କେଳା (ଆହୁରି ମଧ୍ୟ ସାପୁଆ କେଳା, ସାପୁଆ) ‌‌ବିଷଦାନ୍ତ ନ‌ଥିବା ସାପମାନଙ୍କୁ ଖେଳାଇ ଜୀବିକା ନିର୍ବାହ କରୁଥିବା ଓଡ଼ିଶାର ଏକ ଜନଜାତି । ଏହି ଜନଜାତି ମୁଖ୍ୟତଃ ବଣ-ଜଙ୍ଗଲ ତ‌ଥା ଗାଁ ଗ‌ହଳରୁ ସାପମାନଙ୍କୁ ଧରି ସେମାନଙ୍କ ବିଷ ଦାନ୍ତ ଓପାଡ଼ି ସେମାନଙ୍କୁ ପଦ୍ମତୋଳା ଶୁଣାଇ ଖେଳାଇ ଲୋକଙ୍କ ମନୋରଞ୍ଜନ କରିଥାନ୍ତି । ସାପଖେଳ ଦେଖାଇବା ସ‌ହ କେଳାମାନେ ଗୀତ ଗାଇଥାନ୍ତି ଯାହା କେଳା-କେଲୁଣୀ ଗୀତ ନାମରେ ଜଣା । କେଳାମାନେ ନାନାଦି ଜଡ଼ିବୁଟି ଔଷଧାଦି ମ‌ଧ୍ୟ ଦେଇଥାନ୍ତି ।[୧]

ସାପ ଆଗରେ ପଦ୍ମତୋଳା ବଜାଉଥିବା ଏକ କେଳା

ସମ୍ଭବତଃ ଏମାନେ କେରଳ ବା ଦକ୍ଷିଣ ଦେଶ ଆଡ଼ୁ ଆସିଥିବାରୁ ଏହିନାମ ।[୨] ଅନାର୍ଯ୍ୟ ଯାଯାବର ଜାତିବିଶେଷ (ଏମାନେ କୁହୁକ ଓ ସାପଖେଳା ଦେଖାନ୍ତ ଓ ଧୂଡ଼ୁକି ବଜାଇ ଗୀତ ବୋଲି ଭିକ ମାଗନ୍ତି ଓ ନଳରେ ଚଢ଼େଇ ଧରନ୍ତି) । କେଳାମାନେ ଭିନ୍ନ ଭିନ୍ନ ଜାତିରେ ବିଭକ୍ତ ଯଥା: ସାପୁଆ ବା ନାଗେଶ୍ୱରିଆ, ଗଉଡ଼ିଆ, ସଭାଖିଆ ବା ମୁଣ୍ଡପୋତା, ନଳୁଆ, ମାଟିଆ, ବାଜୀକରିଆ, ଅଇରୀଗଉଡ଼, ଚାଉଳିଆ କେଳା । କେଲୁଣୀମାନେ ସ୍ତ୍ରୀମାନଙ୍କ ଦେହରେ ଚିତା କୁଟନ୍ତି ଏମାନଙ୍କ କଥା ବଙ୍ଗଳା ଓ ଓଡ଼ିଆ ମିଶା, ଧୁଡ଼ୁକି ବଜାଇ କେଳାଏ ଗୀତ ବୋଲନ୍ତି ଓ କେଲୁଣୀଏ ନାଚନ୍ତି ଏମାନେ ଏକ ସ୍ଥାନରେ ଏକାଦି କ୍ରମେ ବେଶୀ ଦିନ ରହନ୍ତି ନାହିଁ; ତାଳପତ୍ରରେ କୁଡ଼ିଆ ବାନ୍ଧି ଦଳ ଦଳ ହୋଇ ସ୍ଥାନେ ସ୍ଥାନେ ବସା କରି ରହନ୍ତି ।

