ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟ

ଭାରତର ଓଡ଼ିଶାସ୍ଥିତ କଟକରେ ଥିବା ମାଧ୍ୟମ ସଂଗ୍ରହାଳୟ
20°26′39″N 85°53′46″E / 20.444144°N 85.896181°E / 20.444144; 85.896181

ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟ ଭାରତର ଓଡ଼ିଶାସ୍ଥିତ ଏକ ମୁଦ୍ରଣ ସଂଗ୍ରହାଳୟ[୧] ଏହା ୨୦୧୪ ମସିହା ଅଗଷ୍ଟ ୨୧ ତାରିଖ ଦିନ ପ୍ରତିଷ୍ଠା ହୋଇଥିଲା । ଏଥିରେ ପୁରାତନ ଲେଟର ପ୍ରେସ ମୁଦ୍ରଣ, ଅନ୍ୟାନ୍ୟ ଛାପାଖାନା ତଥା ମୁଦ୍ରଣ ଯନ୍ତ୍ରପାତିସବୁ ନଅଟି ଗ୍ୟାଲେରିରେ ପ୍ରଦର୍ଶିତ । ସଂଗ୍ରହାଳୟଟି କଟକର ଖପୁରିଆଠାରେ ଅବସ୍ଥିତ ।

ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟ‌
ସ୍ଥାପିତ୨୦୧୪
ଅବସ୍ଥାନଖପୁରିଆ, କଟକ, ଓଡ଼ିଶା
ସ୍ୱତ୍ୱାଧିକାରୀଓଡ଼ିଶା ସରକାର
ୱେବସାଇଟOfficial website

ଏହି ସଂଗ୍ରହାଳୟରେ ୫୦ଟି ପୁରୁଣା ଯନ୍ତ୍ରପାତି ନଅଟି ଭିନ୍ନ ଭିନ୍ନ ଗ୍ୟାଲେରିରେ 10,000 square feet (930 m2) ବ୍ୟାପୀ ଅଞ୍ଚଳରେ ପ୍ରଦର୍ଶନ କରାଯାଇଛି । ଏଥିରେ ଥିବା ବିଭିନ୍ନ ଯନ୍ତ୍ରପାତି ଓଡ଼ିଶା ସରକାରଙ୍କ ପରିଚାଳିତ ଓଡ଼ିଶା ସରକାରୀ ମୁଦ୍ରଣାଳୟ ବ୍ୟବହାର କରି ପରେ ଏହି ସଂଗ୍ରହାଳୟ ପ୍ରତିଷ୍ଠା କରି ଏଠାରେ ସାଇତିଛି । ସଂଗ୍ରହାଳୟଟି ଓଡ଼ିଶା ସରକାରୀ ମୁଦ୍ରଣାଳୟ ପରିସର ମଧ୍ୟରେ ଅବସ୍ଥିତ । ଏହା ସରକାରୀ କାର୍ଯ୍ୟଦିବସଗୁଡ଼ିକରେ ସକାଳ ୧୦:୩୦ରୁ ଅପରାହ୍ଣ ୪ ଘଟିକା ଯାଏ ଖୋଲାରହେ ।[୨] ଏଠାରେ ମୁଦ୍ରଣ ଇତିହାସ ଉପରେ ଅଧିକ ଜାଣିବା ପାଇଁ ଏକ ଅଡିଓଭିଜୁଆଲ ଡିସପ୍ଲେ ସିଷ୍ଟମ ଏବଂ ଟଚସ୍କ୍ରିନ ସୂଚନା ବୋର୍ଡ଼ ରହିଛି ।[୩]

ଇତିହାସ ଓ ସଂଗ୍ରହ ସମ୍ପାଦନା

୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରୀ ମୁଦ୍ରଣାଳୟ ତତ୍କାଳୀନ ବିହାର-ଓଡ଼ିଶା ରାଜ୍ୟ ଅଧୀନରେ ରହିଥିଲା । ସେହି ବର୍ଷ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ପାଟଣାରୁ କଟକକୁ କିଛି ଯନ୍ତ୍ରପାତି ଓ ଉପକରଣ ସ୍ଥାନାନ୍ତର କରାଯାଇଥିଲା ।[୩] ପରେ ଓଡ଼ିଶା ସରକାରଙ୍କ ବିଭିନ୍ନ ମୁଦ୍ରଣ କାର୍ଯ୍ୟରେ ନିୟୋଜିତ ଏହି ମୁଦ୍ରଣାଳୟ ତାହାର ନିଜ ବ୍ୟବହାରରେ ଲାଗିଥିବା ପୁରୁଣା ଛାପାଖାନା ଓ ଅନ୍ୟାନ୍ୟ ଯନ୍ତ୍ରପାତିର ରକ୍ଷଣାବେକ୍ଷଣା କରି ମୁଦ୍ରଣାଳୟ ପରିସର ଭିତରେ ଏହି ସଂଗ୍ରହାଳୟର ସ୍ଥାପନା କରିଥିଲା । ୨୦୧୪ ମସିହା ଅଗଷ୍ଟ ୨୧ ତାରିଖ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ । ସଂଗ୍ରହାଳୟରେ ଥିବା ବିଭିନ୍ନ ସଂଗ୍ରହ ଭିତରୁ ପୁରୁଣା ଛାପାଖାନାଗୁଡ଼ିକ ଓ ସେଥି ମଧ୍ୟରେ ବଲାଙ୍ଗୀରର ରାଜା ଦଳଗଞ୍ଜନ ଦେବଙ୍କଦ୍ୱାରା ୧୯୨୩ରେ ବ୍ୟବହୃତ ଛାପାଖାନା, କେନ୍ଦୁଝରର ରାଜା ଧଞ୍ଜନୟ ଭଞ୍ଜଙ୍କଦ୍ୱାରା ୧୯୩୪ରେ ବ୍ୟବହୃତ ଛାପାଖାନା ଆଦି ପ୍ରଧାନ ।[୨]

