ମାଣିକେଶ୍ୱର ଦେଉଳ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ କଟକ ଜିଲ୍ଲାର ଶୁକ୍ଳେଶ୍ୱର ଗ୍ରାମରେ ନିର୍ମିତ ଏକ ପ୍ରାଚୀନ ଉତ୍କଳୀୟ ଶୈବ ମନ୍ଦିର । ଏହା ବିରୂପା ନଦୀର ନିକଟବର୍ତ୍ତୀ ଓ ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜିରୁ ୨୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ।

ମାଣିକେଶ୍ୱର ଦେଉଳ
ପାର୍ଶ୍ୱଦେବତା ରୂପେ ବିରାଜିତ ଭିକ୍ଷାଟନ ବିଗ୍ରହ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଶୁକ୍ଳେଶ୍ୱର, କଟକ ଜିଲ୍ଲା
Location
ସ୍ଥାନଶୁକ୍ଳେଶ୍ୱର
Country India
Architecture
ଭୌମକର ରାଜବଂଶ

ଇତିହାସ ସମ୍ପାଦନା

ରତ୍ନଗିରି ନିକଟରେ ଭୌମକର ବଂଶ, ରାଜଧାନୀ କରି ଶାସନ କରୁଥିଲେ । ସେହି କାଳରେ ମାଣିକେଶ୍ୱର ଓଡ଼ିଶାର ସବୁଠାରୁ ବଡ଼ ମନ୍ଦିର ମଧ୍ୟରୁ ଅନ୍ୟତମ ହୋଇଥିବା ଅନୁମେୟ । ବାଡ଼ର ମାପ ଅନୁଧ୍ୟାନ କଲେ ଏହା ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ପଞ୍ଚମ ସର୍ବବୃହତ୍ ଦେଉଳ ବୋଲି ପ୍ରମାଣିତ ହୁଏ (ପ୍ରଥମ ଚାରିଗୋଟି : କୋଣାର୍କ ସୂର୍ଯ୍ୟ ଦେଉଳ, ପୁରୀର ବଡ଼ଦେଉଳ, ଭୁବନେଶ୍ୱରର ଲିଙ୍ଗରାଜ ଓ କୋଣାର୍କ ମହାଗାୟତ୍ରୀଙ୍କ ଦେଉଳ) ।[୧]

ଶିଳ୍ପକଳା ସମ୍ପାଦନା

ଶିଳ୍ପଶାସ୍ତ୍ର ମତରେ ଦେଉଳଟି ପଞ୍ଚାୟତନ ଶୈଳୀର । ଆୟତାକାର କ୍ଷେତ୍ରର ମଧ୍ୟରେ ମୁଖ୍ୟ ମନ୍ଦିର ଥାଇ ତାହାର ଚାରି କୋଣରେ ଚାରିଗୋଟି କ୍ଷୁଦ୍ର ମନ୍ଦିର ପ୍ରତିଷ୍ଠିତ । ଏହି ଦେଉଳ ଗଢ଼ଣରେ ବ୍ୟବହୃତ ପଥର ରତ୍ନଗିରିରେ ବ୍ୟବହୃତ ପଥର ସଙ୍ଗେ ସାମଞ୍ଜସ୍ୟ ରଖିଛି । ଜଗମୋହନ ପରବର୍ତ୍ତୀ କାଳରେ (ପ୍ରାୟ ୧୧ଶ ଶତାବ୍ଦୀ) ମିଶାହୋଇଛି । ଏହାର ଶୈଳୀ ମୁଖ୍ୟ ଦେଉଳଠୁଁ ଭିନ୍ନ । ଜଗମୋହନର ଟିକେ ଆଗରେ ଏକ ବିରାଟ ମଣ୍ଡପର ଅସ୍ତିତ୍ୱ ମିଳିଛି । ଏହା ନାଟମନ୍ଦିର ହୋଇଥିବା ସମ୍ଭବ ।[୧]

କାରୁକାର୍ଯ୍ୟ ସମ୍ପାଦନା

ଗବେଷକ ଥମାସ୍ ଡନାଲ୍ଡସନ୍‌ଙ୍କ ମତରେ ଏହାର କାରୁକାର୍ଯ୍ୟ ଶୈଳୀ ରତ୍ନଗିରି ଓ ଭୁବନେଶ୍ୱର ଶିଶିରେଶ୍ୱର ଦେଉଳ ସଙ୍ଗେ ସମାନ । ରତ୍ନଗିରିରେ କାର୍ଯ୍ୟରତ ଶିଳ୍ପୀମାନେ ଏଠାରେ ମଧ୍ୟ କାମ କରିଥିବା ସମ୍ଭବପୂର୍ଣ୍ଣ । ଶୁକ୍ଳେଶ୍ୱରରେ ମିଳୁଥିବା ଅନେକ ଖୋଦେଇରୁ ଏଠାରେ ଦୀର୍ଘକାଳ ଧରି ଶିଳ୍ପକଳା ହେଉଥିବା ପ୍ରମାଣ ମିଳେ । ଏଣୁ ଅନେକ ସମୟର କାରୁକାର୍ଯ୍ୟ ପରିଦୃଷ୍ଟ ।