ଇତିହାସ ସମ୍ପାଦନା

କେଳାଜାତିର ଉତ୍ପତ୍ତି ବିଷୟରେ ବିଶେଷ କିଛି ଐତିହାସିକ ତଥ୍ୟ ମିଳେ ନାହିଁ । କିନ୍ତୁ 'କେଳା' ନାମକରଣରୁ କଳା ଜାଣିଥିବା ସଂପ୍ରଦାୟକୁ କେଳା ନାମରେ ନାମିତ ହେବା ଅନୁମାନ କରାଯାଏ । ବିଭିନ୍ନ ପ୍ରକାର କଳା-ଚାତୁରୀ ଦେଖାଇ ସାଧାରଣ ମଣିଷକୁ ଚମତ୍‌କୃତ କରାଇବା ପାଇଁ କେଳା ଜାତିର ଉତ୍ପତ୍ତି । କେଳାର ଅର୍ଥ କଳାକାର । ଏମାନେ ବିଭିନ୍ନ ଜାତିରେ ବିଭକ୍ତ ଯଥା - ସାପୁଆ, ନାଗେଶ୍ୱରିଆ, ଗଉଡ଼ିଆ, ସଭାଖିଆ(ସବାଖିଆ), ମୁଣ୍ଡପୋତା, ନଳୁଆ, ମାଟିଆ, ବାଜୀକରିଆ, ଅଇରୀଗଉଡ଼, ଚାଉଳିଆ କେଳା ।

ଅନ୍ୟାନ୍ୟ କେଳାଙ୍କ ଅପେକ୍ଷା ସାପୁଆ କେଳାର ଜୀବନ ଶୈଳୀ ନିଆରା । ଏହି ଜାତୀୟ କେଳା ସାପ ଧରି ଓ ସାପ ଖେଳାଇ ଜୀବିକା ନିର୍ବାହ କରନ୍ତି । ସେମାନେ ନିଜକୁ "ମାଙ୍ଗତା ଜାତି" ଏବଂ ଅନ୍ୟ ସବୁ ଜାତିକୁ "କାଜୁଆ ଜାତି" ଭାବରେ ଅଭିହିତ କରିଥାନ୍ତି । 'ମାଙ୍ଗତା' ଭିକମାଗି ଓ 'କାଜୁଆ' କାମ କରି ନିଜର ଜୀବିକା ନିର୍ବାହ କରନ୍ତି ।

ପଶ୍ଚିମ ବଙ୍ଗରେ ଅନେକ ଦିନ ଧରି ଆହିରୀ-ଗଉଡ଼ ରୂପେ ସବର୍ଣ୍ଣ ଜାତିଭାବରେ ଏମାନେ ଥିଲେ । ସେତେବେଳେ ସେମାନଙ୍କ ମୁଖ୍ୟ ବ୍ୟବସାୟ ଥିଲା "ଭାନୁମତୀ ପେଡ଼ିର ଷୋଳ କଣ୍ଢେଇ ନାଚ ।" ଶ୍ରୀକୃଷ୍ଣଙ୍କ ଲୀଳାକୁ କଣ୍ଢେଇ ସାହାଯ୍ୟରେ ପ୍ରଦର୍ଶନ କରି ନିଜର ଜୀବିକା ନିର୍ବାହ କରୁଥିଲେ । ନିଜର ବେଉଷା ଯୋଗୁଁ ଗାଁ ଗଣ୍ଡା, ସହର ବଜାର ବୁଲି ଯାଯାବର ଜୀବନ ବିତାଉଥିଲେ ।

୧୮୬୬-୬୭ ମସିହାରେ ଓଡ଼ିଶା ପରି ମେଦିନୀପୁରରେ ମଧ୍ୟ ଦୁର୍ଭିକ୍ଷ ପଡ଼ିଥିଲା । ଖାଦ୍ୟ ଅନ୍ୱେଷଣରେ ମେଦିନୀପୁରର ସେହି ଯାଯାବର ଆହିରୀ-ଗଉଡ଼ ସେତେବେଳେ ଓଡ଼ିଶା ଚାଲିଆସିଥିଲେ । ଓଡ଼ିଶାର ତତ୍‌କାଳୀନ ରାଜଧାନୀ କଟକର ୮ମାଇଲ ଦକ୍ଷିଣ ଦିଗରେ ପ୍ରାଚୀନ ସାରଙ୍ଗଗଡ଼ର ଦକ୍ଷିଣରେ ମାତ୍ର ୨ ମାଇଲ ଦୂରରେ ପଟିଆ ଗଡ଼ ଅବସ୍ଥିତ । ସେହି ଗଡ଼ର ସେତେବେଳର ରାଜା ତୃତୀୟ ଦିବ୍ୟସିଂହ ଦେବଙ୍କ ଅନୁମତିରେ ରାଜବାଟୀର ଦକ୍ଷିଣ ଦିଗରେ ଚନ୍ଦ୍ରଶେଖରପୁରଠାରେ ଆମ୍ବବଗିଚାରେ ଝାଟିମାଟିର କୁଡ଼ିଆମାନ ତିଆରି କରି ସେମାନେ ବିନା ଖଜଣାରେ ରହିଲେ । ସେହି ଘରଗୁଡ଼ିକୁ କେଳା କୁଡ଼ିଆ ବା ପଟିଆର କେଳା ସାହି ରୂପେ ନାମିତ ହେଲା । ନିଜର ବୃତ୍ତି ଭାନୁମତୀ-ପେଡ଼ିଦ୍ୱାରା ଶ୍ରୀକୃଷ୍ଣଙ୍କ ଲୀଳା ପରିବେଷଣ କରି ସେମାନେ ପେଟ ପୋଷିବାକୁ ଲାଗିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସାପ ଧରି ଖେଳାଇବାକୁ ନିଜର ଜୀବିକା ଭାବରେ ଧରିନେଲେ । ଫଳରେ ସେମାନେ ସାପୁଆ-କେଳା ନାମରେ ନାମିତ ହେଲା ।