କମ୍ପୋଜିଂ ଗ୍ୟାଲେରି ସମ୍ପାଦନା

ଏଥିରେ ଥିବା କମ୍ପୋଜିଂ ଗ୍ୟାଲେରିରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଅକ୍ଷରର ଧାତବ ଟାଇପ/ଟାଇପ କେସ ତଥା ହାତରେ କମ୍ପୋଜିଂ ପ୍ରକ୍ରିୟା ଆଦି ପ୍ରଦର୍ଶନ କରାଯାଇଛି । ଏକ ମୋନୋଟାଇପ ଧାତବ କାଷ୍ଟିଂ ମେସିନ ଏବଂ ଏକ ହ୍ୟାଣ୍ଡ ପ୍ରୁଫ ପୁଲିଂ ମେସିନ ମଧ୍ୟ ପ୍ରଦର୍ଶିତ ହୋଇଛି । ହାତରେ କମ୍ପୋଜିଂ ପାଇଁ ବ୍ୟବହୃତ ଅନ୍ୟ ଛୋଟ ଏବଂ ଆନୁଷଙ୍ଗିକ ଯନ୍ତ୍ରପାତିଗୁଡ଼ିକ ମଧ୍ୟ ଗ୍ୟାଲେରିରେ ରହିଛି ।[୨]

ଲେଟର ପ୍ରେସ ପ୍ରିଣ୍ଟିଂ ଗ୍ୟାଲେରି ସମ୍ପାଦନା

ଭାରତର ସ୍ୱାଧୀନତା ପୂର୍ବରୁ ପୂର୍ବତନ ଶାସକମାନଙ୍କଦ୍ୱାରା ବ୍ୟବହୃତ ମୁଦ୍ରଣ ଯନ୍ତ୍ରପାତି ସମେତ ଓଡ଼ିଶା ସରକାରୀ ମୁଦ୍ରଣାଳୟର ବିଭିନ୍ନ ଶାଖାରୁ ସଂଗୃହିତ ଲେଟର ପ୍ରେସଗୁଡ଼ିକ ଏଠାରେ ପ୍ରଦର୍ଶିତ ହୋଇଛି । ଅଲଗା ଅଲଗା ଉତ୍ପାଦକ ଏବଂ ମଡେଲର ସ୍ୱୟଂଚାଳିତ ରୋଟାରୀ ସିଲିଣ୍ଡର ଛାପାଖାନା ଏବଂ ହାତଚଳା ପ୍ରେସ ପ୍ରୁଫ ପୁଲିଂ ମେସିନ ଆଦି ଏହି ଗ୍ୟାଲେରିରେ ରହିଛି ।[୨]

ପ୍ରି-ପ୍ରେସ ଗ୍ୟାଲେରି ସମ୍ପାଦନା

ପ୍ରି-ପ୍ରେସ ଗ୍ୟାଲେରିରେ ଛପା ଆଗରୁ ବ୍ୟବହୃତ ହେଉଥିବା ମେସିନସବୁ (ଇମେଜ୍ କ୍ୟାରିଅର, ଲେଟର ପ୍ରେସ ବ୍ଲକ, ନେଗେଟିଭ, ପଜିଟିଭ, ଅଫସେଟ ପ୍ଲେଟ ଆଦିର ତିଆରି), ପ୍ରୋସେସ କ୍ୟାମେରା ଏବଂ ଅଫସେଟ ପ୍ଲେଟ ତିଆରି ମେସିନ ଆଦି ରହିଛି । ପ୍ରି-ପ୍ରେସ ମେସିନଗୁଡ଼ିକର ବ୍ୟବହାରକୁ ଭିତ୍ତି କରି ଏହି ଗ୍ୟାଲେରିକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି ଯଥା କ୍ୟାମେରା ବିଭାଗ, ବ୍ଲକ୍ ମେକିଂ ବିଭାଗ ଏବଂ ଅଫସେଟ ପ୍ଲେଟ ତିଆରି ବିଭାଗ ।[୨]

