍କ ଯୋଗୁ ସୂର୍ଯ୍ୟ ଶକ୍ତିପ୍ରାପ୍ତ ହେଉଛନ୍ତି । କୁଷ୍ମାଣ୍ଡା ରୂପରେ ସେ ଶକ୍ତିମୟୀ ହୁଅନ୍ତି । ଦେବତା, ମାନବ ଓ ଅନ୍ୟାନ୍ୟ ପାର୍ଥିବ ଜୀବ ତାଙ୍କର ପୂଜା କଲେ ସେ ସ୍ମିତ ହସ ପ୍ରଦାନ କରନ୍ତି ।

ଚତୁର୍ଦିଗ ଅନ୍ଧକାରାଚ୍ଚନ୍ନ ଥିଲାବେଳେ ମାଆ କୁଷ୍ମାଣ୍ଡା ଆଲୋକ ପ୍ରଦାନ କଲେ । ସେ ସୂର୍ଯ୍ୟର କେନ୍ଦ୍ରରେ ରହି ସଂସାରକୁ ଦୀପ୍ତିମାନ କରୁଛନ୍ତି । ତାଙ୍କର ତେଜ ବଳରେ ସୂର୍ଯ୍ୟ ତେଜୀୟାନ ହୁଏ ସୂର୍ଯ୍ୟଙ୍କୁ ସେ ନିର୍ଦ୍ଦେଶ ଦିଅନ୍ତି । [୩]

ଆଧାର ସମ୍ପାଦନା

  1. "Worship Maa Kushmanda on the fourth day of Navaratri". www.ganeshaspeaks.com. Archived from the original on 2015-12-20. Retrieved 2015-10-06.
  2. "Story Of Devi Kushmanda: The Smiling Goddess". Retrieved 2015-10-06.
  3. LLP, Adarsh Mobile Applications. "Goddess Kushmanda | Devi Kushmanda | Maa Kushmanda". www.drikpanchang.com. Retrieved 2015-10-06.