ସୁଲକ୍ଷଣା ଦେବୀ

ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକବି

ସୁଲକ୍ଷଣା ଦେବୀ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକବି ।[୧] ତତ୍କାଳୀନ ସାରସ୍ୱତ ମହଲରେ ସେ ‘ଜନନୀ ସୁଲକ୍ଷଣା’ ନାମରେ ପରିଚିତ ଥିଲେ । ୧୮୨୯ ଖ୍ରୀଷ୍ଟାବ୍ଦରେ ସୁଲକ୍ଷଣା ତିଗିରିଆ ରାଜ୍ୟର ଦେବାନ ଦାଶରଥି ବେବର୍ତ୍ତାଙ୍କ କନ୍ୟାଭାବେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଢେଙ୍କାନାଳ ଗଡ଼ର ରାଜମନ୍ତ୍ରୀ ସାମନ୍ତ ଦାଶରଥି ପଟ୍ଟନାୟକଙ୍କ ପୁତ୍ର ନିତ୍ୟାନନ୍ଦଙ୍କୁ ବିବାହ କରିଥିଲେ । ୧୮୮୧ ମସିହାରେ ତାଙ୍କ ସ୍ୱାମୀ ନିତ୍ୟାନନ୍ଦଙ୍କ ମୃତ୍ୟୁପରେ ଜ୍ୟେଷ୍ଠପୁତ୍ର ଜଗନ୍ନାଥ ଢେଙ୍କାନାଳର ରାଜମନ୍ତ୍ରୀ ପଦବୀରେ ଓ କନିଷ୍ଠ ପୁତ୍ର ଦାମୋଦର ଅନ୍ୟ ଗଡ଼ଜାତ ରାଜ୍ୟର ଦେବାନ ପଦବୀରେ ନିଯୁକ୍ତ ହୋଇଥିଲେ । ଏହାପରେ ସେ ସାଂସାରିକ ଜଞ୍ଜାଳରୁ ମୁକ୍ତ ହୋଇ ହବିଷ୍ୟବ୍ରତରେ ବ୍ରତୀ ହୋଇଥିଲେ । ତାଙ୍କ ପୂର୍ବରୁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମାଧବୀ ଦାସୀ, ବୃନ୍ଦାବତୀ ଦାସୀ ଓ ନିଃଶଙ୍କ ରାଣୀ ପ୍ରମୁଖ କେତେଜଣ ନାରୀକବି ପ୍ରାଚୀନ ରୀତିରେ ଭଜନ ଜଣାଣ ଲେଖିଥିଲେ । ସୁଲକ୍ଷଣା ଖଡ଼ିକାକୁ ଅଳତାରେ ବୁଡ଼ାଇ କାନ୍ଥରେ କବିତା ଲେଖୁଥିଲେ । ପରେ ତାଙ୍କ କନିଷ୍ଠ ପୁତ୍ର ଦାମୋଦର ସେଗୁଡ଼ିକୁ କାଗଜରେ ଉତାରି ନେଇ ପ୍ରକାଶ କରୁଥିଲେ । ପ୍ରଥମେ ସେ କେତେଗୋଟି ଜଣାଣ ଓ ଢେଙ୍କାନାଳର ରାଜା ଦୀନବନ୍ଧୁଙ୍କ ଅକାଳ ବିୟୋଗରେ ‘କ’ଠାରୁ ‘କ୍ଷ’ ଅନୁପ୍ରାସରେ କରୁଣ ରସରେ ‘ଦୀନବନ୍ଧୁ କୋଇଲି’ ରଚନା କରିଥିଲେ । ଏହା ୧୮୮୯ରେ କବି ଦାମୋଦରଙ୍କଦ୍ୱାରା ପ୍ରକାଶିତ ହୋଇଥିଲା । ଏହା ପରେ ସେ ଶ୍ରୀମନ୍ଦିରରେ ବାରମାସରେ ଅନୁଷ୍ଠିତ ପର୍ବପର୍ବାଣି, ଷଡ଼ଋତୁ ବର୍ଣ୍ଣନା ମାଧ୍ୟମରେ ଅଭିନବ ଶୈଳୀରେ ‘ପାରିଜାତମାଳା’ ନାମରେ କାବ୍ୟଗ୍ରନ୍ଥରେ ପରିବେଷଣ କରିଥିଲେ । ଏହା ୧୮୯୬ ମସିହାରେ କଟକ ପ୍ରିଣ୍ଟିଂ କମ୍ପାନୀଦ୍ୱାରା ପ୍ରକାଶିତ ହୋଇଥିଲା ।

ସୁଲକ୍ଷଣା ଦେବୀ
ଜନ୍ମ ଓ ଜନ୍ମସ୍ଥାନ୧୮୨୯
ତିଗିରିଆ, ଢେଙ୍କାନାଳ, ଓଡ଼ିଶା
ସାହିତ୍ୟ କୃତିପାରିଜାତମାଳା, ଦୀନବନ୍ଧୁ କୋଇଲି
ଜୀବନସାଥୀନିତ୍ୟାନନ୍ଦ ପଟ୍ଟନାୟକ
ସନ୍ତାନଜଗନ୍ନାଥ, ଦାମୋଦର

ଆଧାର ସମ୍ପାଦନା

  1. Kumar, Naresh (2012). "First Women and First Person of Orissa". orissaspider.com. Archived from the original on 17 February 2020. Retrieved 25 September 2012. First women poet of Orissa: Sulakshana Devi
  2. Sachidanandan Mohanty (6 January 2005). Early Women's Writings in Orissa, 1898-1950: A Lost Tradition. SAGE Publications. pp. 16–. ISBN 978-0-7619-3308-3. Retrieved 25 September 2012. Sulakshana Devi of Tigiria (born in 1829) composed a collection of poems entitled, Parijatamala

ବାହାର ଆଧାର ସମ୍ପାଦନା

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର. "ଅନାଲୋଚିତ ପ୍ରତିଭା". ଧରିତ୍ରୀ ସାହିତ୍ୟାୟନ (୨୨ସେପ୍ଟେମ୍ବର-୫ଅକ୍ଟୋବର): ପୃଷ୍ଠା: ୮.