ଅଫସେଟ ମୁଦ୍ରଣ ଗ୍ୟାଲେରି ସମ୍ପାଦନା

ଅଫସେଟ ମୁଦ୍ରଣରେ ବ୍ୟବହୃତ କେତେକ ପ୍ରଥମ ସଂସ୍କରଣର ସିଟ୍-ଫିଡ୍ ଅଫସେଟ ଛାପାଖାନା ଓ ଏହି ମୁଦ୍ରଣରେ ବ୍ୟବହୃତ ଅନ୍ୟାନ୍ୟ ଆନୁଷଙ୍ଗିକ ଯନ୍ତ୍ରପାତିଗୁଡ଼ିକ ପ୍ରଦର୍ଶିତ ।[୨]

ବନ୍ଧାଇ ଗ୍ୟାଲେରି ସମ୍ପାଦନା

ଏହି ଗ୍ୟାଲେରିରେ ବନ୍ଧାଇ ଓ ଅନ୍ୟାନ୍ୟନ ଛପା ପରେ ବ୍ୟବହୃତ ଯନ୍ତ୍ରପାତି ପ୍ରଦର୍ଶିତ ହୋଇଛି ।[୨]

କର୍ମଶାଳା ଗ୍ୟାଲେରି ସମ୍ପାଦନା

ଏହି ମେକାନିକାଲ କର୍ମଶାଳାରେ ବିଭିନ୍ନ ମୁଦ୍ରଣ ସମ୍ବନ୍ଧିତ ଯନ୍ତ୍ରପାତି ତିଆରିରେ ଲାଗୁଥିବା ମେସିନସବୁ ପ୍ରଦର୍ଶିତ । ଏଥି ମଧ୍ୟରେ ଛୁରି ପଜାଇବା ଓ କାଟିବା ପାଇଁ ବ୍ୟବହୃତ ଯନ୍ତ୍ର, ଅତିରିକ୍ତ ମରାମତି ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ରାଦି ରହିଛି ।[୨]

ଅଫିସ ଯନ୍ତ୍ର ଏବଂ ଉପକରଣ ଗ୍ୟାଲେରି ସମ୍ପାଦନା

ଏହି ଗ୍ୟାଲେରିରରେ ବିଭିନ୍ନ ପ୍ରକାରର ତିଆରି ଓ ମଡେଲର ହାତଚଳା ଓ ଇଲେକ୍ଟ୍ରୋନିକ ଟାଇପ ରାଇଟର ମେସିନ, ଡୁପ୍ଲିକେଟର ମେସିନ ଆଦି ଅଫିସ ଯନ୍ତ୍ରପାତି ରହିଛି ।[୨]

ଆଧୁନିକ ବିକାଶ ଗ୍ୟାଲେରି ସମ୍ପାଦନା

ଏହି ଗ୍ୟାଲେରିରେ ହେଡେଲବର୍ଗ କମ୍ପାନିଦ୍ୱାରା ତିଆରି ଏକ ବହୁରଙ୍ଗୀ ସିଟ୍-ଫିଡ୍ ଅଫସେଟ ଛାପାଖାନାର ଏକ ମଡେଲ ରଖାଯାଇଛି । ଏଥିରେ ଏକ କାଗଜରେ ୪-ରଙ୍ଗୀ ମୁଦ୍ରଣ ହୋଇପାରେ । ଏହି ଗ୍ୟାଲେରିରେ ଥିବା ଅନ୍ୟାନ୍ୟ ଯନ୍ତ୍ର ମଧ୍ୟରେ ଏକ ଫିଲ୍ମ ଇମେଜ ସେଟର ଅନ୍ୟତମ । ସେଥିରେ ହଳଦିଆ, ମ୍ୟାଜେଣ୍ଟା, ସ୍ୟାନ ଏବଂ କଳା ରଙ୍ଗରେ ବହୁରଙ୍ଗୀ ଛପା ହୋଇପାରେ । ଆଧୁନିକ ଅଫସେଟ ମୁଦ୍ରଣ ବ୍ୟ ବହାର କରି ଛପାଯାଇଥିବା କିଛି ଛପା ନମୁନା ମଧ୍ୟ ଏଠାରେ ରହିଛି ।[୨]

କାଗଜ ଗ୍ୟାଲେରି ସମ୍ପାଦନା

ଏଠାରେ ଛପାରେ ବ୍ୟବହୃତ ବିଭିନ୍ନ ପ୍ରକାରର ନମୁନା କାଗଜଗୁଡ଼ିକ ଏକ ପ୍ରଦର୍ଶନୀ ବୋର୍ଡରେ ରଖାଯାଇଛି ।[୨][୩]

ଆଧାର ସମ୍ପାଦନା

  1. "Odisha Government | Department of Press". ogpress.nic.in. Retrieved 22 June 2020.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Odisha Printing Museum". ct.odisha.gov.in. Archived from the original on 25 June 2020. Retrieved 22 June 2020.
  3. ୩.୦ ୩.୧ ୩.୨ Sharma, Vikash. "On display: Old printing tools, aquatic species". www.telegraphindia.com (in ଇଂରାଜୀ). Retrieved 22 June 2020.

ବାହାର ଲିଙ୍କ ସମ୍ପାଦନା