ସମୟକ୍ରମେ ପଟିଆର ରାଜ ଶାସନ ଚାଲିଗଲା । ଏଣୁ କନିକାର ଜମିଦାର ପଟିଆର ଜମିଦାରୀ ନିଲାମ ନେଇ ଜମିଦାରୀ ଶାସନ ଚଳାଇଲେ । ଶୈଳେନ୍ଦ୍ର ନାରାୟଣ ଭଞ୍ଜ ୧୯୫୦ ମସିହାରେ ପଟିଆ-ଗଡ଼ର ଉତ୍ତର ପୂର୍ବ ଦିଗରେ ଏକ ବିସ୍ତୀର୍ଣ୍ଣ ଟାଙ୍ଗୀରେ ପ୍ରତ୍ୟେକ କେଳା ପରିବାରକୁ ୫ ଡେସିମିଲ୍ ଲେଖାଁଏ ଜାଗା ଦେଇ ସ୍ଥାୟୀ ବାସିନ୍ଦାଭାବରେ ରଖାଇଲେ । ସେହି ନୂତନ କେଳା ସାହିର ନାମ ଦିଆଗଲା 'ପଦ୍ମକେଶରୀପୁର' । ଏହା ନୂତନ ରାଜଧାନୀ ଭୁବନେଶ୍ୱରଠାରୁ ୮ କିଲୋମିଟର ଉତ୍ତର-ପୂର୍ବରେ ପଟିଆ ରେଳଷ୍ଟେସନ ନିକଟରେ ଅବସ୍ଥିତ ।[୩]

ସାପୁଆ କେଳା ସମାଜର ନିୟମକାନୁନ ସମ୍ପାଦନା

ଅତୀତରେ ରାଜଶାସନ କାଳରେ ରାଜାଙ୍କଦ୍ୱାରା ଶାଢ଼ୀ ପାଇଥିବା 'ବେହେରା' ସାପୁଆ କେଳା ଜାତିର ରାଜା ଭାବେ ପରିଗଣିତ ହେଉଥିଲେ । ତାଙ୍କ କହିବା କଥାକୁ ଆଇନ ଭାବେ ବାକି ସମସ୍ତେ ମାନୁଥିଲେ । ଅବଜ୍ଞା କଲେ ଆର୍ଥିକ ଦଣ୍ଡ ଦେବା କିମ୍ବା ଜାତିରୁ ବାଛନ୍ଦ ହେବାକୁ ପଡୁଥିଲା ।[୪]

ଜୀବିକା ସମ୍ପାଦନା

କେଳା ମୁଖ୍ୟତଃ ସାପ ଖେଳ ଦେଖାଇ ଜୀବିକା ନିର୍ବାହ କରେ । କେଲୁଣୀ ଚିତା କୁଟାଇ ଏବଂ ସେମାନଙ୍କ ପିଲାମାନେ ବିଭିନ୍ନ ଖେଳ କସରତ ଦେଖାଇ ଗୁଜୁରାଣ ମେଣ୍ଟାଇଥାଆନ୍ତି ।