ଦେଉଳଟି ଶିବଙ୍କ ଉଦ୍ଦେଶ୍ୟରେ ହୋଇଥିଲେ ମଧ୍ୟ ଖୋଦେଇ ମଧ୍ୟରୁ ଅନେକ ବୈଷ୍ଣବ କିମ୍ବଦନ୍ତୀ ଆଧାରିତ । ଏଣୁ ନବମ ଶତାବ୍ଦୀର ମଧ୍ୟ ଭାଗରେ ବୈଷ୍ଣବ ମତବାଦର ପ୍ରାବଲ୍ୟ ଓ ଭୌମ ରାଜବଂଶଙ୍କ ବୈଷ୍ଣବ ଇଷ୍ଟଦେବ ଗ୍ରହଣ ଇତ୍ୟାଦି ଘଟଣାକୁ ଦେଖି ଏହି ସମୟରେ ମାଣିକେଶ୍ୱରଙ୍କ ଦେଉଳ ଗଠିତ ବୋଲି ଗବେଷକଙ୍କ ମତ ।[୧]

ପାର୍ଶ୍ୱଦେବତା ସମ୍ପାଦନା

୭ମ-୮ମ ଶତାବ୍ଦୀର ଶୈବ ଦେଉଳଗୁଡ଼ିକରେ ସାଧାରଣତଃ ପାର୍ଶ୍ୱରେ ଗଣେଶ, କାର୍ତ୍ତିକେୟପାର୍ବତୀ ବିରାଜିତ ଥାଆନ୍ତି । କିନ୍ତୁ ମାଣିକେଶ୍ୱରରେ ଏହା ଅନୁସୃତ ହୋଇନାହିଁ । ଗୋଟିଏ ପାର୍ଶ୍ୱ ବିଗ୍ରହ ଆଉ ନାହାନ୍ତି । ଅନ୍ୟ ଦୁଇଗୋଟି ପାର୍ଶ୍ୱରେ ଶିବଙ୍କ ଭିକ୍ଷାଟନ ରୂପ ଓ ପାର୍ବତୀ ବିଗ୍ରହ ରହିଛନ୍ତି । ଏହି ଭିକ୍ଷାଟନ ମୂର୍ତ୍ତି ମାଣିକେଶ୍ୱରର ବୈଶିଷ୍ଟ୍ୟ ଓ ଭିକ୍ଷାଟନଙ୍କ ଏଭଳି ବିଶାଳ ଉତ୍କୃଷ୍ଟ ବିଗ୍ରହ ଓଡ଼ିଶାରେ ଅନ୍ୟତ୍ର ପରିଦୃଷ୍ଟ ହୁଏ ନାହିଁ ।

ମହିଷାସୁରମର୍ଦ୍ଦିନୀ ସମ୍ପାଦନା

ମାଣିକେଶ୍ୱରଙ୍କ ଦେଉଳର ଐଶାନ୍ୟ କୋଣରେ ଅନ୍ୟ ଏକ ଦେଉଳରେ ବିଶାଳ ମହିଷାସୁରମର୍ଦ୍ଦିନୀ ବିଗ୍ରହ ଆରାଧିତା । ଏହାଙ୍କ ଉଚ୍ଚତା ୭ ଫୁଟ ୬ ଇଞ୍ଚ ଓ ବୋଧ ହୁଏ ଏହି ବିଗ୍ରହ ଓଡ଼ିଶାର ସର୍ବବୃହତ୍ ଦୁର୍ଗା ମୂର୍ତ୍ତି ।

ଅବକ୍ଷୟ ଓ ବର୍ତ୍ତମାନ ଅବସ୍ଥା ସମ୍ପାଦନା

ବର୍ତ୍ତମାନ ସମସ୍ତ ବିମାନଗୁଡ଼ିକ ଭଗ୍ନ ଅବସ୍ଥାରେ ରହିଛି । ମୁଖ୍ୟ ଦେଉଳର ବିମାନ ଉପରେ ବରଗଛ ମାଡ଼ି ତାକୁ ଧ୍ୱଂସ କରିଦେଇଥିବାରୁ ବର୍ତ୍ତମାନ ଗର୍ଭଗୃହ ଓ ଜଗମୋହନ ଅଂଶରେ ଛାତ ନାହିଁ । ବିଭିନ୍ନ ଅଂଶରୁ ଖସିଥିବା ନାନା କାରୁକାର୍ଯ୍ୟରେ ପୂର୍ଣ୍ଣ ପଥର ଖଣ୍ଡଗୁଡ଼ିକ ଏବେ ସୁଦ୍ଧା ପଡ଼ିରହିଛି । କେତେକ ଅଂଶ ନିକଟରେ ପ୍ରତିଷ୍ଠିତ କ୍ଷୁଦ୍ର ସଙ୍ଗ୍ରହାଳୟ ଗୃହରେ ରଖାଯାଇଛି । ଅନେକ ଶିଳାଲିପି ଥିବା ଖଣ୍ଡ ପଡ଼ିଥିଲେହେଁ ସେଗୁଡ଼ିକ ଉପରେ ଗବେଷଣା ହୋଇନାହିଁ ।

ଦେଉଳଟି ପାଭାଗ ଉପର ଅଂଶ ଯାଏଁ ପୁନର୍ଗଠିତ ହୋଇପାରିଛି । ପଞ୍ଚାୟତନର କ୍ଷୁଦ୍ର ଦେଉଳଗୁଡ଼ିକ ପାଖାପାଖି ଭାଙ୍ଗିବା ଅବସ୍ଥାରେ ଥିଲେ ମଧ୍ୟ ଦ୍ୱାରବନ୍ଧଗୁଡ଼ିକ ରହିଛି ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ହିନ୍ଦୁ ଟେମ୍ପଲ ଆର୍ଟ ଅଫ ଓଡ଼ିଶା Hindu Temple Art of Orissa, ପ୍ରଥମ ଭାଗ । ଥମାସ ଇଉଜିନ ଡନାଲ୍ଡସନ (Thomas E. Donaldson), E. J. Brill, ୧୯୮୫ ।