ସାପଖେଳ ସମ୍ପାଦନା

କେଳା ପେଡ଼ିରୁ ସାପଟି ଆଣି ତଳେ ଛାଡ଼ିଦିଏ । ବାଁ ହାତରେ ସାପର ଲାଞ୍ଜକୁ ଧରି ଡାହାଣ ହାତରେ ଡମ୍ବରୁ ବଜାଏ । ଡମ୍ବରୁ ଶବ୍ଦ ଶୁଣି ସାପ ନିଜର ଫଣା ଟେକି ରୁହେ । କେଳା ପଦ୍ମତୋଳା ବୋଲେ:


କଂସରଘରଣୀ ପଦ୍ମାବତୀ ରାଣୀ
     ସେ କଲେ ଧନନ୍ତିରି ଓଷା
ଲକ୍ଷେ ଭାର ପଦ୍ମ ଦେବୁ କି କହ୍ନାଇ
      ନଥିବ ପାଖୁଡ଼ା ମିଶା
       କି ଗୋବିନ୍ଦ ହରେ ।
ନେତେଇ ଧୋବଣୀ ସୁକୁଟୀ ଚମାରୁଣୀ
    ବାଙ୍କି କେଉଟୁଣୀ ପତ୍ର ସଉରୁଣୀ
ଚାରି ଗୁରୁସର୍ପ ଖେଳାଉଛି ତୋତେ
      କି ଗୋବିନ୍ଦ ହରେ ।
ମାତା ଗୋ ଯଶୋବନ୍ତୀ ଗୋପରେ ଜାତ ହେଲେ
        ଶତ୍ରୁକୁ କେମନ୍ତେ ମାରିବା
           କି ଗୋବିନ୍ଦ ହରେ ।
ମଞ୍ଚାରୁ ପଡ଼ି ମାମୁଁ ମଲା
   ମୋତେ ତ ଦଇବ ରଖିଲା
ମାମୁଁର ଲାଗି ମାଇଁ କାନ୍ଦୁଛୁ କାହିଁ ପାଇଁ
         ମାମୁଁର ବଦଳି ମୁହିଁ
         କି ଗୋବିନ୍ଦ ହରେ
କଂସରଘରଣୀ ପଦ୍ମାବତୀ ରାଣୀ
      ସେ କଲେ ଧନନ୍ତିରି ଓଷା
ଆ .............. ଆ .......................
ଲକ୍ଷେ ଭାର ପଦ୍ମ ଦେବୁ କି କହ୍ନାଇ
         ନଥିବ ପାଖୁଡ଼ା ମିଶା
          କି ଗୋବିନ୍ଦ ହରେ ।
...........................ଇତ୍ୟାଦି ଇତ୍ୟାଦି ।

ପ୍ରକୃତରେ ସାପ କେଳାର ପଦ୍ମତୋଳାକୁ ଶୁଣେନାହିଁ । କାରଣ ତା'ର କାନ ନାହିଁ । ସେ ଖାଲି କେଳାର ହାତର ଡମ୍ବରୁକୁ ଲକ୍ଷ୍ୟ କରି ମୁଣ୍ଡ ହଲାଇ ଥାଏ । ବେଳେ ବେଳେ ସେ ଅନ୍ୟମନସ୍କ ହୋଇ ଅନ୍ୟ ଆଡକୁ ଚାଲିଯାଏ । ସେହି ସମୟରେ କେଳା ବାଁ ହାତରେ ତା' ଲାଞ୍ଜକୁ ଟାଣି ଆଣେ । ଫଳରେ ସାପ ପୁନର୍ବାର ଫଣା ଟେକି ଖେଳେ ।

ସାପର ବିଷଦାନ୍ତକୁ କେଳା ପ୍ରତିମାସରେ କାଟିଦିଏ । ଏଣୁ ସାପ ଚୋଟ ମାରିଲେ କେଳାର କିଛି କ୍ଷତିହୁଏ ନାହିଁ ।[୫]

ଆଧାର ସମ୍ପାଦନା

  1. Kamal Kant Misra; Janet Huber Lowry (1 January 2007). Recent studies on Indian women: empirical work of social scientists. Rawat Publications. ISBN 978-81-316-0049-8. Retrieved 20 June 2013.
  2. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsalsrv02.uchicago.edu. Retrieved 21 June 2013. ସମ୍ଭବତଃ ଏମାନେ କେରଳ ବା ଦକ୍ଷିଣ ଦେଶ ଆଡ଼ୁ ଆସିଥିବାରୁ ଏହିନାମ[permanent dead link]
  3. ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୬-୭୭
  4. ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୮
  5. ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୮-୭୯